Unknown

 

 

 

 

 

 

 

 

 

 

ଛ ମାଣ ଆଠଗୁଣ୍ଠ ପରିଚୟ

ଅଧ୍ୟାପକ ଦେବେନ୍ଦ୍ର ମହାନ୍ତି, ଏମ୍. ଏ

 

ସୂଚୀପତ୍ର

 

୧.

ଓଡ଼ିଆ ଉପନ୍ୟାସ ଓ ଫକୀରମୋହନ

୨.

ଛ ମାଣ ଆଠଗୁଣ୍ଠ

୩.

ଚରିତ୍ର ଚିତ୍ରଣ

୪.

ଫକୀରମୋହନଙ୍କର ବର୍ଣ୍ଣନା-ବିଳାସ

୫.

ଫକୀରମୋହନଙ୍କର ଉପନ୍ୟାସର ଭାଷା

୬.

ଛ ମାଣ ଆଠଗୁଣ୍ଠରେ ହାସ୍ୟରସ ଓ ବ୍ୟଙ୍ଗ

୭.

ଛ ମାଣ ଆଠଗୁଣ୍ଠରେ ଜୀବନଚିତ୍ର

୮.

ଛ ମାଣ ଆଠଗୁଣ୍ଠରେ ନବାବୀଚିତ୍ର

୯.

ଛ ମାଣ ଆଠଗୁଣ୍ଠରେ ପୋଲିସ ବିଭାଗର ଚିତ୍ର

୧୦.

ଛ ମାଣ ଆଠଗୁଣ୍ଠରେ ବିଚାରାଳୟର ଚିତ୍ର

୧୧.

ଛ ମାଣ ଆଠଗୁଣ୍ଠରେ ଲେଖକଙ୍କର ସଂସ୍କାରପ୍ରୟାସ

୧୨.

ଓଡ଼ିଆ ସାହିତ୍ୟରେ ଛ ମାଣ ଆଠଗୁଣ୍ଠର ସ୍ଥାନ

Image

 

ନିଜକଥା

 

ଔପନ୍ୟାସିକ ଫକୀରମୋହନଙ୍କର ବହୁମୁଖୀ ପ୍ରତିଭାର ସମାଲୋଚନା ଆଧୁନିକ ଓଡ଼ିଆ ସାହିତ୍ୟରେ ବିଶେଷ ଭାବରେ ପରିଦୃଷ୍ଟ ହେଉଅଛି । ଛ ମାଣ ଆଠଗୁଣ୍ଠ ଲେଖକଙ୍କର ସର୍ବଶ୍ରେଷ୍ଠ ଉପନ୍ୟାସ । ଏହି ଉପନ୍ୟାସ ଆଧୁନିକ ଓଡ଼ିଆ ସାହିତ୍ୟରେ ଉପନ୍ୟାସ ସାହିତ୍ୟର ପ୍ରାଣପ୍ରତିଷ୍ଠା କରିଅଛି ବୋଲି ସ୍ପଷ୍ଟଭାବରେ କୁହାଯାଇପାରେ । ଏହି ଉପନ୍ୟାସର କେତେଗୋଟି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଦୃଷ୍ଟିରଖି ଉକ୍ତ ଆଲୋଚନା ପୁସ୍ତକ ରଚିତ । ଏ ଦେଶର ପାଠକ ପାଠିକା ବିଶେଷତଃ ଛାତ୍ରସମାଜ ନିକଟରେ ଏହି ଆଲୋଚନା ପୁସ୍ତକ ଫକୀରମୋହନଙ୍କର ବହୁମୁଖୀ ପ୍ରତିଭାର କିଞ୍ଚିତ ପରିଚୟ ପ୍ରଦାନ କରିପାରିବ ବୋଲି ଆଶାକରେ ।

 

ଲେଖକ

Image

 

ଓଡ଼ିଆ ଉପନ୍ୟାସ ଓ ଫକୀରମୋହନ

 

ଗଳ୍ପ ବା କାହାଣୀର ପ୍ରଚଳନ ମନୁଷ୍ୟ ସମାଜରେ କେଉଁ ଆଦିମକାଳରୁ ଯେ ଆରମ୍ଭ ହୋଇଅଛି, ତାହାର ଐତିହାସିକ ବିବରଣୀ ଦେବ ଏକାବେଳକେ ଅସମ୍ଭବ । ସାହିତ୍ୟ-ସମୀକ୍ଷକମାନେ ମତପ୍ରଦାନ କରନ୍ତି ଯେ, ବହୁ ପୁରାତନ କାଳରୁ ମନୁଷ୍ୟ-ସମାଜରେ କାହାଣୀ ଶୁଣିବାର ପ୍ରଥା ପ୍ରଚଳିତ । କୌଣସି ସ୍ଥାନରେ ଦଳେ ଲୋକ କାମ କରିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଲୋକ କାହାଣୀ କହେ ଓ ଅନ୍ୟମାନେ କାମ କରିବା ସଙ୍ଗେ ସଙ୍ଗେ ଗଳ୍ପ ଶୁଣନ୍ତି । ଏହା ଫଳରେ ସେମାନଙ୍କର ଶ୍ରମଜନିତ କ୍ଳାନ୍ତି ଲାଘବ ହୋଇଥାଏ । ପୁଣି ଦିନର କାମ ଶେଷକରି ସନ୍ଧ୍ୟାରେ ଯେତେବେଳେ ଲୋକମାନେ ଏକତ୍ରିତ ହୋଇ କ୍ଳାନ୍ତି ଦୂର କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରନ୍ତି, ତହିଁ ମଧ୍ୟରେ କାହାଣୀ ଶୁଣିବା ମଧ୍ୟ ଏକ ଉପାୟ ରୂପେ ଦେଖାଦେଇଥିଲା । ଦଳମଧ୍ୟରେ ଥିବା ବୟସ୍କ ବ୍ୟକ୍ତି ଜଣେ କାହାଣୀ କହନ୍ତି ଓ ଅନ୍ୟମାନେ ଶୁଣନ୍ତି-। ଏହି କାହାଣୀଗୁଡ଼ିକ ଅତ୍ୟନ୍ତ ଦୀର୍ଘ ଓ କପୋଳକଳ୍ପିତ । ଏହି କାହାଣୀଗୁଡ଼ିକ ଏତେ ଦୀର୍ଘ ଯେ, ଗୋଟିଏ ଗୋଟିଏ କାହାଣୀ ଶେଷ ହେବା ପାଇଁ କ୍ରମାଗତଭାବରେ ବହୁ ରାତ୍ରି ବିତିଯାଏ । ପୁଣି କାହାଣୀ କହିବା ଲୋକର କଳ୍ପନାଶକ୍ତି ଏଥିରେ ବିଶେଷ ଭାବରେ କାର୍ଯ୍ୟ କରୁଥିଲା । ଏହିପରି ଭାବରେ ମନୁଷ୍ୟ ସମାଜରେ କେତେ ଯେ ଗଳ୍ପ କାହାଣୀ ସୃଷ୍ଟି ହୋଇଅଛି, ତାହାର ଇୟତ୍ତା ନାହିଁ । ଯୁଗ ଯୁଗ ଧରି ଲୋକମୁଖରେ ଗଡ଼ି ଆସିଥିବା ଏହିପରି ଅନେକ କପୋଳକଳ୍ପିତ କାହାଣୀ ଲୋକକଥା ନାମରେ ଅଦ୍ୟାବଧି ପ୍ରଚଳିତ ।

 

ଶିଶୁମାନଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ ପରିବାର ମଧ୍ୟରେ ଗଳ୍ପ ବା କାହାଣୀର ପ୍ରଚଳନ ଆମ ସମାଜରେ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଅଛି । ଆଈମାର କାହାଣୀ ପେଡ଼ି ଶିଶୁମାନଙ୍କୁ ଅତ୍ୟନ୍ତ ମୁଗ୍‌ଧ କରିଥାଏ । ରଜାପୁଅ, ମନ୍ତ୍ରୀପୁଅ, କଲରେଇବେଣ୍ଟ, ଚକୁଳିଆପଣ୍ଡା, ବୁଢ଼ିଅସୁରୁଣୀ ପ୍ରଭୃତି ବହୁ ପ୍ରକାର କାହାଣୀ ଏହିପରି ପ୍ରଚଳିତ । ପ୍ରାଚୀନ କାଳରୁ ଗଡ଼ିଆସିଥିବା ଏହି ପ୍ରକାର କାହାଣୀ ମନୁଷ୍ୟ ସମାଜରେ ବହୁ ପ୍ରକାରରେ ବହୁଲୋକଙ୍କୁ ମୁଗ୍‌ଧ କରିଅଛି । ସେ ଯାହା ହେଉ ନା କାହିଁକି, ଗଳ୍ପ ବା କାହାଣୀ ଶୁଣିବା ମନୁଷ୍ୟ ସମାଜର ଏକ ଆଦିମ ପ୍ରବୃତ୍ତି । ଏହି ପ୍ରବୃତ୍ତି ସମୟର ଗତିରେ ବହୁ ପରିବର୍ତ୍ତିତ ରୂପ ଗ୍ରହଣ କରିଅଛି । କଳା, ସାହିତ୍ୟ, ସ୍ଥାପତ୍ୟ, ସବୁଥିରେ ଯେପରି କାହାଣୀ ବା ଗଳ୍ପ ନିଜକୁ ପ୍ରତିଷ୍ଠିତ କରିଅଛି ବୋଲି ମନେହୁଏ । ପୁରାଣ, କାବ୍ୟ, କବିତା, ନାଟକ ସାହିତ୍ୟର ଯେ କୌଣସି ବିଭାଗରେ ଗଳ୍ପାଂଶ ହିଁ ମୁଖ୍ୟ ସ୍ଥାନ ଗ୍ରହଣ କରିଅଛି ।

 

ପ୍ରାଚୀନକାଳରୁ ଗଡ଼ିଆସିଥିବା କାହାଣୀ ବା ଗଳ୍ପଗୁଡ଼ିକ ଗଦ୍ୟରେ କଥିତ ହୋଇଥାଏ । ଗଳ୍ପ ମଝିରେ ଶ୍ରୋତାମାନଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ ଅନେକ ସମୟରେ ଗୀତ, ଢଗଢମାଳୀ ବା ପଦ୍ୟର ସଂଯୋଜନା କରାଯାଇଥାଏ । କାହାଣୀର ଆରମ୍ଭରେ ଗୋଟିଏ ଢଗ ଓ ଶେଷରେ ମଧ୍ୟ ଗୋଟିଏ ଗୋଟିଏ ଢଗ ଅନେକ ସମୟରେ ଯୋଡ଼ି ଦିଆଯାଇ କାହାଣୀକୁ ସରସ ଓ ଉପଭୋଗ୍ୟ କରାଯାଉଥିଲା ।

 

ଓଡ଼ିଆ ଭାଷାରେ ଏହିପ୍ରକାର କପୋଳକଳ୍ପିତ ଓ ଶିକ୍ଷାଦାନକାରୀ ବହୁ କାହାଣୀ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଅଛି । ଏ ପ୍ରକାର କାହାଣୀଗୁଡ଼ିକର ସାହିତ୍ୟିକ ମୂଲ୍ୟ ବିଶେଷ ଭାବରେ ଉପଲବ୍ଧ ହୋଇ ନ ଥାଏ । ଓଡ଼ିଆ ସାହିତ୍ୟର ଆଦିକାଳରେ ସାରଳା ଦାସଙ୍କର ପୁରାଣର ସୃଷ୍ଟି । ସାରଳା ଦାସଙ୍କର ମହାଭାରତ ଓ ବିଲଙ୍କା ରାମାୟଣର କଳେବର ମଧ୍ୟରେ ଏହିପ୍ରକାର ବହୁ କାହାଣୀ ସ୍ଥାନ ପାଇଅଛି । ଲୋକମାନଙ୍କୁ ଶିକ୍ଷାଦିନ କରିବା ଉଦ୍ଦେଶ୍ୟରେ ସାରଳାଦାସ ବହୁ କାହାଣୀ ନିଜ ମନରୁ ଗଢ଼ି ତାଙ୍କ ମହାଭାରତରେ ଖଞ୍ଜି ଦେଇଅଛନ୍ତି । ଓଡ଼ିଆ ସାହତ୍ୟରେ ବୈଷ୍ଣବକବିମାନେ ମଧ୍ୟ ସେମାନଙ୍କର ରଚନା ମଧ୍ୟରେ ବହୁ ଗଳ୍ପ ଖଞ୍ଜି ଲୋକସମାଜରେ ଧର୍ମର ପ୍ରଚାର କରିବା ପାଇଁ ଚେଷ୍ଟିତ ହୋଇଅଛନ୍ତି । ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଆ କାବ୍ୟସାହିତ୍ୟର କଥାବସ୍ତୁ ଯେତେବେଳେ କଳ୍ପନାପ୍ରସୂତ ହେଲା, ସେତେବେଳେ କାବ୍ୟମାନଙ୍କର କଳେବର ମଧ୍ୟରେ ଅନେକ କଳ୍ପନାପ୍ରସୂତ ଗଳ୍ପର ସୃଷ୍ଟି ହେଲା । ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗରେ ଯେଉଁ କବିମାନେ କାବ୍ୟ ରଚନା କରିଅଛନ୍ତି, ସେମାନେ ନିଜ ନିଜର କଳ୍ପନାରୁ ହେଉ ବା ଆହରଣ ସୂତ୍ରରୁ ହେଉ, ବହୁ ଗଳ୍ପ ସେମାନଙ୍କର କାବ୍ୟର କଥାବସ୍ତୁ ମଧ୍ୟରେ ସଂଯୋଜନା କରିଅଛନ୍ତି ।

 

କାବ୍ୟକବିତା ବା ପୁରାଣ ମଧ୍ୟରେ ଗଳ୍ପ ରଚନା କଥାବସ୍ତୁ ରୂପେ ସ୍ଥାନ ଗ୍ରହଣ କରିଥାଏ-। ମାତ୍ର ଗଳ୍ପର ସ୍ୱାତନ୍ତ୍ର୍ୟ ଓଡ଼ିଆ ସାହିତ୍ୟରେ ଉପଲବ୍‌ଧ ହେବା ପାଇଁ ଆଧୁନିକ ଯୁଗର ଗଦ୍ୟସାହିତ୍ୟର ପ୍ରସାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଅଛି । ଓଡ଼ିଆ ଗଦ୍ୟସାହିତ୍ୟର ପ୍ରସାର ବିଶେଷ ଭାବରେ ଇଂରେଜ ଶାସନ ସମୟରେ ଓଡ଼ିଶାରେ ଦେଖାଦେଇଅଛି । ମାତ୍ର ତାହା ପୂର୍ବରୁ ଯେ ଆମର ଗଳ୍ପସାହିତ୍ୟ ନ ଥିଲା ତା’ ନୁହେଁ । ତାହା ପୂର୍ବରୁ ବଜ୍ରନାଥ ବଡ଼ଜେନାଙ୍କର ଚତୁରବିନୋଦ ହିଁ ଓଡ଼ିଆ ଗଳ୍ପସାହିତ୍ୟର ବିକାଶ ବିଷୟରେ ସାକ୍ଷ୍ୟ ଦେଇଥାଏ ।

 

ଇଂରେଜ ଶାସନର ଆରମ୍ଭରେ ଓଡ଼ିଶାକୁ ଯେତେବେଳେ ଇଂରେଜ ପାଦ୍ରୀମାନେ ସେମାନଙ୍କର ଧର୍ମପ୍ରଚାର କରିବାକୁ ଆସିଥିଲେ, ସେମାନେ ବାଇବେଲର ଓଡ଼ିଆ ଅନୁବାଦ କରି ଖ୍ରୀଷ୍ଟଧର୍ମର ବାଣୀ ଓଡ଼ିଆମାନଙ୍କର କାନରେ ପକାଇଥିଲେ । ଓଡ଼ିଆ ଗଦ୍ୟସାହିତ୍ୟର ବିକାଶ ମଧ୍ୟ ଆଉ ଗୋଟିଏ ଦୃଷ୍ଟିରୁ ଏହି ପାଦ୍ରୀମାନେ ପ୍ରଚେଷ୍ଟାର ପରିଣାମ ରୂପେ ଅନୁଭୂତ ହୁଏ । ପାଦ୍ରୀମାନଙ୍କର ଖ୍ରୀଷ୍ଟଧର୍ମର ବାଣୀ ପ୍ରଚାର ଉଦ୍ଦେଶ୍ୟରେ ଓଡ଼ିଆ ଭାଷାରେ ବିଭିନ୍ନ ପତ୍ରପତ୍ରିକା ପ୍ରକାଶ କରିଥିଲେ । ଏହି ପତ୍ରପତ୍ରିକା ପ୍ରକାଶଦ୍ୱାରା ସେମାନେ କିମ୍ଭୂତକିମାକାର ଓଡ଼ିଆ ଗଦ୍ୟ ସୃଷ୍ଟି କରିଥିଲେ । ସେ ଯାହାହେଉ ନା କାହିଁକି, ପାଦ୍ରୀମାନଙ୍କର ଏହି ପ୍ରଚେଷ୍ଟା ସେ ସମୟର ଓଡ଼ିଆ ଗଦ୍ୟର ବିକାଶ ପର୍ଯ୍ୟାୟରେ ଏକ ସୁଦୃଢ଼ ପଦକ୍ଷେପ ରୂପେ ବିବେଚିତ ହୋଇଅଛି । କେବଳ ସେତିକି ନୁହେଁ, ପାଦ୍ରୀମାନେ ବାଇବେଲର ଯେଉଁ ଓଡ଼ିଆ ଅନୁବାଦ କରିଥିଲେ; ତାହାର ଭାଷା ମଧ୍ୟ ନିତାନ୍ତ ବିକୃତ ଥିଲା । ସେ ବିଷୟରେ ଫକୀରମୋହନ ସେନାପତି ବାଲେଶ୍ୱରରେ ଶିକ୍ଷକତା କରିବା ସମୟରେ ଯେଉଁ ଅନୁଭୂତି ଲାଭ କରିଥିଲେ; ତାହା ତାଙ୍କର ଆତ୍ମଜୀବନଚରିତରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଅଛି । ପାଦ୍ରୀମାନେ ଯେଉଁ ପ୍ରକାର ଓଡ଼ିଆ ଗଦ୍ୟ ସୃଷ୍ଟି କରିଥିଲେ, ତାହା କାଳକ୍ରମେ ମାର୍ଜିତ ରୂପ ଗ୍ରହଣ କରିଅଛି । ସେମାନଙ୍କର ପ୍ରଚେଷ୍ଟା ଆମକୁ ଯେ ଓଡ଼ିଆ ଗଦ୍ୟର ଭୂୟୋବିକାଶ ଦିଗରେ ପ୍ରବଳ ଭାବରେ ଉତ୍ସାହିତ କରିଅଛି, ଏ କଥା ଭୁଲିଗଲେ ଚଳିବ ନାହିଁ । ପତ୍ରପତ୍ରିକାର ପ୍ରକାଶନ ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ପର୍ଯ୍ୟାୟର ଏକ ମୁଖ୍ୟ କାରଣ ପତ୍ରପତ୍ରିକା ପ୍ରକାଶନ କ୍ଷେତ୍ରରେ ମଧ୍ୟ ପାଦ୍ରୀମାନଙ୍କର ଉଦ୍ୟମ ଆମକୁ ଉତ୍ସାହିତ କରିଅଛି ।

 

ଇଂରେଜମାନେ ଓଡ଼ିଶାକୁ ଆସିବାର ପଚାଶ ବର୍ଷ ପୂର୍ବରୁ ବଙ୍ଗଳାରେ ସେମାନଙ୍କର ସ୍ଥାନ ପ୍ରତିଷ୍ଠିତ କରିସାରି ଅଛନ୍ତି । ଇଂରାଜୀ ଶିକ୍ଷାର ସଂସ୍ପର୍ଶରେ ଆସିବା ଫଳରେ ବଙ୍ଗଳାରେ ଆଧୁନିକ ମତବାଦ ବହୁ ପୂର୍ବରୁ ବିକାଶଲାଭ କରିଅଛି । ତେଣୁ ଆଧୁନିକ ସାହିତ୍ୟର ବିକାଶ ବିଷୟରେ ଓଡ଼ିଶା ବଙ୍ଗଳାର ପରବର୍ତ୍ତୀ । ଆଧୁନିକ ଓଡ଼ିଆ ସାହିତ୍ୟ କବିବର ରାଧାନାଥଙ୍କ ଦ୍ୱାରା ବିକଶିତ ଓ ପ୍ରତିଷ୍ଠିତ ହୋଇଅଛି । କବିବର ରାଧାନାଥ କାବ୍ୟକବିତା ସୃଷ୍ଟିରେ ମୁଖ୍ୟତଃ ଅଗ୍ରଣୀ ଥିଲେ । ତେଣୁ ତାଙ୍କ ଲେଖନୀରୁ ଗଦ୍ୟସାହିତ୍ୟର ବିକାଶ ବିଶେଷ ଭାବରେ ହୋଇପାରି ନାହିଁ । ଆଧୁନିକ ଯୁଗରେ ଗଦ୍ୟସାହିତ୍ୟର ପ୍ରାଧାନ୍ୟ ସୂଚିତ ହେବା ସମୟରେ ଫକୀରମୋହନ ଗଳ୍ପ ଓ ଉପନ୍ୟାସ ରଚନାଦ୍ୱାରା ଓଡ଼ିଆ ଗଦ୍ୟସାହିତ୍ୟକୁ ସମୃଦ୍ଧ କରିଅଛନ୍ତି ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟି ଏହି ଆଧୁନିକ ଯୁଗରେ ହିଁ ସମ୍ଭବ ହୋଇଅଛି । ଫକୀରମୋହନଙ୍କ ପୂର୍ବରୁ ଯେଉଁ କେତେଗୋଟି ଉପନ୍ୟାସ ଓଡ଼ିଆ ସାହିତ୍ୟରେ ରଚିତ ହୋଇଥିଲା, ସେଗୁଡ଼ିକ ଓଡ଼ିଆ ଉପନ୍ୟାସର ପ୍ରକୃଷ୍ଟ ପରିଚୟ ଦେବାକୁ ଅକ୍ଷମ । ଓଡ଼ିଆ ଉପନ୍ୟାସ ସାହିତ୍ୟର ଆଦିକାଳରେ ତିନି ଜଣ ଲେଖକ ସେମାନଙ୍କର ଲେଖନୀ ଚାଳନା କରି ତିନିଗୋଟି ଉପନ୍ୟାସ ସୃଷ୍ଟି କରିଅଛନ୍ତି । ଉମେଶଚନ୍ଦ୍ର ସରକାରଙ୍କର ପଦ୍ମମାଳୀ, ଗୋପାଳବଲ୍ଲଭ ଦାସଙ୍କର ଭୀମାଭୂୟା ଓ ରାମଶଙ୍କର ରାୟଙ୍କର ବିବାସିନୀ–ଏହି ତିନିଗୋଟି ଉପନ୍ୟାସ ଓଡ଼ିଆ ସାହିତ୍ୟର ଉପନ୍ୟାସ ରାଜ୍ୟର ଆଦ୍ୟସଙ୍କେତ ।

 

ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ପଦ୍ମମାଳୀ ଓଡ଼ିଆ ସହିତ୍ୟର ପ୍ରଥମ ଉପନ୍ୟାସ । ପଦ୍ମମାଳୀର ପ୍ରକାଶକାଳ ୧୮୮୭ ସାଲ । ତେଣୁ ଉମେଶଚନ୍ଦ୍ର ଓଡ଼ିଆ ସାହିତ୍ୟର ପ୍ରଥମ ଔପନ୍ୟାସିକ ମାତ୍ର ରାମଶଙ୍କର ରାୟ ତାଙ୍କର ଗ୍ରନ୍ଥାବଳୀର ମୁଖବନ୍ଧରେ ଲେଖି ଅଛନ୍ତି ଯେ; ସେ କଲେଜରେ ପଢ଼ୁଥିବା ସମୟରେ ଉତ୍କଳମଧୁପ ନାମକ ପତ୍ରିକାରେ ଧାରାବାହିକ ଭାବରେ ସୌଦାମିନୀ ନାମକ ଉପନ୍ୟାସ ଲେଖିଥିଲେ । ଉତ୍କଳ ମଧୁପର ପ୍ରକାଶନ ବନ୍ଦ ହୋଇ ଯିବାରୁ ସୌଦାମିନୀ ଅସଂପୂର୍ଣ୍ଣ ରହିଗଲା, ପୁଣି ଉତ୍କଳ ପ୍ରଭା ନାମକ ପତ୍ରିକାରେ ସେ ବିବାସିନୀ ଉପନ୍ୟାସକୁ ଲେଖି ପ୍ରକାଶ କରିଥିଲେ । ବିବାସିନୀ ପ୍ରକାଶ ପାଇଅଛି । ୧୮୯୧-୯୨ ସାଲରେ ବିବାସିନୀ ବିଷୟ ଉଲ୍ଲେଖ କରି ରାମଶଙ୍କର ତାହାକୁ ପ୍ରଥମ ଓଡ଼ିଆ ଉପନ୍ୟାସ ବୋଲି କହି ନିଜକୁ ପ୍ରଥମ ଓଡ଼ିଆ ଔପନ୍ୟାସିକ ରୂପେ ଦାବୀ କରିଅଛନ୍ତି । ତାଙ୍କର ଏ ଦାବୀ ଯଥାର୍ଥ ନୁହେଁ । ବାସ୍ତବରେ ପଦ୍ମମାଳୀ ପ୍ରଥମ ଓଡ଼ିଆ ଉପନ୍ୟାସ ଓ ଉମେଶଚନ୍ଦ୍ର ପ୍ରଥମ ଔପନ୍ୟାସିକ ।

 

ପଦ୍ମମାଳୀ, ଭୀମାଭୂୟାଁ ଓ ବିବାସିନୀରେ ଓଡ଼ିଆ ଜୀବନର କେତେକ କଥା ବର୍ଣ୍ଣିତ ହୋଇଥିଲେ ହେଁ ଏଗୁଡ଼ିକ ଓଡ଼ିଆ ଉପନ୍ୟାସର ପ୍ରକୃଷ୍ଟ ପରିଚୟ ଦେବାକୁ ଅକ୍ଷମ । ଏହି ତିନିଗୋଟି ଉପନ୍ୟାସ ଓଡ଼ିଆ ସାହିତ୍ୟରେ ଓଡ଼ିଆ ଉପନ୍ୟାସର ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ସେହି ଭିତ୍ତି ଉପରେ ପରବର୍ତ୍ତୀ କାଳରେ ଗଢ଼ିଉଠିଚି ଫକୀରମୋହନଙ୍କର ଉତ୍ତୁଙ୍ଗ ଉପନ୍ୟାସ ପ୍ରାସାଦ । ଉପରୋକ୍ତ ଉପନ୍ୟାସଗୁଡ଼ିକ ଉପରେ ପଦ୍ୟସାହିତ୍ୟର ପ୍ରଭାବ ଅନେକ ସ୍ଥଳରେ ପରିଦୃଷ୍ଟ ହୁଏ । ଏହି ଉପନ୍ୟାସଗୁଡ଼ିକର ବର୍ଣ୍ଣନାଶୈଳୀ ଦେଖିଲେ ମନେହୁଏ, ସତେ ଯେପରି ସ୍ଥଳବିଶେଷରେ କୌଣସି କାବ୍ୟର ଅଂଶ ଗଦ୍ୟରେ ପରିବର୍ତ୍ତିତ ହୋଇ ଲେଖାଯାଇଅଛି । ପଦ୍ମମାଳୀ ଉପନ୍ୟାସ ଗୋଟିଏ ପ୍ରେମମୂଳକ କାହାଣୀକୁ ନେଇ ରଚିତ ହୋଇଥିଲେ ହେଁ ଏଥିରେ ଯେଉଁ ରାଜନୈତିକ ଘଟଣାର ଚିତ୍ର ଦିଆଯାଇଅଛି, ତାହା ଆଂଶିକ ଐତିହାସିକ । ଊନବିଂଶ ଶତାବ୍ଦୀର ଓଡ଼ିଆ ଜୀବନର କିଞ୍ଚିତ୍‌ ଆଭାସ ଏଥିରୁ ମିଳିଥାଏ । ଭୀମାଭୂୟାଁ ଉପନ୍ୟାସରେ ଭୂୟାଁଜାତିର ସରଳ ଜୀବନର ଚିତ୍ର ପ୍ରଦର୍ଶିତ । ସେ ସମୟର ରାଜତନ୍ତ୍ର ଶାସନରେ ସରଳ ଭୂୟାଁଜାତି କିପରି ଭାବରେ ବଞ୍ଚିବାର ଉପାଦାନ ପାଇଛି, ତାହାର କିଞ୍ଚିତ ଆଭାସ ଏଥିରେ ଅଛି । ପ୍ରେମର ବାତାବରଣ ମଧ୍ୟରେ ଏହି ଉପନ୍ୟାସର ପରିସମାପ୍ତି ଘଟିଅଛି । ମାତ୍ର ଏଥିରେ ବର୍ଣ୍ଣିତ ପ୍ରେମ ଅନ୍ତର୍ଜଗତର ପ୍ରେମ । ବିବାସିନୀ ଉପନ୍ୟାସରେ ମରହଟ୍ଟାଯୁଗର ସାମାଜିକ ଜୀବନର ଚିତ୍ର ଅଙ୍କିତ ହୋଇଅଛି । ମାତ୍ର ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକରେ ବିଂଶ ଶତାବ୍ଦୀର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ଜୀବନର ଯେଉଁ ଗଭୀର ବିଶ୍ଳେଷଣ କରାଯାଇଅଛି; ତାହା ଅନନ୍ୟସାଧାରଣ । ୧୮୯୭ ସାଲ ଅକ୍ଟୋବର ମାସରେ ‘ଛ ମାଣ ଆଠଗୁଣ୍ଠ’ ଯେଉଁ ନୂତନ ସନ୍ଦେଶ ନେଇ ଓଡ଼ିଆ ସାହିତ୍ୟରେ ଆତ୍ମପ୍ରକାଶ କଲା, ତାହା ଓଡ଼ିଆ ଗଣଜୀବନର ବାସ୍ତବ ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ୍‌ଦର୍ଶନର ସନ୍ଧାନ ଦେଲା ।

 

ଅଷ୍ଟାଦଶ ଶତାବ୍ଦୀରୁ ଆରମ୍ଭ କରି ବିଂଶ ଶତାବ୍ଦୀର ପ୍ରଥମ ଭାଗ ପର୍ଯ୍ୟନ୍ତ ଓଡ଼ିଶାର ମାଟି ଉପରେ ଘଟିଯାଇଥିବା କେତେକ ଘଟଣାକୁ ଆଶ୍ରୟ କରି ଫକୀରମୋହନଙ୍କର ଚାରିଗୋଟି ଉପନ୍ୟାସ ରଚିତ ହୋଇଅଛି–ଲଛମା, ଛ ମାଣ ଆଠଗୁଣ୍ଠ, ମାମୁଁ ଓ ପ୍ରାୟଶ୍ଚିତ୍ତ । ଏହି ଚାରିଗୋଟି ଉପନ୍ୟାସକୁ ପାଠ କଲେ ଏଥିରେ ଉପରୋକ୍ତ ସମୟର ଓଡ଼ିଶାର ଗଣଜୀବନର ବାସ୍ତବ ପରିଚୟ ମିଳିଥାଏ । ଫକୀରମୋହନ ଓଡ଼ିଆ ଉପନ୍ୟାସ ରଚନାକ୍ଷେତ୍ରରେ ଯେଉଁ ଆଦର୍ଶର ପ୍ରତିଷ୍ଠା କରିଯାଇଅଛନ୍ତି, ତାହା ଅଧୁନାତନ କାଳ ପର୍ଯ୍ୟନ୍ତ ଲେଖକମାନଙ୍କର ଆଦର୍ଶ ହୋଇ ରହିଅଛି ।

Image

 

ଛ ମାଣ ଆଠଗୁଣ୍ଠ

 

ଓଡ଼ିଆ ସାହିତ୍ୟରେ ଛ ମାଣ ଆଠଗୁଣ୍ଠର ଆତ୍ମପ୍ରକାଶ ଏକ ଗୌରବାବହ ପରମ୍ପରାର ପ୍ରତିଷ୍ଠା ନିମିତ୍ତ ସଂପୂର୍ଣ୍ଣ ଭାବରେ ଦାୟୀ । ଛ ମାଣ ଆଠଗୁଣ୍ଠ ‘‘ଉତ୍କଳ ସାହିତ୍ୟରେ’’ କ୍ରମାଗତ ଭାବରେ ୧୮୯୬ ସାଲରୁ ପ୍ରକାଶ ପାଇଲା । ଏହା ପୂର୍ବରୁ ଏପରି ଏକ ଉପନ୍ୟାସ ଓଡ଼ିଆ ସାହିତ୍ୟରେ ଆତ୍ମପ୍ରକାଶ କରି ନ ଥିବାରୁ ଏହି ଉପନ୍ୟାସ ଓଡ଼ିଆ ସାହିତ୍ୟର ପାଠକମାନଙ୍କୁ ଏକାବେଳକେ ମୁଗ୍‌ଧ କରିଥିଲା । ପ୍ରକୃତରେ ସେ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ କେବଳ କଳ୍ପନାବିଳାସର ଚମତ୍କାରିତା ପାଠକମାନଙ୍କ ନିକଟରେ ବିଦିତ ଥିଲା । ଊନବିଂଶ ଶତାବ୍ଦୀର ଶେଷଭାଗ ପୂର୍ବରୁ ଓଡ଼ିଆ ସାହିତ୍ୟରେ ସାଧାରଣ ଗଣଜୀବନର ଚିତ୍ର ଆଦୌ ଦେଖାଦେଇ ନ ଥିଲା କହିଲେ ଚଳେ । ଓଡ଼ିଆ କାବ୍ୟସାହିତ୍ୟରେ ମୁଖ୍ୟତଃ କାଳ୍ପନିକ ଚରିତ୍ରମାନଙ୍କର ଚିତ୍ରଣ ସ୍ଥାନ ପାଇଥିଲା । ଯେଉଁ କେତେଖଣ୍ଡି ଉପନ୍ୟାସ ଓଡ଼ିଆ ସାହିତ୍ୟରେ ଦେଖାଦେଇଥିଲା; ସେଗୁଡ଼ିକରେ ଓଡ଼ିଆର ଗଣ ଜୀବନର ବାସ୍ତବ ପରିଚୟର ଯଥେଷ୍ଟ ଅଭାବ ଥିଲା । ତେଣୁ ଛ ମାଣ ଆଠଗୁଣ୍ଠ ତା’ର ସୃଷ୍ଟି ସଂପଦରେ ଓଡ଼ିଆ ପାଠକମାନଙ୍କୁ ମୁଗ୍‌ଧ କରିଦେବା ନିତାନ୍ତ ସମ୍ଭବ । ଆମର ନିତିଦିନିଆ ଜୀବନରେ ଘଟିଯାଉଥିବା ଘଟଣାବଳୀକୁ କଥିତ ଭାଷାରେ ଲେଖି ଫକୀରମୋହନ ତାଙ୍କର ଉପନ୍ୟାସଗୁଡ଼ିକୁ ଜନପ୍ରିୟ କରାଇ ଅଛନ୍ତି । ଛ ମାଣ ଆଠଗୁଣ୍ଠରେ ବର୍ଣ୍ଣିତ ଘଟଣା ଏହି ଦୃଷ୍ଟିରୁ ପାଠକର ଚିତ୍ତକୁ ଆଲୋଡ଼ନ କରିଥାଏ । ଛ ମାଣ ଆଠଗୁଣ୍ଠ ଯେତେବେଳେ ଉତ୍କଳ ସାହିତ୍ୟ ମାସିକ ପତ୍ରିକାରେ କ୍ରମାଗତ ଭାବରେ ପ୍ରକାଶ ପାଉଥିଲା, ସେତେବେଳେ ପାଠକମାନେ ଗୋଟିଏ ସଂଖ୍ୟାରେ ପ୍ରକାଶିତ, ଉପନ୍ୟାସର ଗୋଟିଏ ଅଂଶ ପାଠ କରି ସାରି ତା’ର ପରବର୍ତ୍ତୀ ଅଂଶକୁ ପାଠ କରିବା ନିମିତ୍ତ ଆଗାମୀ ସଂଖ୍ୟା ଉତ୍କଳ ସାହିତ୍ୟକୁ ଚାହିଁ ବସୁଥିଲେ । ସେ ସମୟର ଓଡ଼ିଆ ପାଠକ ମାନଙ୍କର ଚିତ୍ତବୃତ୍ତିକୁ ଛ ମାଣ ଆଠଗୁଣ୍ଠ ଏପରି ଭାବରେ ସ୍ପର୍ଶ କରିଥିଲା; ଯାହା କି ଅନ୍ୟ କୌଣସି ଉପନ୍ୟାସ ଏ ପର୍ଯ୍ୟନ୍ତ ପାରିନାହିଁ । ଯେତେବେଳେ ପାଠକମାନେ ତାହାକୁ ପାଠ କରୁଥିଲେ, ସେମାନେ ଅନୁଭବ କରିପାରୁଥିଲେ ସତେ ଯେପରି ସେମାନଙ୍କର ନିଜ ଗ୍ରାମର ବା ପାରିପାର୍ଶ୍ୱର ଏକ ସତ୍ୟମୂଳକ ଘଟଣା ସେମାନଙ୍କ ନିକଟରେ ପରିବେଷଣ କରାଯାଉଅଛି । ତେଣୁ ଛ ମାଣ ଆଠଗୁଣ୍ଠର ସୃଷ୍ଟିପର୍ଯ୍ୟାୟ ଯେ ଓଡ଼ିଆର ନିଜସ୍ୱ, ଏଥିରେ ସନ୍ଦେହ ନାହିଁ ।

 

ଫକୀରମୋହନ ସେନାପତି ତାଙ୍କ ଜୀବଦ୍ଦଶାରେ ସାହିତ୍ୟର ବିଭିନ୍ନ ବିଭାଗରେ ହାତ ଦେଇଅଛନ୍ତି ସତ, ମାତ୍ର ଗଳ୍ପ ଓ ଉପନ୍ୟାସ ତାଙ୍କୁ ଯେଉଁ ପ୍ରସିଦ୍ଧି ପ୍ରଦାନ କରିଅଛି, ତାହା ସାହିତ୍ୟର ଅନ୍ୟ କୌଣସି ବିଭାଗ ତାଙ୍କୁ ଦେଇପାରି ନାହିଁ । ଫକୀରମୋହନ କାବ୍ୟକବିତା, ପୁରାଣାଦି ଅନୁବାଦ କ୍ଷେତ୍ରରେ ନିଜର ମୌଳିକତା ପ୍ରଦର୍ଶନ କରିଥିଲେ ହେଁ ଯୁଗରୁଚିର ଔଚିତ୍ୟ ଦୃଷ୍ଟିରୁ ସେ ମୌଳିକତା ସ୍ୱୀକୃତିଲାଭ କରିପାରି ନାହିଁ । ଫକୀରମୋହନ ତାଙ୍କ ଜୀବଦ୍ଦଶାରେ ଓଡ଼ିଶାର ବିଭିନ୍ନ ଗଡ଼ଜାତମାନଙ୍କରେ କର୍ମ କରିବା ସମୟରେ ବହୁ ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ଓ ବହୁପ୍ରକାର ଘଟଣା ପ୍ରତ୍ୟକ୍ଷ କରିଥିଲେ । ଏହି ବହୁପ୍ରକାର ବ୍ୟକ୍ତି ଓ ଘଟଣାର ସଂସ୍ପର୍ଶରେ ଆସି ସେ ଯେଉଁ ଅନୁଭୂତି ଲାଭ କରିଥିଲେ, ତାହା ତାଙ୍କର ଜୀବନର ଶେଷ ଅବସ୍ଥାରେ ତାଙ୍କୁ ଗଳ୍ପ ଓ ଉପନ୍ୟାସ ରଚନା କରିବାରେ ବହୁ ଉପାଦାନ ଯୋଗାଇଥିଲା । ମନୁଷ୍ୟ ଚରିତ୍ର ବିଷୟରେ ଫକୀରମୋହନଙ୍କର ଯେପରି ଅନ୍ତର୍ଦୃଷ୍ଟି ଥିଲା, ତାହା ଅନନ୍ୟସାଧାରଣ । ସେହି କାରଣରୁ ଓଡ଼ିଆ ସମାଜରେ ରାମଚନ୍ଦ୍ର ମଙ୍ଗରାଜ, ଶାରିଆ, ଭଗିଆ ଓ ଚମ୍ପା ପ୍ରଭୃତିଙ୍କୁ ଫକୀରମୋହନ ଏପରି ନିବିଡ଼ ଭାବରେ ଚିହ୍ନିପାରିଥିଲେ ଓ ଚିହ୍ନାଇ ପାରିଥିଲେ ।

 

ଉପନ୍ୟାସର ନାୟକ ରାମଚନ୍ଦ୍ର ମଙ୍ଗରାଜ । ସେ ଥିଲେ ଫତେପୁର ସରଷଣ୍ଢର ସରବରାକାର । ନିଜର କୂଟବୁଦ୍ଧି ବଳରେ ପ୍ରଭୂତ ସଂପତ୍ତିର ଅଧିକାରୀ ସେ ହୋଇପାରିଥିଲେ । ପରର ଧନ ଓ ସଂପତ୍ତି ପ୍ରତି ତାଙ୍କର ବରାବର ଲୋଲୁପଦୃଷ୍ଟି ରହିଥିଲା । ସମାଜରେ ନିଜକୁ ଜଣେ ସମାଜପତି ରୂପେ ପରିଚିତ କରାଇଥିବା ରାମଚନ୍ଦ୍ର ମଙ୍ଗରାଜଙ୍କର ଚରିତ୍ର ଉପନ୍ୟାସର ଘଟଣାବଳୀରୁ ସ୍ପଷ୍ଟଭାବରେ ଫୁଟିଉଠିଛି ।

 

ମଙ୍ଗରାଜେ ଏକାଦଶୀ କରନ୍ତି । ସେ କହନ୍ତି, ଏକାଦଶୀରେ ତାଙ୍କର ନିର୍ଜଳା ଉପବାସ । ଏକାଦଶୀ ଗତକରି ଦ୍ୱାଦଶୀଦିନ ବ୍ରାହ୍ମଣଭୋଜନ କରାଇସାରିଲେ ସେ ଜଳସ୍ପର୍ଶ କରନ୍ତି । ମାତ୍ର ଏକଥା ସତନୁହେଁ । ମଙ୍ଗରାଜଙ୍କ ଘର ଖଟତଳେ ଏକାଦଶୀ ଦିନ ଯେଉଁ ଜଳଖିଆ ରଖାଯାଇଥାଏ, ତାହା ତା’ ପରଦିନକୁ ଆଦୌ ନ ଥାଏ । ତାହେଲେ ସେ ଜଳଖିଆ ଯାଏ କେଉଁଆଡ଼େ ? ଏ ବିଷୟରେ ଲେଖକଙ୍କର ମତକୁ ଉଦ୍ଧାର କଲେ ଅପ୍ରାସଙ୍ଗିକ ହେବ ନାହିଁ ।

 

‘‘ଲୋକଟି ବଡ଼ ଧାର୍ମିକ । ବର୍ଷ ମଧ୍ୟରେ ୨୪ଟା ଏକାଦଶୀ, ୪୦ଟା ଥିଲେ ମଧ୍ୟ ଗୋଟାଏ ଯେ ଛାଡ଼ ପଡ଼ନ୍ତା, ଏ କଥା ଆମ୍ଭେମାନେ କହିବାକୁ ଅକ୍ଷମ । ଏକାଦଶୀ ଦିନ ତୁଳସୀପତ୍ରଜଳ ମାତ୍ର ଅବଲମ୍ବନ । ସେଦିନ ଉପରଓଳି ମଙ୍ଗରାଜଙ୍କର ଜଗାଭଣ୍ଡାରୀ କଥା କହୁଁ କହୁଁ କହିପକାଇଥିଲା, ପ୍ରତି ଏକାଦଶୀ ଦିନ ସଞ୍ଜବେଳେ ଦ୍ୱାଦଶୀ ପାରଣା ସକାଶେ ସାଆନ୍ତଙ୍କ ଶୋଇବାଘରେ ସେରେ ଦୁଧ, ଦିଶୁ ଖଇ, ନବାତ, ପାଚଲା କଦଳୀ ରଖାଯାଇଥାଏ । ସେ (ଜଗା) ଦ୍ୱାଦଶୀଦିନ ବଡ଼ିସକାଳେ ତୁଚ୍ଛା ବାସନ ମାଜେ ।’’

 

ବାହାର ଦୁନିଆକୁ ଗୋଟିଏ ପ୍ରକାର ଓ ଭିତରେ ଆଉ ଗୋଟିଏ ପ୍ରକାର ଚରିତ୍ରବିଶିଷ୍ଟ ରାମଚନ୍ଦ୍ର ମଙ୍ଗରାଜ ନିଜର ସଂପତ୍ତିର ପରିବର୍ଦ୍ଧନ ପାଇଁ ସତତ ବ୍ୟଗ୍ର । ପରସ୍ୱ ଅପହରଣକାରୀ ରାମଚନ୍ଦ୍ର ମଙ୍ଗରାଜଙ୍କର ପତ୍ନୀ ନିତାନ୍ତ ଧର୍ମପରାୟଣା । ମାତ୍ର ସେ କେବେହେଲେ କୌଣସି କାର୍ଯ୍ୟରେ ନିଜ ପତ୍ନୀଙ୍କର ମତାମତ ଲୋଡ଼ନ୍ତି ନାହିଁ । ପରସ୍ୱ ଅପହରଣ କରି ନିଜ ସଂପତ୍ତିକୁ ବଢ଼ାଇବା ନିମନ୍ତେ ମଙ୍ଗରାଜ ଯେଉଁସବୁ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତି, ସେ ସବୁରେ ତାଙ୍କୁ ପରାମର୍ଶ ଦିଏ ଚମ୍ପା । ଏହି ଚମ୍ପାର ପରିଚୟ ବିଷୟରେ ଲେଖକ ଲେଖିଅଛନ୍ତି, ‘‘ତାହାର ଜାତି କୁଳ, ପିତୃବଂଶ ସମ୍ବନ୍ଧରେ ମଧ୍ୟ ସମସ୍ତେ ଅନଭିଜ୍ଞ । ଚମ୍ପା ମଙ୍ଗରାଜଘରେ ଦାସୀ କି ସାଆନ୍ତାଣୀ ବ୍ୟବହାର ଦ୍ୱାରା ବୁଝିବାର କାହାରି ଶକ୍ତି ନାହିଁ । କେବଳ ଏତିକିମାତ୍ର କହିପାରୁଁ ଯେ, ମଙ୍ଗରାଜଙ୍କ ଉଆସ ମଧ୍ୟରେ ଚମ୍ପାର କ୍ଷମତା ସୀମାତୀତ । ଅଧିକ କ’ଣ, ସାଆନ୍ତାଣୀଙ୍କ କ୍ଷମତାଠାରୁ ଢେର ବେଶି ।’’

 

ମଙ୍ଗରାଜଙ୍କର ଲୋଲୁପ ଦୃଷ୍ଟି ପଡ଼ିଛି ଭଗିଆର ଛ ମାଣ ଆଠଗୁଣ୍ଠ ଜମି ଉପରେ । କିପରି ସେ ଜମିକୁ ସେ ହସ୍ତଗତ କରିବେ, କିଛି ଉପାୟ ପାଞ୍ଚି ପାରୁ ନଥିଲେ । ମାତ୍ର ଚମ୍ପା ଏଥିପାଇଁ ତାଙ୍କୁ ଉପାୟ ବତାଇଦେଇ ନିଜେ କାର୍ଯ୍ୟପନ୍ଥା ଗ୍ରହଣ କରିଛି । ଭଗିଆର ସ୍ତ୍ରୀ ଶାରିଆ । ଭଗିଆ ଓ ଶାରିଆ ଦୁହେଁ ଶାନ୍ତିର ସଂସାରରେ ସୁଖରେ କାଳଯାପନ କରୁଥିଲେ । ନେତ ନାମକ ତାଙ୍କର ଗୋଟିଏ ଗାଈ ଥିଲା । ଏହି ଗାଈକୁ ଶାରିଆ ସନ୍ତାନର ମମତାଦେଇ ପାଳନ କରୁଥିଲା । ଭଗିଆ ଓ ଶାରିଆ ସୁଖରେ କାଳଯାପନ କରୁଥିଲେ ହେଁ ତାଙ୍କ ଜୀବନରେ ଗୋଟିଏ ବଡ଼ ଅଭାବ ଥିଲା । ତାହା ହେଉଛି ସନ୍ତାନର ଅଭାବ ।

 

ଚତୁରୀ ଚମ୍ପା ଏହି ଅଭାବର ସୁଯୋଗ ନେଇ ଶାରିଆ ଓ ଭଗିଆଙ୍କ ସଂସାରକୁ ଜାଳିପୋଡ଼ି ଧ୍ୱଂସ କରିଦେଇଅଛି । ଚମ୍ପା ଶାରିଆକୁ କହିଛି ଯେ, ତାହାର ସନ୍ତାନ ନ ଥିବାରୁ କେହି ତାହା ମୁହଁ ଚାହିଁବାକୁ ଇଚ୍ଛା କରୁନାହାନ୍ତି । ବୁଢ଼ୀମଙ୍ଗଳା ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିପାରିଲେ ସେ ସନ୍ତାନର ଜନନୀ ହୋଇପାରିବ । ତେଣୁ ସେ ରୀତିମତ ଷଡ଼ଯନ୍ତ୍ର କରି ବୁଢ଼ୀମଙ୍ଗଳା ପାଇଁ ଗୋଟିଏ ଦେଉଳ ତୋଳାଇଦେଲେ ଶାରିଆର ତିନି ଗୋଟି ପୁଅ ଜନ୍ମହେବେ ବୋଲି ଶାରିଆ ମନରେ ପ୍ରତୟ ଜନ୍ମାଇଛି ପୁଣି, ଠାକୁରାଣୀଙ୍କର ଦେଉଳ ତୋଳାଇ ନ ଦେଲେ ଶାରିଆ ବୈଧବ୍ୟ ଦୁଃଖ ପାଇପାରେ ଏ କଥା ମଧ୍ୟ ସେ ଜଣାଇଦେଲା ।

 

ସନ୍ତାନସନ୍ତତିହୀନା ଶାରିଆର ମନରେ ସନ୍ତାନଲାଭର ଆଶା ଦେଖା ଦେଇ ଚମ୍ପା ତାକୁ ଯେତିକି ଆଶାନ୍ୱିତା କରିଥିଲା, ଠାକୁରାଣୀଙ୍କର ଦେଉଳ ତୋଳାଇ ନ ଦେଲେ ଭଗିଆର ଜୀବନ-ଦୀପ ନିର୍ବାପିତ ହୋଇଯିବାର ଭୟ ଦେଖାଇ ତାକୁ ସେତିକି ଭୟବିହ୍ୱଳତା କରିଦେଲା । ହିନ୍ଦୁ ନାରୀ ବରଂ ସନ୍ତାନହୀନ ଜୀବନ କଟାଇ ଦେଇପାରେ; ମାତ୍ର ବୈଧବ୍ୟ ଯନ୍ତ୍ରଣା ତା’ର କଳ୍ପନାତୀତ-। ଏପରି ଅବସ୍ଥାରେ ପଡ଼ି ଶାରିଆ ଚମ୍ପାର ସାହାଯ୍ୟ ନେବା ନିତାନ୍ତ ସ୍ୱାଭାବିକ । ଚମ୍ପା ସେଥିପାଇଁ ପ୍ରସ୍ତାବ ଦେଇଛି ଯେ, ସାଆନ୍ତଙ୍କୁ ତା’ର ଛ ମାଣ ଆଠଗୁଣ୍ଠ ଜମି କଣ୍ଟକବଲା କରିଦେଇ ଟଙ୍କା ଆଣି ସେ ମନ୍ଦିର ତୋଳାଇ ଦେଇ ପାରେ । ସେ କେବଳ କଣ୍ଟକବଲା କରିଦେଲେ ଅନ୍ୟାନ୍ୟ ସମସ୍ତ ବିଷୟ ଚମ୍ପା ଠିକ୍‌ କରିଦେବ । ମାତ୍ର ଶାରିଆ ଜାଣେ, ଥରେ ସାଆନ୍ତଙ୍କ ହାତକୁ ଜମି ଚାଲିଗଲେ ଆଉ ଫେରିବା ଅସମ୍ଭବ । ମାତ୍ର ଚମ୍ପା ଏଥିପାଇଁ ତାକୁ ଯଥେଷ୍ଟ ଆଶ୍ୱାସନା ଦେଇ ଜମି ଫେରାଇଦେବା ଦାୟିତ୍ୱ ତା’ର ବୋଲି ପ୍ରକାଶ କରିଛି ।

 

ସରଳବିଶ୍ୱାସୀ ଭଗିଆ ଚମ୍ପାର କଥାରେ ତା’ର ଛ ମାଣ ଆଠଗୁଣ୍ଠ ଜମିକୁ ରାମଚନ୍ଦ୍ର ମଙ୍ଗରାଜଙ୍କ ନାମରେ କଣ୍ଟକବାଲା କରିଦେଇଛି । ରାମଚନ୍ଦ୍ର ମଙ୍ଗରାଜ ଜମିକୁ ପାଇବା ପରେ ଠାକୁରାଣୀଙ୍କ ମନ୍ଦିର ତୋଳାହେବା ପାଇଁ କେତେ ବୋଝ ଢିମା ପଥର ଗଦା କରିଦେଇ ନିଜ ଉଦ୍ଦେଶ୍ୟ ସାଧନରେ ରହିଲେ ।

 

ସମୟକ୍ରମେ ରାମଚନ୍ଦ୍ର ମଙ୍ଗରାଜ ଭଗିଆ ନାମରେ ନାଲିସ୍‌ କରି ତା’ର ଘର କୋରଖ କଲେ । ଭଗିଆର ନେତ ନାମକ ଗାଈକୁ ବାନ୍ଧି ନେଇଗଲେ । ଛ ମାଣ ଆଠଗୁଣ୍ଠ ଜମିକୁ ଦଖଲ କଲେ । ଫଳରେ ଶାରିଆ ଓ ଭଗିଆ ବାସ୍ତୁହରା ହୋଇ ଭିକ ମାଗିଲେ । ଭଗିଆ ପାଗଳ ହୋଇଗଲା । ଶାରିଆ ବାରଦ୍ୱାର ବୁଲି ବୁଲି ଶେଷରେ ରାମଚନ୍ଦ୍ର ମଙ୍ଗରାଜଙ୍କ ଓଳିତଳେ ପ୍ରାଣ ହରାଇଲା । ଶାରିଆ ଓ ଭଗିଆର ସରଳ ନିଷ୍ପାପ ଜୀବନର ପରିଣତି ଅତ୍ୟନ୍ତ ମର୍ମନ୍ତୁଦ ହେଲା । ଏହି ମର୍ମନ୍ତୁଦ ପରିଣତି ପାଇଁ ଦାୟୀ କେବଳ ମଙ୍ଗରାଜ ନୁହନ୍ତି, ଏଥିପାଇଁ ଅଧିକ ପରିମାଣରେ ଦାୟୀ ଚମ୍ପା । ଚମ୍ପାର କୁଟିଳ ବୁଦ୍ଧିରେ କେବଳ ଭଗିଆ ଶାରିଆଙ୍କର ଶାନ୍ତିର ସଂସାର ଯେ ଜଳିପୋଡ଼ି ଯାଇଅଛି ତାହା ନୁହେଁ; ବାଘସିଂହ ବଂଶର ଘରପୋଡ଼ିବା ପାଇଁ ଟାଙ୍ଗୀ ମାଉସୀ ସାଜି ଚମ୍ପା ଯେପରି କାର୍ଯ୍ୟ କରିଅଛି, ତାହାର କ୍ଷମା ନାହିଁ ।

 

ଅନ୍ୟାୟ, ଅସତ୍ୟର ପରିଚୟ ଯେ ନିଶ୍ଚିତ ଭାବରେ ରହିଅଛି, ଏକଥା ଲେଖକ ଅତ୍ୟନ୍ତ ନିପୁଣତାର ସହିତ ଚିତ୍ରଣ କରିଅଛନ୍ତି । ଶାରିଆ ଓ ଭଗିଆଙ୍କ ଜୀବନକୁ ଜାଳିପୋଡ଼ି ଧ୍ୱଂସ କରିଦେବା ଯେଉଁ ମଙ୍ଗରାଜଙ୍କ ପକ୍ଷରେ ନିତାନ୍ତ ସ୍ୱଳ୍ପସାଧ୍ୟ ଥିଲା, ସେହି ମଙ୍ଗରାଜ ଶାରିଆର ମୃତ୍ୟୁ ପରେ ନରହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ଗିରଫ ହୋଇଛନ୍ତି । ମଙ୍ଗରାଜଙ୍କୁ ଯେତେବେଳେ ପୋଲିସମାନେ ବାନ୍ଧିନେଲେ ସେତେବେଳେ ଚମ୍ପା କାନ୍ଦି କାନ୍ଦି ତାଙ୍କ ପଛରେ ଗୋଡ଼ାଇ ଯାଇ କୌଶଳକ୍ରମେ ମଙ୍ଗରାଜଙ୍କଠାରୁ ଚାବିପେନ୍ଥାକୁ ହାତକରିଛି । ଧୂର୍ତ୍ତାଚମ୍ପା ଚାବି ହାତ କରିବା ପରେ ମଙ୍ଗରାଜଙ୍କର ଟଙ୍କା ସୁନା ରୂପେ ଯାହା ଗଚ୍ଛିତ ଥିଲା, ସେସବୁକୁ ହାତକରି ଗୋବିନ୍ଦା ଭଣ୍ଡାରୀ ସହିତ ପଳାଇ ଯିବାକୁ ବାହାରିଛି । ଗୋବିନ୍ଦା ଭଣ୍ଡାରୀ ସହିତ ମଙ୍ଗରାଜଙ୍କ ଘରଛାଡ଼ି ଚମ୍ପା ପଳାଇ ଆସିବା ପରେ ବାଟରେ ଗୋପୀସାହୁ ଦୋକାନରେ ଗୋଟିଏ ଭୟଙ୍କର ରାତ୍ରିରେ ଗୋବିନ୍ଦା ଭଣ୍ଡାରୀର ଶାଣିତ କ୍ଷୁର ସାହାଯ୍ୟରେ ଚମ୍ପାର ଜୀବନଦୀପ ନିର୍ବାପିତ ହୋଇଅଛି ।

 

ଗୋବିନ୍ଦା ଭଣ୍ଡାରୀ ଚମ୍ପାକୁ ହତ୍ୟାକରି ସମସ୍ତ ଟଙ୍କା, ସୁନା ଇତ୍ୟାଦି ନେଇ ପଳାଇଯିବା ସମୟରେ ମଧ୍ୟ ସତ୍ୟକୁ ଫାଙ୍କି ଦେଇପାରି ନାହିଁ । ସେ ନଦୀଗର୍ଭକୁ ଡେଇଁପଡ଼ି ପ୍ରାଣତ୍ୟାଗ କରିଅଛି । ରାମଚନ୍ଦ୍ର ମଙ୍ଗରାଜ ଜେଲଖାନାକୁ ଗଲେ । ତାଙ୍କ ତରଫରୁ ମୋକଦ୍ଦମା ଲଢ଼ିବା ପାଇଁ ଓକିଲ ରାମରାମଲାଲା ନିଯୁକ୍ତ ହୋଇଛନ୍ତି । ରାମରାମଲାଲା ମୋକଦ୍ଦମା ଲଢ଼ିବା ପାଇଁ ଦଶ ହଜାର ଟଙ୍କା ଦାବୀ କଲେ । ରାମଚନ୍ଦ୍ର ମଙ୍ଗରାଜ ଓକିଲ ରାମରାମଲାଲାଙ୍କୁ ନିଜର ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତି ଲେଖିଦେଲେ । ମୋକଦ୍ଦମାରେ ମଙ୍ଗରାଜଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା-। ସେସନ୍‌ଜଜ୍‌ ରାୟ ଦେଲେ, ଆସାମୀ ରାମଚନ୍ଦ୍ର ମଙ୍ଗରାଜକୁ ନରହତ୍ୟା ଅପରାଧରୁ ମୁକ୍ତି ଦିଆଯାଇ ନେତ ନାମଙ୍କ ଗାଈକୁ ଆତ୍ମସାତ୍‌ କରିଥିବା ଅପରାଧରେ କଠିନ ପରିଶ୍ରମ ସହିତ ଛ ମାସ କାରାଦଣ୍ଡ ଏବଂ ପାଞ୍ଚଶତ ଟଙ୍କା ଜରିମାନା କରାଯାଉ । ଆସୁଲ ନ ହେଲେ ଅତିରିକ୍ତ ତିନିମାସ କାରାରୁଦ୍ଧ ରଖାଯାଉ ।’’

 

ଫଳରେ ରାମଚନ୍ଦ୍ର ମଙ୍ଗରାଜ ଜେଲଦଣ୍ଡ ଭୋଗିଲେ । ଜେଲଖାନାରେ ଭଗିଆ ତାଙ୍କୁ ନାକକୁ କାମୁଡ଼ିଦେଲା । ରାମଚନ୍ଦ୍ର ମଙ୍ଗରାଜ ପୂର୍ବରୁ ଷଡ଼ଯନ୍ତ୍ର କରି ଯେଉଁ ପାଣମାନଙ୍କୁ ଜେଲ ଦିଆଇଥିଲେ ସେମାନେ ଜେଲଖାନାରେ ତାଙ୍କ ପ୍ରତି ନିତାନ୍ତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଅଛନ୍ତି । ଏପରିକି ଘଣା ପେଲିବା ସମୟରେ ରାମଚନ୍ଦ୍ର ମଙ୍ଗରାଜ ପାଣମାନଙ୍କଠାରୁ ମାଡ଼ ମଧ୍ୟ ଖାଇଛନ୍ତି ।

 

ଜେଲଖାନାରେ ରାମଚନ୍ଦ୍ର ମଙ୍ଗରାଜଙ୍କର ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିବାରୁ ତାଙ୍କୁ ତାଙ୍କ ଘରକୁ ପଠାଇ ଦିଆଗଲା । ମଙ୍ଗରାଜେ ଅସୁସ୍ଥ ଭାବରେ ଆସି କାହାରି ସହାନୁଭୂତି ନପାଇ ଚଉରା ପାଖରେ ପଡ଼ି ଥ-ମା-ଆ-ଗୁ ଉଚ୍ଚାରଣ କରି ଶେଷ ନିଶ୍ୱାସ ତ୍ୟାଗ କଲେ ।

 

ରାମଚନ୍ଦ୍ର ମଙ୍ଗରାଜ ଯେପରି ଅନ୍ୟାୟ ଓ ଅସତ୍ୟରେ ଜମିଦାରୀ ଖଣ୍ଡିକ ହସ୍ତଗତ କରିଥିଲେ ତାହା ସେହିପରି ଭାବରେ ଚାଲିଗଲା । ଓକିଲ ରାମରାମଲାଲା ମଙ୍ଗରାଜଙ୍କର ସମସ୍ତ ସମ୍ପତ୍ତି ଦଖଲ କଲେ ।

 

ରାମଚନ୍ଦ୍ର ମଙ୍ଗରାଜଙ୍କର ଜୀବନରେ ଘଟିଯାଇଥିବା ଘଟଣାଗୁଡ଼ିକ ଏପରି ବାସ୍ତବ ଯେ ଲେଖକଙ୍କର ଅନେକ ସ୍ଥଳରେ ବର୍ଣ୍ଣନାର ଅତିରଞ୍ଜନ ସତ୍ତ୍ୱେ ସେଗୁଡ଼ିକ ପାଠକକୁ ଆକୃଷ୍ଟ କରିଥାଏ-। ଛ ମାଣ ଆଠଗୁଣ୍ଠର ଗଳ୍ପାଂଶ ଅତ୍ୟନ୍ତ ସାଧାରଣ, ମାତ୍ର ଲେଖକ ତାହାକୁ ଏପରି ଭାବରେ ପରିବେଷଣ କରିଅଛନ୍ତି ଯେ ତାହା ଏକ ଅପୂର୍ବ ଉପନ୍ୟାସରେ ପରିଣତ ହୋଇଅଛି । ରାମଚନ୍ଦ୍ର ମଙ୍ଗରାଜଙ୍କର ଜୀବନରେ ପରସ୍ୱ ଅପହରଣ କରିବାର ପ୍ରବୃତ୍ତିର ପରିଣାମ ଲେଖକ ଅତ୍ୟନ୍ତ ସତର୍କତାର ସହିତ ଚିତ୍ରଣ କରିଅଛନ୍ତି ।

 

କର୍ମ ଅନୁସାରେ ମନୁଷ୍ୟ ଫଳ ପାଇଥାଏ । ଏହି ନୀତି ଲେଖକଙ୍କର ଲେଖନୀରେ ଅତ୍ୟନ୍ତ ସ୍ପଷ୍ଟତର ହୋଇଅଛି । ଏହି ଉପନ୍ୟାସର ନାୟକ ନାୟିକା ସେମାନଙ୍କର କୃତକର୍ମର ଫଳ ଭୋଗ କରିଅଛନ୍ତି । ମନୁଷ୍ୟ ଅପରାଧ କରି ବିଚାରାଳୟର ବିଚାର ଦୃଷ୍ଟିରେ ନିର୍ଦ୍ଦୋଷ ହୋଇପାରେ; ମାତ୍ର ଏ ସଂସାରର ବିଚାରାଳୟର ଉର୍ଦ୍ଧ୍ୱରେ ଯେଉଁ ବିଚାରାଳୟ ଅଛି ସେ ବିଚାରାଳୟର ବିଚାର ଏକାବେଳକେ ନିର୍ଭୁଲ । ସେ ବିଚାରାଳୟର ନିଷ୍ପତ୍ତିକୁ ପ୍ରତ୍ୟେକ ବ୍ୟକ୍ତି ଭୋଗ କରିବାର କଥା । ଚମ୍ପା ଏହି ଉପନ୍ୟାସରେ ଯେଉଁ ପ୍ରକାର ଶାସ୍ତି ପାଇଅଛି ତାହା ସେହି ଊର୍ଦ୍ଧ୍ୱତନ ବିଚାରାଳୟର ନିଷ୍ପତ୍ତି ।

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ଫକୀରମୋହନଙ୍କର ଅନବଦ୍ୟ ଲେଖନୀ ଯେଉଁ ଚିତ୍ର ଅଙ୍କନ କରିଅଛି ତାହା ତାଙ୍କର ଅମର ପ୍ରତିଭାର ନିଦର୍ଶନ । ଚରିତ୍ର ଚିତ୍ରଣ, ଚରିତ୍ର ସମାରୋହ, ବର୍ଣ୍ଣନାବିଳାସ, ହାସ୍ୟରସ ସୃଷ୍ଟି ପ୍ରଭୃତି ଯେ କୌଣସି ଦିଗରୁ ଦେଖିଲେ ଛ ମାଣ ଆଠଗୁଣ୍ଠ ଓଡ଼ିଆ ସାହିତ୍ୟରେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଆସନର ଅଧିକାରୀ । ଉପନ୍ୟାସର ଅନେକ ସ୍ଥଳରେ ଫକୀରମୋହନଙ୍କର ନିଜ ଜୀବନର ବହୁ ଅନୁଭୂତି ବର୍ଣ୍ଣନା ଛଳରେ ପ୍ରକାଶ ପାଇଅଛି । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାଣପ୍ରତିଷ୍ଠା ଲାଗି ଆଧୁନିକ ଯୁଗରେ ଯେଉଁସବୁ ଉଦ୍ୟମ କରାଯାଇଅଛି ସେ ସବୁ ମଧ୍ୟରେ ଛ ମାଣ ଆଠଗୁଣ୍ଠ ରଚନା ମୁଖ୍ୟସ୍ଥାନ ଅଧିକାର କରିବାର କଥା-

Image

 

ଚରିତ୍ର ଚିତ୍ରଣ

 

ଉପନ୍ୟାସ ସାଧାରଣତଃ ଘଟଣାପ୍ରଧାନ ବା ଚରିତ୍ର ପ୍ରଧାନ ହୋଇଥାଏ । ଉପନ୍ୟାସର କଥାବସ୍ତୁ ଉପରେ ଯଦି ଔପନ୍ୟାସିକ ବିଶେଷ ପ୍ରାଧାନ୍ୟ ଦେଇଥାଆନ୍ତି ତାହାହେଲେ ତାହା ଘଟଣାପ୍ରଧାନ ହୋଇଥାଏ । ମାତ୍ର ଔପନ୍ୟାସିକ ଯଦି ଚରିତ୍ର ଉପରେ ବିଶେଷ ପ୍ରାଧାନ୍ୟ ଦେଇଥାଆନ୍ତି ତାହାହେଲେ ତାହା ଚରିତ୍ରପ୍ରଧାନ ହୋଇଥାଏ । ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ଲେଖକ ଫକୀରମୋହନ ସେନାପତି ଚରିତ୍ରଗୁଡ଼ିକୁ ବିଶେଷ ଭାବରେ ପ୍ରାଧାନ୍ୟ ଦେଇଥିବାରୁ ଏହା ଏକ ଚରିତ୍ରପ୍ରଧାନ ଉପନ୍ୟାସ ରୂପେ ବିବେଚିତ ହୋଇଥାଏ ।

ଘଟଣାପ୍ରଧାନ ଉପନ୍ୟାସରେ କଥାବସ୍ତୁକୁ ଗତିଶୀଳ କରାଇବା ପାଇଁ ଯେପରି ଚରିତ୍ରର ଆବଶ୍ୟକତା ପଡ଼େ ଔପନ୍ୟାସିକ ସେହି ପ୍ରକାର ଚରିତ୍ର ସୃଷ୍ଟି କରିଥାଆନ୍ତି । ଚରିତ୍ର ଚିତ୍ରଣ ଉପନ୍ୟାସର ଗଳ୍ପାଂଶ ଉପରେ ନିର୍ଭର କରେ । ତେଣୁ ଉପନ୍ୟାସର ଗଳ୍ପାଂଶ ବା କଥାବସ୍ତୁ ମୁଖ୍ୟସ୍ଥାନ ଗ୍ରହଣ କରିଥାଏ । ଘଟଣାପ୍ରଧାନ ଉପନ୍ୟାସରେ ଗଳ୍ପାଂଶ ବା କଥାବସ୍ତୁ ବଳିଷ୍ଠ । ମାତ୍ର ଚରିତ୍ରପ୍ରଧାନ ଉପନ୍ୟାସ କ୍ଷେତ୍ରରେ ଚରିତ୍ରକୁ ଅନୁସରଣ କରି କଥାବସ୍ତୁ ଗତିଶୀଳ ହୁଏ । କଥାବସ୍ତୁର ବଳିଷ୍ଠତା ଚରିତ୍ର ଚିତ୍ରଣ ଉପରେ ନିର୍ଭର କରେ । ସାଧାରଣତଃ ଚରିତ୍ରପ୍ରଧାନ ଉପନ୍ୟାସଗୁଡ଼ିକ ବିଶେଷ ଭାବରେ ଜନପ୍ରିୟତା ଲାଭ କରିଥାଏ ।

ଫକୀରମୋହନ ସେନାପତିଙ୍କର ଉପନ୍ୟାସମାନଙ୍କ ମଧ୍ୟରେ ଛ ମାଣ ଆଠଗୁଣ୍ଠ ସର୍ବଶ୍ରେଷ୍ଠ । ଏହାର କଥାବସ୍ତୁରେ ସେପରି କୌଣସି ବୈଚିତ୍ର୍ୟ ନାହିଁ ସତ, ମାତ୍ର ଏହି ସାଧାରଣ କଥାବସ୍ତୁକୁ ଫକୀରମୋହନ ଏପରି ଚତୁରତାର ସହିତ ଉପସ୍ଥାପନା କରିଅଛନ୍ତି ଯେ, ଏହା ଯେ କୌଣସି ପାଠକର ଚିତ୍ତବୃତ୍ତିକୁ ଆଲୋଡ଼ିତ କରିଥାଏ । ଛ’ ମାଣ ଆଂଗୁଣ୍ଠକୁ ଏକ ସ୍ୱୟଂସଂପୂର୍ଣ୍ଣ ଉପନ୍ୟାସ ନ କହି ଅନେକ ଆଲୋଚକ ଏହାକୁ ଏକ ବଡ଼ ଧରଣର ଗଳ୍ପ ବୋଲି ମତପ୍ରକାଶ କରିଅଛନ୍ତି । ମାତ୍ର ଏହାର କଥାବସ୍ତୁର ପରିବେଷଣ ଚାତୁରୀ ଭାଷାର ଯାଦୁକରୀ ପରିଧି ମଧ୍ୟରେ ଅତ୍ୟନ୍ତ ମନୋମୁଗ୍‌ଧକର ହୋଇ ଉଠିଅଛି । ହସେଇ, ରସେଇ କଥାବସ୍ତୁକୁ ଗତିଶୀଳ କରିବାରେ ଫକୀରମୋହନଙ୍କ ଲେଖନୀ ଅନବଦ୍ୟ । ଚରିତ୍ର ଚିତ୍ରଣରେ ଫକୀରମୋହନଙ୍କର ଶିଳ୍ପୀମାନସ ଏକ ଅପୂର୍ବ ଶକ୍ତିର ପରିଚୟ ଦେଇଅଛି ।

ରାମଚନ୍ଦ୍ର ମଙ୍ଗରାଜ–

ଛ ମାଣ ଆଠଗୁଣ୍ଠ ଉପନ୍ୟାସର ନାୟକ ରାମଚନ୍ଦ୍ର ମଙ୍ଗରାଜ । ରାମଚନ୍ଦ୍ର ମଙ୍ଗରାଜଙ୍କର ଚରିତ୍ର ଛ ମାଣ ଆଠଗୁଣ୍ଠ ଉପନ୍ୟାସର ବୈଶିଷ୍ଟ୍ୟ । ରାମଚନ୍ଦ୍ର ମଙ୍ଗରାଜଙ୍କ ପରି ଅସଂଖ୍ୟ ପରସ୍ୱ ଅପହରଣକାରୀ ଦୁର୍ନୀତିପରାୟଣ ବ୍ୟକ୍ତି ଆମ ସମାଜରେ ସମାଜପତିର ଆସନ ଅଳଂକୃତକର ସମାଜ ମଧ୍ୟରେ ଅନୀତି ଓ ବ୍ୟଭିଚାରର ତାଣ୍ଡବଲୀଳା ସୃଷ୍ଟି କରିବା କଥା ନିତାନ୍ତ ସତ୍ୟ । ମାତ୍ର ସେଭଳି ଚରିତ୍ରକୁ ସାହିତ୍ୟର ପରିସର ଭିତରକୁ ଆଣି ଲୋକସମାଜରେ ଚିହ୍ନେଇ ଦେବା ଭଳି ସାହସ କେବଳ ଏ ଦେଶର ସାହିତ୍ୟରେ ଫକୀରମୋହନ ପ୍ରଦର୍ଶନ କରିଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଭଳି ଚରିତ୍ରକୁ ଚିହ୍ନାଇବାପାଇଁ ଯେଉଁ ବିଦ୍ୟାବୁଦ୍ଧିର ପ୍ରୟୋଜନ ତାହା କେବଳ ଫକୀରମୋହନଙ୍କର ଥିଲା । ମନୁଷ୍ୟ ଚରିତ୍ର ଅତ୍ୟନ୍ତ ଅଦ୍ଭୁତ ଏହା ଏକ ଅବିସମ୍ବାଦିତ ସତ୍ୟ । ଏହି ଅଦଭୁତ ଚରିତ୍ରର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ସବୁ ଲେଖକଙ୍କ ପକ୍ଷରେ ସମ୍ଭବପର ନୁହେଁ । ମନୁଷ୍ୟର ଜୀବନ ସହିତ, ତା’ର ଅଦ୍‌ଭୁତ ଚରିତ୍ର ସହିତ ଯେଉଁ ଲେଖକର ନିବିଡ଼ ପରିଚୟ ଥିବ, ସେହି କେବଳ ଅବିକୃତ ଭାବରେ ମନୁଷ୍ୟର ଅଦ୍‌ଭୁତ ଅଥଚ ବାସ୍ତବ ଚିତ୍ର ଅଙ୍କନ କରିବାକୁ ସମର୍ଥ ହୋଇଥାଏ । ଏହି ଦୃଷ୍ଟିରୁ ଦେଖିଲେ, ଫକୀରମୋହନ ସେନାପତି ତାଙ୍କର ସମଗ୍ର ଜୀବନକାଳ ବହୁ ସ୍ଥାନରେ କର୍ମ କରିବା ସମୟ ମଧ୍ୟରେ ବହୁ ପ୍ରକାର ବ୍ୟକ୍ତିଙ୍କର ସଂସ୍ପର୍ଶରେ ଆସି ଅନୁଭୂତି ଲାଭ କରି, ମଣିଷକୁ ମଣିଷଭାବରେ ଭଲକରି ଚିହ୍ନିବା ପରେ ଗଳ୍ପ ଓ ଉପନ୍ୟାସ ରଚନା କରିବାକୁ ଉଦ୍ୟତ ହୋଇଅଛନ୍ତି । ମନୁଷ୍ୟ ବାହାରକୁ ଯେତେପ୍ରକାରର ପରିଚୟ ଦେଉ ନା କାହିଁକି, ତା’ର ଅନ୍ତରର ଉପାଦାନ ବ୍ୟକ୍ତିଭେଦରେ ପୃଥକ୍‌ ଏବଂ ସ୍ୱତନ୍ତ୍ର । ଫକୀରମୋହନଙ୍କର ଲେଖନୀ ଏହି ପାର୍ଥକ୍ୟ ଏବଂ ସ୍ୱାତନ୍ତ୍ର୍ୟର ସ୍ପଷ୍ଟ ଚିତ୍ର ଅଙ୍କନ କରିପାରିଅଛି ।

ଉପନ୍ୟାସର ପ୍ରଥମ ପରିଚ୍ଛେଦରେ ଲେଖକ ରାମଚନ୍ଦ୍ର ମଙ୍ଗରାଜଙ୍କର ପରିଚୟ ପ୍ରଦାନ କରିଅଛନ୍ତି । ଫକୀରମୋହନ ତାଙ୍କର ସ୍ୱଭାବସୁଲଭ ବର୍ଣ୍ଣନା ଭଙ୍ଗୀରେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ପ୍ରଥମେ ଜଣେ ଧାର୍ମିକ ବ୍ୟକ୍ତି ଭାବରେ ପରିଚିତ କରାଇଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ବର୍ଷକ ମଧ୍ୟରେ ଚବିଶଗୋଟି ଏକାଦଶୀ ପାଳନ କରନ୍ତି । ସେ ଏପରି ଧର୍ମପରାୟଣ ଯେ, ବର୍ଷକ ମଧ୍ୟରେ ଯଦି ଚାଳିଶଗୋଟି ଏକାଦଶୀ ପଡ଼ନ୍ତା ତେବେ ସେ ଗୋଟିଏ ହେଲେ ପାଳନ ନ କରି ଛାଡ଼ନ୍ତେ ନାହିଁ । ଏହି ଏକାଦଶୀ ପାଳନ ବିଷୟରେ ଫକୀରମୋହନ ସ୍ପଷ୍ଟଭାବରେ ପ୍ରକାଶ କରିଅଛନ୍ତି ଯେ ରାମଚନ୍ଦ୍ର ମଙ୍ଗରାଜଙ୍କର ଏକାଦଶୀ ପାଳନ ଏକ ଭଣ୍ଡାମୀ । ସେ ଏକାଦଶୀରେ ତୁଳସୀପତ୍ରଜଳ ଛଡ଼ା ଅନ୍ୟକିଛି ସ୍ପର୍ଶ କରନ୍ତି ନାହିଁ ବୋଲି ଧାରଣା ଦିଅନ୍ତି । ମାତ୍ର ଜଗାଭଣ୍ଡାରୀର କଥାରୁ ଜଣାଯାଏ ଯେ, ସେ ଏକାଦଶୀ ରାତ୍ରିରେ ଗୋପନରେ ଯଥେଷ୍ଟ ଆହାର କରନ୍ତି । ଏଠାରେ ଲେଖକଙ୍କ ବର୍ଣ୍ଣନା ଉଦ୍ଧାର କରାଯାଇ ପାରେ ।

 

‘‘ପ୍ରତି ଏକାଦଶୀଦିନ ସଞ୍ଜବେଳେ ଦ୍ୱାଦଶୀ ପାରଣା ସକାଶେ ସାଆନ୍ତଙ୍କ ଶୋଇବା ଘରେ ସେରେ ଦୁଧ; ଦିଶୁଖଇ, ନବାତ, ପାଚିଲାକଦଳୀ ରଖାଯାଇଥାଏ । ସେ (ଜଗା) ଦ୍ୱାଦଶୀଦିନ ବଡ଼ି ସକାଳେ ତୁଚ୍ଛା ବାସନ ମାଜେ ।’’

 

ଧର୍ମକୁ ଆଖିଠାର ମାରି ସମାଜପତିମାନେ ଏହିପରି ଭାବରେ ସେମାନଙ୍କର ପ୍ରତିପତ୍ତି ବଜାୟ ରଖନ୍ତି । ଏପରି ଧର୍ମପରାୟଣତା ପ୍ରଦର୍ଶନ କରିବା ଦ୍ୱାରା ସେମାନେ ପରୋକ୍ଷ ଭାବରେ ସମାଜର ଅସହାୟ ସରଳପ୍ରାଣ ବ୍ୟକ୍ତିମାନଙ୍କୁ ଆକୃଷ୍ଟ କରି ନିଜ ନିଜର ଲକ୍ଷ୍ୟ ସାଧନ କରିଥାଆନ୍ତି-। କେବଳ ଏକାଦଶୀ ପାଳନ ବିଷୟରେ ଏତିକି କହି ଲେଖକ ନୀରବ ରହିନାହାନ୍ତି । ଦ୍ୱାଦଶୀଦିନ ସକାଳେ ରାମଚନ୍ଦ୍ର ବ୍ରାହ୍ମଣ ଭୋଜନୀ କରାଇ ତାହାପରେ ନିଜେ ଦ୍ୱାଦଶୀ ପାରଣା କରନ୍ତି । ଏହି ବ୍ରାହ୍ମଣ ଭୋଜନୀ ପୁଣି କେବଳ ଲୋକ ଦେଖାଣିଆ । ସେ ବିଷୟରେ ଫକୀରମୋହନ ଲେଖିଛନ୍ତି-

 

‘‘ଏହି ବ୍ରାହ୍ମଣ ଭୋଜନ ରୂପକ ମହତ୍‌ କାର୍ଯ୍ୟରେ କେବେ ବିଘ୍ନ ଘଟିପାରେ, ଏଥି ସକାଶେ ଜଣେ କେଉଟକୁ ମାଣେ ଓ ଜଣେ ଗୁଡ଼ିଆକୁ ମାଣେ ଏପରି ଦୁଇମାଣ ଜମି ଖଞ୍ଜି ଦେଇଛନ୍ତି । ଦ୍ୱାଦଶୀଦିନ ଭୋର କେଉଟ ଦୁଇନଉତି ଚୂଡ଼ା ଓ ଗୁଡ଼ିଆ କୋଡ଼ିଏ ପଳ ଗୁଡ଼ ଦାଖଲ କରିଯାଏ । ଗୋବିନ୍ଦପୁର ଶାସନ ୨୭ ଘର ବ୍ରାହ୍ମଣ ସମସ୍ତେ ନିମନ୍ତ୍ରିତ ହୋଇଆସନ୍ତି । ବେଳ ୬ଘଡ଼ି ମଧ୍ୟରେ ବ୍ରାହ୍ମଣ ଭୋଜନ ହୋଇଯାଏ । ମଙ୍ଗରାଜେ ସ୍ୱୟଂ ବ୍ରାହ୍ମଣମାନଙ୍କୁ ପରିବେଷଣ କରନ୍ତି । ଥରେ ପତ୍ରରେ ଚୂଡ଼ା ଗୁଡ଼ ଲଗାଇ ଦେଇ ମଙ୍ଗରାଜେ ଉଚ୍ଚ ପାଟିକରି ହାତଯୋଡ଼ି କହନ୍ତି, ‘ଗୋସେଇଁମାନେ କହନ୍ତୁ ଆଉ କିଛି ଲୋଡ଼ା କି ନାହିଁ, ଢେର ଜଳପାନ ଢେର ଗୁଡ଼ ଅଛି । ମାତ୍ର ମୁଁ ଜାଣେ, ଆପଣମାନଙ୍କ ଆଖି ବଡ଼, ପେଟ ସାନ । ଆପଣମାନଙ୍କ ପେଟକୁ ବଳିପଡ଼ିଲାଣି ।’’ ଏଥିଉତ୍ତାରେ କୌଣସି ପେଟବିକଳିଆ ବ୍ରାହ୍ମଣ ଜଳପାନ ମାଗିବସିଲେ ସାଆନ୍ତେ ତିନିଆଙ୍ଗୁଳିଆ ପାଞ୍ଚସାତ ପୁଞ୍ଜା ଚୂଡ଼ାଧରି ପତ୍ରକୁ ଫୋପାଡ଼ି ଦିଅନ୍ତି ।’’

 

ରାମଚନ୍ଦ୍ର ମଙ୍ଗରାଜ ଧର୍ମପରାୟଣ ହୋଇ ବ୍ରାହ୍ମଣ ଭୋଜନୀ କରାଇବା କଥା କେବେହେଲେ ଉପରୋକ୍ତ ଉଦ୍ଧୃତାଂଶରୁ ପ୍ରତିପନ୍ନ ହୋଇ ନ ପାରେ । ଲୋକମାନଙ୍କ ଜାଣିବା ସକାଶେ ମଙ୍ଗରାଜ କେବଳ ଏପରି କାର୍ଯ୍ୟ କରନ୍ତି । ତାଙ୍କର ମନ ଯେ କେବେହେଲେ ସ୍ୱଚ୍ଛ ନୁହେଁ ଏକଥା ମଧ୍ୟ ଉପରୋକ୍ତ ଉଦ୍ଧୃତାଂଶରେ ପ୍ରକାଶ ପାଇଅଛି । ତେଣୁ ଏଠାରେ ଏତିକିମାତ୍ର ଧରି ନିଆଯାଇପାରେ ଯେ ମଙ୍ଗରାଜ କେବଳ ନିଜ ଉଦ୍ଦେଶ୍ୟ ସାଧନ ସକାଶେ ବାହାରକୁ ନିଜର ଧର୍ମପରାୟଣ ମନୋଭାବର ପ୍ରଚାର କରିବାରେ ତତ୍ପର ଥିଲେ ।

 

ପରର ଧନସଂପତ୍ତିକୁ ଅପହରଣ କରିବାର ଲାଳସା ମଙ୍ଗରାଜଙ୍କର ଏକ ସହଜାତ ସ୍ୱାଭାବିକ ପ୍ରକୃତି ଥିଲା । ପରର ସଂପତ୍ତିକୁ ଅପହରଣ କରିବାପାଇଁ ଯେ ସବୁବେଳେ ସୁଯୋଗ ଖୋଜି ବୁଲୁଥିଲେ । କଳେବଳେ କୌଶଳେ ସେ ପରସ୍ୱ ଅପହରଣ କରିବାରେ ସଦା ତତ୍ପର । ମଙ୍ଗରାଜଙ୍କର ମାଉସୀପୁଅ ଭାଇ ଶ୍ୟାମମଲ୍ଲ ସହରକୁ ଯାଇଥିଲେ । ସେଠାରେ ସେ ପିଆଜମିଶା କୋବି ଖାଇଥିବା କଥା ମଙ୍ଗରାଜଙ୍କ କାନରେ ପଡ଼ିଲା । ପିଆଜ ମିଶା କୋବି ଖାଇବା ସତେ ଯେପରି ଏକ ଅକ୍ଷମଣୀୟ ଅପରାଧ । ଏହି ଅପରାଧ ଲାଗି ଶ୍ୟାମମଲ୍ଲଙ୍କୁ ଜାତିରେ ବାସନ୍ଦ କରାଗଲା । ଶ୍ୟାମମଲ୍ଲ ଜାତିରେ ମିଶିବାପାଇଁ ନିତାନ୍ତ ବ୍ୟାକୁଳ ହୋଇ ପଡ଼ିଲେ । ଫଳରେ ମଙ୍ଗରାଜେ ଶ୍ୟାମମଲ୍ଲଙ୍କଠାରୁ ପନ୍ଦରମାଣ ଜମି ନେଇ ତାଙ୍କୁ ଏହି ଅପରାଧରୁ ମୁକ୍ତ କରିଦେଲେ । ପରର ସଂପତ୍ତିକୁ ଅପହରଣ କରିବାର ପ୍ରବୃତ୍ତି ତାଙ୍କଠାରେ ଏତେ ବେଶୀ ମାତ୍ରାରେ ଥିଲା ଯେ ସେ ନିଜର ସଂପର୍କୀୟ ଭାଇର ସଂପତ୍ତିକୁ ମଧ୍ୟ ଛାଡ଼ି ପାରି ନାହାନ୍ତି ।

 

ମହାଜନୀ କରି ପଇସା କରିବା ଏ ଦେଶରେ ଏକ ଚିରାଚରିତ ପ୍ରଥା ରୂପେ ଚଳିଆସିଅଛି । ମହାଜନମାନେ ଦରିଦ୍ର ଖାତକ ମାନଙ୍କର ନିତାନ୍ତ ଆବଶ୍ୟକ ସମୟରେ ସାମାନ୍ୟ ମାତ୍ର ଅର୍ଥ କରଜ ଦେଇ ସୁଧ ଓ ମୂଳକରି ବହୁ ପରିମାଣରେ ଆଦାୟ କରନ୍ତି । ରାମଚନ୍ଦ୍ର ମଙ୍ଗରାଜଙ୍କର ମହାଜନୀ କାରବାର ଏହି ରୀତିର । ବାହାରେ ନିଜକୁ ଏକ ପ୍ରକାରରେ ପରିଚିତ କରାଇଥିବା ଓ ଭିତରେ ଅନ୍ୟ ଏକ ପ୍ରକାର ମନୋଭାବ ପୋଷଣ କରିଥିବା ରାମଚନ୍ଦ୍ର ମଙ୍ଗରାଜଙ୍କର ମହାଜନୀ କାରବାର ବିଷୟରେ ଲେଖକ ଯାହା ଲେଖିଅଛନ୍ତି, ତାହା ଏକାନ୍ତ ପ୍ରଣିଧାନର ଯୋଗ୍ୟ ।

 

‘ମଙ୍ଗରାଜଙ୍କ ମୁହଁରୁ ଅନେକଥର ଶୁଣାଯାଇଅଛି, ସେ କେବଳ ପରର ବିକଳ ସହି ନ ପାରି ଧାନ ଟଙ୍କା କରଜ ଦିଅନ୍ତି, ନୋହିଲେ ସେଥିରେ ତାଙ୍କର ନିଜର ଲାଭ କିଛି ନାହିଁ । ଆମ୍ଭେମାନେ କହୁଁ, ବରଞ୍ଚ ଲୋକସାନ । ଧାନ ଦେଢ଼ିରୁ ବେଶି କରଜା ନାହିଁ, ଏଥିରେ ଲାଭ କ’ଣ-? ଦିଅନ୍ତି ଶୁଖିଲା ପୁରୁଣା ଧାନ, ନେବା ବେଳକୁ ନୂଆ କଞ୍ଚା ! ଆଚ୍ଛା ପାଠକ, ଆପଣଙ୍କ ଓଦାଲୁଗାଟା ଆଗେ ଓଜନ କରନ୍ତୁ, ଦେଖିବେ ଓଦା ଶୁଖିଲାର କେତେ ପ୍ରଭେଦ । ଗଲା ଅଙ୍କ ପାଞ୍ଜିଆ ଯେ ସାଲତମାମି ଦାଖଲ କରିଥିଲା, ସେଥିରେ ମହାଜନୀ କରଜାରେ ଆଠ ଟଙ୍କା ଛଅ ଅଣା ଦୁଇ କଡ଼ା ଦୁଇ କ୍ରାନ୍ତ ଛାଡ଼ ତଳେ ପଡ଼ିଥିବାର ଦେଖାଯାଇଅଛି । ଏତେଗୁଡ଼ିଏ ଟଙ୍କା ଛାଡ଼ ସକାଶେ ପାଞ୍ଜିଆ ଗାଳିଖାଇ ଯେଉଁପରି କୈଫିୟତ ଦେଇଥିଲେ, ସେଥିର ସାରମର୍ମ ଏହି - ଭିକାରୀପଣ୍ଡା କରଜ ନେବାର ମୂଳ ପାଞ୍ଚ ଟଙ୍କା, ସେଥିରେ ଚକ୍ରବୃଦ୍ଧି ପ୍ରମାଣେ କଳନ୍ତର ବାର ଟଙ୍କା ପାଞ୍ଚଅଣା ଏଗାର ଗଣ୍ଡା ଦୁଇ କଡ଼ା ଗାଏ ଦୁଇପଦକୁ ମୋଟ ଓ ଆଦାୟ ସତର ଟଙ୍କା ପାଞ୍ଚଅଣା ଦୁଇପଇସା ବାଦେ ବାକୀ ଛାଡ଼ ଦେଢ଼ଗଣ୍ଡା ।’’

 

ମଙ୍ଗରାଜଙ୍କର ମହାଜନୀ କାରବାରରେ କିପରି ଭାବରେ ଖାତକମାନଙ୍କୁ ଛାଡ଼ ମିଳେ, ତାହାର ପ୍ରମାଣ ଉପରୋକ୍ତ ଉଦ୍ଧୃତାଂଶରେ ମିଳିଅଛି । ସାଲତମାମୀ ବେଳକୁ ଗଣ୍ଡାଏ ଦେଢ଼ଗଣ୍ଡା ହିସାବରେ ଦିଆଯାଇଥିବା ଛାଡ଼ର ପରିମାଣ ଆଠ ଟଙ୍କା ଛଅ ଅଣା ଦୁଇ କଡ଼ା ଦୁଇ କ୍ରାନ୍ତ । ପୁଣି ଏହି ମହାଜନୀ କାରବାରରେ ମଙ୍ଗରାଜ କିପରି ଭାବରେ ଗରିବ ଖାତକମାନଙ୍କର ତଣ୍ଟିଚିପି ଅର୍ଥ ଉପାର୍ଜନ କରୁଥିଲେ, ତାହା ଭିକାରୀ ପଣ୍ଡାର କରଜ ହିସାବରୁ ମିଳିଥାଏ । ଭିକାରୀ ପଣ୍ଡା କରଜ ନେଇଥିଲା ମାତ୍ର ପାଞ୍ଚ ଟଙ୍କା ଏବଂ ସେଥିପାଇଁ ତାକୁ ସୁଝିବାକୁ ପଡ଼ିଥିଲା ସତର ଟଙ୍କା ପାଞ୍ଚ ଅଣା ଦୁଇ ପଇସା । ମହାଜନୀ କାରବାରରେ ଅପର୍ଯ୍ୟାପ୍ତ ଲାଭ କରୁଥିବା ରାମଚନ୍ଦ୍ର ମଙ୍ଗରାଜଙ୍କର ପରସ୍ୱ ଅପହରଣର ଅନ୍ୟ ଦିଗଟି ହେଉଛି ଯଦି ଏହି ସାମାନ୍ୟ ଅର୍ଥ କରଜ ନେଇ ପରିଶୋଧ କରିବା ପାଇଁ ଭିକାରୀ ପଣ୍ଡା ଅସମର୍ଥ ହୋଇଥାଆନ୍ତା, ତାହା ହେଲେ ଏହି ସାମାନ୍ୟ ଅର୍ଥ ପାଇଁ ହୁଏ ତ ତା’ର ଜମିବାଡ଼ି ଏପରି କି ଘରଡ଼ିହ ପର୍ଯ୍ୟନ୍ତ ନିଲାମ କରି ରାମଚନ୍ଦ୍ର ମଙ୍ଗରାଜ ଦଖଲ କରି ଥାଆନ୍ତେ ।

 

ନିଜର କୂଟବୁଦ୍ଧି ବଳରେ ରାମଚନ୍ଦ୍ର ମଙ୍ଗରାଜ ତାଙ୍କର ସମସ୍ତ-ସ୍ଥାବର ଅସ୍ଥାବର ସଂପତ୍ତିର ପରିବର୍ଦ୍ଧନ କରିଥିଲେ । ରାମଚନ୍ଦ୍ର ମଙ୍ଗରାଜ ପ୍ରଥମେ ନିତାନ୍ତ ଦରିଦ୍ର ଥିଲେ । ସେ ପ୍ରଥମେ ଗାଁ ପଧାନଠାରୁ ଦୁଇ ମାଣ ଜମି ଭାଗରେ ଧରିଥିଲେ । ମାତ୍ର ପରବର୍ତ୍ତୀ କାଳରେ ତାଙ୍କର ଚାଷଜମିର ପରିମାଣ ହୋଇଥିଲା ଚାରିବାଟି ଛ’ ମାଣ ଏବଂ ଭାଗଚାଷରେ ଲାଗିଥିବା ଜମିର ପରିମାଣ ତିନିଶହ ବାଟି ସତର ମାଣ । ଏହି ସଂପତ୍ତିର ପରିବର୍ଦ୍ଧନ ଏକାନ୍ତ ବିସ୍ମୟକର ।

 

ମଙ୍ଗରାଜଙ୍କର ଦାସ, ଦାସୀ; ହଳିଆ-ଚାକର ସମସ୍ତେ ସତେ ଯେପରି ପରିଶ୍ରମ ଉଦ୍ଦେଶ୍ୟରେ ସୃଷ୍ଟି । ମଙ୍ଗରାଜେ ସେମାନଙ୍କୁ ପ୍ରାତଃକାଳରୁ ଉଠାଇ ଦେଇ କାମରେ ଲଗାନ୍ତି । ହଳିଆମାନେ ବିଲରେ ହଳ କରିବା ସମୟରେ ମଙ୍ଗରାଜେ ସେମାନଙ୍କୁ ଜଗି ବସି ଥାଆନ୍ତି । ମଙ୍ଗରାଜେ ଏତେ ବଡ଼ ଧନୀଲୋକ, ମାତ୍ର ବିଲରେ ଖଣ୍ଡିଏ ତାଳପତ୍ର ଛତା ଧରି ହିଡ଼ ଉପରେ ବସିଥାଆନ୍ତି । ବିଲରୁ ହଳିଆମାନେ ଫେରିବା ପରେ ସେମାନଙ୍କୁ ଭଲକରି ମୁଠାଏ ଖାଇବାକୁ ମଧ୍ୟ ସେ ଦିଅନ୍ତି ନାହିଁ । ହଳିଆମାନେ ଖାଇବସିବା ସମୟରେ ମଙ୍ଗରାଜେ ସେମାନଙ୍କୁ ଜଗି ବସିଥାଆନ୍ତି । ରାନ୍ଦୁଣିଆକୁ ସେ ତାଲିମ୍‌ କରିଦେଇଥିବା ଅନୁସାରେ ରାନ୍ଧୁଣିଆ ପ୍ରଥମେ ସମସ୍ତଙ୍କ କଂସାରେ ଦୁଇ କଂସା ଲେଖାଏଁ ତୋରାଣି ଢାଳିଦେଇ ଯାଏ । ସେତକ ପିଇସାରିବା ପରେ ଭାତ ଗଣ୍ଡାଏ ଲେଖାଏଁ ଓ କିଛି ସଜନାଶାଗ ସେମାନଙ୍କ ଭାଗରେ ପଡ଼େ । ପ୍ରଥମରୁ ତୋରାଣି ପିଇଦେଲେ ପେଟ ପୂରିଯିବ ଓ ହଳିଆମାନେ ଆଉ ବେଶି ଭାତ ଖାଇପାରିବେ ନାହିଁ ବୋଲି ମଙ୍ଗରାଜେ ଏପରି ଉପାୟ ଅବଲମ୍ବନ କରନ୍ତି । ମାନବିକତା ଦୃଷ୍ଟିରୁ ଏହାଠୁ ବଳି ଜଘନ୍ୟ ଆଚରଣ ଆଉ କିଛି ଥିଲା ପରି ମନେହୁଏ ନାହିଁ ।

 

ଦିନେ ମଙ୍ଗରାଜଙ୍କର ହଳିଆ ସରଦାର ଗୋବିନ୍ଦ ପୁହାଣ ଆସି ଜଣାଇଲା ଯେ ତଳି ଅଭାବରୁ ଦେଢ଼ମାଣ ଜମି ରୁଆ ହୋଇ ପାରିଲା ନାହିଁ । ରାମଚନ୍ଦ୍ର ମଙ୍ଗରାଜ ଏକଥା ଶୁଣି ନୀରବ ରହିଲେ । ସେ ମନେ ମନେ ତଳି ପାଇବା ପାଇଁ ଉପାୟ ପାଞ୍ଚିଲେ । ଶ୍ୟାମ ଗୋଛାଇତ ଜମିରେ ରୁଆହୋଇଥିବା ଧାନଗଛକୁ ଦେଖି ମଙ୍ଗରାଜଙ୍କର ଲୋଭ ସମ୍ଭାଳି ହୋଇପାରିଲା ନାହିଁ । ଶ୍ୟାମ ଗୋଛାଏତ ବିଲରେ ହିଡ଼ ବାନ୍ଧୁଥିଲା । ମଙ୍ଗରାଜେ ତା’ ପାଖରେ ଠିଆ ହୋଇ ବହୁତ ବେଳ ଗପସପ ହେଲେ । ତାଉପରେ ଲେଖକ ଲେଖିଛନ୍ତି, ‘‘ଚମକି ପଡ଼ିଲା ପରି ମୁରବିପଣିଆ କରି କହିଲେ; ‘‘ଆରେ ଶ୍ୟାମା, ତୁ କ’ଣ କରିଛୁ ? ତୁଟା ତ ନିହାତି ଓଲୁ ! ଚାଷ କିଛି ଜାଣୁ ନାହିଁ । ଆରେ, ଏତେ ନିଘଞ୍ଚ କରି ରୋଇଲେ କ’ଣ ଧାନ ଫଳେ ? ଗଛ ନିଶ୍ୱାସ ମାରିବାକୁ ତ ବାଟ ରଖିନାହୁଁ । ଉପାଡ଼, ଉପାଡ଼; ଅଧେ ଉପାଡ଼ି ପକା ।’’ ଗୋବିନ୍ଦ ଭଲକରି ଅନାଇ ସାଆନ୍ତଙ୍କର ପୋଷକତା କଲା । ଶ୍ୟାମ ଥରି ଥରି ହାତଯୋଡ଼ି କହିଲା, ‘‘ଆଜ୍ଞା ! ମୁଁ ତ ସବୁ ବରଷ ଏହିପରି ରୁଏଁ; ସମସ୍ତେ ରୁଅନ୍ତି ।’’ ସାଆନ୍ତେ ବିରକ୍ତ ହୋଇ କହିଲେ, ‘‘ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ-? ‘‘ଗୋବିନ୍ଦ ଆଡ଼କୁ ଚାହିଁ କହିଲେ; ଆରେ ଗୋବିନ୍ଦ ଦେଖାଇ ଦେ ତ ।’’ ଏହି କଥା ମୁହଁରୁ ନ ବାହାରୁଣୁ ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇ କିଆରୀ ବିଲ ଅଧା ପଦା କରିପକାଇଲେ । ଶ୍ୟାମା ଡକାପାଡ଼ି ସାଆନ୍ତଙ୍କ ଗୋଡ଼ତଳେ ଗଡ଼ୁଥାଏ । ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ୟାମର ଭାଇଲେଖା ସମ୍ବୋଧନ କରି କହିଲେ, ‘‘ତୁ ବିଲ କରି ଜାଣ ନ ଜାଣ, କରଜା ଧାନର ମୂଳ କଳନ୍ତର ବିଶ୍ୱାଏ ରଖିଲେ ଜାଣିବୁ ।’’ ଶ୍ୟାମ ଭୟରେ କାଠପିତୁଳାଟି ପରି ଛିଡ଼ା ହୋଇଥାଏ । ସାଆନ୍ତେ ‘‘ଆରେ ଗୋବିନ୍ଦା ଥାଉ ଥାଉ ସେ ଯାହା ଇଚ୍ଛା କରୁ’’ ଏହା କହି ଆପଣା ଅରୁଆ ବିଲ ଆଡ଼କୁ ଦୁଇ ଭାର ତଳିଧରି ବାହାରିଗଲେ ।

 

କୌଶଳକରି ନିଜ ଜମିପାଇଁ ପର ଜମିରୁ ତଳି ଓପାଡ଼ି ନେବା ମନୋବୃତ୍ତିରୁ ରାମଚନ୍ଦ୍ର ମଙ୍ଗରାଜଙ୍କର ପରସ୍ୱାପହରଣ ନୀତି ସହଜରେ ଅନୁମାନ କରାଯାଇପାରେ । ନିତାନ୍ତ ନିଃସ୍ୱ ରାମଚନ୍ଦ୍ର ମଙ୍ଗରାଜ ନିଜର ବୁଦ୍ଧିବଳରେ ଏତେ ବଡ଼ ସଂପତ୍ତିର ମାଲିକ ହେବା କଥା ରାମଚନ୍ଦ୍ର ମଙ୍ଗରାଜଙ୍କର ଚରିତ୍ରର ଏକ ବିଶିଷ୍ଟ ଦିଗ । ସେକ୍‌ ଦିଲ୍‌ଦାର ମିଆଁଙ୍କୁ ଦେଖାକରିବାକୁ ଯାଇ ରାମଚନ୍ଦ୍ର ମଙ୍ଗରାଜ ସଲାମୀ ଓ ଉପହାର ଦେଇ ମିଆଁଙ୍କର ବିଶ୍ୱାସର ପାତ୍ର ହୋଇଛନ୍ତି । ସେକ୍‌ ଦିଲ୍‌ଦାର ମିଆଁ କାଶ୍ମୀରରୁ ଆସିଥିବା ବାଈକୁ ଦେବା ନିମନ୍ତେ ଶହେ ଟଙ୍କା ଦରକାର କରୁଥିବା ସମୟରେ ରାମଚନ୍ଦ୍ର ମଙ୍ଗରାଜ ଟଙ୍କା ଦେଇ ଫତେପୁର ସରଷଣ୍ଢ ଜମିଦାରୀ ହାସଲ କରିଛନ୍ତି । କୌଶଳକ୍ରମେ ରାମଚନ୍ଦ୍ର ମଙ୍ଗରାଜ ନିଜକୁ ସମାଜରେ ପ୍ରତିଷ୍ଠିତ କରାଇବା ପାଇଁ ଯେପରି ଭାବରେ ଅତିମାତ୍ରାରେ ତତ୍ପର ହୋଇ ପଡ଼ିଲେ, ସେହି ତତ୍ପରତା ତାଙ୍କର ଧ୍ୱଂସର କାରଣ ହେଲା । ସଂପତ୍ତି ଓ ପ୍ରତିଷ୍ଠାର ପରିବର୍ଦ୍ଧନ ନିମିତ୍ତ ରାମଚନ୍ଦ୍ର ମଙ୍ଗରାଜଙ୍କ ମନରେ ଯେଉଁ ଅଦମ୍ୟ ଲିପ୍‌ସା ଜାଗି ଉଠିଛି, ସେହି ଲିପ୍‌ସାର ଶିକାର ହୋଇଛନ୍ତି ଶାରିଆ ଓ ଭଗିଆ; ସେଥିପାଇଁ ପ୍ରେରଣା ଦେଇଛି ଚମ୍ପା ।

 

ସଂପତ୍ତିର ଲାଳସା ରାମଚନ୍ଦ୍ର ମଙ୍ଗରାଜଙ୍କ ମନରେ ଏପରି ପ୍ରଭାବ ବିସ୍ତାର କରିଥିଲା ଯେ ନିଜର ସତୀସାଧ୍ୱୀ ପତ୍ନୀଙ୍କ ପ୍ରତି ହେୟ ମନୋଭାବ ପୋଷଣ କରି ଚମ୍ପା ପରି କୁଟିଳା ଦୁଶ୍ଚରିତ୍ରା ନାରୀ ପ୍ରତି ସେ ଆକୃଷ୍ଟ ହୋଇଥିଲେ । ଚମ୍ପା ନିତାନ୍ତ କ୍ରୂରବୁଦ୍ଧିସଂପନ୍ନା ନାରୀ । ତା’ର ଚରିତ୍ର ବିଷୟରେ ଏଠାରେ ଆଲୋଚନା କରିବାର ଅବକାଶ ନାହିଁ । ମାତ୍ର ରାମଚନ୍ଦ୍ର ମଙ୍ଗରାଜଙ୍କର ଜୀବନରେ ଏପରି ଏକ ନାରୀର ପ୍ରଭାବ ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରର ଏକ ବିଶିଷ୍ଟ ପର୍ଯ୍ୟାୟ ଉଦ୍‌ଘାଟନ କରେ । ରାମଚନ୍ଦ୍ର ମଙ୍ଗରାଜଙ୍କର ନୈତିକ ଚରିତ୍ର ନିତାନ୍ତ ନିମ୍ନ । ଏ ବିଷୟରେ ଫକୀରମୋହନ ସିଧାସଳଖ କିଛି କଥା ନ କହି ପରୋକ୍ଷରେ ଚମ୍ପା ବିଷୟରେ ମତପ୍ରଦାନ କରିଅଛନ୍ତି । ଚମ୍ପା ଥିଲା ଜଣେ ଧୂର୍ତ୍ତାନାରୀ । ରାମଚନ୍ଦ୍ର ମଙ୍ଗରାଜଙ୍କର ପତନ ନିମିତ୍ତ ଚମ୍ପା ଯେ ଅନେକାଂଶରେ ଦାୟୀ, ଏଥିରେ ସନ୍ଦେହ ନାହିଁ ।

 

ରାମଚନ୍ଦ୍ର ମଙ୍ଗରାଜଙ୍କ ଜୀବନରେ ନାରୀର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ନାରୀ ପ୍ରତି ତାଙ୍କର ଦୁର୍ବଳତା ବିଷୟ ଫକୀରମୋହନ ସିଧାସଳଖ ଭାବରେ ନ ଲେଖି ପ୍ରକାରାନ୍ତରରେ ଲେଖିଅଛନ୍ତି । ମରୁଆ ବିଷୟରେ ଲେଖିବାକୁ ଯାଇ ଫକୀରମୋହନ ମରୁଆର ଜମାନବନ୍ଦୀରେ ପ୍ରକାଶ କରିଅଛନ୍ତି, ‘‘ବିଭାବେଳେ ମୋ ସ୍ୱାମୀର ଶ୍ୱାସବେମାରୀ ଥିଲା । ସେହି ବେମାରୀରେ ସେ ମଲେ । ମୋ ସ୍ୱାମୀଘରେ ଆଉ କେହି ନଥିଲେ । ନନା ଯାଇ ତାଙ୍କ ଜମିବାଡ଼ି ବିକିଦେଇ ମୋତେ ଘରକୁ ଘେନିଆସିଲେ । ନନାଙ୍କ ଘରେ ପାଞ୍ଚ ସାତ ବରଷ ରହିଥିଲି । ଗ୍ରାମରେ ଲଳିତା ଦାସ ବାବାଜୀ ଥିଲେ । ମୁଁ ତାଙ୍କ ପାଖକୁ ଚୈତନ୍ୟଚରିତାମୃତ ଶୁଣିବାକୁ ଯିବାରୁ ଭାଉଜମାନେ କଳି ଲଗାଇଲେ । ମୁଁ ବୃନ୍ଦାବନ ଯିବା ସକାଶେ ବାବାଜୀଙ୍କ ସାଙ୍ଗରେ ଦିନେ ରାତିରେ ପଳାଇ ଆସି କଟକ ତେଲଙ୍ଗା ବଜାରରେ ଥିଲି । ସାଆନ୍ତ ମାମଲା କରିବା ସକାଶେ କଟକ ଯାଇଥିଲେ । ତାଙ୍କ ସାଙ୍ଗରେ ଆସି ଏହି ଘରେ ଅଛି ।’’

 

ମରୁଆର ଚରିତ୍ର ଏଠାରେ ବିଶ୍ଳେଷଣ କରିବାଦ୍ୱାରା ରାମଚନ୍ଦ୍ର ମଙ୍ଗରାଜଙ୍କର ଚରିତ୍ରର ଗୋଟିଏ ଦିଗ ଉନ୍ମୋଚିତ ହେଉଅଛି । ମରୁଆ ଲଳିତା ଦାସ ବାବାଜୀଙ୍କ ସଙ୍ଗରେ ବୃନ୍ଦାବନ ଯିବା ଉଦ୍ଦେଶ୍ୟରେ ଘର ଛାଡ଼ିଲା । ମାତ୍ର କଟକର ତେଲଙ୍ଗା ବଜାର ତ ବୃନ୍ଦାବନ ନୁହେଁ । ସେ ସମୟରେ ତେଲଙ୍ଗା ବଜାର ଥିଲା ବେଶ୍ୟମାନଙ୍କର ବିଖ୍ୟାତ ବାସସ୍ଥଳ । ମରୁଆ ବାବାଜୀଙ୍କ ସଙ୍ଗରେ ଆସି ସେଠାରେ ରହିବାର ଅର୍ଥ ବେଶ୍ୟାବୃତ୍ତି ଅବଲମ୍ବନ ବ୍ୟତୀତ ଅନ୍ୟ କ’ଣ ହୋଇପାରେ ? ମରୁଆ ସେଠାରେ ରହି ବେଶ୍ୟାବୃତ୍ତି କରୁଥିବା ସମୟରେ ରାମଚନ୍ଦ୍ର ମଙ୍ଗରାଜଙ୍କ ସହିତ ତା’ର ସାକ୍ଷାତ ଘଟିଛି । ରାମଚନ୍ଦ୍ର ମଙ୍ଗରାଜ ମୋକଦ୍ଦମା କରିବାକୁ କଟକ ଯାଇ ତେଲଙ୍ଗା ବଜାରରେ ମରୁଆକୁ ଭେଟିବା ବୃତ୍ତାନ୍ତରୁ ଜଣାଯାଏ ଯେ ସେ ବେଶ୍ୟାସକ୍ତ ଥିଲେ । ତାନ ହୋଇଥିଲେ ସେଠାରେ ସେ ମରୁଆକୁ ଭେଟି ତାକୁ ପୁଣି ନିଜ ଉଆସକୁ ବା ଆଣିଥାଆନ୍ତେ କିପରି-? ତାଙ୍କ ଉଆସରେ ବହୁ ସଂଖ୍ୟାରେ ଦାସୀ ଥିବା କଥା ଏହି ଯୁକ୍ତିକୁ ବଳବତ୍ତର କରେ ।

 

ପ୍ରତିହିଂସାପରାୟଣତା ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରର ଗୋଟିଏ ବିଶିଷ୍ଟ ଦିଗ । ବାଘସିଂହ ବଂଶ ପ୍ରତି ତାଙ୍କର ଥିବା ଅସୂୟା ଭାବରେ ଅତିମାତ୍ରାରେ ପ୍ରତିହିଂସାପରାୟଣ ହୋଇ ଚମ୍ପା ସାହାଯ୍ୟରେ ବାଘସିଂହ ବଂଶର ଗୃହଦାହ କରିବା ମଙ୍ଗରାଜଙ୍କର ଚରିତ୍ରର ବିଷମୟତା ପ୍ରକାଶ କରେ । ନିରୀହ ପାଣମାନଙ୍କ ସହିତ ଶତ୍ରୁତା କରି ସେମାନଙ୍କୁ ମୋକଦ୍ଦମାରେ ପକାଇ ଜେଲଦେବା କଥାରୁ ମଙ୍ଗରାଜଙ୍କର ପ୍ରତିହିଂସାପରାୟଣ ମନୋବୃତ୍ତିର ମଧ୍ୟ ଯଥେଷ୍ଟ ପରିଚୟ ମିଳେ ।

 

ଚମ୍ପାକୁ ନିଜର ହାତବାରିଶି ପରି ବ୍ୟବହାର କରି ଶାରିଆକୁ ଶିଖାଇ ତା’ର ସଂପତ୍ତିକୁ ହାତ କରିବାଦ୍ୱାରା ମଙ୍ଗରାଜଙ୍କର କୁଟିଳ ବୁଦ୍ଧିର ପରିଚୟ ମିଳେ । ଶାରିଆ ପ୍ରାଣରେ ସନ୍ତାନଲାଭର କାମନା ଜନ୍ମାଇ ତା’ର ସର୍ବସ୍ୱ ଲୁଣ୍ଠନ କରିବା ମନୋବୃତ୍ତିର ମୂଳରେ ଯେ କି ସାଂଘାତିକ ଚକ୍ରାନ୍ତ ରହିଛି ତାହା କଳ୍ପନାତୀତ । ସମଗ୍ର ଓଡ଼ିଆ ସାହିତ୍ୟର ପରିସର ମଧ୍ୟରେ ରାମଚନ୍ଦ୍ର ମଙ୍ଗରାଜଙ୍କ ପରି କୁଚକ୍ରୀ ଚରିତ୍ର ଏହି ଦୃଷ୍ଟିରୁ ବିରଳ । ଶାରିଆ ଓ ଭଗିଆଙ୍କର ନିଷ୍ପାପ ଜୀବନ, ଆନନ୍ଦର ସଂସାର, ରାମଚନ୍ଦ୍ର ମଙ୍ଗରାଜଙ୍କର ଚକ୍ରାନ୍ତର ବିଷ ଜ୍ୱାଳାରେ ନିଶ୍ଚିହ୍ନ ହୋଇଯାଇଅଛି । ପୁଣି ଶାରିଆ ଓ ଭଗିଆଙ୍କର ସରଳ ନିଷ୍ପାପ ପ୍ରାଣର ଦାରୁଣ ଆଘାତ ଜନିତ ନିଶ୍ୱାସରେ ମଙ୍ଗରାଜଙ୍କର ପ୍ରତିପତ୍ତିଶାଳୀ ଓ ଜୀବନ ସଂସାରର ବିଲୟ ଘଟିଛି । ଶାରିଆକୁ ହତ୍ୟାକରିବା ଓ ନେତ ନାମକ ଗାଈକୁ ଅପହରଣ କରିବା ଅପରାଧରେ ଯେତେବେଳେ ମଙ୍ଗରାଜ ଗିରଫ ହେଲେ, ସେତେବେଳେ ହୁଏ ତ ସେ ତାଙ୍କର କୃତକର୍ମ ପାଇଁ ଅନୁତାପ କରିନାହାନ୍ତି । କାରଣ ତାଙ୍କ ମନରେ ସେତେବେଳେ ମଧ୍ୟ ବିଶ୍ୱାସ ଥିଲା ଯେ ତାଙ୍କର ଅର୍ଥ ଓ ପ୍ରତିପତ୍ତି ବଳରେ ସେ ମୁକ୍ତ ହୋଇଯିବେ । ମାତ୍ର ବିଚାରପରେ ଯେତେବେଳେ ସେ ଜେଲ ଦଣ୍ଡ ପାଇଲେ, ସେତେବେଳେ ଜେଲଖାନା ଭିତରର ଘଟଣାରେ ତାଙ୍କର ଅନ୍ତର ଅନୁତପ୍ତ ହୋଇଥିବ । ଜେଲଖାନାରେ ପାଣମାନଙ୍କଠାରୁ ମାଡ଼ ଖାଇବା ଓ ଭଗିଆ ତାଙ୍କ ନାକକୁ କାମୁଡ଼ି ଦେବା ଘଟଣାରେ ସେ ନିତାନ୍ତ ମର୍ମାହତ ହୋଇଥିବେ ସତ; ମାତ୍ର ତାଙ୍କର ପ୍ରକୃତ ଅନୁତାପ ଆସିଛି ତାଙ୍କର ଅନ୍ତିମ କାଳରେ ।

 

ଯେତେବେଳେ ତାଙ୍କୁ ମୁର୍ମୂଷ ଅବସ୍ଥାରେ ଜେଲଖାନାରୁ ଆଣି ତାଙ୍କ ଉଆସର ଚଉରା ପାଖରେ ଶୁଆଇ ଦିଆଗଲା, ସେତେବେଳେ ସେ ତାଙ୍କର କୃତକର୍ମର ଉପଯୁକ୍ତ ଫଳ ପାଇବା କଥା ଅନୁତପ୍ତ ବାକ୍ୟରେ ପ୍ରକାଶ କରିବାକୁ ଚେଷ୍ଟା କରିଅଛନ୍ତି । ମାତ୍ର ତାଙ୍କର ବାକ୍‌ଶକ୍ତି ଲୋପ ପାଇ ଆସିବାରୁ ସେ ତାହା ପ୍ରକାଶ କରିପାରି ନାହାନ୍ତି । କେବଳ ଥ-ମା-ଆ-ଗୁ କହି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଅଛନ୍ତି । ଏହି ଥ-ମା-ଆ-ଗୁର ଅର୍ଥ ଛ ମାଣ ଆଠଗୁଣ୍ଠ-। ମଙ୍ଗରାଜେ କହିବାକୁ ଚେଷ୍ଟା କରିଥିଲେ ଯେ ଛ ମାଣ ଆଠଗୁଣ୍ଠ ଜମିହିଁ ତାଙ୍କର ଏହି ଧ୍ୱଂସର କାରଣ । ଛ ମାଣ ଆଠଗୁଣ୍ଠ ଜମିକୁ ନିଜ ସମ୍ପତ୍ତିରେ ମିଶାଇବାକୁ ଯାଇ ସେ ଯେଉଁ ଅନ୍ୟାୟ ଆଚରଣ କରିଥିଲେ ସେହି ଅନ୍ୟାୟ ଆଚରଣର ଅକ୍ଷମଣୀୟ ଅପରାଧ ଫଳରେ ତାଙ୍କର ସର୍ବନାଶ ହେଲା ।

 

ରାମଚନ୍ଦ୍ର ମଙ୍ଗରାଜଙ୍କର ଚରିତ୍ର ଚିତ୍ରଣ କରିବାରେ ଫକୀରମୋହନ ସେନାପତି ଯେପରି ସିଦ୍ଧହସ୍ତତା ପ୍ରଦର୍ଶନ କରିଅଛନ୍ତି ତାହା ଅନନ୍ୟସାଧାରଣ । ମାମୁଁ ଉପନ୍ୟାସରେ ସେହିପରି ଫକୀରମୋହନ ନାଜର ନଟବର ଦାସଙ୍କର ଚରିତ୍ର ଚିତ୍ରଣ କରିବାରେ ସମର୍ଥ ହୋଇଅଛନ୍ତି । ଫକୀରମୋହନଙ୍କର ଶିଳ୍ପୀମାନସ ରାମଚନ୍ଦ୍ର ମଙ୍ଗରାଜଙ୍କ ପରି କୁଚକ୍ରୀ, ଧୂର୍ତ୍ତ, କୁଟିଳ ଚରିତ୍ରକୁ ଯେ ସ୍ପଷ୍ଟଭାବରେ ଚିହ୍ନି ପାରିଥିଲେ ତାହା ତାଙ୍କର ବୈଶିଷ୍ଟ୍ୟ । ଆଧୁନିକ ଓଡ଼ିଆ ସାହିତ୍ୟରେ ରାମଚନ୍ଦ୍ର ମଙ୍ଗରାଜଙ୍କପରି ଚରିତ୍ର ଯେପରି ବିରଳ ଛ ମାଣ ଆଠଗୁଣ୍ଠ ପରି ଉପନ୍ୟାସ ମଧ୍ୟ ସେହିପରି ବିରଳ ।

 

ଭଗିଆ–

 

ଗୋବିନ୍ଦପୁର ଗ୍ରାମର ତନ୍ତିସାହିରେ ଭଗିଆର ଘର । ଭଗିଆକୁ ଲେଖକ ଜଣେ ନିତାନ୍ତ ସରଳ ପ୍ରକୃତିର ଲୋକ ହିସାବରେ ଚିତ୍ରଣ କରିଅଛନ୍ତି । ଭଗିଆକୁ କେହି ନିତାନ୍ତ ହୁଣ୍ଡା ବା ବୁଦ୍ଧିଶୂନ୍ୟ ଲୋକ ହିସାବରେ ଗ୍ରହଣ କରିପାରନ୍ତି, ମାତ୍ର ପ୍ରକୃତ ଭଗିଆକୁ ହୁଣ୍ଡା କୁହାଯାଇ ପାରିବ ନାହିଁ । ସରଳତା କେବେହେଲେ ହୁଣ୍ଡାମୀ ନୁହେଁ । ପୁରୁଷାନୁକ୍ରମିକ ଭାବରେ ଭଗିଆ ତନ୍ତି ସାହିର ପରମାଣିକ । ଲେଖକ ଭଗିଆକୁ ହୁଣ୍ଡା ଓ ଶାରିଆକୁ ହୁଣ୍ଡୀ ବୋଲି ଲେଖିଛନ୍ତି । ମାତ୍ର ଲେଖକଙ୍କର ସ୍ୱଭାବ ସୁଲଭ ବର୍ଣ୍ଣନାଭଙ୍ଗୀର ଅର୍ଥ ଭିନ୍ନ ପ୍ରକାର । ଲେଖକ ଲେଖିଛନ୍ତି ‘‘ଭଗିଆ ବିଚରା ବଡ଼ ସାଦାସିଦା ଲୋକ । ଛନ୍ଦ କପଟ ତା’ ମନକୁ ଛୁଇଁନାହିଁ । ତାକୁ ଶାଗ କହ–ହଁ, ମୁଗ କହ ହଁ । ଗାଁ ଲୋକମାନେ ଭଗିଆକୁ ହୁଣ୍ଡା ତନ୍ତି ବୋଲି ଡାକନ୍ତି ।’’

 

ଭଗିଆ ନିତାନ୍ତ ସରଳ ପ୍ରକୃତିର ଲୋକ ହୋଇ ନଥିଲେ ତାଜୀବନରେ ଏତେବଡ଼ ବିପର୍ଯ୍ୟୟ ଦେଖା ଦେଇ ନଥାନ୍ତା । ଶାରିଆ ଓ ଭଗିଆର ଦାମ୍ପତ୍ୟ ଜୀବନ ଯେ କି ସୁଖମୟ ଥିଲା ତାହା ଫକୀରମୋହନ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଅଛନ୍ତି ।

 

ଗାଁରେ କୌଣସି ଭଲମନ୍ଦ ଘଟଣା ଘଟିଲେ ସେଥିପ୍ରତି ଭଗିଆ ଆଦୌ କାନ ଦିଏ ନାହିଁ-। ଯଦି କୌଣସି ପ୍ରକାର କଳି ତକରାଳ ଲାଗେ ତାହେଲେ ସେଥିପ୍ରତି କାନ ନ ଦେଇ ଭଗିଆ ନିଜର କବାଟ କିଳିଦିଏ । ସନ୍ତାନ ଲାଭର ଆଶା ଯେତେବେଳେ ଶାରିଆ ପ୍ରାଣରେ ଅତୀବ ବଳବତୀ ହୋଇ ପଡ଼ିଛି, ସେତେବେଳେ ସେ ରାମଚନ୍ଦ୍ର ମଙ୍ଗରାଜଙ୍କର ଚକ୍ରାନ୍ତକୁ ବୁଝି ନ ପାରି ତାକୁ ସରଳ ପ୍ରାଣରେ ବିଶ୍ୱାସ କରିଛି । ଚମ୍ପାର କଥାରେ ସେ ବିଶ୍ୱାସ ସ୍ଥାପନ କରିଛି ସତ, ମାତ୍ର ସେ ବିଶ୍ୱାସରେ ଯେ ବିଷ ଭରି ରହିଥିଲା ସେ କଥା ଭଗିଆର ଚିନ୍ତାର ବାହାରେ ।

 

ଭଗିଆର ସୁନାର ସଂସାର ଯେତେବେଳେ ଜଳିପୋଡ଼ି ଛାରଖାର ହୋଇଗଲା, ସେତେବେଳେ ସେ ପାଗଳ ହୋଇଗଲା । ପାଗଳ ଅବସ୍ଥାରେ ମଧ୍ୟ ତା’ର ଦୁର୍ଭାଗ୍ୟ ପାଇଁ ସେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ଦାୟୀକରି ତାଙ୍କୁ ଆକ୍ରମଣ କରିଛି ।

 

ଗୋବରା ଜେନା–

 

ଫକୀରମୋହନ ଗୋବରା ଜେନା ଚରିତ୍ରରେ ଇଂରେଜ ଶାସନ ସମୟର ଜଣେ ଚୌକିଦାରର ସାଧାରଣ ଚରିତ୍ରକୁ ନିଜର ବିଶିଷ୍ଟ ବର୍ଣ୍ଣନାଭଙ୍ଗୀରେ ଚିତ୍ରଣ କରିଅଛନ୍ତି । ଗୋବରା ଜେନା ଫକୀରମୋହନଙ୍କ ଭାଷାରେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କରେ । ରାତିରେ ଗାଁ ସାରା ବୁଲି ପହରା ଦିଏ । ସେ ତା’ର କର୍ତ୍ତବ୍ୟରେ ଅତ୍ୟନ୍ତ ତତ୍ପର ଥିଲେ ହେଁ ଅନେକ ସମୟରେ ଗାଁରୁ ଚୋରି ହୋଇଯାଏ । ଗାଁ ଚଉକିଆ ହିସାବରେ ସେ ଗାଁର ଲୋକମାନଙ୍କଠାରୁ ବାର୍ଷିକ ଧାନହଳା ଏବଂ ଭଲମନ୍ଦରେ ସାମୟିକ ପାଉଣା ପାଏ । ଯେଉଁ ଦିନ ସେ ଥାନା ପାଳିରେ ଯାଏ ସେ ଦିନ କଖାରୁଟିଏ ବା କଦଳୀ କାନ୍ଦିଏ ଥାନାର କର୍ମଚାରୀମାନଙ୍କ ପାଇଁ ନେଇଯାଏ । ଗୋବରା ଜେନାର କର୍ତ୍ତବ୍ୟପରାୟଣତା ବିଷୟରେ ଫକୀରମୋହନ ବ୍ୟଙ୍ଗାତ୍ମକ ଭାଷାରେ ଲେଖିଛନ୍ତି, ‘‘କାମ ଝଞ୍ଜଟ ହେତୁରୁ ଜେନା ପୁଅ ରାତି ଓଳିଟା ଘରୁ ଭାତ ଖାଇପାରେ ନାହିଁ । ପାଳିକରି ଗାଁ ଲୋକଙ୍କ ଘରୁ ଖାଏ । ଯାହା ଘରୁ ଯେଉଁଦିନ ଖାଇବାର, ବେଳ ଥାଉଁ ଥାଉଁ ମୁଠାଏ ଚାଉଳ ପକାଇବା ସକାଶେ କହିଯାଏ । ଖଞ୍ଜ ଅଖଞ୍ଜରେ ଭାତ ହୋଇ ନପାରିଲେ ଜେନାପୁଅ ସେ ଦିନ ରାତିରେ ତାହା ଘର ପହରା କାମରେ ଢିଲା କରିଦିଏ । ଚୋରମାନେ ତକ୍ଷଣେ ଏ କଥା ଜାଣି ପାରି ସେହିଦିନ ରାତିରେ ତାହା ପିଢ଼ା ବା ବାଡ଼ିରୁ ଫଳ କଦଳୀଟା କିମ୍ବା ବିଲରୁ ଧାନ ଚୋରିକରି ଘେନିଯାନ୍ତି କିମ୍ବା କିଛି ନପାଇଲେ ତାହା ଦାଣ୍ଡଦୁଆର ଖୁମ୍ବଟା ଭାଙ୍ଗିଦେଇ ଯାନ୍ତି । ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି, ଆପଣା ଘର ପର୍ଯ୍ୟନ୍ତ ‘ଗାଁ ଲୋକ ହୁସିଆର, ଘରବାଲେ ଖବରଦାର’ ପାଟିକରି ଡାକିଦିଏ । ଚେଇଁଥିବା ପିଲାମାନେ ସେ ଡାକ ଶୁଣି ଶୋଇ ପଡ଼ନ୍ତି । ତାହା ବାଦ୍‌ ସେ ଗାଁରେ ସାରା ରାତି ପହରା ଦିଏ, ଏ କଥା କାହାକୁ ଜଣାପଡ଼େ ନାହିଁ ।

 

ଗୋବରା ଜେନା ଯେ ନିଜ କର୍ତ୍ତବ୍ୟରେ ହେଳା କରି କିପରି ଭାବରେ ଚଳେ ସେ କଥା ଉପରୋକ୍ତ ଉଦ୍ଧୀତିରୁ ବେଶ୍‌ ଭାବରେ ଜଣାଯାଏ । ଗୋବରା ଜେନା ନିଜର କୂଟବୁଦ୍ଧି ବଳରେ ନିଜର ଧନ ସମ୍ପତ୍ତି ବଢ଼ାଇବାରେ ଧୂରନ୍ଧର । ନିଜେ ଗାଁର ଚୌକିଦାର ଥାଇ ଡକାୟତଦଳ ସହିତ ସହ୍ଲାରଖି ଚୋରି ଡକାୟତିରୁ ସେ ଯଥେଷ୍ଟ ଧନ ପାଏ । ଗୋବରା ଜେନାର କୂଟବୁଦ୍ଧି ଦେଖି ରାମଚନ୍ଦ୍ର ମଙ୍ଗରାଜ ତାଉପରେ ବେଶ୍‌ ସନ୍ତୁଷ୍ଟ ଥିଲେ । ସେ ଅଧିକାଂଶ ସମୟରେ ମଙ୍ଗରାଜଙ୍କ କଚେରୀରେ ଉପସ୍ଥିତ ଥାଏ । ଅନେକ ସମୟରେ ସେ ମଙ୍ଗରାଜଙ୍କ ସହିତ ଗୁପ୍ତମନ୍ତ୍ରଣା କରୁଥିବାର ଦେଖାଯାଏ । ରାମଚନ୍ଦ୍ର ମଙ୍ଗରାଜ ଯେ କି ପ୍ରକାର ଚରିତ୍ରର ବ୍ୟକ୍ତି ତାହା ଫକୀରମୋହନଙ୍କ ଲେଖନୀରେ ସ୍ପଷ୍ଟ ଭାବରେ ପ୍ରକାଶ ପାଇଅଛି । ତେଣୁ ତାଙ୍କ ସହିତ ଗୋବରା ଜେନାର ଗୁପ୍ତଯନ୍ତ୍ରଣାର ବିଷୟ ଯେ କ’ଣ ହୋଇଥିବ ତାହା ସହଜରେ ଅନୁମାନ କରାଯାଇପାରେ-। ଗୋବରା ଜେନା ମଙ୍ଗରାଜଙ୍କର ସମ୍ପତ୍ତି ବର୍ଦ୍ଧନରେ ତାଙ୍କୁ ସାହାଯ୍ୟ କରୁଥିଲା । ଗାଁରେ ଯଦି କୌଣସି ପାଣ ଜେଲ୍‌ ଯାଉଥିଲା ତାହାର ସ୍ତ୍ରୀ ପିଲାମାନଙ୍କ ଚଳିବା ସକାଶେ ଗୋବରା ଜେନା ମଙ୍ଗରାଜଙ୍କଠାରୁ ଧାର କରଜ କରି ଦେଉଥିଲା । ଏହାର ଅର୍ଥ ଧାନ କରଜ ଦେଇ ମଙ୍ଗରାଜ କୌଶଳର ସହିତ ସେ ଲୋକର ଜମିକୁ ନିଜ ଜମିରେ ସାମିଲ କରୁଥିଲେ । ତେଣୁ ଏଥିପାଇଁ ଗୋବରା ଜେନା ତାଙ୍କର ସହାୟକ ଥିଲା ।

 

ମଙ୍ଗରାଜଙ୍କ ବିରୁଦ୍ଧରେ ଯେତେବେଳେ ପୁଲିସ୍‌ ତଦାରଖ ହେଲା ସେତେବେଳେ ଯେଉଁମାନେ ସାକ୍ଷ୍ୟ ଦେଇଥିଲେ ସେମାନଙ୍କ ମଧ୍ୟରେ ଗୋବରା ଜେନା ଗାଁର ଚୌକିଦାର ହିସାବରେ ନିଜର ଜବାନବନ୍ଦି ଦେଇଥିଲା । ସେଥିରେ ସେ ନିଜର ମୂର୍ଖତାବଶତଃ ଏବଂ ଧୂର୍ତ୍ତ ଚରିତ୍ର ଯୋଗୁଁ ମଙ୍ଗରାଜଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଇଥିଲା । କାରଣ, ମଙ୍ଗରାଜଙ୍କ ବିରୁଦ୍ଧରେ ଏହି ତଦାରଖ ହୋଇଥିଲା ପୋଲିସ କର୍ମଚାରୀଙ୍କର ମଙ୍ଗରାଜଙ୍କ ଉପରେ ପୂର୍ବରୁ ଥିବା ଆକ୍ରୋଶପାଇଁ-। ମଙ୍ଗରାଜ ପୋଲିସ କର୍ମଚାରୀମାନଙ୍କୁ ଗୋଟିଏ ମକଦ୍ଦମାରେ ଉପଯୁକ୍ତ ପରିମାଣରେ ଲାଞ୍ଚଦେବାକୁ କହି ପରେ ଦେଇ ନଥିଲେ । ପୋଲିସ କର୍ମଚାରୀମାନେ ମନରେ ରାଗ ରଖି ସୁବିଧା ଖୋଜୁଥିଲେ । ଶାରିଆର ମୃତ୍ୟୁ ସମ୍ବାଦ ସେମାନଙ୍କୁ ଏହି ସୁଯୋଗ ଆଣିଦେଲା-। ଗୋବରା ଜେନା ଏକଥା ନିଶ୍ଚିତ ଭାବରେ ଜାଣେ । ତେଣୁ ମଙ୍ଗରାଜଙ୍କଠାରୁ ବହୁ ଉପାୟରେ ସୁବିଧାଲାଭ କରିଥିବା ଗୋବରା ଜେନା ଶେଷବେଳକୁ ମଙ୍ଗରାଜଙ୍କ ବିରୁଦ୍ଧରେ ସାକ୍ଷ୍ୟପ୍ରଦାନ କରିଅଛି । ଗୋବରା ଜେନା ଚରିତ୍ର ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରର ଯେ ଅନୁରୂପ ଏଥିରେ ସନ୍ଦେହ ନାହିଁ ।

 

ଚମ୍ପା–

 

ଚମ୍ପାର ଚରିତ୍ର ଫକୀରମୋହନଙ୍କ ଲେଖନୀରେ ଯେପରି ଭାବରେ ଚିତ୍ରିତ ହୋଇଅଛି ସେଥିରୁ ଜଣାଯାଏ ଫକୀରମୋହନ ମନୁଷ୍ୟ ଚରିତ୍ର ସହିତ ଅତ୍ୟନ୍ତ ନିବିଡ଼ ଭାବରେ ପରିଚିତ ଥିଲେ । ଫକୀରମୋହନ ଉତ୍ତମ ଚରିତ୍ର ଚିତ୍ରଣ କରିବା ସମରେ ଯେପରି ଭାବରେ ମନୁଷ୍ୟର ମହତ୍ତ୍ୱକୁ ଦକ୍ଷତାର ସହିତ ପ୍ରକାଶ କରନ୍ତି, ଅଧମ ଚରିତ୍ର ଚିତ୍ରଣ କରିବା ସମୟରେ ସେହିପରି ମନୁଷ୍ୟର ଅନ୍ତର୍ନିହିତ ଦୋଷଗୁଡ଼ିକୁ ପ୍ରକାଶ କରନ୍ତି । ପୁରୁଷ ଚରିତ୍ର ଚିତ୍ରଣ କରିବାରେ ଫକୀରମୋହନ ଯେପରି ଦକ୍ଷତା ପ୍ରଦର୍ଶନ କରିଅଛନ୍ତି ନାରୀ ଚରିତ୍ର ଚିତ୍ରଣ କରିବାରେ ମଧ୍ୟ ସେହିପରି ଦକ୍ଷତା ପ୍ରଦର୍ଶନ କରିଅଛନ୍ତି ।

 

ଚମ୍ପା ମଙ୍ଗରାଜଙ୍କ ଉଆସରେ ନିଜର କର୍ତ୍ତୃତ୍ୱ ବିଶେଷ ଭାବରେ ପ୍ରଦର୍ଶନ କରିଅଛି । ମଙ୍ଗରାଜଙ୍କ ସଂସାରରେ ସାଆନ୍ତାଣୀଙ୍କ ଅପେକ୍ଷା ଚମ୍ପାର କର୍ତ୍ତୃତ୍ୱ ଅଧିକ । ଚମ୍ପା ମଙ୍ଗରାଜଙ୍କର ଦାସୀ, ମାତ୍ର ତାକୁ ଦାସୀ ଭାବରେ କେହି ଦେଖନ୍ତି ନାହିଁ । ତାକୁ ଚମ୍ପା ସାଆନ୍ତାଣୀ ବୋଲି ମଙ୍ଗରାଜଙ୍କ ଉଆସରେ ଡାକନ୍ତି । ଚମ୍ପାକୁ କେହି ଥରେ ହରକଳା ବୋଲି କହି ଦେଇଥିଲା । ଚମ୍ପା ଏ କଥା ମଙ୍ଗରାଜଙ୍କ ଆଗରେ ପ୍ରକାଶ କରିବାରୁ ମଙ୍ଗରାଜ ଏଥିରେ ଦୁଃଖିତ ହୋଇ ତାକୁ ଯେପରି କେହି ହରକଳା ବୋଲି ନ କହେ ସେଥିପାଇଁ ସମସ୍ତଙ୍କୁ ସାବଧାନ କରାଇ ଦେଇଥିଲେ ।

 

ଚମ୍ପାର ରୂପବର୍ଣ୍ଣନା କରିବାକୁ ଯାଇ ଫକୀରମୋହନ ତାଙ୍କର ସ୍ୱଭାବସୁଲଭ ବର୍ଣ୍ଣନାଭଙ୍ଗୀରେ ଯେପରି ବର୍ଣ୍ଣନା କରିଛନ୍ତି ତାହା ପାଠକକୁ ହସିବାର ଉପାଦାନ ଯଥେଷ୍ଟ ଭାବରେ ଯୋଗାଇଥାଏ । ମାତ୍ର ମନେହୁଏ, ଫକୀରମୋହନ ଚମ୍ପାର ଚରିତ୍ରକୁ ଏକ କୁଚରିତ୍ର ଭାବରେ ଚିତ୍ରଣ କରିବା ଉଦ୍ଦେଶ୍ୟ ରଖି ତା’ର ରୂପବର୍ଣ୍ଣନା କରିବା ସମୟରେ ଅତ୍ୟନ୍ତ ନିର୍ମମ ହୋଇ ପଡ଼ିଛନ୍ତି । ଚମ୍ପାର ଶାଢ଼ିପିନ୍ଧା, ପାନଖିଆ, କଜ୍ଜ୍ୱଳପିନ୍ଧା ପ୍ରଭୃତିର ବର୍ଣ୍ଣନାରେ ଫକୀରମୋହନ ଲାଳିକା ସୃଷ୍ଟିକରି ନିଜର ହାସ୍ୟରସ ସୃଷ୍ଟିର ଦକ୍ଷତା ପ୍ରଦର୍ଶନ କରିଅଛନ୍ତି । ମାତ୍ର ଚମ୍ପାର ରୂପବର୍ଣ୍ଣନା ଅଯଥାରେ ଦୀର୍ଘ ହୋଇଥିଲା ପରି ମନେହୁଏ ।

 

ଚମ୍ପାର ଚରିତ୍ର ମଙ୍ଗରାଜଙ୍କ ନିକଟରେ ଆଦୃତ ହେବାର କାରଣ ସହଜରେ ଗ୍ରହଣ କରି ନିଆଯାଇ ପାରେ । ମଙ୍ଗରାଜଙ୍କର ସର୍ବଗ୍ରାସୀ ଅର୍ଥଲାଳସା ବା ସମ୍ପତ୍ତିଲିପ୍‌ସାକୁ ପୂରଣ କରିବାପାଇଁ ଚମ୍ପା ଯେପରି ଭାବରେ କୁମନ୍ତ୍ରଣା ଦେଇ, ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରିଥିଲା; ତାହା ମଙ୍ଗରାଜଙ୍କ ପକ୍ଷରେ ପ୍ରେୟଭାବରେ ଦେଖାଦେଇ ଥିଲା । ମଙ୍ଗରାଜଙ୍କ ପତ୍ନୀ ସାଆନ୍ତାଣୀଥିଲେ ସତୀ, ସାଧ୍ୱୀ । ପରର ସର୍ବନାଶ କଲାଭଳି ଚିନ୍ତା କେବେହେଲେ ତାଙ୍କର ମନୋରାଜ୍ୟରେ ପ୍ରବେଶ କରିନଥିଲା । ବରଂ ସେ ଦୀନ ଦୁଃଖୀମାନଙ୍କୁ ନିଜର ସାଧ୍ୟ ଅନୁସାରେ ଅମ୍ଳାନ ବଦନରେ ସାହାଯ୍ୟ କରୁଥିଲେ । ତେଣୁ ତାଙ୍କର ଏପ୍ରକାର ମତିଗତି ମଙ୍ଗରାଜଙ୍କ ଚକ୍ଷୁରେ ହୋଇ ପଡ଼ିଥିଲା ନିତାନ୍ତ ଦୋଷାବହ । ମାତ୍ର ଚମ୍ପାର କୂଟବୁଦ୍ଧି, କୁ ମନ୍ତ୍ରଣା ସତେ ଯେପରି ମଙ୍ଗରାଜଙ୍କ ପକ୍ଷରେ ହୋଇ ପଡ଼ିଥିଲା ଏକାନ୍ତ ଶୁଭଙ୍କରୀ, ଚମ୍ପାହିଁ ମଙ୍ଗରାଜଙ୍କ ଜୀବନର ଧୂମକେତୁ । ଚମ୍ପାର କାର୍ଯ୍ୟକଳାପ ମଙ୍ଗରାଜଙ୍କ ଜୀବନର ଧ୍ୱଂସମୟ ପରିଣତିର ଆବାହକ । ଅର୍ଥାନ୍ଧ ମଙ୍ଗରାଜ ଶ୍ରେୟକୁ ଛାଡ଼ି ପ୍ରେୟ ପଛରେ ଧାଉଁଥିବା ସମୟରେ ଚମ୍ପାକୁ ନିଜ ଉଆସରେ ସାଆନ୍ତାଣୀର ସମ୍ମାନ ଦେବାକୁ ହୁକୁମ୍‌ ଦେବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ ।

 

ଚମ୍ପା ଅଶିକ୍ଷିତା- ମାତ୍ର ନିତାନ୍ତ ଚତୁରା ଓ ବୁଦ୍ଧିମତୀ । ତା’ର ବୁଦ୍ଧିର ବିଚକ୍ଷଣତାରେ ମୁଗ୍‌ଧ ହୋଇଥିଲେ ରାମଚନ୍ଦ୍ର ମଙ୍ଗରାଜ । ଶାରିଆ ଓ ଭଗିଆଙ୍କୁ କିପରି ଜାଲରେ ପକାଇ ତାଙ୍କର ଛ ମାଣ ଆଠଗୁଣ୍ଠ ଜମିକୁ ଦଖଲ କରାଯିବ ସେ ବିଷୟରେ ରାମଚନ୍ଦ୍ର ମଙ୍ଗରାଜ ଚମ୍ପାର ସହାୟତା ବିନା କେବେହେଲେ କୃତକାର୍ଯ୍ୟ ହୋଇପାରି ନଥାନ୍ତେ । ଯେପରି କଥା କହିଲେ ଶାରିଆ ତାକୁ ଏଡ଼ିଦେଇ ପାରିବ ନାହିଁ, ଠିକ୍‌ ସେହିପରି ଚକ୍ରାନ୍ତ ଚମ୍ପା ବିସ୍ତାର କରିଛି । ଶାରିଆର ନିଃସନ୍ତାନ ମନ ଯେତେବେଳେ ହାହାକାର କରି ଉଠିଛି, ସେତିକିବେଳେ ଚମ୍ପା ତାପାଖରେ ପହଞ୍ଚି ତାମନରେ ସନ୍ତାନଲାଭର ଆଶା ଜାଗ୍ରତ କରିଦେଇଛି । ବୁଢ଼ୀମଙ୍ଗଳାଙ୍କର ଦେଉଳଟିଏ ତୋଳାଇଦେଲେ ତା’ର ସନ୍ତାନ ଜନ୍ମହେବ । ଦେଉଳଟିଏ ତୋଳାଇବା ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇଦେବାର ଦାୟିତ୍ୱ ଅର୍ଥର ଦାୟିତ୍ୱ ସବୁ ସେ ବହନ କରିଛି ଛ ମାଣ ଆଠଗୁଣ୍ଠ ଜମିର କଣ୍ଟ-କବଲାର ବିନିମୟରେ । କାଳେ ଶାରିଆ ତାକଥାରେ ରାଜି ନ ହୋଇପାରେ ସେଥିପାଇଁ ସେ ଚକ୍ରାନ୍ତ କରି ସନାରଣା ଦ୍ୱାରା ଠାକୁରାଣୀଙ୍କ ବଚନ ଶୁଣାଇଛି ଏବଂ ଠାକୁରାଣୀଙ୍କ ବଚନ ଅଗ୍ରାହ୍ୟ କଲେ ଭଗିଆର ଅକାଳମୃତ୍ୟୁ ନିଶ୍ଚିତ ବୋଲି ସେ ଶାରିଆ ଆଗରେ ପ୍ରକାଶ କରିଛି । ହିନ୍ଦୁନାରୀ ସବୁ ସହିପାରେ, ମାତ୍ର ପତିର ବିୟୋଗ ସେ କେବେହେଲେ ସହିପାରେ ନା । ଲୁହା ଜାଣି ପାଣି ଦେବାରେ ଧୂରନ୍ଧର କମାର ପରି ଚମ୍ପା ଶାରିଆର ମନରେ କାମନା ଓ ବିଷାଦର ବହ୍ନି ଜାଳି ଦେଇଛି । ପରିଣାମରେ ଶାରିଆ ଭଗିଆଙ୍କର ସର୍ବନାଶ ହେବା ସଙ୍ଗେ ସଙ୍ଗେ ରାମଚନ୍ଦ୍ର ମଙ୍ଗରାଜଙ୍କର ମଧ୍ୟ ଏଥିଯୋଗୁଁ ସର୍ବନାଶ ଘଟିଛି ।

 

ରାମଚନ୍ଦ୍ର ମଙ୍ଗରାଜ ତାଙ୍କର କର୍ମପନ୍ଥା ପାଇଁ ଚମ୍ପାର ମନ୍ତ୍ରଣାକୁ ଅତ୍ୟନ୍ତ ସତର୍କତାର ସହିତ ଗ୍ରହଣ କରୁଥିଲେ । ରାତିରେ ମଙ୍ଗରାଜ ନିଜର ଶୟନ କକ୍ଷରେ ଚମ୍ପା ସହିତ ବସି ଚୁପ୍‌ ଚାପ୍‌ କଥାଭାଷା ମଧ୍ୟରେ ଯେଉଁ ମନ୍ତ୍ରଣା କରନ୍ତି ତାହା ତାଙ୍କର କାମନା ବାସନାକୁ ଅଧିକ ମାତ୍ରାରେ ଉଦ୍ଦୀପିତ କରିବାକୁ ଉପାଦାନ ଯୋଗାଇ ଥିଲା । ସେଭଳି କୁମନ୍ତ୍ରଣା ସମୟରେ ସାଆନ୍ତାଣୀ ଆସି ଶୋଇପଡ଼ିବାକୁ ଅନୁରୋଧ କରନ୍ତି ଓ ପରର ଅମଙ୍ଗଳ-ଚିନ୍ତା ନ କରିବାକୁ ମଧ୍ୟ ଅନୁରୋଧ କରନ୍ତି । ମାତ୍ର ନରପିଶାଚ ମଙ୍ଗରାଜଙ୍କୁ ସେ ପ୍ରକାର ଅନୁରୋଧ ବିରକ୍ତ କରିଥିଲା । ସେହି ଅଭ୍ୟାସଗତ କୁମନ୍ତ୍ରଣାର ଗୋଟିଏ ପରିଣତି ବାଘସିଂହ ବଂଶର ଘରପୋଡ଼ି । ବାଘସିଂହ ବଂଶଠାରୁ ପ୍ରତିଶୋଧ ନେବାପାଇଁ ଯେତେବେଳେ ରାମଚନ୍ଦ୍ର ମଙ୍ଗରାଜ ଚିନ୍ତିତ, ସେତେବେଳେ ଚମ୍ପା ତାଙ୍କୁ ଏଥିପାଇଁ ଉପାୟ ବତାଇଦେଇ ନିଜେ କାର୍ଯ୍ୟଭାର ଗ୍ରହଣ କରିଥିଲା । ଚମ୍ପାର କାର୍ଯ୍ୟପନ୍ଥା ଯେ କିପରି ଭୟଙ୍କର ତାହା ଏହି ଘଟଣାରୁ ଜଣାଯାଏ । ଚମ୍ପା ଟାଙ୍ଗୀ ମାଉସୀ ବେଶରେ ଯାଇ ବାଘସିଂହ ବଂଶର ଉଆସ ମଧ୍ୟରେ ପ୍ରବେଶ କରିଥିଲା । ବାରିଆଡ଼କୁ ଯାଇ ଅଗ୍ନିକଣା ଏପରି ଭାବରେ ଖଞ୍ଜିଦେଇ ଆସିଲା ଯେ ବାଘସିଂହ ବଂଶର ବାସଗୃହ ଜଳିଯାଇ ଧ୍ୱଂସ ସ୍ତୂପରେ ପରିଣତ ହେଲା । ମଣିଷ ରୂପରେ ଚମ୍ପା ଯେ ଅସୁରୀ ପ୍ରବୃତ୍ତିର ବାହନ, ଏକଥା କେବେହେଲେ ଅସ୍ୱୀକାର କରିବାର ନୁହେଁ ।

 

ଛଳନାମୟୀ ଚମ୍ପାର ଜୀବନ-ରଙ୍ଗମଞ୍ଚରେ ଯବନିକାପାତ ଅତ୍ୟନ୍ତ ରହସ୍ୟମୟ ଭାବରେ ଘଟିଛି । ରାମଚନ୍ଦ୍ର ମଙ୍ଗରାଜ ଯେତେବେଳେ ଗିରଫ ହୋଇଗଲେ ସେତେବେଳେ ଚମ୍ପାର କାନ୍ଦଣା ବିଶେଷ ଭାବରେ ଲକ୍ଷ୍ୟ କରିବାର କଥା । ପୋଲିସ କର୍ମଚାରୀ ଯେତେବେଳେ ରାମଚନ୍ଦ୍ର ମଙ୍ଗରାଜଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି ଗିରଫ କରି ନେଉଥିଲେ ସେତେବେଳେ ଚମ୍ପା କିଛିଦୂର ପର୍ଯ୍ୟନ୍ତ କାନ୍ଦି କାନ୍ଦି ତାଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ଯାଇଛି । କିଛିଦୂର ଯିବା ପରେ ଭଣ୍ଡାର ଘରର ଜିନିଷ ପତ୍ର ଦେଖାଶୁଣା କରିବା ଆଳରେ ମଙ୍ଗରାଜଙ୍କଠାରୁ ଚାବିଟି ହାତ କରି ସେ ଫେରିଆସିଛି । ଗୋବିନ୍ଦା ଭଣ୍ଡାରିକୁ ସଙ୍ଗ କରି ମଙ୍ଗରାଜଙ୍କର ଟଙ୍କା ସୁନା ରୁପା ସବୁ ଚୋରିକରି ଚାଲିଯିବା ସମୟରେ ବାଟରେ ଗୋପୀ ସାହୁ ଦୋକାନରେ ଗୋବିନ୍ଦା ଓ ସେ ରାତ୍ରି ଯାପନ ଉଦ୍ଦେଶ୍ୟରେ ଆଶ୍ରୟ ନେଇଅଛନ୍ତି । ସେହିଦିନ ରାତ୍ରିରେ ଗୋପୀ ସାହୁ ଦୋକାନରେ ଗୋବିନ୍ଦା ସହିତ କଳହ କରି ଚମ୍ପା ଯେତେବେଳେ ଶୋଇଥିଲା ସେତିକିବେଳେ ଗୋବିନ୍ଦା ଭଣ୍ଡାରୀ ନିଜ କ୍ଷୁର ସାହାଯ୍ୟରେ ତା’ର ତଣ୍ଟି କାଟି ତାକୁ ମାରି ଦେଲା ।

 

ଚମ୍ପାର ଜୀବନଦୀପ ଲିଭିଯିବା ସମୟର ବର୍ଣ୍ଣନା ପାଠ କଲେ ପାଠକ ଏକ ଭୟଙ୍କର ଚିତ୍ର ଦେଖିବାକୁ ପାଏ । ଚମ୍ପାର ଚରିତ୍ର ଯେପରି ତା’ର ଚରମ ପରିଣତି ଠିକ୍‌ ସେହିପରି ଘଟିଛି । କର୍ମ ଅନୁସାରେ ମଣିଷ ଫଳପାଏ ବୋଲି ଯଦି ବିଶ୍ୱାସ କରାଯାଏ, ତାହାହେଲେ ଫକୀରମୋହନ ଏଠାରେ ଚମ୍ପାର ଚରିତ୍ର ଓ ମୃତ୍ୟୁରେ ତାହାହିଁ ପ୍ରଦର୍ଶନ କରିଛନ୍ତି ବୋଲି ନିଃସନ୍ଦେହରେ କୁହାଯାଇପାରେ । କର୍ମ ଅନୁସାରେହିଁ ଫଳ ପାଇଛନ୍ତି ରାମଚନ୍ଦ୍ର ମଙ୍ଗରାଜ; ଆଉ ଚମ୍ପା ବା ନ ପାଆନ୍ତା କିପରି ?

 

ଚମ୍ପାର ଚରିତ୍ର ଚିତ୍ରଣରେ ଫକୀରମୋହନ ଯେପରି ପାରଦର୍ଶିତା ପ୍ରଦର୍ଶନ କରିଅଛନ୍ତି ତାହା ଅନନ୍ୟସାଧାରଣ । ଚମ୍ପାର ଚରିତ୍ର ଏପରି ନହୋଇଥିଲେ ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରର ପ୍ରକାଶ ପାଇଁ ବହୁତ ଉପାଦାନର ଅଭାବ ରହିଯାଇଥାଆନ୍ତା । ତେଣୁ ଚମ୍ପାର ଚରିତ୍ର ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଅଛି ବୋଲି କୁହାଯାଇପାରେ ।

 

ସାଆନ୍ତାଣୀ–

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ଫକୀରମୋହନ ସୁଚରିତ୍ର ଅପେକ୍ଷା କୁଚରିତ୍ର ଗୁଡ଼ିକୁ ଚିତ୍ରଣ କରିବାରେ ବିଶେଷ ତତ୍ପରତା ପ୍ରଦର୍ଶନ କରି ଅଛନ୍ତି । ଛ ମାଣ ଆଠଗୁଣ୍ଠର କଥାବସ୍ତୁକୁ ସାହାଯ୍ୟ କରିବା ପାଇଁ କୁଚରିତ୍ର ଗୁଡ଼ିକୁ ବିଶେଷ ଭାବରେ କର୍ମମୁଖର ହୋଇପଡ଼ିଛନ୍ତି । କଥାରେ କହନ୍ତି, ‘‘ଲଙ୍କାପୁରେ ହରି ଶବ୍‌ଦ ନାହିଁ ।’’ ଏହି କଥା ଅନୁସାରେ ଛ ମାଣ ଆଠଗୁଣ୍ଠର କଥାବସ୍ତୁ ଭିତରେ ସୁଚରିତ୍ରର କର୍ମମୁଖରତା ନଥିବାର କଥା । ମାତ୍ର ଫକୀରମୋହନ ରାମଚନ୍ଦ୍ର ମଙ୍ଗରାଜଙ୍କର ସ୍ୱାର୍ଥାନ୍ଧ ମନୋବୃତ୍ତି, ହୀନବୁଦ୍ଧି ପ୍ରଭୃତି ପ୍ରତିପାଦନ କରିବାପାଇଁ କି ଉପାୟ ଅବଲମ୍ବନ କରିଥିଲେ ତାହା ଏଠାରେ ଦେଖିବାର କଥା । ମନୁଷ୍ୟ ସାମୟିକ ପ୍ରଲୋଭନର ବଶବର୍ତ୍ତୀ ହୋଇ ଶ୍ରେୟକୁ ତ୍ୟାଗକରି ପ୍ରେୟକୁ ଗ୍ରହଣ କରେ । ରାମଚନ୍ଦ୍ର ମଙ୍ଗରାଜ ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ଶ୍ରେୟରୂପିଣୀ ସାଆନ୍ତାଣୀଙ୍କୁ ଅବମାନନା କରି ପ୍ରେୟରୂପିଣୀ ଚମ୍ପାକୁ କିପରି ଗ୍ରହଣ କରିଅଛନ୍ତି ତାହା ଫକୀରମୋହନ ରୂପାୟିତ କରିଅଛନ୍ତି ।

 

ସାଆନ୍ତାଣୀ ଥିଲେ ସତୀ ସାଧ୍ୱୀ ଓ ପତିବ୍ରତା ନାରୀ । ପରର ଉପକାର କରିବା ଥିଲା ତାଙ୍କର ଜୀବନର ବ୍ରତ । ସେ ଅନ୍ୟର ଦୁଃଖ କଷ୍ଟ ସହିପାରୁ ନଥିଲେ । ସେ ସ୍ୱାମୀଙ୍କୁ ସବୁବେଳେ ଭଲ ଉପଦେଶ ଦେଲେହେଁ ରାମଚନ୍ଦ୍ର ମଙ୍ଗରାଜ ସେଥିପ୍ରତି କର୍ଣ୍ଣପାତ କରନ୍ତି ନାହିଁ । ମଙ୍ଗରାଜଙ୍କ ଉଆସରେ ଥିବା ଚାକରବାକରମାନଙ୍କର କୌଣସି ଦେହ ଦୁଃଖ ହେଲେ ସାଆନ୍ତାଣୀ ସେମାନଙ୍କର ସେବା ଶୁଶ୍ରୂଷାରେ ମନପ୍ରାଣ ଢାଳି ଦେଉଥିଲେ । ମଙ୍ଗରାଜଙ୍କର ବିଚାରରେ କ୍ଷତିଗ୍ରସ୍ତ ହୋଇ କୌଣସି ଲୋକ ଯେବେ ତାଙ୍କ ପାଖରେ ଗୁହାରୀ କରୁଥିଲା ସେ ତାକୁ ପ୍ରବୋଧନା ଦେଇ ତାପାଇଁ ସ୍ୱାମୀଙ୍କ ନିକଟରେ ଗୁହାରୀ କରୁଥିଲେ । ମାତ୍ର ସ୍ୱାର୍ଥପର ମଙ୍ଗରାଜଙ୍କୁ ଏପରି ଗୁହାରୀ ଆଦୌ ଭଲ ଲାଗୁନଥିଲା ।

 

ରାମଚନ୍ଦ୍ର ମଙ୍ଗରାଜ ରାତ୍ରିର ନିଭୃତ ଅନ୍ଧକାର ମଧ୍ୟରେ ଯେତେବେଳେ ପରର ଅମଙ୍ଗଳ ସାଧନକରି ତା’ର ସମ୍ପତ୍ତି ଅପହରଣ କରିବା ବିଷୟରେ ଚମ୍ପା ସହିତ ମନ୍ତ୍ରଣା କରୁଥାଆନ୍ତି ସାଆନ୍ତାଣୀ ସେତେବେଳେ ସେଠାରେ ପ୍ରବେଶହୋଇ ପରର ଅନିଷ୍ଟ ସାଧନ ନକରିବା ଲାଗି ସ୍ୱାମୀଙ୍କୁ ଅନୁରୋଧ କରନ୍ତି; ମାତ୍ର ଫଳ ହୁଏ ଓଲଟା, ମଙ୍ଗରାଜ ଓ ଚମ୍ପା ଉଭୟଙ୍କର ଦୁର୍ବ୍ୟବହାରରେ କ୍ଷୁଣ୍ଣମନା ହୋଇ ସେ ଫେରନ୍ତି ।

 

ଶାରିଆ ଓ ଭଗିଆଙ୍କର ନେତ ନାମକ ଗାଈ ଓ ଛ ମାଣ ଆଠଗୁଣ୍ଠ ଜମିକୁ ଯେତେବେଳେ ରାମଚନ୍ଦ୍ର ମଙ୍ଗରାଜ ଆତ୍ମସାତ କଲେ ସେତେବେଳେ ଶାରିଆ ଓ ଭଗିଆ ସର୍ବସ୍ୱାନ୍ତ ହୋଇ ସାଆନ୍ତାଣୀଙ୍କ ନିକଟରେ ଗୁହାରି କରିଥିଲେ । ସାଆନ୍ତାଣୀ ସେମାନଙ୍କ ଦୁଃଖରେ ସମବେଦନା ପ୍ରକାଶ କଲେ ସତ, ମାତ୍ର ମଙ୍ଗରାଜଙ୍କ କର୍ଣ୍ଣକୁହରରେ ଶାରିଆ ଓ ଭଗିଆଙ୍କର ବ୍ୟଥାତୁର କାହାଣୀ ପ୍ରବେଶ କରିପାରିଲା ନାହିଁ । ମଙ୍ଗରାଜଙ୍କ ଉଆସ ମଧ୍ୟରେ ସାଆନ୍ତାଣୀହିଁ ଥିଲେ ପ୍ରକୃତ ପକ୍ଷରେ ଦେବୀ ତୁଲ୍ୟା ।

 

ଗାଁଆରେ ଯଦି କୌଣସି ଲୋକର ଖାଇବାକୁ ନାହିଁ ବୋଲି ସେ ଶୁଣୁଥିଲେ ସେ ମଙ୍ଗରାଜ ଓ ପୁଅ ବୋହୂଙ୍କୁ ଲୁଚାଇ ଚାଉଳ ଗଣ୍ଡିଏ, ପରିବାପତ୍ର କିଛି ତାଘରକୁ ପଠାଇ ଦେଉଥିଲେ । କୌଣସି ଲୋକର ଝିଅ ଶାଶୁଘରକୁ ଯିବା ସମୟରେ ତାକୁ ମଧ୍ୟ ସାଆନ୍ତାଣୀ ସାହାଯ୍ୟ କରୁଥିଲେ । ପଇସାପତ୍ର ପ୍ରତି ତାଙ୍କର ଆଦୌ ମମତା ନଥିଲା । ଏଥିପାଇଁ ମଙ୍ଗରାଜ ମଧ୍ୟ ତାଙ୍କ ଉପରେ ବଡ଼ ଅସନ୍ତୁଷ୍ଟ ଥିଲେ । ଯଦି ଦୈବାତ୍‌ ତାଙ୍କ ହାତରେ କିଛି ପଇସା ପଡ଼େ ତାହାହେଲେ ସେ ତାକୁ ଏଠି ସେଠି ଗୁଞ୍ଜି ରଖି ଦିଅନ୍ତି ଏବଂ କୌଣସି ଲୋକର ଅଭାବ ସମୟରେ ତାକୁ ଦେଇ ସାହାଯ୍ୟ କରନ୍ତି ।

 

ସାଆନ୍ତାଣୀଙ୍କ ମୃତ୍ୟୁରେ ମଙ୍ଗରାଜଙ୍କ ଉଆସରେ ବିଷାଦର ଛାୟା ଖେଳି ଯାଇଥିଲା । ପୋଇଲୀ ପରିବାରୀମାନେ କାନ୍ଦି କାନ୍ଦି ଅସ୍ଥିର ହୋଇ ପଡ଼ିଥିଲେ । କଠୋର ହୃଦୟ ମଙ୍ଗରାଜ ମଧ୍ୟ ସାଆନ୍ତାଣୀଙ୍କ ମୃତ୍ୟୁରେ ବିଷାଦାତୁର ହୋଇ ପଡ଼ିଥିଲେ । ସାଆନ୍ତାଣୀ ବଞ୍ଚିଥିବା ପର୍ଯ୍ୟନ୍ତ ସତେ ଯେପରି ତାଙ୍କର ଧର୍ମବଳରୁ ରାମଚନ୍ଦ୍ର ମଙ୍ଗରାଜ ସବୁ ବିପଦକୁ ଏଡ଼ିଯାଇ ପାରୁଥିଲେ । ମାତ୍ର ତାଙ୍କର ମୃତ୍ୟୁପରେ ରାମଚନ୍ଦ୍ରଙ୍କ ପରିବାର ଶ୍ରୀହୀନ ହୋଇ ପଡ଼ିଲା ।

 

ଶାରିଆ–

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ଶାରିଆକୁ ଲେଖକ ଗୋଟିଏ ହୁଣ୍ଡୀ ଭାବରେ ଚିତ୍ରଣ କରିଅଛନ୍ତି । ଶାରିଆର ସରଳ ଚରିତ୍ରର ପରିଣତି ଯେ କୌଣସି ପାଠକ ମନରେ ସମବେଦନା ଜାତ କରେ । ଶାରିଆର ଚରିତ୍ରକୁ ଲେଖକ ତା’ର ସ୍ୱାମୀ ଭଗିଆର ଚରିତ୍ର ସହିତ ସମତା ରକ୍ଷାକରି ସୃଷ୍ଟି କରିଅଛନ୍ତି ।

 

ଶାରିଆର ସନ୍ତାନ କିଛି ନଥିଲେ । ତା’ର ସ୍ୱାମୀ ଭଗିଆକୁ ନେଇ ସେ ତା’ର ସୁନାର ସଂସାର ଚଳାଉଥିଲା । ନିଜର ସନ୍ତାନ ନଥିବାରୁ ତା’ର ଅନ୍ତରର ବାତ୍ସଲ୍ୟମମତା ଦେଇ ସେ ନେତ ନାମକ ଗୋଟିଏ ଗାଈକୁ ପାଳନ କରୁଥିଲା । ନେତ ସହିତ ତା’ର ବ୍ୟବହାରର ବର୍ଣ୍ଣନା ପାଠକଲେ ଯେ କୌଣସି ପାଠକ ତହିଁରୁ ବିମଳ ସ୍ନେହର ନିଦର୍ଶନ ପାଇପାରେ । ଶାରିଆର ନାରୀ ମନ ବହୁ ସମୟରେ ନିଜର ଦୁର୍ଭାଗ୍ୟକୁ ନିନ୍ଦାକରେ । ଅନ୍ୟର ପିଲାଟିଏ ଦେଖିଲେ ଶାରିଆର ମନ ଶୂନ୍ୟରେ ହାହାକାର କରିଉଠେ । ଦିନେ ଦିନେ ଭଗିଆ ଏଥିପାଇଁ ତାକୁ ବହୁ ପ୍ରକାରେ ବୁଝେଇବାକୁ ଚେଷ୍ଟା କରେ । ଯେଉଁଦିନ ଶାରିଆ ଦୁଃଖରେ ମନଟି ମାରିଦେଇଥାଏ ସେ ଦିନ ଭଗିଆ ତା’ର ଦୁଃଖର କାରଣ ବୁଝିପାରି ଭାଗ୍ୟକୁ କେବଳ ଦୋଷଦେଇ ରହେ ।

 

ଶାରିଆର ନାରୀସୁଲଭ ପ୍ରାଣ ଯେତେବେଳେ ଶୂନ୍ୟତା ଯୋଗୁ ହାହାକାର କରି ଉଠିଛି ସେତେବେଳେ ଚମ୍ପା ତାପାଖରେ ଆସି ଆବିର୍ଭୂତ ହୋଇଅଛି । ମନ ଜାଣି କଥା କହିବାରେ ଧୂରନ୍ଧରା ଚମ୍ପା ଶାରିଆକୁ ନିଜ କବଳରେ ପକାଇ ଦେଇଛି । ସରଳା, ନିରୀହା ଶାରିଆ ଚମ୍ପାର ଛଳନା ବୁଝି ନପାରି ନିଜର ସର୍ବନାଶ କରିବସିଛି ।

 

ନାରୀ ଚାହେଁ ସନ୍ତାନର ମାୟା । ସତେ ଯେପରି ସନ୍ତାନର ମାୟା ଆଣିଦିଏ ତାଜୀବନରେ ପୂର୍ଣ୍ଣତା । ଶାରିଆ ଚାହିଁଥିଲା ଏହି ପୂର୍ଣ୍ଣତା । ଏହି ପୂର୍ଣ୍ଣତା ପାଇଁ ତା’ର ସବୁ ଆଶା ଭରସାରେ କିପରି ବିଷ ଭରିଯାଇଛି ତାହା ଉପନ୍ୟାସରେ ବର୍ଣ୍ଣିତ ହୋଇଅଛି । ଚମ୍ପାର କଥାରେ ବିଶ୍ୱାସ କରି ସେ ଭଗିଆକୁ କହି ଛ ମାଣ ଆଠଗୁଣ୍ଠ ଜମିକୁ ରାମଚନ୍ଦ୍ର ମଙ୍ଗରାଜଙ୍କୁ କଣ୍ଟକବଲା କରିଦେଇଛି । ତା’ପରେ ମଙ୍ଗରାଜଙ୍କ ମନର କାମନା ପୂର୍ଣ୍ଣ ହୋଇଛି ଓ ଶାରିଆ ନିଜର ସବୁ ଆଶାଭରସାକୁ ଧ୍ୱଂସ ହେବାର ଦେଖି ପର ଓଳିତଳେ ପଡ଼ି ଜୀବନ ହରାଇଛି ।

 

ସରଳ ଶାରିଆ କେବଳ ନୁହେଁ, ଯେ କୌଣସି ଭାରତୀୟ ନାରୀ ଅନ୍ଧଭାବରେ ଧର୍ମରେ ବିଶ୍ୱାସ କରିଥାଏ । ଦେବ ଦେବୀଙ୍କର ଶକ୍ତି ଉପରେ ଅତିମାତ୍ରାରେ ଆସ୍ଥା ସ୍ଥାପନ କରିବା ନାରୀ ପକ୍ଷରେ ନିତାନ୍ତ ସ୍ୱାଭାବିକ । ତେଣୁ ଚମ୍ପା ଯେତେବେଳେ କହିଛି ଯେ ଠାକୁରାଣୀଙ୍କ ଆଜ୍ଞା ଅମାନ୍ୟ କଲେ ଫଳ ନିତାନ୍ତ ବିଷମୟ ହୁଏ, ଶାରିଆ ଯଦି ଠାକୁରାଣୀଙ୍କ ଆଜ୍ଞା ଅନୁସାରେ ତାଙ୍କର ମନ୍ଦିର ନିର୍ମାଣ ଲାଗି ବନ୍ଦୋବସ୍ତ ନ କରେ ତାହା ହେଲେ ଭଗିଆର ଅକାଳମୃତ୍ୟୁ ଅବଶ୍ୟମ୍ଭାବୀ; ହିନ୍ଦୁ ନାରୀ ହିସାବରେ ଶାରିଆ ଏପରି ଏକ ଅଶୁଭଘଟଣା କଥା ଶୁଣି ନିତାନ୍ତ ଭୟାତୁରା ହେବାର କଥା-

 

ସନ୍ତାନଲାଭ ଉଦ୍ଦେଶ୍ୟରେ କାମନା ରଖି ଶାରିଆ ଠାକୁରାଣୀଙ୍କ ମନ୍ଦିର ତୋଳାଇବା ଲାଗି ଏକାନ୍ତ ଭାବରେ ତତ୍ପରହୋଇ ପଡ଼ିନଥାନ୍ତା । ମାତ୍ର ସେ ଯେତେବେଳେ ନିଜର ସ୍ୱାମୀର ଜୀବନ ଉପରେ ବିପଦ ଆସିବାର କଥା ଶୁଣିଛି ସେତେବେଳେ ସେ ଅନନ୍ୟୋପାୟ ହୋଇ ଚମ୍ପାର କଥା ଅନୁସାରେ କାର୍ଯ୍ୟ କରିଛି । ଚମ୍ପାର ଅନ୍ତର ଯେ ହଳାହଳରେ ପରିପୂର୍ଣ୍ଣ ସେକଥା ଆଦୌ ଜାଣିପାରିନାହିଁ । ଚମ୍ପାର ଚରିତ୍ର ଯେ ନିତାନ୍ତ କୁଟିଳ ସେକଥା ଶାରିଆ ଜାଣି ପାରି ନାହିଁ । ତେଣୁ ଶାରିଆର ଚରିତ୍ର ଥିଲା ନିତାନ୍ତ ସରଳ, ନିଷ୍କପଟ ଓ ଲେଖକଙ୍କ ଭାଷାରେ ନିପଟ ହୁଣ୍ଡୀ ।

 

ଫକୀରମୋହନଙ୍କ ଉପନ୍ୟାସରେ ଯେଉଁ ଚରିତ୍ରଗୁଡ଼ିକ ଚିତ୍ରିତ ହୋଇଅଛନ୍ତି ସେଗୁଡ଼ିକ ବିଷୟରେ ଆଲୋଚନା କଲେ ଜଣାଯାଏ ଫକୀରମୋହନ ସୁ ଓ କୁ ଉଭୟ ପ୍ରକାର ଚରିତ୍ର ତାଙ୍କ ଉପନ୍ୟାସରେ ଚିତ୍ରଣ କରିଅଛନ୍ତି । ଫକୀରମୋହନ ଯେଉଁଠାରେ ସୁଚରିତ୍ର ବିଷୟରେ ଚିତ୍ରପ୍ରଦାନ କରିଅଛନ୍ତି ସେଠାରେ ପାଠକ ସ୍ପଷ୍ଟଭାବରେ ଚରିତ୍ର ସହିତ ପରିଚାଳିତ ହୁଏ । ମାତ୍ର ଚରିତ୍ରଚିତ୍ରଣ ଫକୀରମୋହନ ତାଙ୍କର ସ୍ୱଭାବ ସୁଲଭ ଭଙ୍ଗୀରେ ବଙ୍କେଇ କଥାଗୁଡ଼ିକ ପ୍ରକାଶ କରିଅଛନ୍ତି । ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ରାମଚନ୍ଦ୍ର ମଙ୍ଗରାଜ ଓ ଚମ୍ପାର ଚରିତ୍ର ଚିତ୍ରଣରେ ଏହି ରୀତି ପ୍ରକାଶ ପାଇଅଛି ।

 

ଗଳ୍ପ ବା ଉପନ୍ୟାସରେ ଚରିତ୍ର ଚିତ୍ରଣ କରିବାରେ ଫକୀରମୋହନଙ୍କ ପରି ସୁଦକ୍ଷ ଶିଳ୍ପୀର ଅଭାବ ଏବେ ମଧ୍ୟ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉପଲବ୍‌ଧି ହେଉଅଛି ।

Image

 

ଫକୀରମୋହନଙ୍କର ବର୍ଣ୍ଣନା-ବିଳାସ

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଗଦ୍ୟସାହିତ୍ୟର ପ୍ରାଣପ୍ରତିଷ୍ଠାତା ଭାବରେ ଫକୀରମୋହନଙ୍କର କୃତି ସର୍ବଦା ସ୍ୱୀକାର୍ଯ୍ୟ । ଫକୀରମୋହନଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ ଯେଉଁ ଗଦ୍ୟସାହିତ୍ୟର ସୃଷ୍ଟି ଥିଲା ତାହା ବର୍ଣ୍ଣନାଭଙ୍ଗୀର ସ୍ୱାତନ୍ତ୍ର୍ୟ-ହୀନତା ଯୋଗୁଁ ନିରସ ଥିଲା କହିଲେ ଚଳେ । ଓଡ଼ିଆ ଉପନ୍ୟାସ ସୃଷ୍ଟିହେବା ପୂର୍ବରୁ ଯେଉଁ ଗଳ୍ପ ବା କାହାଣୀ ଓଡ଼ିଆ ସାହିତ୍ୟରେ ଆତ୍ମପ୍ରକାଶ କରିଥିଲା ସେଗୁଡ଼ିକ ପ୍ରାଚୀନକାଳର ଚିରାଚରିତ ରୀତିରେ ସୃଷ୍ଟି । ବ୍ରଜନାଥ ବଡ଼ଯେନାଙ୍କର ଚତୁର ବିନୋଦର କାହାଣୀଗୁଡ଼ିକ ସେହିପରି ପ୍ରାଚୀନ ରୀତିର ପରିଚୟ ଦେଇଥାଏ । ପଦ୍ମମାଳୀ, ଭୀମାଭୂୟାଁ ବା ବିବାସିନୀ ଉପନ୍ୟାସରେ ବର୍ଣ୍ଣନାର ରୀତି ସ୍ୱାତନ୍ତ୍ର୍ୟହୀନ । ଉପରୋକ୍ତ ଉପନ୍ୟାସଗୁଡ଼ିକ ପାଠକଲେ ପାଠକ କେବଳ କାହାଣୀ ପାଠ କଲାଭଳି ଅନୁଭବ କରେ । ସ୍ଥଳବିଶେଷରେ ଏହି ଉପନ୍ୟାସଗୁଡ଼ିକରେ ବର୍ଣ୍ଣନା ଏତେ ଦୀର୍ଘ ଯେ ବହୁ ସମୟରେ ପାଠକର ଧୈର୍ଯ୍ୟଚ୍ୟୁତି ଘଟେ । ମାତ୍ର ଫକୀରମୋହନଙ୍କର ଗଳ୍ପ ବା ଉପନ୍ୟାସମାନଙ୍କରେ ବର୍ଣ୍ଣନାଭଙ୍ଗୀର ଯେଉଁ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହେଲା ତାହା ତାଙ୍କର ବୈଶିଷ୍ଟ୍ୟ ପ୍ରକାଶ ଲାଗି ଯଥେଷ୍ଟ-

 

ଫକୀରମୋହନଙ୍କର ପ୍ରଥମ ଉପନ୍ୟାସ ଛ ମାଣ ଆଠଗୁଣ୍ଠ ପାଠକମାନଙ୍କ ନିକଟରେ ଯେ ଅତିମାତ୍ରାରେ ଆଦୃତ ହୋଇ ପାରିଥିଲା ତାହାର ଅନ୍ୟଏକ କାରଣ ଏହି ବର୍ଣ୍ଣନାଭଙ୍ଗୀର ସ୍ୱାତନ୍ତ୍ର୍ୟ । ଫକୀରମୋହନ ଯେତେବେଳେ କୌଣସି ଗୋଟିଏ ଗୁରୁତର କଥା ପ୍ରକାଶ କରିବାକୁ ଇଚ୍ଛା କରିଛନ୍ତି ସେତେବେଳେ ସେ ଏପରି ହସେଇ ରସେଇ କଥାଟିକୁ ପ୍ରକାଶ କରିଛନ୍ତି ଯେ ପାଠକ ତାହା ଆଦୌ ଭୁଲିପାରେ ନାହିଁ । ବିଖ୍ୟାତ ଶ୍ଳୋକ ବା ମହତବାଣୀଗୁଡ଼ିକ ଲାଳିକା କରି ସେ ଯେପରି ଚରିତ୍ର ଚିତ୍ରଣରେ ପ୍ରକାଶ କରିଛନ୍ତି ତାହା ଏକାନ୍ତ ଅନବଦ୍ୟ ।

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ନାୟକ ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ର ବୈଚିତ୍ର୍ୟ ପ୍ରଦର୍ଶନ ଲାଗି ଫକୀରମୋହନ ଉପନ୍ୟାସର ଆରମ୍ଭରେ ରାମଚନ୍ଦ୍ର ମଙ୍ଗରାଜଙ୍କ ବିଷୟ ବର୍ଣ୍ଣନା କରିଅଛନ୍ତି । ମଙ୍ଗରାଜଙ୍କର ଏକାଦଶୀ ପାଳନ, ବ୍ରାହ୍ମଣ ଭୋଜନୀ ଏହି ଦୁଇଟି କର୍ମରୁ ପାଠକ ପ୍ରଥମଥର ପାଇଁ ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ର ସହିତ ପରିଚିତ ହୁଏ । ଏହି ବର୍ଣ୍ଣନା ରୀତିର ସୌନ୍ଦର୍ଯ୍ୟ ହେତୁ ରାମଚନ୍ଦ୍ରମଙ୍ଗରାଜଙ୍କର ଚରିତ୍ରର ବୈଚିତ୍ର୍ୟ ପ୍ରତି ପାଠକ ବିଶେଷଭାବରେ ଆକୃଷ୍ଟ ହୁଏ । ରାମଚନ୍ଦ୍ର ମଙ୍ଗରାଜଙ୍କର ଦୂରସଂପର୍କୀୟ ଭାଇ ଶ୍ୟାମମଲ୍ଲ କଟକ ଯାଇ ସେଠାରେ ପିଆଜମିଶା କୋବି ତରକାରୀ ଖାଇଥିବାରୁ ତାଙ୍କୁ ଜାତିରେ ଅଟକ କରାଗଲା । ରାମଚନ୍ଦ୍ର ମଙ୍ଗରାଜ ଏଥିପାଇଁ ଶ୍ୟାମମଲ୍ଲଙ୍କର ୧୫ମାଣ ଜମିନେଇ ତାଙ୍କର ପ୍ରାୟଶ୍ଚିତ୍ତ କରାଇ ତାଙ୍କୁ ଜାତିରେ ମିଶାଇଥିଲେ । ଶ୍ୟାମମଲ୍ଲଙ୍କର ପିଆଜ ଖାଇବା ଦୋଷ ବିଷୟରେ ଲେଖକ କେବଳ ଗୋଟିଏ ଟିପ୍‌ପଣୀଦେଇ ମଙ୍ଗରାଜଙ୍କ ପ୍ରକୃତିକୁ ପ୍ରକାଶ କରିଅଛନ୍ତି । ଫକୀରମୋହନ ଲେଖିଛନ୍ତି, ‘‘ନିନ୍ଦୁକମାନେ ଯେଉଁକଥା କହି ବୁଲିବେ, ଆମ୍ଭମାନଙ୍କୁ ନାଚାର ହାଲତରେ ସେ କଥା ବୋଲିବାକୁ ହେଉଅଛି । ସେମାନେ କହନ୍ତି ମଙ୍ଗରାଜ ଚାରିକୋଶ ମଧ୍ୟରେ କାହାରି ଗୋଖୋଜରୁ ଖୋଜେ ଜମି ରଖିଲେ ନାହିଁ ! ବାକିଥିଲା ଭାଇ, ଓର ଖୋଜି ଖୋଜି ଏତେ ଦିନ ପାଇଲେ । ଶ୍ୟାମ ପିଆଜ ଖାଇ ବ୍ରାହ୍ମଣ ଭୋଜନ କରାଇଲା, ମଙ୍ଗରାଜଙ୍କ ଘର ମାଇକିନିଆମାନେ ଯେ ଚମ୍ପାକୁ ପଠାଇ ହାଟରୁ ପିଆଜ କିଣି ଆଣନ୍ତି । କଥା ଛଳରେ ଆମ୍ଭେମାନେ ମାନିଗଲୁ, ଚମ୍ପା ପିଆଜ କିଣି ଆଣିଲା-। ଖାଇବାର ପ୍ରମାଣ କାହିଁ ? ‘‘ପଲାଣ୍ଡୁ ଗୁଞ୍ଜନଞ୍ଚୈବ’’–ମନୁରେ ଖାଇବାକୁ ସିନା ମନା, କିଣିଲେ ପତିତ ହେବା, ଏ ବିଧି କାହିଁ ? ମାତ୍ର ଭଦ୍ରଲୋକ ଘର ମହିଳାମାନଙ୍କ ଦୋଷାଦୋଷ ସମାଲୋଚନାକାରୀ ନିନ୍ଦୁକମାନଙ୍କ କଥାରେ ଉତ୍ତର ଦେବାକୁ ଆମ୍ଭେମାନେ ସଂପୂର୍ଣ୍ଣ ନାରାଜ ।’’

 

ଯେଉଁ ରାମଚନ୍ଦ୍ର ମଙ୍ଗରାଜ ପିଆଜ ଖାଇଥିବା ଯୋଗୁ ଶ୍ୟାମମଲ୍ଲଙ୍କୁ ଜାତିରେ ଅଟକକରି ତାଙ୍କ ଜମିକୁ କୌଶଳକ୍ରମେ କରଗତ କରିଥିଲେ ସେହି ରାମଚନ୍ଦ୍ର ମଙ୍ଗରାଜଙ୍କ ପରିବାରରେ ଯେ ପିଆଜ ଖାଇବା ଚଳେ ଏକଥା ଲେଖକ ପ୍ରକାଶ କରିବାକୁ ଯାଇ ନିଜର ସ୍ୱତନ୍ତ୍ର ବର୍ଣ୍ଣନାଶୈଳୀ ସାହାଯ୍ୟରେ ତାହାକୁ ଉପଭୋଗ୍ୟ କରାଇଅଛନ୍ତି ।

 

ଫକୀରମୋହନଙ୍କର ବର୍ଣ୍ଣନା ଶୈଳୀର ଆଉ ଏକ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୁଏ । ଫକୀରମୋହନ ଯେଉଁଠାରେ କିଛି କହୁନାହାନ୍ତି ବୋଲି ବା କହିବା ଉଚିତ ନୁହେଁ ବୋଲି ଛଳନା କରନ୍ତି, ପ୍ରକୃତ ପକ୍ଷରେ ସେଠାରେ ସେ ବହୁତ କିଛି କହିଥାଆନ୍ତି । ମଙ୍ଗରାଜଙ୍କ ପରିବାର ବିଷୟରେ ଫକୀରମୋହନ ବିଶଦ ବିବରଣୀ ପ୍ରଦାନ କରିଅଛନ୍ତି । ମଙ୍ଗରାଜଙ୍କ ବୋହୂମାନଙ୍କ ବିଷୟରେ ବିବରଣୀ ପ୍ରଦାନ କରିବାକୁ ଯାଇ ସେ ଲେଖିଛନ୍ତି ‘‘ବୋହୂମାନଙ୍କ କଥା ଲେଖିବା ଅନୁଚିତ । ବଡ଼ଲୋକ ଘରର ବହୂ ଭୁଆସୁଣୀ କଥା ଦାଣ୍ଡରେ ପକାଇଲେ ଲୋକେ ଆମ୍ଭମାନଙ୍କୁ କ’ଣ କହିବେ ? ସେମାନେ ଯେପରି ଦିନ ପହରକରେ ବିଛଣାରୁ ଉଠି ଦୁଇ ତିନିଘଣ୍ଟା ମଧ୍ୟରେ ଦାନ୍ତପତ୍ର ଘଷି ମର୍ଦନ ସ୍ନାନକରି ଭୋଜନକରି ଦିନବେଳେ ବେଳବୁଡ଼ଯାଏଁ ଶୋଇ ପଡ଼ନ୍ତି, ସେକଥାଗୁଡ଼ିକ ଲେଖିଲେ କ’ଣ ହେବେ ? ବେଳବୁଡ଼ ସରିକି ପୁଣି ଉଠି ପଖାଳ ଦିଶୁ ଦିଶୁ ସାରି ତାହାବାଦ ଗାଁ କଥା ଶୁଣିବା, ପୋଇଲିମାନଙ୍କମଧ୍ୟରେ କଳିଲଗାଇ ଦେବା, କଳି ଭାଙ୍ଗିବା, ହସିବା ବସିବାରେ ଅଧରାତି ହୋଇଯାଏ ।’’

 

ଫକୀରମୋହନ ଏଠାରେ ଛଳନା କରୁଛନ୍ତି ଯେ ସେ ବୋହୂମାନଙ୍କ ବିଷୟରେ କିଛି କହିବେ ନାହିଁ । ମାତ୍ର ପ୍ରକୃତ ପକ୍ଷରେ ବୋହୂମାନଙ୍କ ବିଷୟରେ ପାଠକମାନଙ୍କୁ ସେ ଏଠାରେ ସ୍ପଷ୍ଟଚିତ୍ର ପ୍ରଦାନ କରିଅଛନ୍ତି । ମଙ୍ଗରାଜଙ୍କ ବୋହୂମାନଙ୍କ ରୀତିନୀତି ଯେ ନିତାନ୍ତ ନିକୃଷ୍ଟ ଧରଣର ଥିଲା, ଏକଥା ସିଧାସଳଖ ନଲେଖି ବଙ୍କେଇ ବୁଲେଇ ଯେପରି ଭାବରେ ବର୍ଣ୍ଣନା କରିଅଛନ୍ତି ତାହା ତାଙ୍କର ବର୍ଣ୍ଣନାଶୈଳୀର ପରାକାଷ୍ଠା ପ୍ରଦର୍ଶନ କରିଅଛି ।

 

ଏପରି ବର୍ଣ୍ଣନା ଫକୀରମୋହନ ତାଙ୍କର ଉପନ୍ୟାସ ମଧ୍ୟରେ ବହୁ ସ୍ଥଳରେ ପ୍ରଦାନ କରିଅଛନ୍ତି । ଏ ପ୍ରକାର ବର୍ଣ୍ଣନାକୁ ଛାଡ଼ିଦେଲେ ପାଠକମାନଙ୍କ ଚିତ୍ତକୁ ଆକୃଷ୍ଟ କରିବା ନିମନ୍ତେ ଫକୀରମୋହନ ଅନ୍ୟପ୍ରକାର ପନ୍ଥାର ମଧ୍ୟ ଆଶ୍ରୟ ନେଇଅଛନ୍ତି । ଚମ୍ପାର ବେଶ ବର୍ଣ୍ଣନା କରିବା ପ୍ରସଙ୍ଗରେ ଫକୀରମୋହନ ଯେଉଁ ରୀତି ଅବଲମ୍ବନ କରିଅଛନ୍ତି ତାହା ଦେଖିବାର କଥା । ଚମ୍ପାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଯାଇ ଗୋଟିଏ ବିଖ୍ୟାତ ସଂସ୍କୃତ ଶ୍ଳୋକର ଲାଳିକା ପ୍ରକାଶ କରିସାରିବା ପରେ ସେ ଲେଖିଛନ୍ତି, ‘‘ଆଉ ଲେଖିବାକୁ ସାହସ ଅଣ୍ଟିଲା ନାହିଁ । କେଜାଣି ବିଜୁଳି ପୁଣି ଚମକି ଉଠିବେ । ଆମ୍ଭେମାନେ ସୁରୁଚି କବିତା ଲେଖିବାକୁ ଜାଣୁ ସତ୍ୟ, ହେଲେ ଦିନ ଦୁଇପହରରେ ତୁଛାମିଛ ଲେଖିବାକୁ ସାହାସ ହେଉନାହିଁ । ଇସ୍ତକ ବାଲିପାଟଣା ବାଳିକା ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ଚେମୀ ବେହେରାଠାରୁ ବେଥୁନ୍‌ ସ୍କୁଲର ଉଚ୍ଚତମ ଶ୍ରେଣୀର ଛାତ୍ରୀ ମିସ୍‌ ଏସ୍‌. ଏମ୍‌. ରେ–ଓରଫେ କୁମାରୀ ଶଶୀମୁଖୀ ରାୟ ପର୍ଯ୍ୟନ୍ତ ଦେଖିଲୁ, କେହି ସୁରୁଚି ସଂପନ୍ନ ସୌନ୍ଦର୍ଯ୍ୟ ବଢ଼ାଇ ବିରାଡ଼ି ଆଖିପରି କରିପାରି ନାହାନ୍ତି ।’’

 

ଉପରୋକ୍ତ ବର୍ଣ୍ଣନାରେ ଫକୀରମୋହନ ଆଧୁନିକା ଅର୍ଥାତ୍‌ ତାଙ୍କ ସମୟରେ ଆଧୁନିକା ବୋଲାଉଥିବା ଯୁବତୀମାନଙ୍କର ସୌନ୍ଦର୍ଯ୍ୟ ବିଷୟରେ ତାଙ୍କର ମତ ପ୍ରଦାନ କରିଅଛନ୍ତି । ଉପରୋକ୍ତ ବର୍ଣ୍ଣନା ପାଠକଲେ ଯେ କୌଣସି ପାଠକ ହାସ୍ୟ ସମ୍ବରଣ କରିପାରିବେ ନାହିଁ । ମାତ୍ର ଫକୀରମୋହନ ନିତାନ୍ତ ନିଷ୍ଠୁର ଭାବରେ ତାଙ୍କର ଲେଖନୀ ଚାଳନା କରିଅଛନ୍ତି ।

 

ଭଗିଆ ଓ ଶାରିଆଙ୍କ ମନରେ ଠାକୁରାଣୀଙ୍କ ଆଦେଶର ପ୍ରତ୍ୟୟ ଜନ୍ମାଇବା ନିମନ୍ତେ ରାମଚନ୍ଦ୍ର ମଙ୍ଗରାଜ ଠାକୁରାଣୀଙ୍କ ଆସ୍ଥାନର ପଛପଟରେ ଗୋଟିଏ ଲୋକ ବସିପାରିବାଭଳି ଗାତଟିଏ ଖୋଳି ତହିଁରେ ଗୋଟିଏ ଲୋକକୁ ରଖି ତାରି ମୁହଁର କଥାକୁ ଠାକୁରାଣୀଙ୍କ କଥା ବୋଲି ଶାରିଆକୁ ଶୁଣାଇଥିଲେ । ସେହି ଗାତ ବିଷୟରେ ଯେତେବେଳେ ଗାଁ ସାରା କଥା ଖେଳିଗଲା, ସେତେବେଳେ ଗାଁର ସମସ୍ତ ଲୋକ ସେହି ଗାତ ଦେଖିବାକୁ ଧାଇଁଲେ । ଗାତଟା କିପରି ଖୋଳାହେଲା କେହି ସ୍ଥିରକରି ଠିକ୍‌କରି ପାରିଲେ ନାହିଁ । ରାମଚନ୍ଦ୍ର ମଙ୍ଗରାଜ ମଧ୍ୟ ଠାକୁରାଣୀଙ୍କ ସ୍ଥାନକୁ ଆସିଲେ । ସେ ବିଷୟରେ ଫକୀରମୋହନ ଲେଖିଛନ୍ତି–

 

‘‘ନାନା କଥା ହୋଇ ଶେଷରେ ସ୍ଥିର ହେଲା, କୌଣସି ଭକ୍ତର କଷ୍ଟ ଫେଡ଼ିବା ନିମନ୍ତେ ଠାକୁରାଣୀ କାଲି ନିଶାଭାଗ ରାତିରେ ବିଜେ ହୋଇଥିଲେ । ବିଳଟା ତାଙ୍କ ବାଘ ଖୋଳି ପକାଇଛି । ମଙ୍ଗରାଜେ କହିଲେ, ଏହି ବିଳ ମଧ୍ୟରେ ବର୍ତ୍ତମାନ ବାଘଥିବାର ଜଣାଯାଉଅଛି । ବାଘ ନାମ ଶୁଣି ସମସ୍ତେ ପଳାଇଲେ । ଶେଷରେ ମଙ୍ଗରାଜେ ରାମା ମୁହଁକୁ ଚାହିଁ ଚାଲିଗଲେ । ବୋଧକରୁ, ଏହା କିଛି କାର୍ଯ୍ୟର ସାଙ୍କେତିକ ଚିହ୍ନ । ତହିଁଆରଦିନ ଆଉ କେହି ବିଳ ଦେଖିଲେ ନାହିଁ । ଏହି କଥାଟା ଗ୍ରାମ ମଧ୍ୟରେ ଅନେକଦିନ ପର୍ଯ୍ୟନ୍ତ ଆଲୋଚନା ହେଲା । ଭୀମା ମା ଭଣ୍ଡାରୁଣୀ କହିଲା, ‘‘ମୋର ବୟସ ସାତଗଣ୍ଡା କି ଦେଢ଼ପଣ କି ଚାରିପଣ ହେଲାଣି, ଗ୍ରାମରେ ଯେତେ ବୁଢ଼ା ଦେଖୁଛି, ମୁଁ ସମସ୍ତଙ୍କୁ ବିଭା କରାଇଛି, ସମସ୍ତେ ମୋ ଆଗରେ ପିଲା । ମୁଁ ନିଜ ଆଖିରେ ଠାକୁରାଣୀଙ୍କୁ ଏଥରକୁ ଲଗାଇ ଚାରିଥର ଦେଖିଲିଣି । କାଲି ନିଶାଭାଗ ରାତିରେ ବାହାରକୁ ଉଠିଥିଲି, ଗୋହିରି ମଝିରୁ ଝୁଣାଗନ୍ଧ ଆସିଲା, ଝମର ଝମର ଶୁଭିଲା । ଅନାଇଲି, ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଅଛନ୍ତି । ବାପରେ । ସେ ବାଘଟା କେଡ଼େ । ମୁଁ କେତେ ବାଘ ଦେଖିଛି, ଏଡ଼େବଡ଼ ବାଘ କାହିଁ ଦେଖିବାର ନାହିଁ । ତା’ର ଲମ୍ବାଟା ସାତ କି ଆଠହାତ । ମୁଣ୍ଡଟା ବଡ଼ ପଣ୍ଡା ମୁଣ୍ଡପରି ତ୍ରିପଣ୍ଡ କଳା । ବାଘଟା ମୋ ଆଡ଼କୁ ତରାଟି ଚାହିଁଲା । ମୁଁ ତ ଡରରେ ତାଟି କିଳି ପକାଇଲି । ଅଧରାତି ବେଳେ ଦାଣ୍ଡରେ ବାଘଚାଲିଲା ଶବ୍ଦ ଶୁଣିଥିବାର ଆହୁରି ମଧ୍ୟ ଚାରି ପାଞ୍ଚଜଣ ବୁଢ଼ା ମନୁଷ୍ୟ ସାକ୍ଷୀଦେଲେ, ସକାଳେ ବାଘଖୋଜ ରାମାତନ୍ତୀ ଦେଖିଥିବାର ଦୃଢ଼ରୂପେ କହିଲା । ଠାକୁରାଣୀ ଆସିଥିବାର ନିଃସନ୍ଦେହରେ ସ୍ଥିର ହେଲା ।’’

 

ଗାଁ ଗଣ୍ଡାର ଲୋକମାନେ କିପରି ସରଳବିଶ୍ୱାସୀ ଓ ଧର୍ମ ବିଷୟରେ ସେମାନଙ୍କର କିପରି ଭୁଲ ଧାରଣା ଥାଏ ଏକଥା ଫକୀରମୋହନ ଉପରୋକ୍ତ ଉଦ୍ଧୃତିରେ ବର୍ଣ୍ଣନା କରିଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଚକ୍ରାନ୍ତ କରି ନିଜର ଉଦ୍ଦେଶ୍ୟସାଧନ ନିମିତ୍ତ ଠାକୁରାଣୀଙ୍କ ପଛପଟରେ ଖୋଳାଇଥିବା ଗାତକୁ ଦେଖି ଲୋକମାନେ ଯେପରି ଆଲୋଚନାରେ ପ୍ରବୃତ୍ତ ହେଲେ ତାହା ପାଠକଲେ ପାଠକ ହାସ୍ୟ ସମ୍ବରଣ କରିପାରେ ନାହିଁ । ମାତ୍ର ଏଭଳି ବହୁ ସତ୍ୟମୂଳକ ଘଟଣା ଆମର ଗାଁ ଗଣ୍ଡାରେ ଘଟିଥାଏ । ଏହି ଘଟଣାକୁ ଜୀବନ୍ତଭାବରେ ବର୍ଣ୍ଣନା କରି ଫକୀରମୋହନ ନିଜର ବର୍ଣ୍ଣନାଭଙ୍ଗୀର ସ୍ୱାତନ୍ତ୍ର୍ୟ ପ୍ରକାଶ କରିଅଛନ୍ତି ।

 

ଆଲିମିଆଁଙ୍କର ପୁଅ ସେକ୍‌ ଦିଲଦାର ମିଆଁ ପାଠ ପଢ଼ିବା ପାଇଁ ନିତାନ୍ତ ଅନିଚ୍ଛୁକ ଥିଲେ-। ତାଙ୍କର ପିତା ତାଙ୍କୁ ପଢ଼ାଇବା ନିମନ୍ତେ ଯେଉଁ ଆଖୁନ୍‌ଜୀ ନିଯୁକ୍ତ କରିଥିଲେ, ତାଙ୍କ ପାଖରେ ସେ ପାଠ ନପଢ଼ି ତାଙ୍କୁ ତଡ଼ିବାକୁ କୌଶଳମାନ ପ୍ରୟୋଗ କଲେ । ଆଖୁନ୍‌ଜୀ ସାହେବଙ୍କ ଦାଢ଼ୀରେ ସେ କିପରି ନିଆଁ ଲଗାଇଦେଇ ତାଙ୍କୁ କଷ୍ଟ ଦେଇଥିଲେ ସେ କଥା ବର୍ଣ୍ଣନା କରି ଫକୀରମୋହନ ଲେଖିଅଛନ୍ତି ‘‘ଦିନେ ଓପରଓଳି ଆଖୁନ୍‌ଜୀ ସାହେବ ଖାନାଖାଇ ଚିତ୍‌ ହୋଇ ଶୋଇଥିଲେ, କେଉଟମାନେ ଯେପରି ତାଗୁ କାଟିବା ସକାଶେ ଛଣପଟବିଡ଼ା ମେଲାଇ ଦେଇ ଥାଆନ୍ତି, ସେହିପରି ବିଡ଼ାଏ ପାଚିଲାଦାଢ଼ି ମିଆଁଙ୍କ ବେକ ଏବଂ ଛାତିକୁ ଘୋଡ଼ାଇ ପକାଇଥିଲା । ଗୋଟାଏ ଜଳନ୍ତା ଟିକିଆ ଦାଢ଼ି ମଝିରେ ପଡ଼ି ପଡ଼ ପଡ଼ କରି ପୋଡ଼ି ଛାତିରେ ଲାଗିବାରୁ ଆଖୁନ୍‌ଜୀ ଧଡ଼ପଡ଼ ହୋଇ ଉଠିପଡ଼ି ତୋବା ତୋବା କହି ଦାଢ଼ି ଝାଡ଼ିବାକୁ ଲାଗିଲେ । ଟିକିଆଖଣ୍ଡ ଭାଙ୍ଗି ଝୁଲସବୁ ଲୁଗାପଟାଯାକ ବୁଣି ପଡ଼ିଲା । ପାଚିଲା ଦାଢ଼ିଗୁଡ଼ାକ ଝରିବାଣ ପରି ଚାରିଆଡ଼େ ଉଡ଼ୁଥାଏ; ଆମେରି ତୋବାରେ, ଆମେରି ତୋବାରେ କହି ମିଆଁ ଘରଯାକ ଡିଆଁ ମାରି ନିଆଁ ନିଭାଉଥାଆନ୍ତି-। ଲଙ୍କା ପୋଡ଼ିବା ବେଳେ ହନୁମାନ ମୁହଁରେ ନିଆଁ ଲାଗିବାରୁ କିପରି ଦିଶୁଥିଲା, ମହର୍ଷି ବାଲ୍ମୀକି ସେ କଥା ଖୋଲାସା କରି ଲେଖିଯାଇ ନାହାନ୍ତି । ତେଣୁ ଆମ୍ଭେମାନେ ଉପମାଛଳରେ ସେ କଥାଟା ଉଲ୍ଲେଖ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ବିବେଚନା କରୁଅଛୁ ।’’

 

ସେକ୍‌ ଦିଲଦାର ମିଆଁଙ୍କର ଦୁଷ୍ଟାମି ବର୍ଣ୍ଣନା ନିତାନ୍ତ ବାସ୍ତବ । ଏହି ବାସ୍ତବ ବର୍ଣ୍ଣନା ପାଠକରିବା ସମୟରେ ପାଠକ ଆଖୁନ୍‌ଜୀଙ୍କର ଦୁର୍ବିପାକରେ ସମବେଦନା ପ୍ରକାଶ କରିବାର କଥା-। ମାତ୍ର ପାଠକ ପ୍ରାଣରେ ସମବେଦନା ଜାତ କରାଇବାପାଇଁ ଫକୀରମୋହନ ପାଠକକୁ ଅବସର ଦେଇନାହାନ୍ତି । ଆଖୁନ୍‌ଜୀ ଘରଯାକ ଡେଇଁ ଡେଇଁ ଦାଢ଼ିରୁ ନିଆଁ ନିଭାଇବା ଚିତ୍ର ପାଠକ ପାଠ କଲାବେଳେ ମନରେ ବିଷାଦ ପରିବର୍ତ୍ତେ ହାସ୍ୟରସର ଉଦ୍ରେକ ହୁଏ । ପୁଣି ଶେଷବେଳକୁ ଫକୀରମୋହନ ଯେଉଁ ଉପମାଟିଏ ଖଞ୍ଜି ଦେଇଛନ୍ତି, ତାହା ପାଠକକୁ ନ ହସାଇ ଛାଡ଼ିଦିଏ ନାହିଁ । ଫକୀରମୋହନଙ୍କର ଏହା ହିଁ ବର୍ଣ୍ଣନା-ଭଙ୍ଗୀର ବିଶେଷତ୍ୱ ।

 

ଶାରିଆର ମୃତ୍ୟୁ ପରେ ପୋଲିସ ଦାରୋଗା ତଦନ୍ତ କରିବାକୁ ଆସିଲେ । ଦାରୋଗା ସାହେବ ଘୋଡ଼ାଚଢ଼ି ଆସିବା ସମୟର ବର୍ଣ୍ଣନା ନିତାନ୍ତ ବାସ୍ତବ । ଏହି ବାସ୍ତବ ବର୍ଣ୍ଣନା ପାଠକଲେ ଫକୀରମୋହନଙ୍କର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତିର ପରିଚୟ ମିଳିଥାଏ । ଏହା ଅପେକ୍ଷା ତଦାରଖ ଆରମ୍ଭ ହେବା ସମୟର ଚିତ୍ର ଅତ୍ୟନ୍ତ ମନୋରମ ।

 

‘‘ମାମଲା ତଦାରଖି ଆରମ୍ଭ ହେଲା । ମୁନ୍‌ସି ଚକ୍ରଧର ଦାସ ବିଶାଳ ବସ୍ତାନି ଫିଟାଇ ସେରସ୍ତା ମେଲିଦେଲେ । ବେକରେ ଦଉଡ଼ିବନ୍ଧା, ଫହଁରେ ଶୋଲବିଣ୍ଡାଦିଆ ଚେନିବାସନର ଦୁଆତ ଆଗରେ ଥୁଆଗଲା । ପାହାଡ଼ି ଗୋଟାଏ ପରକଲମ ଶିଶୁକାଠ ବେଣ୍ଟିଆ ଛୁରିରେ କାଟି ଖଣ୍ଡେ ସାନ କାଗଜରେ ପରୀକ୍ଷା କଲେ, ‘‘ଶ୍ରୀ ଗୁରୁଦେବ ଉଦ୍ଧାର କରିବେ, ‘‘ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚରଣେ ଶରଣ, ଶ୍ରୀ ବଳଦେବ ଜୀଉଙ୍କ ଚରଣେ ଶରଣ; ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚରଣେ ଶରଣ, ଶ୍ରୀ ଗ୍ରାମଦେବତୀଙ୍କ ଚରଣେ ଶରଣ’’ ଇତ୍ୟାଦି ଦେବଦେବୀଙ୍କ ନାମ ଲେଖି କଚେରୀ କାମରେ ହାତଦେଲେ ।’’

 

ପ୍ରାଚୀନ ମତ ପୋଷଣ କରୁଥିବା ଲୋକମାନେ ଯେତେବେଳେ କୌଣସି ଲେଖାଲେଖି ଆରମ୍ଭ କରନ୍ତି, ସେତେବେଳେ ପ୍ରଥମେ ସେମାନେ ଦେବଦେବୀଙ୍କ ନାମ ଲେଖିଥାଆନ୍ତି । ପ୍ରତ୍ୟେକ କାର୍ଯ୍ୟରେ ଇଷ୍ଟବନ୍ଦନା କରିବା ସେମାନଙ୍କର ଲକ୍ଷ୍ୟ । ଫକୀରମୋହନଙ୍କ ଦୃଷ୍ଟିରୁ ଏପରି ଘଟଣା ବାଦଯାଇ ନାହିଁ । ପୁଣି ଏପରି ଘଟଣାକୁ ସ୍ଥଳବିଶେଷରେ ବର୍ଣ୍ଣନା କରିବାରେ ଫକୀରମୋହନଙ୍କର ପାରଦର୍ଶିତା ଯେ ନିଶ୍ଚିତ ଭାବରେ ଅଛି ଏ କଥା ସ୍ୱୀକାର କରିବାକୁ ପଡ଼ିବ ।

 

ଏହିପରି ବହୁ ବାସ୍ତବ ବର୍ଣ୍ଣନାର ଜୀବନ୍ତ ଚିତ୍ର ଫକୀରମୋହନ ତାଙ୍କ ଉପନ୍ୟାସରେ ପ୍ରଦାନ କରିଅଛନ୍ତି । ଏସବୁ ପାଠକରିବା ସମୟରେ ପାଠକ ଅନୁଭବ କରେ ସତେ ଯେପରି ତାଆଗରେ ଏସବୁ ଘଟଣାର ଚିତ୍ର ସ୍ପଷ୍ଟଭାବରେ ଉନ୍ମୋଚିତ ହୋଇ ପଡ଼ିଅଛି । ଏହାର କାରଣ, ଫକୀରମୋହନ ଆମର ଦୈନନ୍ଦିନ ଜୀବନର ଚିତ୍ର ସହିତ ଏପରି ଘନିଷ୍ଠ ଭାବରେ ପରିଚିତ ଥିଲେ ଯେ ସେ ଯାହା ବର୍ଣ୍ଣନା କରିଯାଇଅଛନ୍ତି, ତାହା ପ୍ରତ୍ୟେକ ପାଠକକୁ ଆନନ୍ଦ ପ୍ରଦାନ କରୁଅଛି । ଫକୀରମୋହନ ଅତ୍ୟନ୍ତ ଗମ୍ଭୀର ବାତାବରଣ ମଧ୍ୟରେ ଯେଉଁ ବର୍ଣ୍ଣନା ପ୍ରଦାନ କରିଅଛନ୍ତି, ତାହା ପାଠକଲେ ପାଠକ ଅନେକ ସମୟରେ ହାସ୍ୟ ସମ୍ବରଣ କରିପାରେ ନାହିଁ । ଫକୀରମୋହନଙ୍କର ବର୍ଣ୍ଣନାଭଙ୍ଗୀର ସ୍ୱାତନ୍ତ୍ର୍ୟ ଏପରି ଯେ, ସେ ଯେଉଁଠାରେ କିଛି କହୁନାହାନ୍ତି ବୋଲି ଛଳନା କରିଛନ୍ତି, ସେଠାରେ ପ୍ରକୃତରେ ସେ ଅନେକ କିଛି କହିଥାଆନ୍ତି । ଏଭଳି ସ୍ୱାତନ୍ତ୍ର୍ୟ ଓଡ଼ିଆ ଉପନ୍ୟାସକ୍ଷେତ୍ରରେ କେବଳ ଫକୀରମୋହନଙ୍କରହିଁ ଥିଲା । ଆଧୁନିକ କାଳର ଯେଉଁ ଲେଖକମାନେ ଫକୀରମୋହନଙ୍କୁ ଅନୁସରଣ କରିଅଛନ୍ତି ବା କରୁଅଛନ୍ତି, ସେମାନେ ଏ ଦିଗରେ କୃତକାର୍ଯ୍ୟ ହୋଇପାରି ନାହାନ୍ତି ।

 

ହାସ୍ୟରସ ପରିବେଷଣ ଉଦ୍ଦେଶ୍ୟରେ ଫକୀରମୋହନ ବହୁ ବିଖ୍ୟାତ ସଂସ୍କୃତ ତଥା ଓଡ଼ିଆ ପ୍ରବଚନ ଓ ଶ୍ଳୋକର ଲାଳିକା ରଚନା କରିଅଛନ୍ତି । ପୁଣି ଅନେକ କ୍ଷେତ୍ରରେ ଫକୀରମୋହନ ବହୁ ବିଖ୍ୟାତ ଶ୍ଳୋକର ବିକୃତ ଅର୍ଥ ପ୍ରକାଶ କରି ପାଠକକୁ ହସାଇବାକୁ ଉପାଦାନ ଯୋଗାଇ ଅଛନ୍ତି । ଚମ୍ପାର ଶୋଭାବର୍ଣ୍ଣନା ପ୍ରସଙ୍ଗରେ ଫକୀରମୋହନ ଲେଖିଛନ୍ତି, ‘‘ଗୁରୁ ବିପ୍ର ପ୍ରସାଦେନ ଆମ୍ଭେମାନେ ସୁରୁଚି କବିତା କିଛି କିଛି ରଚନା କରିବାକୁ ସକ୍ଷମ । ଆପଣ ମନେକରିବେ, ଏଇଟା ମିଛୁଆ; କିଛି ଜାଣେ ନାହିଁ । ଆଚ୍ଛା ନମୁନା ଦେଖନ୍ତୁ–

 

‘‘ଅର୍ଦ୍ଧବକ୍ଷ ଉଲ୍ଲଙ୍ଗିନୀ; ମୁରୁକି ହାସିନୀ,

ବସ୍ତ୍ରଶୂନ୍ୟା, ରିକ୍ତ ହସ୍ତା; ତୁରଙ୍ଗଗାମିନୀ;

ମାର୍ଜ୍ଜାର ନୟନା; ତାମ୍ରକେଶା ଅଣ୍ଟାଭିଡ଼ା;

ସ୍ୱାଧୀନଭର୍ତ୍ତୃକା; ପାଞ୍ଚ ଜଣ ଆଗେ ଛିଡ଼ା;

ପରପୁରୁଷକୁ ଧରି ନର୍ତ୍ତକୀ ସୁନ୍ଦରୀ;

ଆହା ଆହା ଅପରୂପ ସ୍ୱର୍ଗ ବିଦ୍ୟାଧରୀ ।’’

 

ଉପରୋକ୍ତ ବର୍ଣ୍ଣନା କେବଳ ନୁହେଁ, ଚମ୍ପାର ରୂପବର୍ଣ୍ଣନା ପ୍ରସଙ୍ଗରେ ପୁଣି ଫକୀରମୋହନ ଲେଖିଛନ୍ତି–

 

‘‘କଜ୍ଜ୍ୱଳ ପୂରିତ ଲୋଚନ ଭାଲେ ।

ଗୁଣ୍ଡିମିଶା ଖିଲ୍ଲୀ ଗୁଞ୍ଜିତ ଗାଲେ ।୧।

 

ତୈଳ ହରିଦ୍ରା ବୋଳିତ ଦେହେ ।

କୁକ୍‌କୁରୀବ ଶୀଘ୍ରଂ ଧାବିତ ଗେହେ ।୨।

 

ଷୋଳ ହାତୀଶାଢ଼ୀ ବିସ୍ତୃତ କଚ୍ଛେ ।

ତୋପ ଭିଡ଼ାଜୁଡ଼ା ଶୋଭିତ ଉଚ୍ଚେ ।୩।

 

ଦୁମୁ ଦୁମୁ ଗୁମୁ ଗୁମୁ ଚଳନଂ ତସ୍ୟା ।

ଚଳତି ବା ଧାବତି ବିଷମ ସମସ୍ୟା ।୪।

 

କଙ୍କଣ ଚୂଡ଼ି ହସ୍ତେ ବିରାଜେ ।

ଝମ ଝମ ଝମ ଝୁଣ୍ଟିଆ ବାଜେ ।୫।

 

ସା ଯଦା ଗଚ୍ଛତି ଗୋହିରୀ ଦାଣ୍ଡେ ।

ହସ୍ତ ହଲାଇ ଚାଣ୍ଡେ ଚାଣ୍ଡେ ।୬।

 

ଦେଖି ଶଙ୍କିଯାନ୍ତି ଗ୍ରାମ୍ୟ ଲୋକେ ।

ଡରିମରି ପଳାଇଯାନ୍ତି ଥୋକେ ।୭।

 

ଇତି ରୂପବର୍ଣ୍ଣନଂ ପଜ୍‌ଝଟୀ ଛନ୍ଦେ ।

ଅତଃ ଗୁଣ ବର୍ଣ୍ଣ୍ୟତେ ବିବିଧ ପ୍ରବନ୍ଧେ’’ ।୮।

 

ଚମ୍ପାର ରୂପବର୍ଣ୍ଣନା ପାଠକଲେ ପାଠକ ତହିଁରୁ ହାସ୍ୟରସର ଯେତିକି ଉପାଦାନ ପାଏ, ସେତିକି ସଙ୍କେତ ପାଏ ଚମ୍ପା ଚରିତ୍ରର ଅସ୍ୱାଭାବିକତା ବିଷୟରେ । ଚମ୍ପାର ରୂପ ଓ ଚରିତ୍ର ଚିତ୍ରଣରେ ଫକୀରମୋହନ ଚମ୍ପାକୁ ଏକ ଅଦ୍ଭୁତ ଚରିତ୍ର ଭାବରେ ଉପନ୍ୟାସରେ ସ୍ଥାନ ଦେଇଅଛନ୍ତି-। ଓଡ଼ିଶାର ଗାଁ ଗହଳରେ ଗ୍ରାମଦେବତୀ ଠାକୁରାଣୀଙ୍କ କଥା ସମସ୍ତେ ଜାଣନ୍ତି । ଗ୍ରାମଦେବତୀଙ୍କ କଥା ବର୍ଣ୍ଣନା ପ୍ରସଙ୍ଗରେ ଫକୀରମୋହନ ଏକ ଲାଳିକା ରଚନା କରିଅଛନ୍ତି–

 

‘‘ଯା ଦେବୀ ବୃକ୍ଷମୂଳେଷୁ ଶିଳାରୂପେଣ ସଂସ୍ଥିତା ।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।’’

 

ମୃତ୍ତିକାଶ୍ୱ ଗଜାରୂଢ଼ା ବନ୍ଧ୍ୟାୟାଃ ପୁତ୍ରଦାୟିନୀ ।

ବାଡ଼ି ସଂହାରିଣୀ ଦେବୀ ନାରାୟଣୀ ନମୋଽସ୍ତୁତେ ।’’

 

ରାମଚନ୍ଦ୍ର ମଙ୍ଗରାଜ ନିଜର ପୁଅମାନଙ୍କୁ ଯଥାରୀତି ସ୍ନେହ କରନ୍ତି ନାହିଁ । ତାଙ୍କୁ ଜଣେ ମୁରବି ଶ୍ରେଣୀର ଲୋକ ଏହାର କାରଣ ପଚାରିବାରୁ ସେ କହିଥିଲେ, ‘‘ଆହା, ତୁମ୍ଭେ କି ଶାସ୍ତ୍ର ଶୁଣିନାହିଁ ?

 

ଲାଳୟେତ୍‌ ପଞ୍ଚବର୍ଷାଣି ଦଶବର୍ଷାଣି ତାଡ଼ୟେତ୍‌

ପ୍ରାପ୍ତେତୁ ଷୋଡ଼ଶେ ବର୍ଷେ ପୁତ୍ରଂ ମିତ୍ର ବଦାଚରେତ୍‌ ।

 

ଅର୍ଥାତ୍‌ ପୁଅମାନଙ୍କ ପାଟିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲାଳ ବହେ, ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିବ, ଷୋଳ ବର୍ଷ ହେଲା ଉତ୍ତାରେ ସେମାନଙ୍କ ସହିତ ଆଉ ମିତ୍ରମାନଙ୍କ ସହିତ ବଦ ଅର୍ଥାତ୍‌ ଖରାପ ଆଚରଣ କରିବ ।’’

 

ଫକୀରମୋହନ ସେନାପତି ଏହିପରି ବହୁ ବିଖ୍ୟାତ ଶ୍ଳୋକର ବିକୃତ ଅର୍ଥ କରି ପାଠକକୁ ହାସ୍ୟରସ ଆସ୍ୱାଦନ କରିବା ନିମିତ୍ତ ସୁଯୋଗ ଦେଇଅଛନ୍ତି । ଫକୀରମୋହନ ସେନାପତିଙ୍କର ବର୍ଣ୍ଣନାରସୌଷ୍ଠବ କେବଳ ଏହି ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ନୁହେଁ, ତାଙ୍କର ପ୍ରତ୍ୟେକ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପର କଳେବର ମଧ୍ୟରେ ଲକ୍ଷ୍ୟ କରାଯାଇପାରେ । ଏପରି କି ଫକୀରମୋହନଙ୍କ ଆତ୍ମ-ଜୀବନ ଚରିତରେ ଯେଉଁ ବିଶିଷ୍ଟ ବର୍ଣ୍ଣନା ଶୈଳୀ ଦେଖାଦେଇଅଛି, ତାହା ଏକାନ୍ତ ଅନବଦ୍ୟ । ଏହି ଆତ୍ମଜୀବନ ଚରିତକୁ ପାଠ କରିବା ସମୟରେ ପାଠକ ଏହାର ଭାଷା ଓ ବର୍ଣ୍ଣନାଭଙ୍ଗୀରେ ମୁଗ୍‌ଧ ହୁଏ । ଫକୀରମୋହନ ହିଁ ତାଙ୍କର ବର୍ଣ୍ଣନାଭଙ୍ଗୀରେ ଏ ଦେଶର ପାଠକପାଠିକାମାନଙ୍କୁ ଭାଷା ସୌଷ୍ଠବ ସହିତ ପରିଚିତ କରାଇଅଛନ୍ତି ।

Image

 

ଫକୀରମୋହନଙ୍କର ଉପନ୍ୟାସରେ ଭାଷା

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଗଳ୍ପ ବା ଉପନ୍ୟାସ କ୍ଷେତ୍ରରେ ଯେଉଁମାନେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି, ସେମାନଙ୍କ ମଧ୍ୟରେ ଫକୀରମୋହନ ସର୍ବଶ୍ରେଷ୍ଠ ସମ୍ମାନର ଯୋଗ୍ୟ । ବ୍ରଜନାଥ ବଡ଼ଜେନା ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ ଚତୁର ବିନୋଦ ରଚନା କରି ଗଦ୍ୟସାହିତ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାହା ଏକାନ୍ତ ପ୍ରଣିଧାନର ଯୋଗ୍ୟ । ମାତ୍ର ବ୍ରଜନାଥ ବଡ଼ଜେନାଙ୍କର ଭାଷାରେ ଏପରି କିଛି ଆକର୍ଷଣୀ ଶକ୍ତି ନ ଥିଲା ଯାହା କି ତାଙ୍କର ବୈଶିଷ୍ଟ୍ୟ ପ୍ରତିପାଦନରେ ସାହାଯ୍ୟ କରିଥାଆନ୍ତା । ତାଙ୍କର ଭାଷା ଅନେକ ସ୍ଥଳରେ ନିତାନ୍ତ କ୍ଳିଷ୍ଟ ଶବ୍ଦାବଳୀରେ ପୂର୍ଣ୍ଣ ଓ ଅନେକ ସ୍ଥଳରେ ନିତାନ୍ତ ସରଳ କଥିତ ଭାଷାର ଶବ୍ଦାବଳୀରେ ପୂର୍ଣ୍ଣ ହୋଇଥିବାରୁ ଭାଷାର ସାମ୍ୟ ରକ୍ଷିତ ହୋଇପାରି ନାହିଁ । ବ୍ରଜନାଥ ବଡ଼ଜେନା ଗଳ୍ପ ରଚନା ଦିଗରେ ପ୍ରାରମ୍ଭିକ ଉଦ୍ୟମ କରିଥିବାରୁ ତାଙ୍କୁ ଯେତିକି ପ୍ରାଧାନ୍ୟ ଦିଆଯିବାର କଥା, ତାହା ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯିବାର କୌଣସି କାରଣ ନାହିଁ । ତାଙ୍କର ଗଳ୍ପଗୁଡ଼ିକ ପୁଣି କଥାସରିତ୍‌ ସାଗର ବା ପଞ୍ଚତନ୍ତ୍ର ଭଳି ବିଖ୍ୟାତ କଥାସାହିତ୍ୟ ଦ୍ୱାରା ପ୍ରଭାବିତ ।

ଓଡ଼ିଆ ସାହିତ୍ୟରେ ପ୍ରଥମ ଉପନ୍ୟାସ ପଦ୍ମମାଳୀର ରଚନା ବିଷୟ କଲେ ଦେଖାଯାଏ ଯେ ପଦ୍ମମାଳୀର ଭାଷାରେ ସାଧୁଶବ୍ଦର ବହୁଳତା ଉପନ୍ୟାସର ଭାଷାସୌଷ୍ଠବକୁ କ୍ଷୁଣ୍ଣ କରିଅଛି । ପଦ୍ମମାଳୀରେ ଲେଖକ ଯେପରି ଭାବରେ ବର୍ଣ୍ଣନା କରିଅଛନ୍ତି ତାହା ସୁଖପାଠ୍ୟ ହୋଇ ପାରିନାହିଁ-। ପଦ୍ମମାଳୀ ପାଠ କରିବା ସମୟରେ ମନେହୁଏ, ସତେ ଯେପରି କୌଣସି ଏକ ଘଟଣାର ବିବରଣୀ ପାଠକ ସମ୍ମୁଖରେ ଉନ୍ମୋଚିତ ହୋଇଅଛି । ପଦ୍ମମାଳୀରେ ଲେଖକ ବହୁ ସ୍ଥଳରେ ସଂଳାପରେ ଯେଉଁ ଭାଷା ବ୍ୟବହାର କରିଅଛନ୍ତି, ତାହା ଆଦୌ ବାସ୍ତବ ହୋଇପାରି ନାହିଁ-। ଏହି ସଂଳାପଗୁଡ଼ିକ ପାଠକଲେ ମନେହୁଏ, ସତେ ଯେପରି କୌଣସି ପ୍ରାଚୀନ ଯାତ୍ରା ବା ସୁଆଙ୍ଗର ସଂଳାପ ଏଥିରେ ସଂଯୋଜିତ ହୋଇଅଛି । ତେଣୁ ପଦ୍ମମାଳୀ ଉପନ୍ୟାସରେ ଭାଷାର ସାମ୍ୟ ରକ୍ଷିତ ହୋଇପାରେ ନାହିଁ ।

ବିବାସିନୀ ଉପନ୍ୟାସରେ ଭାଷା ପଦ୍ମମାଳୀର ଭାଷା ଅପେକ୍ଷା କିୟତ୍‌ ପରିମାଣରେ ଉନ୍ନତ । ମାତ୍ର ବର୍ଣ୍ଣନାର ଦୀର୍ଘତା ଏତେ ବେଶି ହୋଇପଡ଼ିଅଛି ଯେ ପାଠକ ଏହି ଉପନ୍ୟାସ ପାଠକରିବା ସମୟରେ ଧୈର୍ଯ୍ୟହରା ହୋଇପଡ଼େ । ଭୀମାଭୂୟାଁ ଉପନ୍ୟାସରେ ସେହିପରି ଅଯଥା ଭାଷା ଆଡ଼ମ୍ବର କରିବାଲାଗି ଲେଖକ ତତ୍ପର ହୋଇଥିଲେ ହେଁ ଭାଷାର ସାମ୍ୟ ରକ୍ଷା କରି ପାରି ନାହାନ୍ତି ।

ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା କବିବର ରାଧାନାଥଙ୍କର ଗଦ୍ୟଶୈଳୀର ସ୍ୱାତନ୍ତ୍ର୍ୟ ଥିଲେ ହେଁ ତାହା ଓଡ଼ିଆ ପାଠକମାନଙ୍କର ଆପଣାର ଭାଷା ନୁହେଁ । ଏଥିରେ ସଂସ୍କୃତ ସାହିତ୍ୟର ରୀତି ଏକାନ୍ତ ଭାବରେ ଅନୁସୃତ ହୋଇଥିବାର ଦେଖାଯାଏ । ମଧୁସୂଦନଙ୍କର ଗଦ୍ୟଶୈଳୀ ରାଧାନାଥଙ୍କର ଗଦ୍ୟଶୈଳୀ ଅପେକ୍ଷା ଉତ୍କୃଷ୍ଟତର । ମାତ୍ର ତାହା କେବଳ ସାଧୁ ଶବ୍ଦରେ ଭରପୂର ।

ଫକୀରମୋହନଙ୍କର ଗଦ୍ୟଶୈଳୀ ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟର ବିଶିଷ୍ଟ ରୂପ ପ୍ରଦାନ କରିବାକୁ ସମର୍ଥ ହୋଇଅଛି । ଫକୀରମୋହନ ତାଙ୍କର ଗଳ୍ପ, ଉପନ୍ୟାସ ବା ଆତ୍ମଜୀବନ ଚରିତରେ ଯେପରି ଭାବରେ ଭାଷାର ସାମ୍ୟରକ୍ଷା କରିବାକୁ ସମର୍ଥ ହୋଇଅଛନ୍ତି, ଅନ୍ୟ କୋଣସି ଲେଖକ ସେପରିଭାବରେ ସମର୍ଥ ହୋଇନାହାନ୍ତି । ଉଦାହରଣ ସ୍ୱରୂପ–ଗୋବିନ୍ଦପୁର ମୌଜାରେ ପୁଲିସ ତଦାରଖ ଦିନର ବର୍ଣ୍ଣନାକୁ ଦେଖାଯାଇପାରେ ।

‘‘ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତିପାହେ, ଆଜି ମଧ୍ୟ ଠିକ୍‌ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝର ଝର ଫର ଫର କରୁଥିଲା । ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆ କୁଣିଆ ନୁହେଁ । ଆକାଶଟା ଟିକିଏ ସଫା ହୋଇଗଲାଣି । ବଛା ବଛି କାମ ସରିଛି, କେହି ବିଲବାଡ଼ିକୁ ଯିବାକୁ ନାହିଁ । କେହି ପିଣ୍ଡାରେ ବସି ବାଟଣା ବାଟୁଛି, କେହି ଗୁହାଳ କଢ଼ାରେ ଲାଗିଛି, କେହି ଝାମ୍ପିଟାଏ ମୁଣ୍ଡାଇ ହାତରେ ଦଉଡ଼ିଖଣ୍ଡେ ଦାଟାଏ ଧରି କାହାଳୀଟାଏ ଓଟାରି ଓଟାରି ବାହୁଙ୍ଗିଟାଏ କାନ୍ଧରେ ପକାଇ ଘାସ କାଟିବାକୁ ବାହାରିଅଛି, କେହି ପିଢ଼ାରେ ଚଢ଼ି କଖାରୁଡ଼ଙ୍କ ସଳଖି ଦେଉଅଛି, ଘରେ ଲୁଣ ନ ଥିବାର ଶୁଣି ହରି ପୁହାଣ ବିବିଧଯୁକ୍ତି ପ୍ରଦର୍ଶନ ପୂର୍ବକ ଆପଣା ଭାର୍ଯ୍ୟାର ଅପରିମିତ ବ୍ୟୟଶୀଳତା ସାବ୍ୟସ୍ତ କରୁଅଛି । ମାଇକିନିଆମାନେ ବାସି ପାଇଟି ସାରି ବାଡ଼ି ପୋଖରୀକୁ ବାହାରିଲେଣି । ତନ୍ତୀସାଇଟା ଝସ୍‌-ଦୁମ୍‌, ଝସ୍‌-ଦୁମ୍‌ ଶବ୍ଦରେ ଉଛୁଳି ପଡ଼ୁଅଛି, ତନ୍ତିଆଣୀମାନେ ପିଣ୍ଡାରେ ବସି ଖଡ଼ର ଖଡ଼ର କରି ନଟେଇ ବୁଲାଇ ପକାଉଅଛନ୍ତି । ବେଳ ଅନ୍ଦାଜ ତିନିଘଡ଼ିକି ଦଣ୍ଡେ ଦୁଇଦଣ୍ଡ ବେଶି, ଶାମସା ଘର ହଳିଆ ଗୋପାଳ ସାମଲ ଝାମ୍ପିଟାଏ ମୁଣ୍ଡରେ ଦେଇ କୋଡ଼ିଧରି ନଇଁପଡ଼ି ବିଲର ହିଡ଼ ବାନ୍ଧୁଥିଲା । ବାଟପାଖିଆ ବିଲ, ସାଆନ୍ତଘର ହଳିଆ ଘୁଷୁରିଆ ଗୋବରା ଜେନା ଘର ଆଡ଼କୁ ଚଞ୍ଚଳ ଚାଲିଅଛି, ଗୋପାଳିଆ ଉପରେ ନଜର ପଡ଼ିଯିବାରୁ ତାକୁ ହାତଟେକି ଇସାରା କରି ପାଖକୁ ଡାକିଲା । ତାକୁ କହିଲା ମୁଁ ଗୋଟିଏ ଭାରିକାମରେ ଯାଉଅଛି, ଭାରି ଗୁପ୍ତକଥା, ତୋତେ ବିଶ୍ୱାସ ପାଏ ବୋଲି କହୁଛି । ତାହା କାନରେ ତୁନି ତୁନି କରି କ’ଣ କହିଲା । ବୁଝି ଖବରଦାର ! ଏକଥା ଯେମନ୍ତେ ଆଉ କାହା କାନରେ ନ ପଡ଼େ ସାଆନ୍ତର ମନା ଅଛି ।’’

ଉପରୋକ୍ତ ବର୍ଣ୍ଣନାରେ ଫକୀରମୋନ ନିଜର ସ୍ୱଭାବ-ସୁଲଭ ବର୍ଣ୍ଣନାଭଙ୍ଗୀରେ ଗୋବିନ୍ଦପୁର ଗ୍ରାମର ଯେଉଁ ଚିତ୍ର ପ୍ରଦାନ କରିଅଛନ୍ତି, ତାହା ସବୁପ୍ରକାର ପାଠକପାଠିକାଙ୍କ ନିକଟରେ ନିତାନ୍ତ ପରିଚିତ ଚିତ୍ର । ଏହି ବର୍ଣ୍ଣନା ପାଠ କରିବା ସମୟରେ ପାଠକ ଭାଷାର କ୍ଳିଷ୍ଟତା ଆଦୌ ଲକ୍ଷ୍ୟ କରିପାରେ ନାହିଁ । ଭାଷା ଏପରି ସରଳ ଯେ ଯେକୌଣସି ପାଠକ ଏହାକୁ ପାଠକରିବା ସମୟରେ ଏହାକୁ ଉତ୍ତମରୂପେ ହୃଦୟଙ୍ଗମ କରେ । ଫକୀରମୋହନ ଏପରି ଭାବରେ ଗାଉଁଲୀ ଶବ୍ଦଗୁଡ଼ିଏ ତାଙ୍କ ଉପନ୍ୟାସରେ ପ୍ରୟୋଗ କରିଅଛନ୍ତି ଯେ ସେ ଶବ୍ଦଗୁଡ଼ିକ ସହିତ ପ୍ରତ୍ୟେକ ପାଠକ ପରିଚିତ ।

ଫକୀରମୋହନଙ୍କ ଉପନ୍ୟାସରେ ଅନେକ ସ୍ଥଳରେ ବହୁ ପାର୍ଶୀଶବ୍ଦ ବା ଯାବନିକା ଶବ୍ଦ ବ୍ୟବହୃତ ହୋଇଥିବାର ଦେଖାଯାଏ । ଏହାର କାରଣ ଆମ ଓଡ଼ିଆ ଭାଷାରେ କେବଳ ସେ ସମୟରେ ନୁହେଁ, ବର୍ତ୍ତମାନ ମଧ୍ୟ ଅସଂଖ୍ୟ ଯାବନିକ ଶବ୍ଦର ପ୍ରଚଳନ ଅଛି । ଫକୀରମୋହନ ସେହି ଶବ୍ଦଗୁଡ଼ିକୁ ଏପରି ଭାବରେ ବ୍ୟବହାର କରିଅଛନ୍ତି ଯେ ପାଠକ ସେଗୁଡ଼ିକୁ ଅତି ସହଜରେ ବୁଝିବାକୁ ସମର୍ଥ ହୋଇଥାଏ । ଓଡ଼ିଆ ଉପନ୍ୟାସରେ ଯାବନିକ ଶବ୍ଦର ପ୍ରୟୋଗ ଏପରି ସ୍ଥଳରେ ଦୋଷାବହ ହୋଇ ନ ପାରେ ।

ଫକୀରମୋହନଙ୍କର ଗଳ୍ପ ବା ଉପନ୍ୟାସ ଏ ଦେଶରେ ବିଶେଷ ଭାବରେ ଆଦୃତ ହେବା ପାଇଁ ଯେଉଁସବୁ କାରଣ ରହିଛି, ସେଗୁଡ଼ିକ ମଧ୍ୟରୁ ତାଙ୍କର ଭାଷାବିଭବ ଏକତମ । ଫକୀରମୋହନଙ୍କର ଉପନ୍ୟାସ ଓ ଗଳ୍ପସାହିତ୍ୟର ଭାଷା ତାଙ୍କର ଭାଷାପ୍ରବୀଣତାର ପରିଚୟ ପ୍ରଦାନ କରିଅଛି ।

Image

 

Unknown

ଛ ମାଣ ଆଠଗୁଣ୍ଠରେ ହାସ୍ୟରସ ଓ ବ୍ୟଙ୍ଗ

 

ଫକୀରମୋହନ ସେନାପତି ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ତାଙ୍କର ସ୍ୱଭାବସୁଲଭ ବର୍ଣ୍ଣନାଭଙ୍ଗୀରେ ହାସ୍ୟରସ ସୃଷ୍ଟି ନିମନ୍ତେ ପାଠକ ନିକଟରେ ଉପଦାନ ଯୋଗାଇଥିଲେ ହେଁ ଅନ୍ୟ କେତେକ ଉପାୟ ମଧ୍ୟ ଏଥିପାଇଁ ଗ୍ରହଣ କରିଅଛନ୍ତି । ଅଦ୍ଭୁତ ଉପମା ପ୍ରୟୋଗ କରି, ଲାଳିକା ରଚନା କରି ଓ କେତେକ ବିଖ୍ୟାତ ଶ୍ଳୋକ ବା ପଦର ବିକୃତ ଅର୍ଥ କରି ସେ ପାଠକମାନଙ୍କୁ ହାସ୍ୟରସ ସୃଷ୍ଟି ନିମିତ୍ତ ଉପାଦାନ ଯୋଗାଇ ଅଛନ୍ତି । ଚରିତ୍ରଚିତ୍ରଣ କରିବା ସମୟରେ ଗୋଟିଏ ଚରିତ୍ର ବିଷୟରେ ଗୋଟିଏ ଗୋଟିଏ ଅଦ୍ଭୁତ କଥା କହି ମଧ୍ୟ ସେ ହାସ୍ୟରସ ସୃଷ୍ଟି କରିଅଛନ୍ତି ।

 

ଓଡ଼ିଆ ସାହିତ୍ୟର ହାସ୍ୟରସ ସୃଷ୍ଟି ପ୍ରାଚୀନ କାଳରୁ ଦେଖାଦେଇଅଛି । ବଚ୍ଛା ଦାସଙ୍କ କଳସା ଚଉତିଶାଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି ପର୍ଯ୍ୟନ୍ତ ସାହିତ୍ୟରେ ହାସ୍ୟରସର ବହୁଳ ସୃଷ୍ଟି ଦେଖିବାକୁ ମିଳିଥାଏ । ପୁରାତନ କାଳରୁ ଯେଉଁପ୍ରକାର ହାସ୍ୟରସ ଓଡ଼ିଆ ସାହିତ୍ୟରେ ସୃଷ୍ଟି ପର୍ଯ୍ୟାୟରେ ଗଡ଼ି ଗଡ଼ି ଆସୁଥିଲା, ତାହା ପ୍ରାୟ ଗୋଟିଏ ଧରଣର । ଏଥିରେ କେବଳ ପାଠକକୁ ହସିବାର ଉପାଦାନ ଯୋଗାଇ ଦିଆଯାଉଥିଲା । ମାତ୍ର ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟିହେବା ସମୟରେ ଏହି ଦୃଷ୍ଟିକୋଣର ପରିବର୍ତ୍ତନ ଘଟିଲା । ଆଧୁନିକ ଓଡ଼ିଆ ସାହିତ୍ୟରେ ଯେଉଁପ୍ରକାର ହାସ୍ୟରସ ଦେଖାଦେଲା, ତାହା ଇଂରେଜୀ ସାହିତ୍ୟର ସାଟାୟାର ଶ୍ରେଣୀଭୁକ୍ତ । ଏଥିରେ କେବଳ ହାସ୍ୟରସ ସୃଷ୍ଟି କରାଯାଏ ନାହିଁ । ଏଥିରେ ପ୍ରଚଳିତ ସାମାଜିକ ପଦ୍ଧତି ବା କୌଣସି ବ୍ୟକ୍ତିର ଅପକର୍ମକୁ ନିତାନ୍ତ ଭାବରେ ସମାଲୋଚନା କରାଯାଇଥାଏ । ଏହି ସମାଲୋଚନାର ଉଦ୍ଦେଶ୍ୟ ପ୍ରଚଳିତ ପଦ୍ଧତି ବା କୌଣସି ବ୍ୟକ୍ତିର ଅପକର୍ମକୁ ସଂଶୋଧନ କରିବା-। ଆଧୁନିକ ଓଡ଼ିଆ ସାହିତ୍ୟର ବ୍ୟାସକବି ଫକୀରମୋହନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନ ଓ କବିବର ଗଙ୍ଗାଧର ପ୍ରମୁଖ ସ୍ରଷ୍ଟାଗଣ ଏହି ରୀତିକୁ ଗ୍ରହଣ କରିଥିଲେ ହେଁ ଏହି ରୀତିକୁ ଓଡ଼ିଆ ସାହିତ୍ୟରେ ପ୍ରଚଳନ କରିବା ପାଇଁ ପ୍ରଥମେ ରାଧାନାଥ ହିଁ ଆଗଭର ହୋଇ ପଡ଼ିଥିଲେ ।

 

ବ୍ୟାସକବି ଫକୀରମୋହନଙ୍କର ‘‘ମୁଁ ହାଟ ବାହୁଡ଼ା’’ କବିତାରେ ତତ୍‌କାଳୀନ ପାଶ୍ଚାତ୍ୟଶିକ୍ଷା କିପରି ଆମ ସମାଜ ଉପରେ ତୀବ୍ର ପ୍ରଭାବ ବିସ୍ତାର କରି ଆମର ନୈତିକତାକୁ ନଷ୍ଟ କରି ଦେଇଥିଲା, ତାହାର ବିସ୍ତୃତ ବର୍ଣ୍ଣନା ଦେଖାଯାଏ । କବିବର ରାଧାନାଥଙ୍କର ଦରବାର ଖଣ୍ଡକାବ୍ୟରେ ତତ୍‌କାଳୀନ ନବ୍ୟଶିକ୍ଷିତ ବ୍ୟକ୍ତିମାନଙ୍କର ଚାଲିଚଳନ, ରୀତିନୀତିର ସମାଲୋଚନା କରାଯାଇଅଛି । ଆଧୁନିକ ଯୁଗର ବହୁ କବି ଏହିପରି ଭାବରେ ନିଜ ନିଜର ସୃଷ୍ଟି ମଧ୍ୟରେ ବ୍ୟଙ୍ଗ ବିଦ୍ରୂପ ଓ ହାସ୍ୟରସ ସୃଷ୍ଟି କରିଅଛନ୍ତି ।

 

ଫକୀରମୋହନ ଗଦ୍ୟସାହିତ୍ୟରେ ହାସ୍ୟରସ ପରିବେଷଣ କରିବା ପୂର୍ବରୁ ମଧ୍ୟଯୁଗରେ କବି ବ୍ରଜନାଥ ବଡ଼ଜେନା ତାଙ୍କର ଚତୁର ବିନୋଦରେ ହାସ୍ୟରସ ବା ବ୍ୟଙ୍ଗ ବିଦ୍ରୂପ ସୃଷ୍ଟିକରିଥିଲେ । ମାତ୍ର ବ୍ରଜନାଥଙ୍କର ବ୍ୟଙ୍ଗବିଦ୍ରୂପ ଓ ହାସ୍ୟରସ ସୃଷ୍ଟି ନିତାନ୍ତ ନିମ୍ନସ୍ତରର । କୌଣସି ବ୍ୟକ୍ତି ବା ପଦ୍ଧତିର ଅପକର୍ମକୁ ସମାଲୋଚନା କରିବା ସମୟରେ ଲେଖକ ବା କବିର ଯେତେ ପରିମାଣରେ ଉଦାରତା ରହିବା କଥା, ତାହା ବ୍ରଜନାଥ ବଡ଼ଜେନାଙ୍କର ସୃଷ୍ଟି ମଧ୍ୟରେ ଉପଲବ୍‌ଧି କରିହୁଏ ନାହିଁ । ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟରେ ହାସ୍ୟରସ ସୃଷ୍ଟି କ୍ଷେତ୍ରରେ ଫକୀରମୋହନଙ୍କର ସିଦ୍ଧହସ୍ତତା ସର୍ବଦା ସ୍ୱୀକୃତ ।

 

ହାସ୍ୟରସ ବା ବ୍ୟଙ୍ଗ ସାହିତ୍ୟ ସୃଷ୍ଟି ବିଷୟରେ ଏଠାରେ କିଞ୍ଚିତ ଆଲୋକପାତ କରାଗଲେ ଅସମୀଚୀନ ହେବନାହିଁ ।

 

ବ୍ୟଙ୍ଗସାହିତ୍ୟର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଦେବା ସହଜ ନୁହେଁ । ଏହା ହାସ୍ୟରସର ଅଙ୍ଗରୂପେ ଗୃହୀତ; ମାତ୍ର ଏହା ବିଶୁଦ୍ଧ ହାସ୍ୟରସ ସୃଷ୍ଟି କରିପାରେ ନାହିଁ । ବ୍ୟଙ୍ଗ ବିଷୟରେ ଇଂରେଜୀ ସାହିତ୍ୟରେ କୁହାଯାଇଅଛି, ‘‘Satire, in its literary aspect, may be defined as the expression in adequate terms of the sense of amusement or disgust excited by the ridiculous or unseemly, provided that humour is a distinct recognisable element and that the utterance is invested with literary from" ତେଣୁ ସାମୟିକ, ବ୍ୟକ୍ତିଗତ, ସାମାଜିକ ତଥା ଜାତୀୟ ଦୋଷଦୁର୍ବଳତା ଗୁଡ଼ିକୁ ଖୋଲାଖୋଲି ଭାବରେ ହାସ୍ୟରସ ମାଧ୍ୟମରେ ସମାଲୋଚନା କରିବାର ନାମ ହିଁ ବ୍ୟଙ୍ଗ । ଉନ୍ନତ ବ୍ୟଙ୍ଗସାହିତ୍ୟ ଜରିଆରେ ସାମାଜିକ ଆଚାର-ବ୍ୟବହାର ଓ ଚଳଣିରେ ଦୁର୍ବଳତା ତଥା ନୈତିକ ତ୍ରୁଟିଗୁଡ଼ିକ ସଂଶୋଧିତ ହୋଇପାରେ ।

 

ବ୍ୟଙ୍ଗର ସମାଲୋଚନା ନିତାନ୍ତ ଧୀର ଓ ବନ୍ଧୁତାପୂର୍ଣ୍ଣ ହେବା ଆବଶ୍ୟକ । ଏଥିରେ ଯେଉଁ ବାଣୀ ଜରିଆରେ ସାବଧାନ କରି ଦିଆଯାଏ ତାହାକୁ ବନ୍ଧୁର ବାକ୍ୟ ପରି ଗ୍ରହଣ କରିବାର କଥା । ଚାତୁର୍ଯ୍ୟୋକ୍ତି, ହାସୋକ୍ତି, ଛଳୋକ୍ତି ପ୍ରଭୃତି ଦ୍ୱାରା ବ୍ୟଙ୍ଗ-ସାହିତ୍ୟିକ ସମାଜର ବା ବ୍ୟକ୍ତିର ଦୋଷର ସମାଲୋଚନା କରେ । ଏହି ବ୍ୟଙ୍ଗସାହିତ୍ୟ ପଦ୍ୟ ଓ ଗଦ୍ୟ-ଉଭୟରେ ଲେଖା ଯାଇଥାଏ-

 

କେତେକଙ୍କ ମତରେ ବିଶ୍ୱସାହିତ୍ୟରେ ପ୍ରଥମେ ଇଂରେଜୀରେ ବ୍ୟଙ୍ଗସାହିତ୍ୟର ସୃଷ୍ଟି ହେଲା । ପୁଣି କେତେକଙ୍କ ମତରେ ବ୍ୟଙ୍ଗସାହିତ୍ୟର ଆଦି ସୃଷ୍ଟି ରୋମ୍‌ରୁ । ଗ୍ରୀକ୍‌ ସାହିତ୍ୟରେ ହୋମର୍‌ ଏବଂ ଅରିଷ୍ଟୋଫେନସ୍‌ ପ୍ରଭୃତି ପ୍ରଥମ ବଳିଷ୍ଠ ବ୍ୟଙ୍ଗସାହିତ୍ୟିକ । ବାଇବେଲରେ ମଧ୍ୟ ବ୍ୟଙ୍ଗର ସୂଚନା ଅଛି । ଯାହାହେଉ, ଇଂରେଜୀ ସାହିତ୍ୟକୁ ଲାଟିନ୍‌ ସାହିତ୍ୟରୁ ବ୍ୟଙ୍ଗ ଆସିଥିବା ପ୍ରମାଣ ମିଳିଅଛି । ଇଂରେଜୀ ବ୍ୟଙ୍ଗ ସାହିତ୍ୟର ସୃଷ୍ଟି ହେଲା ଦ୍ୱାଦଶ ଶତାବ୍ଦୀରେ । ବ୍ୟଙ୍ଗସାହିତ୍ୟର ପ୍ରଥମ କାଳରେ ଚର୍ଚ୍ଚଗୁଡ଼ିକରେ ଘଟୁଥିବା ଧାର୍ମିକ ବ୍ୟଭିଚାରର ସମାଲୋଚନା ଦେଖାଦେଇଥିଲା । ଏହିପରି ଭାବରେ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟଙ୍ଗ ସାହିତ୍ୟ ଇଂରେଜୀ ସାହିତ୍ୟରେ କୌଣସି ପ୍ରାଧାନ୍ୟ ଲାଭ କରିପାରି ନ ଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ ଚସର୍‌ ଇଂରେଜୀ ବ୍ୟଙ୍ଗସାହିତ୍ୟକୁ ସମୃଦ୍ଧ କଲେ । ତାଙ୍କ ସମୟଠାରୁ ରାଜଦରବାରର ଅନ୍ୟାୟ-ଅତ୍ୟାଚାର ଓ ନାରୀମାନଙ୍କର ବେଶ ପୋଷାକର ସମାଲୋଚନା ଇଂରେଜୀ ବ୍ୟଙ୍ଗସାହିତ୍ୟରେ ଦେଖା ଦେଲା । ଷୋଡ଼ଶ ଶତାବ୍ଦୀର ପରଠାରୁ କ୍ରମେ ଗଦ୍ୟରେ ଇଂରେଜୀ ବ୍ୟଙ୍ଗ ସାହିତ୍ୟ ଲେଖାଗଲା । ଅଷ୍ଟାଦଶ ଶତାବ୍ଦୀରେ ଷ୍ଟିଲ୍‍, ଆଡ଼ିସନ୍‌, ଗୋଲଡ୍‍ସ୍ମିଥ୍‌ ପ୍ରଭୃତି ଲେଖକ ତଥା କବିଗଣ ପତ୍ରପତ୍ରିକା ଜରିଆରେ ବ୍ୟଙ୍ଗ ସାହିତ୍ୟକୁ ସୃଷ୍ଟି କଲେ । ଷ୍ଟିଲ୍‌ ଏହି ଉଦ୍ଦେଶ୍ୟରେ ପ୍ରଥମେ ‘‘Tarter" ଓ ପରେ ଆଡ଼ିସନ୍‌ଙ୍କ ସହିତ ମିଳିତ ଭାବରେ "Spectator club" ସ୍ଥାପନ କରି Spectator ନାମକ ପତ୍ରିକା ପ୍ରକାଶ କରିଥିଲେ । ଏହି ଦୁଇ ସାହିତ୍ୟିକଙ୍କର ମିଳିତ ପ୍ରଚେଷ୍ଟାରେ ଇଂରେଜୀ ପତ୍ରିକା ସାହିତ୍ୟ ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ବ୍ୟଙ୍ଗସାହିତ୍ୟ ସମୃଦ୍ଧ ହେଲା । ପରବର୍ତ୍ତୀକାଳରେ ଇଂରେଜୀ ବ୍ୟଙ୍ଗସାହିତ୍ୟରେ ଦେଖାଦେଲେ ଡ୍ରାଇଡେନ୍‌; ସୁଇଫଟ୍‌ ଓ ପୋପ୍‌ । ଊନବିଂଶ ଶତାବ୍ଦୀରେ ବଳିଷ୍ଠ ବ୍ୟଙ୍ଗଲେଖକ ଭାବରେ ଦେଖାଦେଲେ ବର୍ଣ୍ଣସ, ବାଇରେନ୍‌ ଓ ସାମୁଏଲ୍‌ ବଟ୍‌ଲର୍‌ । ଇଂରେଜୀ ବ୍ୟଙ୍ଗ ସାହିତ୍ୟରେ ଊନବିଂଶ ଶତାବ୍ଦୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହି ସମୟରେ ଇଂରେଜୀ ବ୍ୟଙ୍ଗ ସାହିତ୍ୟ ପୂର୍ଣ୍ଣ ବିକଶିତ ରୂପ ଗ୍ରହଣ କରିଅଛି ।

 

ଇଂରେଜୀ ସାହିତ୍ୟର ମାନଦଣ୍ଡରେ ଓଡ଼ିଆ ସାହିତ୍ୟକୁ ମାପି ବସିବା କେବେହେଲେ ଯଥାର୍ଥ ହେବ ନାହିଁ । ଓଡ଼ିଆ ସାହିତ୍ୟରେ ବ୍ୟଙ୍ଗ ଥିଲେ ହେଁ ଇଂରେଜୀ ସାଟାୟାର ଯେଉଁ ଅର୍ଥରେ ବ୍ୟବହୃତ ତାହା ରାଧାନାଥଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ ଆରମ୍ଭ ହୋଇନାହିଁ । ଏହା ଯେ ରାଧାନାଥଙ୍କର ନିଜସ୍ୱ ବା ମୌଳିକ, ଏ କଥା କୁହାଯାଇ ନ ପାରେ । ରାଧାନାଥଙ୍କ ଉପରେ ବିଦେଶୀ ତଥା ପଡ଼ୋଶୀ ବ୍ୟଙ୍ଗ ସାହିତ୍ୟର ପ୍ରଭାବ ସ୍ୱୀକାର କରିବାର କଥା ।

 

ଓଡ଼ିଆ ସାହିତ୍ୟରେ ରାଧାନାଥ ଯୁଗ ବାସ୍ତବରେ ଏକ ସଘର୍ଷର ଯୁଗ । ସେତେବେଳେ ଦେଶରେ ଇଂରେଜୀଶିକ୍ଷା, ଆଚାର-ବ୍ୟବହାରର ପ୍ରଚଳନ କ୍ରମେ ଆମର ପୂର୍ବ ପ୍ରଥା ଏବଂ ସଂସ୍କୃତିମୂଳରେ କୁଠାରଘାତ କରିବାରେ ଲାଗିପଡ଼ିଥାଏ । ବିଦେଶୀ ଚାକଚକ୍ୟର ମୋହରେ ସେତେବେଳେ ଆମ ଦେଶବାସୀ ନିଜତ୍ୱ ଭୁଲିବସିଥିଲେ । ତେଣୁ ସେତେବେଳେ ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ନୀତିର ଲୋପସାଧନ ହେବାକୁ ବସିଲା । ଜାତୀୟ ଜୀବନରେ ଏପରି ଦୁର୍ବିପାକ ଦେଖି ଜାତୀୟ ବ୍ୟଭିଚାର ବିରୁଦ୍ଧରେ ଫକୀରମୋହନ ବିଦ୍ରୋହୀ ହୋଇ ଉଠିଛନ୍ତି । ତାଙ୍କର ଏହି ବିଦ୍ରୋହାତ୍ମକ ମନୋଭାବ ‘‘ମୁଁ ହାଟ ବାହୁଡ଼ା’’ କବିତାରେ ସ୍ପଷ୍ଟଭାବରେ ପ୍ରକାଶ ପାଇଅଛି ।

 

ଫକୀରମୋହନ ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ବହୁ ଉପାୟରେ ବ୍ୟଙ୍ଗ ତଥା ହାସ୍ୟରସର ସୃଷ୍ଟି କରିଅଛନ୍ତି । ଏହି ଉପନ୍ୟାସର ଆରମ୍ଭରେ ରାମଚନ୍ଦ୍ର ମଙ୍ଗରାଜଙ୍କର ବ୍ୟକ୍ତିଗତ ଚରିତ୍ର ବର୍ଣ୍ଣନା କରି ତାଙ୍କର ଏକାଦଶୀ ପାଳନ, ଦ୍ୱାଦଶୀଦିନ ବ୍ରାହ୍ମଣ ଭୋଜନ ଇତ୍ୟାଦି ବିଷୟରେ ମତପ୍ରଦାନ କରିଅଛନ୍ତି । ଦ୍ୱାଦଶୀଦିନ ନଉତିଏ ଚୂଡ଼ା ଓ କୋଡ଼ିଏ ପଳ ଗୁଡ଼ରେ ସତେଇଶ ଜଣ ବ୍ରାହ୍ମଣଙ୍କୁ ଭୋଜନ କରାଇବା ବିଷୟରେ ଲେଖକ ବ୍ୟଙ୍ଗୋକ୍ତି ପ୍ରକାଶକରି ଲେଖିଛନ୍ତି, ‘‘ଆପଣ ପଚାରିବେ ନଉତିଏ ଚୂଡ଼ାରେ ସତେଇଶ ଜଣ ବ୍ରାହ୍ମଣଙ୍କର ପେଟ କିପରି ପୂରିଲା ? ହରିବୋଲ ଭାଇ ହରିବୋଲ ଏସବୁ କଥାର ଉତ୍ତର ଦେବାକୁ ଗଲେ ଆମ୍ଭମାନଙ୍କର ଆଉ ଲେଖା ଚଳିବ ନାହିଁ-। ଯୀଶୁଖ୍ରୀଷ୍ଟ ଦୁଇଖଣ୍ଡ ରୁଟିରେ ବାର ଶତ ଲୋକ ଖୁଆଇଲେ; ପୁଣି ଚାରି ପାଛିଆ ବଳିପଡ଼ିଲା । କାମ୍ୟକବନରେ ଶ୍ରୀକୃଷ୍ଣ ଦୁର୍ବାସାଙ୍କ ବାର ହଜାର ଶିଷ୍ୟଙ୍କର ପେଟ ଟିକିଏ ଶାଗରେ ପୂରାଇ ଦେଇଥିଲେ । ଏହି ମହାପୁରୁଷଙ୍କର ହସ୍ତମହିମା ପ୍ରତି ଯଦି ଆପଣଙ୍କର ବିଶ୍ୱାସ ନ ଥାଏ, ତେବେ ଆମ୍ଭମାନଙ୍କର ମଙ୍ଗରାଜ ଚରିତ୍ର ପଢ଼ିବା ନିମନ୍ତେ ଅନୁରୋଧ କରିବାକୁ ସାହସ କରିପାରିବୁ ନାହିଁ-।’’

 

ଉପରୋକ୍ତ ବ୍ୟଙ୍ଗୋକ୍ତିରେ ଫକୀରମୋହନ ମଙ୍ଗରାଜଙ୍କ ବିଷୟରେ ଲେଖିବାକୁ ଯାଇ ଲୋକମାନଙ୍କର ଅତିରଞ୍ଜିତ ଧର୍ମବିଶ୍ୱାସକୁ ଆକ୍ଷେପ କରି ଅଛନ୍ତି । ଧର୍ମର ଆଳରେ ଏହିପରି ବହୁ ଅତିରଞ୍ଜିତ ଉପାଖ୍ୟାନକୁ ଲୋକମାନେ ସତ୍ୟ ବୋଲି ଗ୍ରହଣ କରିବା ଯେ ନିତାନ୍ତ ଅନୁଚିତ୍‌ ଏକଥା ଲେଖକ ଜଣାଇ ଦେଇଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ର ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଫକୀରମୋହନ ହସେଇ ରସେଇ ବହୁତ କଥା ଲେଖିଅଛନ୍ତି । ତାଙ୍କର ସାଧାରଣ କଥାଟିଏ ପାଠ କରିବା ସମୟରେ ମନେହୁଏ ସତେ ଯେପରି ସେ ଥଟ୍ଟାକରି ପ୍ରତ୍ୟେକଟି ଶବ୍ଦ ସଂଯୋଜନା କରିଅଛନ୍ତି । ଏହା ଫକୀରମୋହନଙ୍କର ଏକାନ୍ତ ନିଜସ୍ୱ ।

 

ଚମ୍ପାର ରୂପବର୍ଣ୍ଣନା ପ୍ରସଙ୍ଗରେ ଫକୀରମୋହନ ଲେଖିଅଛନ୍ତି, ‘‘ଇଂରେଜୀ ପଢ଼ୁଆ ପାଠକମାନଙ୍କ ମନୋରଞ୍ଜନ ସକାଶେ ଇଂରେଜୀ ଧରଣର ରୂପବର୍ଣ୍ଣନା ଆବଶ୍ୟକ । ଭାରତର କବିମାନେ ସୁନ୍ଦରୀ ସ୍ତ୍ରୀକୁ କହନ୍ତି ‘ଗଜେନ୍ଦ୍ର ଗାମିନୀ । ଇଂରେଜ କହିବେ, ଛି, ଛି ! ତାତ ନୁହେଁ, ଘୋଡ଼ାପରି ଯେ ଗେଲପ୍‌ ଚାଲିପାରେ, ସେହି ସିନା ପରମାସୁନ୍ଦରୀ ! ଆମ୍ଭେମାନେ ଦେଖୁଅଛୁଁ ଆଜିକାଲି ପହିଲି ଆଷାଢ଼ର ମହାନଦୀର ବଢ଼ିପାଣି ପରି ଏ ଦେଶକୁ ଇଂରେଜୀ ସଭ୍ୟତା ଯେପରି ପେଲି ଆସୁଅଛି, ସେଥିରେ ଖୁବ୍‌ ସମ୍ଭବ ନବ୍ୟସଭ୍ୟ ଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷ୍ମୀମାନଙ୍କୁ ‘ଗେଲପ’ ଚାଲି ଶିଖାଇବା ନିମନ୍ତେ ଚାବୁକ ସବାର ନୁଯୁକ୍ତ କରିବାକୁ ପ୍ରସ୍ତାବ କରିବସିବେ । ସେ କଥା ଯାହାହେଉ, ଆମ୍ଭେମାନେ କହୁଁ ସୁନ୍ଦରୀମାନଙ୍କ ଚାଲିର ଉପମେୟ ବସ୍ତୁ ପୁରୁଣା କୌଣସି କବି ଠିକ୍‌ କରି ପାରିନାହାନ୍ତି । ବିଚାର କରନ୍ତୁ, ଘୋଡ଼ା ଆଉ ହାତୀମାନେ ଚାରି ଗୋଡ଼ରେ ଚାଲନ୍ତି, ମାତ୍ର ଆମ୍ଭମାନଙ୍କ ଚମ୍ପାର ଦୁଇଗୋଟି ଗୋଡ଼ରୁ ବେଶି ନାହିଁ । ସୁତରାଂ ତାହାକୁ ଗଜେନ୍ଦ୍ରଗାମିନୀ ବା ଅଶ୍ୱବରଗାମିନୀ ବୋଲିବା ନିତାନ୍ତ ଅସଙ୍ଗତ ଅଟେ । ତେବେ ଚମ୍ପା ହାମୁଡ଼ି ହାମୁଡ଼ି ଚାଲିଲେ କିପରି ଦିଶନ୍ତା, ସେ କଥା ଅନୁମାନ କରି କହିବାକୁ ଆମ୍ଭେମାନେ ସମ୍ପ୍ରତି ଅକ୍ଷମ । ପୁଣି ପଦସଂଖ୍ୟା ସମ୍ବନ୍ଧରେ ମରାଳ ସହିତ ସାମଞ୍ଜସ୍ୟ ଥିବାରୁ ତାହାକୁ ମରାଳଗାମିନୀ ବୋଲିବା ଅସଙ୍ଗତ ନୁହେଁ । ଅଳଙ୍କାର ଶାସ୍ତ୍ରର ମର୍ଯାଦାରକ୍ଷା ପାଇଁ ଉପମାନ ଉପମେୟ ଠିକ୍‍ରଖି କହିବାକୁ ଗଲେ ମରାଳ କେତେବେଳେ ଖାଲି ଗୋଡ଼ରେ, କେତେବେଳେ ଡେଣା ମେଲାଇ ଖଣ୍ଡିଉଡ଼ା ଦେଲା ପରି ଚାଲେ, ଆମ୍ଭମାନଙ୍କ ଚମ୍ପା ଗୋହିରୀ ମଝିରେ ମାଣିଆବନ୍ଦି ପଣତ କାନି ଉଡ଼ାଇ ଦୁଇଡେଣା ଦୋହଲାଇ ଚାଲିବାବେଳେ ଠିକ୍‍ ତାହାକୁ ମରାଳଗାମିନୀ ବୋଲାଯାଇପାରେ-

 

ଚମ୍ପାର ରୂପବର୍ଣ୍ଣନା କରିବାକୁ ଯାଇ ଫକୀରମୋହନ କେବଳ ଏଠାରେ ଚମ୍ପାର ବିଷୟରେ ବର୍ଣ୍ଣନା ସୀମିତ ରଖିନାହାନ୍ତି । ଚମ୍ପାର କୁତ୍ସିତ ରୂପର ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଫକୀରମୋହନ ତତ୍‌କାଳୀନ ନବସଭ୍ୟ ବାବୁମାନଙ୍କର ରୁଚି ବିଷୟରେ ମତପ୍ରଦାନ କରିଅଛନ୍ତି । ସେତେବେଳେ ନୂଆ କରି ଇଂରେଜୀ ଶିକ୍ଷା ଏ ଦେଶରେ ପ୍ରଚଳିତ ହେଉଥିବାରୁ ଏ ଦେଶର ଶିକ୍ଷିତ ବ୍ୟକ୍ତିମାନେ ଆକୁଣ୍ଠ ଚିତ୍ତରେ ଇଂରେଜୀ ସଭ୍ୟତାର ଯେ କୌଣସି ଉପାଦାନକୁ ଭଲମନ୍ଦ ବିବେଚନା ନ କରି ଗ୍ରହଣ କରି ପକାଇଥିଲେ । ସେତେବେଳେ ଦେଶବାସୀଙ୍କ ନିକଟରେ ନିଜ ଦେଶର ପରଂପରା ନିକୃଷ୍ଟତର ମନେହୋଇଥିଲା । ପ୍ରାଚ୍ୟସାହିତ୍ୟର ଆଦର୍ଶ ସେତେବେଳେ ଶିକ୍ଷିତ ବ୍ୟକ୍ତିଙ୍କ ନିକଟରେ ଅନାଦର୍ଶରେ ପରିଣତ ହୋଇଥିଲା । ତେଣୁ ଆମର ରୁଚି ଓ ସଂହତି କିପରି ପରିବର୍ତ୍ତିତ ରୂପ ଗ୍ରହଣ କରୁଥିଲେ, ସେହି କଥା ଫକୀରମୋହନ ଏଠାରେ ସୂଚାଇ ଦେଇଅଛନ୍ତି ।

 

ଗ୍ରାମଦେବୀଙ୍କ ବିଷୟ ବର୍ଣ୍ଣନା କରିବାକୁ ଯାଇ ଫକୀରମୋହନ ନିତାନ୍ତ ବାସ୍ତବ କଥାର ବର୍ଣ୍ଣନା କରିଅଛନ୍ତି । ଗାଁରେ କୌଣସି ଲୋକର ଅସୁବିଧା ପଡ଼ିଲେ ବା ରୋଗ ଦେଖାଦେଲେ ଠାକୁରାଣୀଙ୍କର ପୂଜା ହୁଏ । ଫକୀରମୋହନ ଏହି ବିଷୟ ପ୍ରକାଶ କରିବାକୁ ଯାଇ ଆମର ପ୍ରଚଳିତ ରୀତିନୀତିକୁ କିପରି ଭାବରେ ଅପେକ୍ଷା କରିଅଛନ୍ତି ତାହା ଦେଖିବାର କଥା । ସେ ଲେଖିଅଛନ୍ତି, ‘‘କେରାଣିମାନଙ୍କପରି ମାସକୁ ମାସ ଠାକୁରାଣୀଙ୍କର ଆୟ ନାହିଁ - ବିପଦ୍‌ ପଡ଼ିଲେ ଡାକ୍ତର ଆଉ ଓକିଲଙ୍କ ଦୁଆର ପରି ଠାକୁରାଣୀଙ୍କ ଆସ୍ଥାନ ଚମକି ଉଠେ, ଗ୍ରାମର ଲୋକଙ୍କ ଭେଦା ପଇସାରେ ପୂଜାଖର୍ଚ୍ଚ ଚଳେ । ଠାକୁରାଣୀ ଭାରୀ ପ୍ରତ୍ୟକ୍ଷ ଦେବତା, ଏହାଙ୍କ ଅନୁଗ୍ରହରୁ ଗ୍ରାମରେ ଆପଦ ବିପଦ ଘଟେ ନାହିଁ । କେବେ କେବେ ମାଉସୀବୁଢ଼ୀ ପ୍ରବଳ ହୋଇ ଗ୍ରାମରେ ପଶିଯାଏ, ମାତ୍ର ଭଲକରି ପୂଜାଦେଲେ ଶଏ ପଞ୍ଚାଶ ଜଣରୁ ବେଶି ନେଇପାରେ ନାହିଁ, ଛାଡ଼ି ପଳାଏ ।

 

ଆପଣ ସଭ୍ୟ ପାଠକ, ଏକଥା ଶୁଣି ହସିବେ, ବିଜ୍ଞାନଶାସ୍ତ୍ର ଯୋଖିଦେଇ କହିବେ, ରୋଗ ହେଲେ ଔଷଧ ଖାଅ, ଠାକୁରାଣୀଙ୍କ ପୂଜା କ’ଣ ? ଆଚ୍ଛା, ଆମ୍ଭେମାନେ ପଚାରୁ, ବଙ୍ଗଳା ଏପିଡେମିକ ଫିଭର ଓ ବୋମ୍ବେ ପ୍ଲେଗରେ କେତେ କେତେ ଡାକ୍ତର ଝୁଙ୍କିଥିଲେ, କ’ଣ କଲେ ? ଆପଣ କି ସେହି ଡାକ୍ତରମାନଙ୍କର ଅର୍ଦ୍ଧଚନ୍ଦ୍ର ବ୍ୟବସ୍ଥା କରିବେ । ଠାକୁରାଣୀଙ୍କର ବିଶେଷ ମହିମା, ବନ୍ଧ୍ୟାଙ୍କୁ ପୁତ୍ରବତୀ କରାନ୍ତି । ମାଇକିନିଆମାନଙ୍କଠାରୁ ବିଶେଷ ପୂଜା ପାଇବାର ଏହା ଗୋଟିଏ ବିଶେଷ କାରଣ ଅଟେ । କେଉଁ କେଉଁ ବା କେତେଜଣ ବନ୍ଧ୍ୟା ଦେବୀଙ୍କ ବରରୁ ପୁତ୍ରଲାଭ କରିଅଛନ୍ତି, ସେଥିରେ ବିଶେଷ ଠାବ ଦେଇପାରିବୁ ନାହିଁ, ମାତ୍ର ଆମ୍ଭେମାନେ ନିର୍ମାଲ୍ୟ ଛୁଇଁ କହିପାରୁ ଗ୍ରାମରେ ଯେଉଁ ସ୍ତ୍ରୀମାନେ ସନ୍ତାନବତୀ ହୋଇଅଛନ୍ତି, ପ୍ରଥମ ବିବାହ ସମୟରେ ସେମାନେ ବନ୍ଧ୍ୟା ଥିଲେ ।’’

 

ଗ୍ରାମର ସାଧାରଣ ଲୋକମାନଙ୍କର ଧର୍ମବିଶ୍ୱାସ ବିଷୟରେ ଫକୀରମୋହନ ଏଠାରେ ବର୍ଣ୍ଣନା କରିଅଛନ୍ତି । ଏହା ତାଙ୍କର ଏକ ବ୍ୟଙ୍ଗୋକ୍ତି । ବିପଦ ପଡ଼ିଲେ ସାଧାରଣ ଲୋକମାନେ ଠାକୁରାଣୀଙ୍କର ପୂଜା କରନ୍ତି । ତେଣୁ ଫକୀରମୋହନ ଏଠାରେ ଠାକୁରାଣୀଙ୍କୁ ଓକିଲ ଓ ଡାକ୍ତର ସହିତ ତୁଳନା କରିଅଛନ୍ତି । କିରାଣୀମାନଙ୍କର ଯେପରି ମାସିକ ଦରମା ଥାଏ, ଓକିଲ ଓ ଡାକ୍ତରମାନଙ୍କର ସେପରି ନ ଥାଏ । ତେଣୁ ଲେଖକ କିରାଣୀ ଓକିଲ ଏବଂ ଡାକ୍ତରଙ୍କ ବିଷୟ ଏଠାରେ ବ୍ୟଙ୍ଗୋକ୍ତି ଛଳରେ ପ୍ରକାଶ କରିଅଛନ୍ତି । ଫକୀରମୋହନଙ୍କର ଉପରୋକ୍ତ ବର୍ଣ୍ଣନାକୁ ପାଠକଲେ ଯେ କୌଣସି ପାଠକ ମନେକରିବେ, ସତେ ଯେପରି ଫକୀରମୋହନ ରୋଗ ହେଲେ ଔଷଧ ଖାଇବା ନୀତିକୁ ନାପସନ୍ଦ କରିଅଛନ୍ତି । ମାତ୍ର ପ୍ରକୃତ ପକ୍ଷରେ ତାହା ନୁହେଁ । ଫକୀରମୋହନ ଏପରି ଭାବରେ ବର୍ଣ୍ଣନା କରିଅଛନ୍ତି ଯେ ତାହାର ଅନ୍ତର୍ନିହିତ ଭାବକୁ ବୁଝିବା ଆବଶ୍ୟକ । ପ୍ରକୃତ ପକ୍ଷରେ ଫକୀରମୋହନ ଗ୍ରାମବାସୀ ଅଶିକ୍ଷିତ ଲୋକମାନଙ୍କର ଅନ୍ଧବିଶ୍ୱାସର ବିରୁଦ୍ଧାଚରଣ କରିଅଛନ୍ତି । ତା’ ନ ହୋଇଥିଲେ ସେ ସ୍ତ୍ରୀମାନଙ୍କର ସନ୍ତାନଲାଭ ବିଷୟରେ ଏପରି ମତପ୍ରଦାନ କରି ନ ଥାନ୍ତେ ।

 

ଅଶିକ୍ଷିତ ଗ୍ରାମବାସୀମାନେ ଧର୍ମ ତଥା ଦେବଦେବୀଙ୍କ ବିଷୟରେ କିପରି ଅଦ୍‌ଭୁତ ମତପୋଷଣ କରନ୍ତି, ତାହାର ଆଉ ଗୋଟିଏ ଉଦାହରଣ ଲେଖକ ଠାକୁରାଣୀ ବାଘ ଉପରେ ବସି ବୁଲିବା ବିଷୟରେ ଦେଇଅଛନ୍ତି । ‘‘ଭୀମା ମା ଭଣ୍ଡାରୁଣୀ କହିଲା : ମୋର ବୟସ ସାତଗଣ୍ଡା କି ଦେଢ଼ପଣ କି ଚାରିପଣ ହେଲାଣି । ଗ୍ରାମରେ ଯେତେ ବୁଢ଼ା ଦେଖୁଛ; ମୁଁ ସମସ୍ତଙ୍କୁ ବିଭା କରାଇଅଛି ସମସ୍ତେ ମୋ ଆଗରେ ପିଲା । ମୁଁ ନିଜ ଆଖିରେ ଠାକୁରାଣୀଙ୍କୁ ଏଥରକୁ ଲଗାଇ ଦେଖିଲିଣି । କାଲି ନିଶାଭାଗ ରାତିରେ ବାହାରକୁ ଉଠିଲି, ଗୋହିରୀ ମଝିରୁ ଝୁଣାଗନ୍ଧ ଆସିଲା; ଝମର ଝମର ଶୁଭିଲା । ଅନାଇଲି, ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଅଛନ୍ତି । ବାପରେ-! ସେ ବାଘଟା କେଡ଼େ ! ମୁଁ କେତେ ବାଘ ଦେଖିଛି; ଏଡ଼େ ବଡ଼ ବାଘ କାହିଁ ଦେଖିବାର ନାହିଁ । ତା’ର ଲମ୍ବାଟା ସାତ କି ଆଠହାତ ହେବ । ମୁଣ୍ଡଟା ବଡ଼ ପଣ୍ଡା ମୁଣ୍ଡ ପରି ତ୍ରିପଣ୍ଡ କଳା । ବାଘଟ ମୋ ଆଡ଼କୁ ତରାଟି ଚାହିଁଲା । ମୁଁ ତ ଡରରେ ତାଟି କିଳି ପକାଇଲି । ଅଧରାତି ବେଳେ ଦାଣ୍ଡରେ ବାଘ ଚାଲିବା ଶବ୍ଦ ଶୁଣିଥିବାର ଆହୁରି ମଧ୍ୟ ଚାରି ପାଞ୍ଚଜଣ ବୁଢ଼ା ମନୁଷ୍ୟ ସାକ୍ଷ୍ୟଦେଲେ-। ସକାଳେ ବାଘ ଖୋଜ ରାମାତନ୍ତୀ ଦେଖିଥିବାର ଦୃଢ଼ରୂପେ କହିଲା । ଠାକୁରାଣୀ ଆସିଥିବାର ନିଃସନ୍ଦେହରେ ସ୍ଥିରହେଲା ।

 

ଭୀମା ମା ଭଣ୍ଡାରୁଣୀର ବର୍ଣ୍ଣନା ଶୁଣିଲେ ଯେ କୌଣସି ଲୋକ ତାହାକୁ ସତ୍ୟ ମନେକରିପାରେ । କେବଳ ଭୀମା ମା ନୁହେଁ, ଅନ୍ୟ ଯେଉଁମାନେ ତାକଥାକୁ ସମର୍ଥନ କରି ସାକ୍ଷ୍ୟଦେଲେ, ସେମାନଙ୍କ ଧାରଣା ମଧ୍ୟ ଏଠାରେ ଦେଖିବାର କଥା । ସତକୁ ମିଛ ବା ମିଛକୁ ସତ କରି ଏହି ସରଳ ଅଶିକ୍ଷିତ ଗ୍ରାମବାସୀମାନେ ଏହିପରି ଅନେକ କଥା ପ୍ରଚାର କରନ୍ତି । ଏହି କଥାକୁ ଫକୀରମୋହନ ପ୍ରକାଶ କରି ନୀରବ ରହିଯାଇଅଛନ୍ତି । ତାଙ୍କର ବର୍ଣ୍ଣନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ମଙ୍ଗରାଜଙ୍କର ଚକ୍ରାନ୍ତକୁ ବୁଝି ନ ପାରି ସରଳ ଗ୍ରାମବାସୀମାନେ କିପରି ଅନ୍ଧଭାବରେ ଠାକୁରାଣୀଙ୍କ ମହିମା ପ୍ରଚାର କରିଅଛନ୍ତି, ତାହା ବିଷୟରେ ଫକୀରମୋହନ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଅଛନ୍ତି । ଏହାକୁ ପାଠକରି ପାଠକ ମନେ ମନେ ହାସ୍ୟରସ ଆସ୍ୱାଦନ କରିପାରେ; ମାତ୍ର ଏହି ବର୍ଣ୍ଣନାଭଙ୍ଗୀ ହାସ୍ୟରସ ସୃଷ୍ଟି ଉଦ୍ଦେଶ୍ୟରେ ଯେତେଦୂର ପ୍ରଯୁକ୍ତ ବ୍ୟଙ୍ଗୋକ୍ତି ଭାବରେ ତାଠାରୁ ଅଧିକ ଭାବରେ ପ୍ରଯୁକ୍ତ ।

 

ଆଲି ମିଆଁ ପୋଲିସ୍‌ ଦାରୋଗା ଚାକିରୀ କରି ବିଶାଳ ସଂପତ୍ତିର ମାଲିକ ହୋଇପାରିଥିଲେ । ସେକଥା ବର୍ଣ୍ଣନା କରିବାକୁ ଯାଇ ଫକୀରମୋହନ ଲେଖିଛନ୍ତି, ‘‘ମିଆଁ ସାହେବ ନାନା ବିଘ୍ନରେ ଏବଂ ନିର୍ବିଘ୍ନରେ ତିରିଶ ବର୍ଷ ପର୍ଯ୍ୟନ୍ତ ଚାକିରୀ କରି ଅନେକ ବିଷୟସଂପତ୍ତି ଅର୍ଜନ କରି ଯାଇଥିଲେ । ଘର, ବାଗ ବଗିଚା ଘର ଆସବାବମାନ ଛାଡ଼ି ଜମିଦାରୀ ତାଲୁକ ଚାରିଗୋଟା । ପୂର୍ବେ ଓଡ଼ିଶା ଜମିଦାରୀସବୁ କଲିକତାରେ ନିଲାମ ହେଉଥିଲା । ମିଆଁ ଥରେ କଲିକତାକୁ ଗୋଟିଏ ଖୁଣିମାମଲା ଚଲାଣ ଘେନିଯାଇ ତାଲୁକେ ଫତେପୁର ସରଷଣ୍ଡ ନିଲାମରେ କିଣିନେଲେ-। ଆପଣଙ୍କ ମନରେ ଆମ୍ଭେମାନଙ୍କ କଥା ପ୍ରତି ସନ୍ଦେହ ହୋଇପାରେ । ଥାନା ଦାରୋଗା ବର୍ତ୍ତମାନ ବେଙ୍ଗଲ ପୋଲିସ ଇନ୍‌ସପେକ୍‌ଟର ତ ! ଏତେଟଙ୍କା କାହୁଁ ଅର୍ଜିଲା ? ମାତ୍ର ଆପଣ ଆଖିବୁଜି ପଢ଼ି ଯାଆନ୍ତୁ, ଆମ୍ଭମାନଙ୍କ କଥାରେ ପଦେ ମିଛ ନାହିଁ, ନିର୍ମଳ ସତ । ଏକଥା ସମସ୍ତେ ଜାଣନ୍ତି, ଜଣେ ଦିପୋଟି ଗୋବିନ୍ଦ ପଣ୍ଡା ବ୍ରାହ୍ମଣର ଗୋଟିଏ ମକଦ୍ଦମା ଡିଗ୍ରି କରିଦେବାରୁ ପଣ୍ଡେ କଲ୍ୟାଣକରି କହିଥିଲେ, ଦିପୋଟିବାବୁ, ତୁମ୍ଭେ ଦାରୋଗା ହୁଅ । ଆପଣ କଥାଟାର ହାଲ ବୁଝିଲେ ତ ? ବୁଦ୍ଧିମାନ ଲୋକେ ଠାରରୁ ସବୁ ବୁଝିଯାଆନ୍ତି ।’’

 

ଇଂରେଜ ଶାସନ ସମୟରେ ପୋଲିସ ବିଭାଗର କର୍ମଚାରୀମାନଙ୍କର ଅପ୍ରତିହତ ପ୍ରତିପତ୍ତି ସର୍ବଜନବିଦିତ । ପୋଲିସ ବିଭାଗର କର୍ମଚାରୀମାନେ ବିନା ମେଘରେ କୁଳିଶ ସୃଷ୍ଟିକରି ପାରନ୍ତି ବୋଲି ରାଧାନାଥ ମଧ୍ୟ ଲେଖିଅଛନ୍ତି । ପୋଲିସ ଦାରୋଗା ଚାକିରୀ କରି ଆଲି ମିଆଁ ଯେପରି ନିଜର ସଂପତ୍ତି ବର୍ଦ୍ଧନ କରିଥିଲେ, ତାହା ସ୍ପଷ୍ଟଭାବରେ ଜଣାଯାଏ । ଲାଞ୍ଚନେବା ପୋଲିସ କର୍ମଚାରୀମାନଙ୍କର ସେ ସମୟରେ ଗୋଟିଏ ବିଶିଷ୍ଟ କର୍ମ ଥିଲା । ଦିପୋଟି କଚେରୀରେ ବସି ମୋକଦ୍ଦମା ବିଚାର କରନ୍ତି । ତାଙ୍କର ପାହ୍ୟା ଏବଂ ଶକ୍ତି ବହୁତ ଉଚ୍ଚରେ । ମାତ୍ର ସାଧାରଣ ଲୋକେ ପୋଲିସ କର୍ମଚାରୀମାନଙ୍କୁ ସର୍ବୋଚ୍ଚ କର୍ମକର୍ତ୍ତା ଭାବରେ ଗ୍ରହଣକରି ନେଇଥିଲେ । ତାନ ହୋଇ ଥିଲେ ଗୋବିନ୍ଦ ପଣ୍ଡା ଏପରି ଭାବରେ ଆଶୀର୍ବାଦ କରି ନ ଥାନ୍ତା । ସେତେବେଳେ ପୋଲିସ କର୍ମଚାରୀମାନେ କିପରି ଦରିଦ୍ର ଜନସାଧାରଣଙ୍କୁ ବିବ୍ରତ କରି ଅର୍ଥୋପାର୍ଜନ କରୁଥିଲେ, ତାହାର ବହୁ ଉଦାହରଣ ଏହି ଉପନ୍ୟାସରେ ମଧ୍ୟ ବର୍ଣ୍ଣିତ ହୋଇଅଛି । ଗୋବିନ୍ଦ ପଣ୍ଡାର ଆଶୀର୍ବାଦ ପାଠକ ମନରେ ହସର ସଞ୍ଚାର କରେ, ମାତ୍ର ସେ ସମୟର ଏପରି ଅବସ୍ଥା ହୃଦୟଙ୍ଗମ କଲେ ମନ ମଧ୍ୟରେ ବିଷାଦଭାବ ଆସିଥାଏ ।

 

ଚଉକିଦାର ଗୋବରା ଜେନା କଥା ବର୍ଣ୍ଣନା କରି ଲେଖକ ତା’ର ପ୍ରକୃଷ୍ଟ ପରିଚୟ ପ୍ରଦାନ କରିଛନ୍ତି । ଗୋବରା ଜେନା ପ୍ରକୃତ ପକ୍ଷରେ ନିଜର ସ୍ୱାର୍ଥସାଧନରେ ସବୁବେଳେ ବ୍ୟସ୍ତ ଥାଏ, ମାତ୍ର ଲେଖକ ବ୍ୟଙ୍ଗୋକ୍ତିରେ ପ୍ରକାଶ କରିଛନ୍ତି ସତେ ଯେପରି ସେ ସତତ ତା’ର କର୍ତ୍ତବ୍ୟରେ ଲିପ୍ତ ଥାଏ । ଲେଖକଙ୍କର ବ୍ୟଙ୍ଗୋକ୍ତି ଏଠାରେ ଲକ୍ଷ୍ୟ କରିବାର କଥା । ସେ ଲେଖିଛନ୍ତି, ‘‘ଆମ୍ଭମାନଙ୍କ ଜେନାପୁଅ ସେହିପରି ଜଣେ ସାଧୁ ସଚ୍ଚରିତ୍ର ଲୋକ । ଆପଣାର ହକ ଅର୍ଥାତ୍‌ ବାର୍ଷିକ ହଳା, ବାହାପୁଅଣିରେ ଖଦି ମୂର୍ତ୍ତିଏ, ଉପରି ବରଠାରୁ ଚୌକିଆ ରୋସମ ଟଙ୍କାଟିଏ ଆଉ ମଲାମରୁଡ଼ିରେ ଭାତିଆ ବାବଦକୁ କିଛି ଖର୍ଚ୍ଚା ଏବଂ ପିଢ଼ାରୁ ଲାଉ କଖାରୁଟା ଛଡ଼ା କାହାରିଠାରୁ କିଛି ଲାଞ୍ଚରିସ୍‌ପତ୍‌ ଛୁଏଁ ନାହିଁ । ଆଉ ଚୋରି, ସାପକାମୁଡ଼ା, ଜଳଡୁବି, ମାମଲା ପଡ଼ିଲେ ପୋଲିସରେ ଏତଲା ଖର୍ଚ୍ଚା ଟଙ୍କାଟିଏ, ସେ ତ ଆଇନରେ ଅଛି । ସେଥିରେ ଚୌକିଦାର କ’ଣ ଇଲାକା ? ବରଞ୍ଚ ଗୋବର୍ଦ୍ଧନ ଭାରି ଦୟାଳୁ ଲୋକ । କେହି ଗରିବ ଉପରେ ମାମଲା ପଡ଼ିଲେ କଂସାଖଣ୍ଡି ଢାଳଟି ନେଇ କାମ ତୁଲାଇ ନିଏ । ମାସକୁ ଥରେ ପୋଲିସରେ ରିପୋର୍ଟ ଦେବାକୁ ଯିବାବେଳେ ଗ୍ରାମରୁ କଦଳୀ କାନ୍ଦିଟା, ଲାଉ, କଖାରୁ ପୁଞ୍ଜାଏ ମୁନ୍‌ସି ଜମାଦାର ବରକନ୍ଦାଜ ସକାଶେ ନେବାର ତ ସୁବାମତି କଥା । କାମ ଝଞ୍ଜଟ ହେତୁରୁ ଜେନାପୁଅ ରାତିଓଳିଟା ଘରୁ ଭାତ ଖାଇ ପାରେ ନାହିଁ । ପାଳିକରି ଗାଁଲୋକଙ୍କ ଘରୁ ଖାଏ । ଯାହା ଘରୁ ଯେଉଁଦିନ ଖାଇବାର, ବେଳ ଥାଉଁ ଥାଉଁ ମୁଠାଏ ଚାଉଳ ପକାଇବା ସକାଶେ କହିଯାଏ । ଖଞ୍ଜ ଅଖଞ୍ଜରେ ଭାତ ହୋଇ ନ ପାରିଲେ ଜେନାପୁଅ ସେ ଦିନ ରାତିରେ ତାହା ଘର ପହରା କାମରେ ଢିଲା କରିଦିଏ । ଚୋରମାନେ ତକ୍ଷଣେ ଏ କଥା ଜାଣିପାରି ସେଦିନ ରାତିରେ ତାହା ପିଢ଼ା ବା ବାଡ଼ିରୁ ଫଳ, କଦଳୀଟା କିମ୍ବା ବିଲରୁ ଧାନ ଚୋରିକରି ଘେନିଯାନ୍ତି କିମ୍ବା କିଛି ନପାଇଲେ ତାହାର ଦାଣ୍ଡଦୁଆର ଖୁମ୍ବଟା ଭାଙ୍ଗି ଦେଇ ଯାଆନ୍ତି । ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି ଆପଣା ଘର ପର୍ଯ୍ୟନ୍ତ, ‘ଗାଁ ଲୋକେ ହୁସିଆର, ଘରବାଲେ ଖବରଦାର’ ପାଟିକରି ଡାକ ଦିଏ । ଚେଇଁଥିବା ପିଲାମାନେ ସେ ଡାକ ଶୁଣି ଶୋଇପଡ଼ନ୍ତି । ତାବାଦ୍‌ ସେ ଗାଁରେ ସାରା ରାତି ପହରା ଦିଏ, ଏକଥା କାହାକୁ ଜଣାପଡ଼େ ନାହିଁ ।

 

ଗୋବରା ଜେନା ଚଉକିଦାର ଚରିତ୍ର ବିଷୟରେ ଫକୀରମୋହନ ନ କହି ନ କହି ବହୁତ କଥା କହିପକାଇ ଅଛନ୍ତି । କେବଳ ଗୋବରା ଜେନା ନୁହେଁ, ସମଗ୍ର ପୋଲିସ ବିଭାଗ ବିଷୟରେ ମଧ୍ୟ ଲେଖକ ଗୋବରା ଜେନାକୁ କେନ୍ଦ୍ରକରି ବହୁ ତଥ୍ୟ ପ୍ରକାଶ କରି ଅଛନ୍ତି ।

 

ଗୋବରା ଜେନା ଗ୍ରାମବାସୀଙ୍କଠାରୁ କିପରି ଅନ୍ୟାୟରେ ଶୋଷଣ କରେ, ତାହା ଲେଖକ ବର୍ଣ୍ଣନା କରିଅଛନ୍ତି । ଗୋବରା ଜେନା ଯାହା ଘରେ ଖାଇବାର ବରାଦ କରିଥାଏ ତାଘରୁ ଖାଇବାକୁ ନ ପାଇଲେ ସେହିଦିନ ରାତିରେ ତାବାଡ଼ିରୁ ଚୋରିକରେ, କିଛି ନପାଇଲେ ଦାଣ୍ଡ ଖୁମ୍ବଟା ଭାଙ୍ଗିଦିଏ । ଏହାଠାରୁ ବଳି କଦର୍ଯ୍ୟ ଚରିତ୍ର ଆଉ କ’ଣ ଥାଇପାରେ ? ଇଂରେଜ ରାଜତ୍ୱ ସମୟରେ ପୋଲିସ୍‌ ବିଭାଗର କର୍ମଚାରୀମାନେ ରକ୍ଷକର ଆସନରେ ଥାଇ କିପରି ଭକ୍ଷକରେ ପରିଣତ ହେଉଥିଲେ, ତାହା ସ୍ପଷ୍ଟଭାବରେ ଫକୀରମୋହନ ପ୍ରକାଶ କରିଅଛନ୍ତି ।

 

ଅଦ୍ଭୁତ ଉପମା ଦେଇ ଶାଣିତ ବ୍ୟଙ୍ଗୋକ୍ତି ଜରିଆରେ ଫକୀରମୋହନ ହାସ୍ୟରସ ସୃଷ୍ଟି କରିବାକୁ ସମର୍ଥ ହୋଇ ଅଛନ୍ତି । ଶେଖ୍‌ଦିଲଦାର ମିଆଁକୁ ପାରସୀ ପଢ଼ାଇବା ନିମନ୍ତେ ଯେଉଁ ଆଖୁନ୍‌ଜୀ ନିଯୁକ୍ତ ହୋଇଥିଲେ, ସେହି ଆଖୁନ୍‌ଜୀଙ୍କୁ ତଡ଼ିବା ପାଇଁ ଦିଲ୍‌ଦାର୍‌ ମିଆଁ ଦିନେ ଆଖୁନ୍‌ଜୀ ଶୋଇଥିବା ଅବସ୍ଥାରେ ତାଙ୍କ ଦାଢ଼ିରେ ନିଆଁ ଲଗାଇ ଦେଇଥିଲେ । ସେହି ବର୍ଣ୍ଣନାକୁ ଫକୀରମୋହନ ଏପରି ଜୀବନ୍ତଭାବରେ ଦେଇଅଛନ୍ତି ଯେ ପାଠକ ତାହାକୁ ପାଠକରି ନ ହସି ରହିପାରିବେ ନାହିଁ । ଲେଖକ ଲେଖିଅଛନ୍ତି, ‘‘ଦିନେ ଓପରଓଳି ଆଖୁନ୍‌ଜି ସାହେବ ଖାନାଖାଇ ଚିତ୍‌ହୋଇ ଶୋଇଥିଲେ । କେଉଟମାନେ ଯେପରି ତାଗ କାଟିବା ସକାଶେ ଛଣପଟ ବିଡ଼ା ମେଲାଇ ଦେଇଥାଆନ୍ତି, ସେହିପରି ବିଡ଼ାଏ ପାଚିଲାଦାଢ଼ି ମିଆଁଙ୍କ ବେକ ଓ ଛାତିକୁ ଘୋଡ଼ାଇ ପକାଇଥିଲା । ଗୋଟିଏ ଜଳନ୍ତା ଟିକିଆ ଦାଢ଼ି ମଝିରେ ପଡ଼ି ପଡ଼ ପଡ଼ କରି ପୋଡ଼ି ଛାତିରେ ଲାଗିବାରୁ ଆଖୁନ୍‌ଜୀ ଧଡ଼ପଡ଼ ହୋଇ ଉଠିପଡ଼ି, ତୋବା’ ତୋବା’ କହି ଦାଢ଼ି ଝାଡ଼ିବାକୁ ଲାଗିଲେ । ଟିକିଆ ଖଣ୍ଡ ଭାଙ୍ଗି ନିଆଁ ଝୁଲସବୁ ଲୁଗା ପଟାଯାକ ବୁଣିପଡ଼ିଲା । ପାଚିଲା ଦାଢ଼ିଗୁଡ଼ାକ ଝରିବାଣ ପରି ଚାରିଆଡ଼େ ଉଡ଼ୁଥାଏ । ଆମେରି ତୋବାରେ, ଆମେରି ତୋବାରେ କହି ମିଆଁ ଘରଯାକ ଡିଆଁମାରି ନିଆଁ ନିଭାଉଥାଆନ୍ତି । ଲଙ୍କା ପୋଡ଼ିବାବେଳେ ହନୁମାନ ମୁହଁରେ ନିଆଁ ଲାଗିଥିବାରୁ କିପରି ଦିଶୁଥିଲା; ମହର୍ଷି ବାଲ୍ମୀକି ସେ କଥା ଖୋଲାସା କରି ଲେଖିଯାଇ ନାହାନ୍ତି । ତେଣୁ ଆମ୍ଭେମାନେ ଉପମାଛଳରେ ସେ କଥାଟା ଉଲ୍ଲେଖ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ବିବେଚନା କରୁଅଛୁ । ‘ସର୍ବନାଶଂ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜତି ପଣ୍ଡିତଃ’ । ଆଖୁନ୍‌ଜୀ ସାହେବ ଏହି ନୀତିଶାସ୍ତ୍ର ଅନୁସାରେ ଅଧାଅଧି ଦାଢ଼ି ଆୟତ୍ତ ପୂର୍ବକ ‘ବିସ୍‌ମିଲ୍ଲା’ ‘ବିସ୍‌ମିଲ୍ଲା’ କହି ସେ ଦିନ ରାତିରେ କବାଟ କିଳି ରହିଲେ ।’’

 

ଉପରୋକ୍ତ ଉଦ୍ଧୃତାଂଶରେ ଲେଖକ ଦିଲ୍‌ଦାର୍‌ ମିଆଁଙ୍କର ଅପକର୍ମ ବିଷୟ ବର୍ଣ୍ଣନା କରିବାକୁ ଯାଇ କଥା ପ୍ରସଙ୍ଗରେ ଗୁଡ଼ିଏ ଅଦ୍ଭୁତ ଉପମା ପ୍ରୟୋଗ କରି ପାଠକଙ୍କ ନିକଟରେ ହାସ୍ୟରସ ପରିବେଷଣ କରିଅଛନ୍ତି । ଆଖୁନ୍‌ଜୀ ସାହେବଙ୍କର ପାଚିଲା ଦାଢ଼ିକୁ ଲେଖକ ତାଗ କାଟିବା ନିମନ୍ତେ ମେଲାଇ ଦିଆଯାଇଥିବା ଛଣପଟ ବିଡ଼ା ସହିତ ତୁଳନା କରିଅଛନ୍ତି । ପୋଡ଼ିଯାଇ ଝଡ଼ିଯାଇଥିବା ପାଚିଲା ଦାଢ଼ିକୁ ଲେଖକ ଝରିବାଣ ସହିତ ତୁଳନା କରିଅଛନ୍ତି । ଏହି ଦୁଇଟି ଉପମା ପାଠକଙ୍କୁ ଯେତେ ଆକୃଷ୍ଟ ନ କରେ, ଶେଷୋକ୍ତ ଉପମାଟି ତାଠାରୁ ଅଧିକ ପରିମାଣରେ ଆକୃଷ୍ଟ କରେ । ମିଆଁ ଯେତେବେଳେ ‘‘ଆମେରି ତୋବାରେ, ଆମେରି, ତୋବାରେ’’ ଚିତ୍କାର କରି ଘରଯାକ ଡେଇଁ ଦାଢ଼ିରୁ ନିଆଁ ନିଭାଉଅଛନ୍ତି, ସେତେବେଳେ ଲେଖକ ହନୁମାନର ମୁହଁ ପୋଡ଼ିଯିବାବେଳେ ତାମୁହଁ କିପରି ଦିଶୁଥିଲା ତାହାକୁ ମିଆଁଙ୍କର ମୁହଁର ଅବସ୍ଥା ସହିତ ଉପମା ଦିଆଯାଇ ପାରିବ କି ନା ଠିକ୍‌ କରି ପାରୁନାହାନ୍ତି; କାରଣ ମହର୍ଷି ବାଲ୍ମୀକି ସେକଥା ଖୋଲାସା କରି ଲେଖିଯାଇ ନାହାନ୍ତି । ଏପରି ବର୍ଣ୍ଣନା ପାଠକଲେ କେଉଁ ପାଠକ ନ ହସି ରହିପାରିବ ? ମିଆଁଙ୍କ ଦାଢ଼ି ପୋଡ଼ିଯିବାବେଳେ କଷ୍ଟରୁ ରକ୍ଷାପାଇବା ନିମନ୍ତେ ମିଆଁ ଯଥାସାଧ୍ୟ ଚେଷ୍ଟାକରି ଦାଢ଼ିରୁ ନିଆଁ ନିଭାଇଲେ । ମାତ୍ର ଫକୀରମୋହନ ଏଠାରେ ‘‘ସର୍ବନାଶଂ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜତି ପଣ୍ଡିତଃ’’ ଶ୍ଳୋକଟି ଉଦ୍ଧାର କରି ଏହି ନୀତି ଅନୁସାରେ ମିଆଁ ଅଧାଅଧି ପୋଡ଼ା ଦାଢ଼ି ଛାଡ଼ିଦେଇ ବାକୀତକ ରକ୍ଷାକଲେ ବୋଲି ଲେଖିଛନ୍ତି । ଏହା ଫକୀରମୋହନଙ୍କର ହାସ୍ୟରସିକତାର ଅନ୍ୟ ଏକ ପରିଚୟ ।

 

ଅସୁରଦୀଘି ବର୍ଣ୍ଣନାରେ ଲେଖକଙ୍କର ବର୍ଣ୍ଣନା ଚାତୁରୀ ଅତୀବ ଜୀବନ୍ତ ହୋଇଅଛି । ପୋଖରୀକୂଳରେ ଚିଲ ବସିଥିବାର ଦେଖି ଲେଖକ ବର୍ଣ୍ଣନା କରିଅଛନ୍ତି, ‘‘ଚିଲ ଖୁବ୍‌ ସିଆଣା, ଭାରି ହୁସିଆର ଗୁରୁ ଗୋସେଇଁଙ୍କ ପରି ଡାଳରେ ତୁନିହୋଇ ବସିଅଛି, ଥରେ ପାଣିକି ଝାମ୍ପିପଡ଼ି ଯାହା ଉଠାଇନିଏ, ଏଥିରେ ତାହାର ଦିନକ କଟିଯାଏ । ଗୋସେଇଁମାନେ ବରଷଯାକ ପିଣ୍ଡାରୁ ଓହ୍ଲାନ୍ତି ନାହିଁ, ବରଷକୁ ଥରେ ଶିଷ୍ୟଦୁଆରକୁ ଝାମ୍ପିମାରନ୍ତି ।

 

ପୋଖରୀ ତୁଠରେ ଚିଲଟିଏ ବସିଥିବାର ଦେଖି ଫକୀରମୋହନ ତାକୁ ଗୁରୁଗୋସେଇଁଙ୍କ ସହିତ ତୁଳନା କରିଅଛନ୍ତି । ଗୁରୁ ଗୋସେଇଁମାନେ ବର୍ଷକରେ ଥରେ ଶିଷ୍ୟଘରକୁ ଯାଇ ଯାହା ପାଆନ୍ତି, ସେଥିରେ ବର୍ଷଯାକ ଚଳିଯାଆନ୍ତି । ଏହି ନୀତି ପ୍ରତି ଫକୀରମୋହନଙ୍କ ବ୍ୟଙ୍ଗୋକ୍ତି ଲକ୍ଷ୍ୟ କରିବାର କଥା ।

 

ପୁଣି, ‘ବଗଚରାଠାରୁ ଚାଳିଶ ପଞ୍ଚାଶ ହାତ ଦୂର ପାଣିଯାଏ ବଉଳମାଳା ଦଳ ଶିଙ୍ଗଡ଼ା ପୂର୍ଣ୍ଣ । ସେହିଦଳ ମଧ୍ୟରେ ହିନ୍ଦୁଘର ଭୁଆସୁଣୀଙ୍କ ପରି କଇଁଗୁଡ଼ିକ ରାତିରେ ତୁନି ତୁନି ଫୁଟନ୍ତି, ଦିନବେଳେ ଢାଙ୍କି ଢାଙ୍କି ରହନ୍ତି । ସେଥିମଧ୍ୟରେ ପାଣି ଶିମୁଳି ଫୁଲଗୁଡ଼ିକ ଅଭିଆଡ଼ି ଝିଅଙ୍କ ପରି, ଲାଜ ନାହିଁ, ସରମ ନାହିଁ, ଦିନରାତି ପବନରେ ଫକ୍‌ ଫକ୍‌ ଡେଉଁଛନ୍ତି । ପାଣି ଭିତରକୁ ରତାକଇଁ । ଏମାନେ ଶିକ୍ଷିତା ଖ୍ରୀଷ୍ଟାନ୍‌ ଲେଡି, କଇଁଦଳରୁ ବାହାରି ଗଲେଣି, ପଦ୍ମଦଳରେ ମିଶିପାରି ନାହାନ୍ତି ।’’

 

ପୋଖରୀରେ ଦଳଠାରୁ ଆରମ୍ଭକରି କଇଁଫୁଲ ପର୍ଯ୍ୟନ୍ତ କିପରି ଦୃଶ୍ୟ ସୃଷ୍ଟି ହୋଇଅଛି, ସେ କଥା ଫକୀରମୋହନ ଅତ୍ୟନ୍ତ ଦକ୍ଷ ଶିଳ୍ପୀ ଭଳି ଚିତ୍ରଟିଏ ଅଙ୍କନ କରିଅଛନ୍ତି । ଏହି ଚିତ୍ର ଅଙ୍କନରେ ସବୁଠାରୁ ବେଶି ଲକ୍ଷ୍ୟ କରିବାର କଥା ହେଉଛି ଉମପାଗୁଡ଼ିକ । ଏହି ଉପମାଗୁଡ଼ିକ ଏତେ ବାସ୍ତବ ଓ ଜୀବନ୍ତ ହୋଇଅଛି ଯେ ଏଗୁଡ଼ିକ ପାଠକରି ପାଠକ ଆନନ୍ଦଲାଭ କରିଥାଏ ।

 

ଏହିପରି ବହୁ ବର୍ଣ୍ଣନା ଭିତରେ ଫକୀରମୋହନ ବହୁପ୍ରକାର କଥା କହି ପାଠକମାନଙ୍କ ନିକଟରେ ହାସ୍ୟରସ ପରିବେଷଣ କରିଅଛନ୍ତି । ସମଗ୍ର ଛ ମାଣ ଆଠଗୁଣ୍ଠର କଳେବର ହାସ୍ୟରସରେ ପରିପୂର୍ଣ୍ଣ ବୋଲି କହିଲେ ଅସମୀଚୀନ ହେବ ନାହିଁ । କେତେକ ବିଖ୍ୟାତ ଶ୍ଳୋକ ବା ନୀତିବାକ୍ୟର ବିକୃତ ଅର୍ଥପ୍ରକାଶ କରି ଫକୀରମୋହନ ହାସ୍ୟରସ ସୃଷ୍ଟି କରିଅଛନ୍ତି ।

 

ରାମଚନ୍ଦ୍ର ମଙ୍ଗରାଜ ତାଙ୍କର ପୁଅମାନଙ୍କୁ ପାଖରେ ରଖନ୍ତ ନାହିଁ । ଏ ବିଷୟରେ ଲେଖକ ଲେଖିଅଛନ୍ତି, ‘‘ଜଣେ ମୁରବି ଭଳିଆ ଲୋକ କହିଥିଲା; ଆହେ ମଙ୍ଗରାଜେ, ପୁଅମାନଙ୍କୁ କ୍ୟାଁ ପାଖ ପୁରାଅ ନାହିଁ ?’’ ମଙ୍ଗରାଜେ ଉତ୍ତର ଦେଲେ, ‘‘ଆହା ତୁମ୍ଭେ କି ଶାସ୍ତ୍ର ଶୁଣି ନାହଁ ।

 

ଲାଳାୟେତ୍‌ ପଞ୍ଚ ବର୍ଷାଣି ଦଶ ବର୍ଷାଣି ତାଡ଼ୟେତ୍‌

ପ୍ରାପ୍ତେତୁ ଷୋଡ଼ଶେ ବର୍ଷେ ପୁତ୍ରଂ ମିତ୍ରବଦାଚରେତ୍‌ ।

 

ଅର୍ଥାତ୍‌ ପୁଅମାନଙ୍କ ପାଟିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲାଳ ବହେ, ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିବ, ଷୋଳ ବର୍ଷ ହେଲା ଉତ୍ତାରେ ସେମାନଙ୍କ ସହିତ ଆଉ ମିତ୍ରମାନଙ୍କ ସହିତ ବଦ ଅର୍ଥାତ୍‌ ଖରାପ ଆଚରଣ କରିବ ?’’

 

ଭଗିଆ ଏବଂ ଶାରିଆର ପାରିବାରିକ ଜୀବନ ବିଷୟରେ ବର୍ଣ୍ଣନା କଲାବେଳେ ଫକୀରମୋହନ ଲେଖିଛନ୍ତି, ‘‘ଓହୋ ! ଆମ୍ଭେମାନେ ଗୋଟାଏ ଉତ୍କଟ ଭୁଲ୍‌ କରି ପକାଇଅଛୁ । ‘‘ମୁନୀନାଞ୍ଚ ମତିଭ୍ରମଃ’’ - ମୁନିମାନେ ଲେଖାପଢ଼ା କରିବାବେଳେ ବଡ଼ଭୁଲ କରିପକାନ୍ତି, ଅର୍ଥାତ୍‌ ଯେଉଁମାନେ ଲେଖିବାବେଳେ ଭୁଲନ୍ତି, ସେମାନେ ମୁନି । ସୁତରାଂ ଆଜିଠାରୁ ଲୋକମାନେ ଯେ ଆମ୍ଭମାନଙ୍କୁ ମୁନି କିମ୍ବା ଋଷିବୋଲି ଡାକିବେ, ସେ ବିଷୟରେ କିଛିମାତ୍ର ସନ୍ଦେହ ନାହିଁ । ଓହୋ, କି ଭାଗ୍ୟ ! ରଷ ସାରା ସାହେବଙ୍କ ଦୁଆରେ ନେଉଲ ପରି ଲୁଙ୍ଗ୍‌ ଲୁଙ୍ଗ୍‌ ହେବାକୁ ନାହିଁ, କରଜ ଦାମକରି ହଜାର ଟଙ୍କା ଖରଚ । ଡାକ୍ତରଖାନା ବସାଇବାକୁ ନାହିଁ କିମ୍ବା ନିହାତି ସହଜ କଥା ବକ୍‌ସିସ ଦେଇ ଫରାସୀ ଖାନ୍‌ସମାଙ୍କ ଗୋଡ଼ହାତ ଧରିବାକୁ ନାହିଁ, ମାହାଳିଆଟାରେ କେଡ଼େ ନାମଟାଏ ପାଇଗଲୁ । ମାତ୍ର ସତ୍ୟର ମର୍ଯ୍ୟାଦା ରକ୍ଷା ନିମନ୍ତେ ସ୍ୱାର୍ଥତ୍ୟାଗ କରିବାକୁ ଆମ୍ଭେମାନେ କେବେ ହେଁ କାତର ନୋହୁଁ, ‘ନମିଥ୍ୟା ପାତକଂ ପରଂ’ ଅସ୍ୟାର୍ଥ ମିଥ୍ୟା ଆଉ ପାତକ ପର ନିକଟକୁ ଯାଏ ନାହିଁ ’ ଆପଣା ପାଖରେ ଥାଏ ।’’
 

ଉପରୋକ୍ତ ଉଦ୍ଧୃତାଂଶରେ ଫକୀରମୋହନ ଗୋଟିଏ ସାମାନ୍ୟ କଥାର ଅବତାରଣା କରିବାକୁ ଯାଇ ଏକ ଦୀର୍ଘ ବର୍ଣ୍ଣନାକୁ ସ୍ଥାନ ଦେଇଅଛନ୍ତି । ଉକ୍ତ ଉଦ୍ଧୃତିର ଆରମ୍ଭ ଓ ଶେଷରେ ଥିବା ଦୁଇଟିଯାକ ଶ୍ଳୋକର ଅର୍ଥ ପାଠକକୁ ଯେତିକି ହସିବାର ଉପାଦାନ ଯୋଗାଏ, ଉଦ୍ଧୃତିରେ ଥିବା ବ୍ୟଙ୍ଗୋକ୍ତି ପାଠକକୁ ସେତିକି ସତର୍କ କରିଦିଏ । ସେ ସମୟରେ କୌଣସି ପ୍ରକାର ପଦବୀ ଲାଭ କରିବା ନିମନ୍ତେ ବା କୌଣସି ଏକ କାର୍ଯ୍ୟ ସମାପନ କରିବା ନିମନ୍ତେ ଲୋକମାନେ ସିଧାସଳଖ କର୍ମତତ୍ପର ନ ହୋଇ କିପରି ଭାବରେ ଅସତ୍‌ ପଥର ଆଶ୍ରୟ ନେଉଥିଲେ, ତାହାକୁ ଫକୀରମୋହନ ଏଠାରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ତତ୍‌କାଳୀନ ସମାଜକୁ ଆକ୍ଷେପ କରିଅଛନ୍ତି । ସାମାଜିକ ବାତାବରଣ ମଧ୍ୟରେ ରହି ସମାଜର ଚଳଣିକୁ ତୀକ୍ଷ୍‌ଣ ଭାବରେ ସମାଲୋଚନା କରି ତ୍ରୁଟିଗୁଡ଼ିକୁ ସୁଧାରିବା ଉଦ୍ଦେଶ୍ୟରେ ଲେଖକ ଏପରି ବ୍ୟଙ୍ଗୋକ୍ତିର ଆଶ୍ରୟ ନେଇ ଅଛନ୍ତି ।

 

ଚମ୍ପାର ରୂପବର୍ଣ୍ଣନାକୁ ଫକୀରମୋହନ ଅତ୍ୟନ୍ତ ଦୀର୍ଘ କରି ଦେଇଅଛନ୍ତି । ଏହି ଦୀର୍ଘ ବର୍ଣ୍ଣନାରେ ଚମ୍ପାର ସୌନ୍ଦର୍ଯ୍ୟର ଅପକର୍ଷ ହିଁ ପ୍ରତିପାଦିତ ହୋଇଅଛି । ଫକୀରମୋହନ ଲେଖି ଅଛନ୍ତି, ‘‘ନିଜେ କାଳିଦାସେ ଚମ୍ପା ରୂପବର୍ଣ୍ଣନାର ନମୁନା ରଖିଯାଇ ଅଛନ୍ତି । ଦାସେ ବୋଇଲେ ତନ୍ୱୀଶ୍ୟାମା ଶିଖରିଦଶନା ପକ୍ୱବିମ୍ବାଧରୋଷ୍ଠୀ’’ । ଅସ୍ୟାର୍ଥ–ତନୁ ବୋଲନ୍ତେ ଶରୀର, ଚମ୍ପାର ତନୁ ଥିବାରୁ ତନ୍ୱୀ । ଶ୍ୟାମା ବୋଲନ୍ତେ କାଳିଆ ନୁହେଁ, ଗୋରା ନୁହେଁ, ଶ୍ୟାମଳବର୍ଣ୍ଣା । ଚମ୍ପା ଶ୍ୟାମଳବର୍ଣ୍ଣା । ଶିଖରିଦଶନା–ଶିଖରି ବୋଲନ୍ତେ ପାହାଡ଼, ଦଶନ ବୋଲନ୍ତେ ଦାନ୍ତ; ଚମ୍ପାର ଛାମୁଦାନ୍ତ ଦୁଇଗୋଟି ବାହାଡ଼ା ହୋଇ ଗୋଟାକ ଉପରେ ଗୋଟିଏ ଚଢ଼ିଯାଇ ପର୍ବତଶୃଙ୍ଗ ପରି ଟେକି ରହିଥିବାରୁ ସେ ଶିଖରିଦଶନା । ଆଉ ପକ୍ୱ ବିମ୍ବାଧରୋଷ୍ଠୀ, ପକ୍ୱ ବୋଲନ୍ତେ ପାଚିଲା, ବିମ୍ବ ବୋଲନ୍ତେ କୁଆମଇତା, ଅଧରଓଷ୍ଠ ବୋଲନ୍ତେ ତଳ ଉପର ଓଠ ଅର୍ଥାତ୍‌ ପାନ ବୋଳରେ ଚମ୍ପାର ଦୁଇ ଓଠ ଲାଲ ହୋଇଯିବାରୁ ସେ ପକ୍ୱବିମ୍ବାଧରୋଷ୍ଠୀ ଇତ୍ୟାଦି ।

 

ପୁଣି ଦାସେ-‘‘ମଧ୍ୟେ କ୍ଷମା-ସ୍ତୋକନମ୍ରା-’’ ପ୍ରଭୃତି ଢେର କଥା କହିଅଛନ୍ତି; ମାତ୍ର ଚମ୍ପାର ଯେ ସବୁ ଅଙ୍ଗ ବସ୍ତ୍ରାବୃତ, ଅର୍ଥାତ୍‌ ଆମ୍ଭେମାନେ ଯେ ସବୁ ଅଙ୍ଗ ଦେଖିନାହୁଁ ସେ ସମସ୍ତ ଅଙ୍ଗବର୍ଣ୍ଣନା କରିବାକୁ ନିତାନ୍ତ ନାରାଜ । ଦାସେ ତ ଦାସେ, ଯାହା ନ ଦେଖିଛୁ ଦୁଇ ନୟନେ; ତାହା ନ ଲେଖିବୁ ଗୁରୁବଚନେ–ତେବେ ଦେଖାସ୍ଥାନଗୁଡ଼ିକ ବର୍ଣ୍ଣନା କରିବାକୁ ଛାଡ଼ିବାପାତ୍ର ଆମ୍ଭେମାନେ ନୋହୁଁ । ଯଥା–

 

‘‘କଜ୍ଜ୍ୱଳ ପୂରିତ ଲୋଚନ ଭାଲେ ।

ଗୁଣ୍ଡ ମିଶା ଖିଲ୍ଲୀ ଗୁଞ୍ଜିତ ଗାଲେ ।୧।

ତୈଳ ହରିଦ୍ରା ବୋଳିତ ଦେହେ ।

କୁକ୍‌କୁରୀବ ଶୀଘ୍ରଂ ଧାବତି ଗେହେ ।୨।

ଷୋଳହାତୀ ଶାଢ଼ୀ ବିସ୍ତୃତ କଚ୍ଛେ ।

ଥୋପ ଭିଡ଼ା ଜୁଡ଼ା ଶୋଭିତ ଉଚ୍ଚେ ।୩।

ଦୁମୁ ଦୁମୁ ଗୁମୁ ଗୁମୁ ଚଳନଂ ତସ୍ୟା ।

ଚଳତି ବା ଧାବତି ବିଷମ ସମସ୍ୟା ।୪।

କଙ୍କଣ ଚୁଡ଼ି ହସ୍ତେ ବିରାଜେ ।

ଝମ ଝମ ଝମ ଝୁଣ୍ଟିଆ ବାଜେ ।୫।

ସା ଯଦା ଗଚ୍ଛତି ଗୋହିରୀ ଦାଣ୍ଡେ ।

ହସ୍ତ ହଲାଇ ଚାଣ୍ଡେ ଚାଣ୍ଡେ ।୬।

ଦେଖି ଶଙ୍କି ଯାନ୍ତି ଗ୍ରାମ୍ୟଲୋକେ ।

ଡରିମରି ପଳାଇଯାନ୍ତି ଥୋକେ ।୭।

ଇତି ରୂପ ବର୍ଣ୍ଣନଂ ପଜ୍‌ଝଟୀ ଛନ୍ଦେ ।

ଅତଃ ଗୁଣ ବର୍ଣ୍ଣ୍ୟତେ ବିବିଧ ପ୍ରବନ୍ଧେ ।୮।’’

 

କାଳିଦାସଙ୍କର ବିଖ୍ୟାତ ସରସ୍ୱତୀ ବନ୍ଦନା ଶ୍ଳୋକକୁ ଲାଳିକାର ରୂପଦେଇ ଫକୀରମୋହନ ଚମ୍ପାର ଯେପରି ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଅଛନ୍ତି, ତାହା ତାଙ୍କର ରସିକ ହୃଦୟର ପରିଚୟ ଦେଇଥାଏ । ହାସ୍ୟରସ ସୃଷ୍ଟି ନିମିତ୍ତ ଏହା ଫକୀରମୋହନଙ୍କର ଅନ୍ୟ ଏକ କୌଶଳ ।

 

ଶକ୍ତି ଉପାସକମାନଙ୍କର ପ୍ରଧାନ ସ୍ତୋତ୍ରକୁ ଅବଲମ୍ବନ କରି ଫକୀରମୋହନ ବୁଢ଼ୀମଙ୍ଗଳାଙ୍କ ବିଷୟ ବର୍ଣ୍ଣନା କରିଛନ୍ତି । ବୁଢ଼ୀମଙ୍ଗଳାଙ୍କ ପ୍ରସଙ୍ଗରେ ସେ ଲେଖିଛନ୍ତି–

 

‘‘ଯା ଦେବୀ ବୃକ୍ଷମୂଳେଷୁ ଶିଳାରୂପେଣ ସଂସ୍ଥିତା ।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।’’

 

ମୃତ୍ତିକାଶ୍ୱ ଗଜାରୂଢ଼ା ବନ୍ଧ୍ୟାୟାଃ ପୁତ୍ରଦାୟିନୀ ।

ବାଡ଼ି ସଂହାରିଣୀ ଦେବୀ ନାରାୟଣୀ ନମୋସ୍ତୁତେ ।’’

 

ଗ୍ରାମଦେବତୀ ବୁଢ଼ୀମଙ୍ଗଳାଙ୍କ ବର୍ଣ୍ଣନା ଏଠାରେ ଅତି ଜୀବନ୍ତ ହୋଇଅଛି । ସରଳ ଗ୍ରାମବାସୀମାନଙ୍କର ଗ୍ରାମଦେବତୀଙ୍କ ଶକ୍ତିରେ ଯେପରି ବିଶ୍ୱାସ, ସେହି ବିଶ୍ୱାସ ଏଠାରେ ଫକୀରମୋହନଙ୍କ ଲେଖନୀରେ ସ୍ପଷ୍ଟରୂପେ ପ୍ରକାଶ ଲାଭ କରିଅଛି ।

 

ଫକୀରମୋହନ ଜାତିଆଣ ପ୍ରଥାର ଘୋର ବିରୋଧୀ ଥିଲେ । ଶାରିଆ ଓ ଭଗିଆଙ୍କ ବିଷୟରେ ବର୍ଣ୍ଣନା ପ୍ରସଙ୍ଗରେ ତନ୍ତୀଜାତି ପ୍ରତି ସାଧାରଣ ଲୋକମାନେ ଯେପରି ମତପୋଷଣ କରନ୍ତି, ସେମତ ବିରୁଦ୍ଧରେ ଫକୀରମୋହନ ପ୍ରତିବାଦ କରିଅଛନ୍ତି । ସମାଜରେ ବ୍ରାହ୍ମଣକୁ ଯେଉଁ ସମ୍ମାନ ଦିଆଯାଏ, ସେ ସମ୍ମାନ ପ୍ରକୃତ ବ୍ରାହ୍ମଣ ପାଇବାର କଥା । ମାତ୍ର ଆମ ସମାଜରେ ବ୍ରାହ୍ମଣ ନାମଧାରୀ ଏକ ଜାତିବିଶେଷର ବ୍ୟକ୍ତିଙ୍କୁ ସେ ସମ୍ମାନ ଆଦୌ ଦିଆଯିବା ଉଚିତ ନୁହେଁ । ତାଙ୍କ ମତରେ ବ୍ରହ୍ମତ୍ୱ ଯାହାଠାରେ ନାହିଁ, ସେ ବ୍ରାହ୍ମଣ ନୁହେଁ । ସେହିପରି ଜଣେ ବ୍ରାହ୍ମଣ ସୁନ୍ଦର ତ୍ରିପାଠୀଙ୍କ କଥା ବର୍ଣ୍ଣନା କରି ଫକୀରମୋହନ ଲେଖିଛନ୍ତି–

 

‘‘ଶୁଣ ପରୀକ୍ଷ ନରନାଥ ।

ତାମ୍ପଡ଼ା ଶୁଖୁଆ ପଖାଳ ଭାତ ।।

ସି–ଅକ୍ଷର ବିବର୍ଜିତ ।

ଚିତା ପଇତାଦି ଶୋଭିତ ।।

ବିଲ ବାଛିବାକୁ ଆଗ ।

ଦହି ଚୁଡ଼ାକୁ ବାଘ ।।

ସନ୍ଧ୍ୟା–ଗାୟତ୍ରୀହୀନ ।

ବିଲରୁ ଚିପନ୍ତି ମୀନ ।।

ପୋଥିରୁ ନ ଫିଟେ ଡୋରି ।

ଯଜମାନ ଚାଉଳ ଚୋରୀ ।।

ସଭାରେ ନ ଫିଟେ ପାଟି ।

ନାମଟି ସୁନ୍ଦର ତ୍ରିପାଠୀ ।।’’

 

ଉପରୋକ୍ତ ଲାଳିକାଟି ଭାଗବତକୁ ଅବଲମ୍ବନ କରି ରଚିତ ହୋଇଅଛି । ଫକୀରମୋହନ ଏଥିରେ ବ୍ରାହ୍ମଣମାନଙ୍କର ଅଧଃପତନର ସ୍ପଷ୍ଟଚିତ୍ର ପ୍ରଦାନ କରିଅଛନ୍ତି । ଏହାଦ୍ୱାରା ଲେଖକ ହାସ୍ୟରସ ସୃଷ୍ଟି କରିଅଛନ୍ତି ।

 

ହାସ୍ୟରସ ସୃଷ୍ଟିକରିବା ବିଷୟରେ ଆଧୁନିକ ଓଡ଼ିଆ ସାହିତ୍ୟରେ ଯେତେଜଣ ଲେଖକ ସ୍ରଷ୍ଟାର ଗୌରବ ଲାଭ କରିଅଛନ୍ତି । ସେମାନଙ୍କ ମଧ୍ୟରେ ଫକୀରମୋହନ ଅପ୍ରତିଦ୍ୱନ୍ଦ୍ୱୀ, ଫକୀରମୋହନଙ୍କର ବର୍ଣ୍ଣନାଶୈଳୀ ଏପରି ଏକ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିଅଛି ଯେ ତାହା ସ୍ୱତଃ ହାସ୍ୟରସ ସୃଷ୍ଟି କରିବାରେ ସାହାଯ୍ୟ କରେ । ଯେ କୌଣସି କଥା ହେଉ ନା କାହିଁକି; ଫକୀରମୋହନ ତାକୁ ବର୍ଣ୍ଣନା କରିବା ସମୟରେ ଏପରି ଭାବରେ ବଙ୍କେଇ ବଙ୍କେଇ ହସେଇ ରସେଇ ବର୍ଣ୍ଣନା କରନ୍ତି ଯେ ପାଠକ ସେ ବର୍ଣ୍ଣନାକୁ ଅତ୍ୟନ୍ତ ରସପୂର୍ଣ୍ଣ ଜୀବନ୍ତ ବର୍ଣ୍ଣନା ଭାବରେ ଗ୍ରହଣ କରିଥାଏ । ଫକୀରମୋହନଙ୍କର ହାସ୍ୟରସାତ୍ମକ ବର୍ଣ୍ଣନାଶୈଳୀ ଆଧୁନିକ ଓଡ଼ଆ ସାହିତ୍ୟର ଏକ ସ୍ୱାତନ୍ତ୍ର୍ୟର ପରିଚାୟକ । ଫକୀରମୋହନଙ୍କର ଏହି ଶୈଳୀକୁ ତାଙ୍କର ସମସାମୟିକ ତଥା ପରବର୍ତ୍ତୀକାଳରେ ବହୁ ଲେଖକ ଅନୁସରଣ କରିବାରେ ତତ୍ପର ହୋଇପଡ଼ିଅଛନ୍ତି; ମାତ୍ର ତାଙ୍କ ରସୋର୍ତ୍ତୀର୍ଣ୍ଣ ବର୍ଣ୍ଣନା ଦେବାକୁ ପୂର୍ଣ୍ଣମାତ୍ରାରେ କୌଣସି ଲେଖକ କୃତକାର୍ଯ୍ୟ ହୋଇପାରି ନାହାନ୍ତି । ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜ ଫକୀରମୋହନଙ୍କର ଏହି ଶୈଳୀକୁ ଅନୁସରଣ କରିବାକୁ ଚେଷ୍ଟିତ ହୋଇ କିୟତ୍‌ ପରିମାଣରେ କୃତକାର୍ଯ୍ୟ ହୋଇପାରିଥିଲେ-। ଅଧୁନାତନ କାଳର ଲେଖକମାନଙ୍କ ମଧ୍ୟରେ କୃଷ୍ଣପ୍ରସାଦ ବସୁ ଫକୀରମୋହନଙ୍କ ଗଦ୍ୟଶୈଳୀକୁ ଅନୁସରଣ କରି ନିଜର ପ୍ରତିଭାକୁ ବିକଶିତ କରିପାରି ଅଛନ୍ତି ।

 

ହାସ୍ୟରସ ସୃଷ୍ଟି କ୍ଷେତ୍ରରେ ଆଧୁନିକ ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କର ଦାନ ଅବିସ୍ମରଣୀୟ ।

Image

 

ଛ ମାଣ ଆଠଗୁଣ୍ଠରେ ଜୀବନଚିତ୍ର

 

ଆଧୁନିକ ଓଡ଼ିଆ ସାହିତ୍ୟରେ ସାଧାରଣ ଜୀବନର ଚିତ୍ର ପ୍ରଥମଥର ପାଇଁ ଚିତ୍ରିତ କରିଥିବାରୁ ଛ ମାଣ ଆଠଗୁଣ୍ଠ ଉପନ୍ୟାସ ଏକ ବିଶିଷ୍ଟ ଗୌରବର ଅଧିକାରୀ । ଆଧୁନିକ ଓଡ଼ିଆ ସାହିତ୍ୟରେ କବିବର ରାଧାନାଥ ରାୟ ଯେତେବେଳେ ନୂତନ ଯୁଗସୃଷ୍ଟିର ସଙ୍କେତ ପ୍ରଦାନ କଲେ, ସେତେବେଳେ ସେ ପୂର୍ବବର୍ତ୍ତୀ ଯୁଗର କବିମାନଙ୍କ ପରି କାବ୍ୟସାହିତ୍ୟ ରଚନାରେ ମନ ପ୍ରାଣ ଢାଳି ଦେଇଥିଲେ । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କାବ୍ୟର କଳେବର ମଧ୍ୟରେ ଦେବଦେବୀ ବା ଅଭିଜାତବର୍ଗଙ୍କର ଜୀବନର ବିଳାସପୂର୍ଣ୍ଣ ଜୀବନର ଚିତ୍ର ଅଙ୍କିତ ହୋଇଥିଲା । କବିସମ୍ରାଟ ଉପେନ୍ଦ୍ରଭଞ୍ଜ ରାମଚନ୍ଦ୍ର ଓ ସୀତାଙ୍କୁ ନେଇ ବୈଦେହୀଶ ବିଳସ ପରି ବିଖ୍ୟାତ କାବ୍ୟଗ୍ରନ୍ଥ ରଚନା କରିଥିଲେ ହେଁ ତହିଁରେ ସାଧାରଣ ଜୀବନର ଚିତ୍ର ପ୍ରଦାନର ଅବକାଶ ନ ଥିଲା । ଠିକ୍‌ ସେହିପରି ଉପେନ୍ଦ୍ରଭଞ୍ଜଙ୍କର ଲାବଣ୍ୟବତୀ ବା ଯେ କୌଣସି କାଳ୍ପନିକ କାବ୍ୟରେ ସାଧାରଣ ଜୀବନର ଚିତ୍ରର ଅଭାବ ପରିଲକ୍ଷିତ ହୋଇଥାଏ ।

 

ମଧ୍ୟଯୁଗର ଅନ୍ୟାନ୍ୟ କବିମାନଙ୍କ କାବ୍ୟଗୁଡ଼ିକରେ ମଧ୍ୟ ଏହି ଅଭାବ ପରିଲକ୍ଷିତ ହୋଇଥାଏ । ରସକଲ୍ଲୋଳ କାବ୍ୟରେ କବି ଦୀନକୃଷ୍ଣ ଦାସ ଶ୍ରୀକୃଷ୍ଣ ଓ ଗୋପାଙ୍ଗନାମାନଙ୍କର ଲୀଳାର ବର୍ଣ୍ଣନା କରି ନିଜର ଭକ୍ତିମତ୍ତା ପ୍ରଦର୍ଶନ କରିଅଛନ୍ତି । କବି ଅଭିମନ୍ୟୁ ସାମନ୍ତସିଂହାର ତାଙ୍କର ବିଖ୍ୟାତ କାବ୍ୟଗ୍ରନ୍ଥ ବିଦଗ୍‌ଧ ଚିନ୍ତାମଣିରେ ସେହିପରି କୃଷ୍ଣଲୀଳାର ବର୍ଣ୍ଣନା କରି ନିଜର ପାଣ୍ଡିତ୍ୟ ତଥା ବୈଷ୍ଣବ-ପ୍ରାଣତାର ପରିଚୟ ପ୍ରଦାନ କରିଅଛନ୍ତି । କବି ଯଦୁମଣି ତାଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟରେ ସେହିପରି କୃଷ୍ଣଲୀଳାର ବର୍ଣ୍ଣନା କରିଅଛନ୍ତି । କବିସୂର୍ଯ୍ୟ ବଳଦେବ ରଥ ତାଙ୍କର କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଓ ଅନ୍ୟାନ୍ୟ ରଚନା ମଧ୍ୟରେ ସେହି ରାଧାକୃଷ୍ଣଙ୍କର ପ୍ରେମଲୀଳାର ଜୁଆର ଛୁଟାଇ ଦେଇଅଛନ୍ତି । କବି ଗୋପାଳକୃଷ୍ଣ ପଟ୍ଟନାୟକ ତାଙ୍କର ବହୁ ବୈଷ୍ଣବସାହିତ୍ୟ ସଂପର୍କୀୟ କବିତା ମଧ୍ୟରେ ରାଧାକୃଷ୍ଣଙ୍କର ଲୀଳାର ବର୍ଣ୍ଣନା କରିଥିଲେ ହେଁ ତହିଁରୁ ମାନବିକ ଦୃଷ୍ଟିକୋଣର ସନ୍ଧାନ ଯଥେଷ୍ଟ ଭାବରେ ମିଳିଥାଏ । ତେଣୁ ଏହି ଯୁଗର ସାହିତ୍ୟିକମାନେ ବା କବିମାନେ ଯେଉଁ କାବ୍ୟ ସମୂହ ରଚନା କରିଅଛନ୍ତି, ସେ ଗୁଡ଼ିକରେ ମୁଖ୍ୟତଃ ସାଧାରଣ ଜୀବନର ଚିତ୍ରର ଅଭାବ ଅନୁଭୂତ ହୋଇଅଛି ।

 

ଓଡ଼ିଆ ସାହିତ୍ୟରେ ମଧ୍ୟଯୁଗର ଅବସାନ ପରେ ପରେ ଆଧୁନିକ ଯୁଗର ଆରମ୍ଭ ହେଲା । ଆଧୁନିକ ଯୁଗରେ କବିବର ରାଧାନାଥ, ମଧୁସୂଦନ, ଗଙ୍ଗାଧର ପ୍ରମୁଖ ସ୍ରଷ୍ଟାଗଣ କାବ୍ୟକବିତାର ସୃଷ୍ଟି କରିଅଛନ୍ତି । ଏମାନଙ୍କର କାବ୍ୟକବିତାରେ ସାଧାରଣ ଜୀବନର ଚିତ୍ରଅଙ୍କିତ ହେବାର ଅବକାଶ ନାହିଁ । କବିବର ରାଧାନାଥ ପାଶ୍ଚାତ୍ୟ ସାହିତ୍ୟର କଥାବସ୍ତୁକୁ ଆଣି ଏ ଦେଶର ପାଣିପବନ ଓ ପରିସ୍ଥିତିରେ ତାହାକୁ ଦେଶୀୟ ରୂପଦେଇ ଆରୋପ କରିଥିଲେ । ତେଣୁ ତାଙ୍କ ସାହିତ୍ୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମତବାଦର ଅପୂର୍ବ ସମନ୍ୱୟ ସଂପାଦିତ ହୋଇଅଛି । ଭକ୍ତକବି ମଧୁସୂଦନ ରାଓ ବ୍ରାହ୍ମଧର୍ମର ଦର୍ଶନବାଦ ପ୍ରଭାବିତ ସାହିତ୍ୟ ସୃଷ୍ଟିକରି ନିଜକୁ ବ୍ରାହ୍ମବାଦୀ ମଧୁସୂଦନ ରୂପରେ ପ୍ରତିଷ୍ଠିତ କରାଇ ଅଛନ୍ତି । କବିବର ଗଙ୍ଗାଧର ମେହେର ଭାରତୀୟ ପ୍ରାଚୀନ କାବ୍ୟସାହିତ୍ୟରୁ ତାଙ୍କର କାବ୍ୟମାନଙ୍କ ନିମିତ୍ତ କଥାବସ୍ତୁ ଗ୍ରହଣ କରି ଆଦର୍ଶ ଜୀବନର ଚିତ୍ର ଅଙ୍କନ କରି ଅଛନ୍ତି । ତେଣୁ ଓଡ଼ିଆ ଜୀବନର ବାସ୍ତବ ରୂପରେଖ ଏମାନଙ୍କ ଲେଖନୀରେ ରୂପାୟିତ ହୋଇପାରିନାହିଁ ।

 

ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର ଜୀବଦ୍ଦଶାରେ କାବ୍ୟକବିତା, ପୁରାଣ ଅନୁବାଦ, ପ୍ରବନ୍ଧ, ଗଳ୍ପ ଓ ଉପନ୍ୟାସ ପ୍ରଭୃତି ସୃଷ୍ଟି କରିଅଛନ୍ତି । ଗଳ୍ପ-ଉପନ୍ୟାସ ସୃଷ୍ଟି ତାଙ୍କ ଜୀବନର ଶେଷଭାଗରେ ସମ୍ଭବପର ହୋଇଥିଲା, ଓଡ଼ିଶାର ବହୁସ୍ଥାନରେ କର୍ମ କରିବାଦ୍ୱାରା ସେ ଯେଉଁ ବିଭିନ୍ନ ପ୍ରକାର ଚରିତ୍ରମାନଙ୍କ ସହିତ ପରିଚିତ ହୋଇଥିଲେ ସେହି ପରିଚୟ ତାଙ୍କର ସ୍ରଷ୍ଟାଜୀବନର ଅମୂଲ୍ୟ ପାଥେୟ ରୂପେ ଦେଖାଦେଇ ଅଛି । ତାଙ୍କର ଗଳ୍ପ ଓ ଉପନ୍ୟାସମାନଙ୍କରେ ସେ ଓଡ଼ିଆ ଜୀବନର ବାସ୍ତବ ରୂପରେଖ ଅତ୍ୟନ୍ତ ଦକ୍ଷତାର ସହିତ ପ୍ରଦାନ କରିବାକୁ ସମର୍ଥ ହୋଇଅଛନ୍ତି ।

 

୧୮୯୭ ସାଲ ଅକ୍ଟୋବର ମାସରେ ଛ ମାଣ ଆଠଗୁଣ୍ଠର ପ୍ରଥମ ପରିଚ୍ଛେଦ ଉତ୍କକ ସାହିତ୍ୟ ପତ୍ରିକାରେ ଆତ୍ମପ୍ରକାଶ କଲା । ଏହି ସମୟଟି ଆଧୁନିକ ଓଡ଼ିଆ ସାହିତ୍ୟ ପକ୍ଷରେ ଏକ ଗୌରବମୟ ସମୟ । କାରଣ ଏହି ସମୟରେ ଓଡ଼ିଆର ଓଡ଼ିଆତ୍ୱ ପ୍ରଥମଥର ପାଇଁ ସାହିତ୍ୟର ପରିସର ମଧ୍ୟରେ ପ୍ରକାଶ ପାଇଲା । ଶାରିଆ ଭଗିଆଙ୍କର ଜୀବନର କରୁଣ କାହାଣୀ, ଚମ୍ପାର କୁଟିଳ ବୁଦ୍ଧି, ରାମଚନ୍ଦ୍ର ମଙ୍ଗରାଜଙ୍କର କୁଚକ୍ରୀ ନୀତି, ସାଆନ୍ତାଣୀଙ୍କର ସରଳ ଶୁଦ୍ଧମୟ ଜୀବନ, ଗୋବରା ଜେନାର ବିଚିତ୍ର କର୍ମ ପ୍ରଭୃତିର ସ୍ପଷ୍ଟ ଚିତ୍ର ଏହି ସମୟରେ ଉନ୍ମୋଚିତ ହେଲା । କଳ୍ପନାର ଇନ୍ଦ୍ରଜାଲ ଭେଦକରି ବାସ୍ତବତାର କଠିନ ପରିସରରେ ଜୀବନ ଚିତ୍ରର ଅମୂଲ୍ୟ ରୂପାୟନ କେବଳ ଏହି ସମୟରୁ ହିଁ ଓଡ଼ିଆ ସାହିତ୍ୟକୁ ପ୍ରବେଶ କଲା । ଫକୀରମୋହନଙ୍କ ଗଳ୍ପଗୁଡ଼ିକରେ ପ୍ରତ୍ୟେକ ଚରିତ୍ରର ଜୀବନଚିତ୍ର ଅତ୍ୟନ୍ତ ସ୍ପଷ୍ଟ । ସେହିପରି ତାଙ୍କର ଉପନ୍ୟାସଗୁଡ଼ିକରେ ଯେଉଁମାନଙ୍କର ଜୀବନର ଚିତ୍ର ଅଙ୍କିତ ହୋଇଅଛି, ସେମାନେ ଆମରି ଏଇ ଦେଶର, ଏଇ ସମାଜର ଏଇ ଗୋଷ୍ଠୀର ଆମରି ଭିତରୁ ଜଣେ ଜଣେ ।

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ରାମଚନ୍ଦ୍ର ମଙ୍ଗରାଜ, ସାଆନ୍ତାଣୀ, ଭଗିଆ, ଶାରିଆ, ଚମ୍ପା, ମରୁଆ, ଗୋବିନ୍ଦା, ସନାରଣା, ଗୋବରା ଜେନା ପ୍ରଭୃତି ବହୁ ଚରିତ୍ରଙ୍କର ଜୀବନର ଚିତ୍ର ଅଙ୍କିତ । ଏମାନଙ୍କର ଜୀବନର ଚିତ୍ର ଏପରି ଭାବରେ ଅଙ୍କିତ ହୋଇଅଛି ଯେ ଏହାକୁ ପାଠ କରିବା ସମୟରେ ପାଠକ ଅକ୍ଳେଶରେ ଏମାନଙ୍କ ସହିତ ପରିଚିତ ହୋଇଯାଏ ।

 

ରାମଚନ୍ଦ୍ର ମଙ୍ଗରାଜଙ୍କର ଜୀବନର ଚିତ୍ର ଅତ୍ୟନ୍ତ ଚିତ୍ତାକର୍ଷକ । ରାମଚନ୍ଦ୍ର ମଙ୍ଗରାଜ ଏଠାରେ ଶୋଷକ ଶ୍ରେଣୀର ଜଣେ ଜୀବନ୍ତ ପ୍ରତିନିଧି । ଯେଉଁମାନେ ଆମ ଦେଶର ଗାଉଁଲୀ ଜୀବନ ସହିତ ପରିଚିତ, ସେମାନେ ତାଙ୍କ ଜୀବନରେ ଶହ ଶହ ରାମଚନ୍ଦ୍ର ମଙ୍ଗରାଜଙ୍କର ପରିଚୟ ପାଇଥିବେ । ଯେତେବେଳେ ଆମ ଦେଶରେ ଗାଁ ଗଣ୍ଡାରେ ସମ୍ପତ୍ତିଲିପ୍‌ସା ଏହିପରି ବ୍ୟକ୍ତିମାନଙ୍କର ଏକମାତ୍ର କାମନା ଥିଲା, ସେତେବେଳେ କେତେ କେତେ ଦରିଦ୍ର ଜନସାଧାରଣ ଯେ ସେମାନଙ୍କର ପ୍ରକୃତ ଦାବୀରୁ ବଞ୍ଚିତହୋଇ ତିଳ ତିଳ କରି ନିଜ ଜୀବନକୁ ବିନାଶ କରିଛନ୍ତି ତାହାର ଇୟତ୍ତା ନାହିଁ-। ରାମଚନ୍ଦ୍ର ମଙ୍ଗରାଜଙ୍କ ପରି ଚରିତ୍ରର ସ୍ୱାଭାବିକତା ଫକୀରମୋହନ ଅତ୍ୟନ୍ତ ସତର୍କତାର ସହିତ ଲକ୍ଷ୍ୟ କରିଥିଲେ । ରାମଚନ୍ଦ୍ର ମଙ୍ଗରାଜଙ୍କର ଏକାଦଶୀ ପାଳନ, ଦ୍ୱାଦଶୀରେ ବ୍ରାହ୍ମଣ ଭୋଜନ କେବଳ ଭଣ୍ଡାମୀର ଉଦାହରଣ । ତାଙ୍କର ଲକ୍ଷ୍ୟ କେବଳ ଧନ ଅର୍ଜନ । ନିଜ ବିଲରେ ଧାନ ରୋଇବା ପାଇଁ ତଳିର ଅଭାବ ପଡ଼ିବାରୁ ସେ ଯେପରି ଉପାୟ ଅବଲମ୍ବନ କରି ଜମିପାଇଁ ତଳି ସଂଗ୍ରହ କଲେ ତାହା ତାଙ୍କର ଜୀବନର ଏକ ବିଶିଷ୍ଟ ପର୍ଯ୍ୟାୟର ପରିଚାୟକ । ଫକୀରମୋହନ ସେ ବିଷୟରେ ଲେଖିଅଛନ୍ତି, ‘‘ଇତ୍ୟବସରେ ବିଲ ଉପରେ ସାଆନ୍ତଙ୍କର ନଜର ଅକସ୍ମାତ୍‌ ପଡ଼ିଗଲା । ଚମକି ପଡ଼ିଲାପରି ମୁରବିପଣିଆ କରି କହିଲେ, ‘‘ଆରେ ଶ୍ୟାମା, ତୁ କ’ଣ କରିଛୁ ? ତୁଟା ତ ନିହାତି ଓଲୁ । ଚାଷ କିଛି ଜାଣୁନାହିଁ । ଆରେ ଏତେ ନିଘଞ୍ଚ କରି ରୋଇଲେ କ’ଣ ଧାନ ଫଳେ ? ଗଛ ନିଶ୍ୱାସ ମାରିବାକୁତ ବାଟ ରଖି ନାହୁଁ । ଉପାଡ଼ ଉପାଡ଼ ଅଧେ ଉପାଡ଼ିପକା ।’’ ଗୋବିନ୍ଦ ଭଲକରି ଅନାଇ ସାଆନ୍ତଙ୍କର ପୋଷକତା କଲା । ଶ୍ୟାମ ଥରି ଥରି ହାତଯୋଡ଼ି କହିଲା, ‘‘ଆଜ୍ଞା ମୁଁ ତ ସବୁ ବରଷ ଏହିପରି ରୁଏଁ, ସମସ୍ତେ ରୁଅନ୍ତି ।’’ ସାଆନ୍ତେ ବିରକ୍ତ ହୋଇ କହିଲେ, ‘‘ଆରେ ଓଲୁ, ଭଲ କହିଲେ ଶୁଣୁ ନାହୁଁ ?’’ ଗୋବିନ୍ଦ ଆଡ଼କୁ ଚାହିଁ କହିଲେ, ଆରେ ଗୋବିନ୍ଦା ଦେଖାଇ ଦେତ ।’’ ଏହି କଥା ମୁହଁରୁ ନ ବାହାରୁଣୁ ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇକିଆରି ବିଲ ଅଧା ପଦା କରିପକାଇଲେ । ଶ୍ୟାମା ଡକାପାଡ଼ି ସାଆନ୍ତଙ୍କ ଗୋଡ଼ତଳେ ଗଡ଼ୁଥାଏ । ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ୟାମାର ଭାଇଲେଖା ସମ୍ବୋଧନ କରି କହିଲେ, ‘‘ତୁ ବିଲ କରି ଜାଣ ନ ଜାଣ, କରଜା ଧାନର ମୂଳ କଳନ୍ତର ବିଶ୍ୱାଏ ରଖିଲେ ଜାଣିବୁ ।’’ ଶ୍ୟାମ ଭୟରେ କାଠପିତୁଳିଟି ପରି ଛିଡ଼ା ହୋଇଥାଏ । ସାଆନ୍ତେ ‘‘ଆରେ ଗୋବିନ୍ଦା, ଥାଉ ଥାଉ ସେ ଯାହା ଇଚ୍ଛା କରୁ’’ ଏହା କହି ଆପଣା ଅରୁଆ ବିଲ ଆଡ଼କୁ ଦୁଇଭାର ତଳି ଧରି ବାହାରି ଗଲେ’’ ।

 

ଉପରୋକ୍ତ ଉଦ୍ଧୃତିରୁ ରାମଚନ୍ଦ୍ର ମଙ୍ଗରାଜଙ୍କର ପରସ୍ୱାପହରଣ ପ୍ରବୃତ୍ତି କିପରି କାର୍ଯ୍ୟକାରୀ ହୋଇଅଛି ତାହାର ସୂଚନା ମିଳିଅଛି । ନିଜର ଉଦ୍ଦେଶ୍ୟ ସାଧନ ପାଇଁ ମଙ୍ଗରାଜଙ୍କ ପରି ଲୋଭୀ ସମାଜପତିମାନେ କିପରି ଉପାୟ ଅବଲମ୍ବନ କରନ୍ତି ଏହା ତାହାର ଏକ ଉଦାହରଣ-। କେବଳ ରାମଚନ୍ଦ୍ର ମଙ୍ଗରାଜଙ୍କର ଜୀବନର ଗୋଟିଏ ପର୍ଯ୍ୟାୟ ଯେ ଏଥିରେ ଉନ୍ମୁକ୍ତ ହୋଇଅଛି ତାହା ନୁହେଁ । ଶ୍ୟାମ ଗୋଛାଇତ ସହିତ ରାମଚନ୍ଦ୍ର ମଙ୍ଗରାଜ ଏଠାରେ ଯେପରି ବ୍ୟବହାର କଲେ ତାହା ମଧ୍ୟ ଆମ ଗାଁ ଗହଳିରେ ଦରିଦ୍ରମାନଙ୍କ ପ୍ରତି କରାଯାଉଥିବା ଅତ୍ୟାଚାରର ସୂଚନା ଦେଇଅଛି । ଶ୍ୟାମ ଗୋଛାଇତ ତା’ର ଜମିରେ ତଳିରୋଇ ନିଜ ଜମିକୁ ଶସ୍ୟଶ୍ୟାମଳା କରିଥିଲେ-। ମଙ୍ଗରାଜଙ୍କର ତଳିର ଅଭାବ । ତେଣୁ ମଙ୍ଗରାଜଙ୍କର ଦୃଷ୍ଟି ତାରି ଜମି ଉପରେ ପଡ଼ିଅଛି । ରାମଚନ୍ଦ୍ର ମଙ୍ଗରାଜ ଶ୍ୟାମାକୁ ମିଛ ଆଳ ଦେଖାଇ ନିଜ ମୂଲିଆମାନଙ୍କ ଦ୍ୱାରା ଯେପରି ତଳି ଉପୁଡ଼ା କାମ କରାଇଲେ ଏବଂ ଶ୍ୟାମର ଆକୁଳପୂର୍ଣ୍ଣ କାକୁତିକୁ ଭ୍ରୂକ୍ଷେପ କଲେ ନାହିଁ, ସେପରି ବହୁ ଉଦାହରଣ ଆମ ଗାଁ ଗହଳିରେ ଦେଖିବାକୁ ମିଳେ । ଦରିଦ୍ର ଜନସାଧାରଣଙ୍କର ତଣ୍ଟିଚିପି ରାମଚନ୍ଦ୍ର ମଙ୍ଗରାଜଙ୍କ ପରି ଧନୀବ୍ୟକ୍ତିମାନେ ଧନୀ ହୁଅନ୍ତି । ଦରିଦ୍ରର ଦୁର୍ଦ୍ଦଶା ସୁବଦିନେ ଏହିପରି ବଢ଼ୁଥାଏ ସିନା କମେ ନାହିଁ ।

 

ଯେଉଁ ଦରିଦ୍ର ସାଧାରଣ ଲୋକେ ରାମଚନ୍ଦ୍ର ମଙ୍ଗରାଜଙ୍କ ଘରେ ହଳିଆ ଚାକର ଭାବରେ କାମକରନ୍ତି ସେମାନଙ୍କର ଜୀବନର ଚିତ୍ର ଫକୀରମୋହନ ପ୍ରଦାନ କରିଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜଙ୍କପରି ଲୋଭି ବ୍ୟକ୍ତି ଅନ୍ୟମାନଙ୍କୁ ନିଷ୍ପେଷଣ କରି କିପରି ନିଜର ସଂପତ୍ତି ବର୍ଦ୍ଧନ କରନ୍ତି ତାହାର ସୂଚନା ଫକୀରମୋହନ ଦେଇଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ବିଲରେ ହଳିଆମାନଙ୍କୁ ଜଗିବସି କାମ କରାନ୍ତି । ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ଗାଧୁଆବେଳ ହେଲା ବୋଲି ମଙ୍ଗରାଜେ ଜାଣିପାରନ୍ତି । ତା’ପରେ ହଳିଆମାନେ ଭୋକ ଶୋଷରେ ଆଉଟୁ ପାଉଟୁ ହୋଇ ଫେରି ଖାଇବାକୁ ବସିଯାଆନ୍ତି । ମଙ୍ଗରାଜେ ସେମାନଙ୍କ ଖାଇବା ପାଖରେ ବସି ତତ୍ତ୍ୱ ନିଅନ୍ତି । ସେ ରାନ୍ଧୁଣିଆକୁ ଶିକ୍ଷା ଦେଇଥାଆନ୍ତି । ପ୍ରଥମେ ରାନ୍ଧୁଣିଆ ପ୍ରତ୍ୟେକଙ୍କ କଂସାରେ ଦୁଇକଂସା ଲେଖାଏଁ ତୋରାଣି ଢାଳିଦେଇଯାଏ । କୌଣସି ହଳିଆ ତୋରାଣି ପିଇବାକୁ ଅନିଚ୍ଛା ପ୍ରକାଶ କଲେ ମଙ୍ଗରାଜେ ତୋରାଣିର ଉପକାରିତା ବୁଝାଇ ଦିଅନ୍ତି । ହଳିଆମାନେ ତୋରାଣି ପିଇସାରିବା ପରେ ଭାତ ଦେବାକୁ ରାନ୍ଧୁଣିଆକୁ କହି ମଙ୍ଗରାଜେ ଗାଧୋଇବାକୁ ଚାଲିଯାଆନ୍ତି । ଭାତ ସଙ୍ଗରେ ସବୁଦିନେ ହଳିଆମାନେ ପାଆନ୍ତି ଟିକିଏ ଲେଖାଏଁ ସଜନା ଶାଗ ।

 

ଯେଉଁମାନେ ନିଜର ମୁଣ୍ଡଝାଳ ତୁଣ୍ଡରେ ମାରି ମଙ୍ଗରାଜଙ୍କ ପରି ସମାଜପତିମାନଙ୍କର କ୍ଷେତରୁ ସୁନା ଫଳାନ୍ତି ସେମାନେ ପାଆନ୍ତି କ’ଣ ? ମୁଠିଏ ଭଲକରି ଖାଇବା ମଧ୍ୟ ସେମାନଙ୍କ ଭାଗ୍ୟରେ ଯୁଟେନାହିଁ । ବିଲରୁ ଭୋକିଲା ପେଟରେ ଫେରିଥିବା ହଳିଆମାନଙ୍କୁ ପ୍ରଥମେ ଭାତ ନ ଦେବାକୁ ମଙ୍ଗରାଜେ ରାନ୍ଧୁଣିଆକୁ ଶିକ୍ଷା ଦେଇଅଛନ୍ତି । କାରଣ ପ୍ରଥମରୁ ତୋରାଣି ଦୁଇକଂସା ଲେଖାଏଁ ପିଇ ଦେଲେ ହଳିଆମାନଙ୍କର ପେଟ ପୁରିଯିବ ଓ ପରେ ସେମାନେ ବେଶୀ ଭାତ ଖାଇ ପାରିବେ ନାହିଁ । ହଳିଆର ଜୀବନର କାହାଣୀ ଏପରି ସମାଜପତିମାନଙ୍କ ପ୍ରଭାବରେ କି ମର୍ମନ୍ତୁଦ, ତାହା ଲକ୍ଷ୍ୟ କରିବାର କଥା ।

 

ଆମ ଗାଁ ଗହଳରେ ବାସ କରୁଥିବା ଦରିଦ୍ର ସରଳ ବ୍ୟକ୍ତିଙ୍କର ପରିବାରରେ କିପରି ସୁଖ ରହିଥାଏ ସେ କଥା ଫକୀରମୋହନ ଶାରିଆ ଓ ଭଗିଆଙ୍କ ପାରିବାରିକ ଜୀବନର ଚିତ୍ର ଅଙ୍କନକରି ପ୍ରକାଶ କରିଅଛନ୍ତି । ଶାରିଆ ଓ ଭଗିଆ ନିଜ ଦୁଃଖ ଧନ୍ଦାରେ ବ୍ୟସ୍ତ ଥାଆନ୍ତି । ସେମାନେ ଅନ୍ୟର କଥାରେ ମୁଣ୍ଡଖେଳାଇବାକୁ ଉଚିତ ମନେ କରନ୍ତି ନାହିଁ । ସେମାନଙ୍କୁ ହୁଣ୍ଡା ଓ ହୁଣ୍ଡୀ ଶ୍ରେଣୀଭୁକ୍ତ କରି ଲେଖକ ସେମାନଙ୍କର ସରଳତାର ପରିଚୟ ଦେଇଅଛନ୍ତି । ଫକୀରମୋହନ ଏ ବିଷୟରେ ଲେଖିଅଛନ୍ତି; ‘‘ଆମ୍ଭମାନଙ୍କର ଶାରିଆ ଗାଁର ତନ୍ତିଆଣୀଟିଏ, ଏବେ ସକଳ କଥା ବୁଝିନିଅନ୍ତୁ । ଭଗିଚନ୍ଦ୍ର ଆଉ ଶାରିଆ ଘରକୁ ଦୁଇପରାଣୀ । ମାଇକିନିଆମାନେ କହନ୍ତି, ‘‘ଦୁଇପରାଣିଆ ଭଲ, ବାନ୍ଧି କତରା ଚଲ ।’’ ଆମ୍ଭମାନଙ୍କର ହୁଣ୍ଡା ହୁଣ୍ଡୀ କଥା ସେହି ପରି । ନକଡ଼ ଛକଡ଼ ନାହିଁ । ଦୁଇଜଣଙ୍କର ନିମିଷେ ଛାଡ଼ବାଡ଼ ନାହିଁ । ଦୁହେଁ ମିଳିମିଶି ଘରକାମ କରନ୍ତି, ଭଗିଆ ତନ୍ତ ବୁଣିବା ବେଳେ ଶାରିଆ ନଳି ବଳେ, ନୁଣ୍ଡିବେଳେ ଚରଖିରେ ସୂତାଦିଏ । ଶାରିଆ ଭାତ ରାନ୍ଧିବା ବେଳେ ଭଗିଆ ଚୁଲି ଫୁଙ୍କେ, ପାଣି ଆଣି ଦିଏ । ଗାଁର ମସ୍କରା ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖି ଢଗ ମେଲନ୍ତି–‘‘ଶାରୀ ଭଗିଆକୁ ଦେଖ, ବଗ ବଗୁଲୀ ଦେଖ’’ ଆହା ! କି ଅପୂର୍ବ କବିତା ହେଲା । ମାତ୍ର ଆମ୍ଭେମାନେ ବୋଲୁଁ ଏପରି ନିନ୍ଦା ଯେଉଁମାନଙ୍କ ନାମରେ ରଟେ, ସେହିମାନେ ଏକା ଜଗତରେ ପ୍ରକୃତ ଭାଗ୍ୟବାନ । ସ୍ୱର୍ଗର କାଳ୍ପନିକ ସୁଖକୁ ସେହିମାନେ ଏକା ପ୍ରାଣରେ ଅନୁଭବ କରନ୍ତି ।’’

 

ଶାରିଆ ଭଗିଆଙ୍କର ସୁଖପୂର୍ଣ୍ଣ ଦାମ୍ପତ୍ୟ ଜୀବନ ବିଷୟରେ ଲେଖକ ଯେପରି ବର୍ଣ୍ଣନା କରିଅଛନ୍ତି ତାହା ପାଠକଲେ ପାଠକ ଆନ୍ଦଲାଭ କରିଥାଏ । ନିଜର କୌଳିକ ପ୍ରଥାରେ ଭଗିଆ ଲୁଗା ବୁଣିବାବେଳେ ଶାରିଆ ତାକୁ ଯେପରି ସାହାଯ୍ୟକରେ ଶାରିଆ ରନ୍ଧାବଡ଼ା କରିବା ବେଳେ ଭଗିଆ ତାକୁ ସେହିପରି ସାହାଯ୍ୟ କରେ । ପତି ପତ୍ନୀର ମଧୁର ଜୀବନରେ ଶାରିଆ ଭଗିଆଙ୍କର ଉଦାହରଣ ଅତ୍ୟନ୍ତ ବିରଳ ହୋଇପାରେ । ମାତ୍ର ଫକୀରମୋହନଙ୍କ ଲେଖନୀରେ ଏହାର ବାସ୍ତବ ଚିତ୍ର ଅଙ୍କିତ ହୋଇଅଛି । ଏପରି ସରଳ ଭାବରେ ସେ ଦୁହେଁ ଜୀବନ କଟାଉ ନଥିଲେ ବା ଏପରି ସରଳ ସ୍ୱଭାବ ସେମାନଙ୍କର ନଥିଲେ ସେ ଦୁହେଁ ଚମ୍ପାର ଚକ୍ରାନ୍ତରେ ଭୁଲି ନଥାନ୍ତେ ।

 

ଅସୁରଦୀଘିର ବର୍ଣ୍ଣନା ପ୍ରସଙ୍ଗରେ ଲେଖକ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ବିଷୟରେ କେତେକ କଥାର ସୂଚନା ପ୍ରଦାନ କରିଅଛନ୍ତି । ଗାଁର ଧୋବା ତୁଠରେ ଲୁଗା କାଚିବାର ଚିତ୍ର ଗାଁ ମାଇପେ ପୋଖରୀ ତୁଠରେ ଏକତ୍ରିତ ହୋଇ ସମଗ୍ର ଗ୍ରାମର ଲୋକମାନଙ୍କ ବିଷୟରେ ଆଲୋଚନା କରିବାର ଚିତ୍ର, ସ୍ତ୍ରୀଲୋକମାନଙ୍କର ଭଲକଥାରୁ କଳି କରିବାର ଚିତ୍ର, ପିଲାଟିଏ ଗାଧୋଇବାବେଳେ ପାଣି ଗୋଳିଆ କରିଦେବାର ଚିତ୍ର, ପୋଖରୀ ତୁଠରେ ବସି ଅଶିକ୍ଷିତା ସ୍ତ୍ରୀଲୋକଙ୍କର ଦାନ୍ତ ଘଷି ଜିଭ ଛେଲିବାର ଚିତ୍ର ଫକୀରମୋହନଙ୍କ ଲେଖନୀରେ ଏତେ ପ୍ରାଞ୍ଜଳ ହୋଇପଡ଼ିଛି ଯେ ତାହାକୁ ପାଠକରିବା ସମୟରେ ଯେ କୌଣସି ପାଠକର ଚକ୍ଷୁ ନିଜ ଗ୍ରାମର ଅନୁରୂପ ଦୃଶ୍ୟଗୁଡ଼ିକ ଆଡ଼କୁ ଫେରିଯାଏ ।

 

ଗୋବିନ୍ଦପୁର ଗ୍ରାମରେ ତଦାରଖ ଦିନର ଘଟଣା ବର୍ଣ୍ଣନା କରିବାକୁ ଯାଇ ଫକୀରମୋହନ ପ୍ରଥମରେ ଗୋବିନ୍ଦପୁର ଗ୍ରାମର ଗୋଟିଏ ସକାଳର ଦୃଶ୍ୟ ବର୍ଣ୍ଣନା କରିଅଛନ୍ତି । ଏହି ବର୍ଣ୍ଣନାରେ ଆମେ ଗାଁଗହଳର ନିତିଦିନଆ ଚିତ୍ର ସ୍ପଷ୍ଟ ଭାବରେ ଦିଆଯାଇଛି । ଫକୀରମୋହନ ଲେଖିଅଛନ୍ତି, ‘‘ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି, କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖାନାହିଁ, ମେଘଟା ଝର ଝର ଫର ଫର କରୁଥିଲା । ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆ କୁଣିଆ ନୁହେଁ । ଆକାଶଟା ଟିକିଏ ସଫା ହୋଇଗଲାଣି । ବଛାବଛି କାମ ସାରିଛି, କେହି ବିଲ ବାଡ଼ିକୁ ଯିବାକୁ ନାହିଁ । କେହି ପିଣ୍ଡାରେ ବସି ବାଟଣା ବାଟୁଛି, କେହି ଗୁହାଳ କଢ଼ାରେ ଲାଗିଛି, କେହି କେହି ଝାମ୍ପିଟାଏ ମୁଣ୍ଡେଇ ହାତରେ ଦଉଡ଼ି ଖଣ୍ଡେ ଦା ଟାଏ ଧରି କାହାଳୀଟାଏ ଓଟାରି ବାହୁଙ୍ଗିଟାଏ କାନ୍ଧରେ ପକାଇ ଘାସ ବାଛିବାକୁ ବାହାରିଅଛି, କେହି ପିଢ଼ାରେ ଚଢ଼ି କଖାରୁ ଡଙ୍କ ସଳଖି ଦେଉଅଛି, ଘରେ ଲୁଣ ନ ଥିବାର ଶୁଣି ହରି ପୁରାଣ ବିବିଧ ଯୁକ୍ତି ପ୍ରଦର୍ଶନ ପୂର୍ବକ ଆପଣା ଭାର୍ଯ୍ୟାର ଅପରିମିତ ବ୍ୟୟଶୀଳତା ସାବ୍ୟସ୍ତ କରୁଅଛି । ମାଇକିନିଆମାନେ ବାସିପାଇଟି ସାରି ବାଡ଼ି ପୋଖରୀକୁ ବାହାରିଲେଣି ତନ୍ତିସାଇଟା ଝମ୍‌-ଦୁମ୍‌, ଝମ୍‌-ଦୁମ୍‌ ଶବ୍ଦରେ ଉଛୁଳି ପଡ଼ୁଅଛି; ତନ୍ତିଆଣୀମାନେ ପିଣ୍ଡାରେ ବସି ଖଡ଼ର ଖଡ଼ର କରି ନଟେଇ ବୁଲାଇ ପକାଉଅଛନ୍ତି । ବେଳ ଅନ୍ଦାଜ ତିନିଘଡ଼ିକ ଦଣ୍ଡେ ଦୁଇଦଣ୍ଡ ବେଶୀ, ଶାମସା ଘର ହଳିଆ ଗୋପାଳ ସାମଲ ଝାମ୍ପିଟାଏ ମୁଣ୍ଡରେ ଦେଇ କୋଡ଼ିଧରି ନଇଁପଡ଼ି ବିଲର ହିଡ଼ ବାନ୍ଧୁଥିଲା । ବାଟପାଖିଆ ବିଲ । ସାଆନ୍ତଘର ହଳିଆ ଘୁଷୁରିଆ ଗୋବରା ଜେନା ଘରଆଡ଼କୁ ଚଞ୍ଚଳ ଚାଲିଅଛି । ଗୋପାଳିଆ ଉପରେ ନଜର ପଡ଼ିଯିବାରୁ ତାକୁ ହାତଟେକି ଇସାରାକରି ପାଖକୁ ଡାକିଲା । ତାକୁ କହିଲା, ମୁଁ ଗୋଟାଏ ଭାରୀ କାମରେ ଯାଉଛି, ଭାରୀ ଗୁପ୍ତ କଥା, ତୋତେ ବିଶ୍ୱାସ ପାଏ ବୋଲି କହୁଛି । ତାହା କାନରେ ତୁନି ତୁନି କରି କ’ଣ କହିଲା । ବୁଝି ଖବରଦାର ! ଏକଥା ଯେମନ୍ତେ ଆଉ କାହା କାନରେ ନ ପଡ଼େ, ସାଆନ୍ତର ମନାଅଛି । ଘୁଷୁରିଆ ଯାଉଁ ଯାଉଁ ବାଟରେ ମକର ଜେନା ପାଣକୁ ଭେଟିଲା, ତାହା କାନରେ ମଧ୍ୟ ତୁନି ତୁନି କେତେଟା କଥା କହି କଥାଟା ଗୁପ୍ତରେ ରଖିବା ସକାଶେ ଉପଦେଶ ଦେଇ ଚାଲିଲା । ତାହାବାଦ ଦନେଇ ସାହୁ, ବିନୋଦିଆ, ନଟବରିଆ, ଭୀମାମା ଏମାନଙ୍କ ସଙ୍ଗରେ ସାକ୍ଷାତ ହେଲା; ସେମାନଙ୍କୁ ମଧ୍ୟ ସେହିପରି ତୁନି ତୁନି କହି ସେହିପରି ଗୁପ୍ତରେ ରଖିବାକୁ ଉପଦେଶ ଦେଲା । ଗୋପାଳିଆ କାମକରିବ କ’ଣ, ସାଉପାଖକୁ ଧାଇଁଲା-ହରିସାହୁ କହିଲା ଶାମ ସାହୁକୁ, ହଟିଆ କହିଲା ନଟିଆକୁ, ଜେମାମା କହିଲା, ଶାମମାକୁ, ଶ୍ରୀମତୀ କହିଲା କନ୍ୟା ବୋହୂକୁ, ଗ୍ରାମ ଗୋଟାଯାକ କୁହାକୁହି ହେଲେ - ସମସ୍ତଙ୍କର ତୁନି ତୁନି କଥା ଗୋପନ ରଖିବାକୁ ସମସ୍ତଙ୍କର ଉପଦେଶ ।’’

 

ଉପରୋକ୍ତ ବର୍ଣ୍ଣନାରେ ଫକୀରମୋହନ ଗୋବିନ୍ଦପୁର ଗ୍ରାମରେ ଗୋଟିଏ ସକାଳର ଯେଉଁ ଚିତ୍ର ପ୍ରଦାନ କରିଅଛନ୍ତି ତାହା ଯେ କୌଣସି ଗ୍ରାମ ପକ୍ଷରେ ସତ୍ୟ । ଗ୍ରାମର ସରଳ ଜନସାଧାରଣ ଯେ କିପରି ଛନ୍ଦ କପଟହୀନ, ସେ କଥା ଫକୀରମୋହନ ଏଠାରେ ପ୍ରଦର୍ଶନ କରିଅଛନ୍ତି । ତନ୍ତି ସାହିରେ ସକାଳେ ଲୁଗାବୁଣାର ଶବ୍ଦ, ପିଢ଼ାରେ ଚଢ଼ି କୌଣସି ଲୋକ କଖାରୁ ଡଙ୍କ ସଳଖିବାର ଚିତ୍ର; ଘାସକାଟିବାକୁ କୌଣସି ଲୋକ ଯିବାର ଦୃଶ୍ୟ, ବିଲରେ ହିଡ଼ ବାନ୍ଧିବାର ଦୃଶ୍ୟ ଓଡ଼ିଶାର ଗାଁଗହଳରେ ଏପରି ସାଧାରଣ ଯେ ପାଠକ ଏହାକୁ ପୂର୍ଣ୍ଣପ୍ରାଣରେ ଅନୁଭବ କରିପାରେ । ଗୁପ୍ତ କଥାଟିଏ ପେଟରେ ରଖିବା ଭଳି କପଟ ବୁଦ୍ଧି ସରଳ ଗ୍ରାମବାସୀଙ୍କର ନାହିଁ । ଯେ କୌଣସି କଥା ଗୋଟିଏ ତୁଣ୍ଡରୁ ବାହାରି ସମସ୍ତଙ୍କ କର୍ଣ୍ଣରେ ପ୍ରବେଶ କରିଥାଏ । ଫକୀରମୋହନଙ୍କର ଏହି ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତି ଏ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଜଗତରେ ଅନତିକ୍ରମ୍ୟ ।

Image

 

ଛ ମାଣ ଆଠଗୁଣ୍ଡରେ ନବାବୀଚିତ୍ର

 

ଛ ମାଣ ଆଠଗୁଣ୍ଡ ଉପନ୍ୟାସରେ ଆଲିମିଆଁଙ୍କର ପୁତ୍ର ଶେଖ୍‌ ଦିଲ୍‌ଦାର୍‌ ମିଆଁଙ୍କର ବର୍ଣ୍ଣନା ପ୍ରସଙ୍ଗରେ ଲେଖକ ମୁସଲମାନ ନବାବମାନଙ୍କ ସମୟର ଏକ ଚିତ୍ର ପ୍ରଦାନ କରିଅଛନ୍ତି । ଆଲିମିଆଁ ପୋଲିସ ଦାରୋଗା ଚାକିରୀ କରି ଜମିଦାରୀ କିଣିଥିଲେ । ତାଙ୍କର ପୁତ୍ର ଦିଲ୍‍ଦାର୍‍ ମିଆଙ୍କୁ ପାଠ ପଢ଼ାଇବା ନିମନ୍ତେ ସେ ବହୁତ ଯତ୍ନକଲେ ହେଁ ଦିଲ୍‍ଦାର୍‍ ମିଆଁ ବିଶେଷ ଭାବରେ ବିଦ୍ୟାଲାଭ କରି ପାରିଲେ ନାହିଁ । ପିତାଙ୍କ ପରେ ସେ ଜମିଦାରୀ ବିଷୟ ବୁଝାସୁଝା କଲେ । ତାଙ୍କ କଚେରୀର ବର୍ଣ୍ଣନା ଫକୀରମୋହନ ପ୍ରଦାନ କରିଅଛନ୍ତି ।

 

‘‘ରାତି ଅନ୍ଦାଜ ଘଡ଼ିକ ଭିତରେ ଜମିଦାର ସେଖ୍‌ ଦିଲ୍‍ଦାର୍‍ ମିଆଁ କଚେରୀ ଘରେ ବସିଅଛନ୍ତି, ଘରଟା କୋଠା–ସେପରି ଛୋଟିଆ ମୋଟିଆ କୋଠରୀ ନୁହେଁ, ଖୁବ୍‌ଲମ୍ବା ଚଉଡ଼ା କୋଠା । ରତଳେ ଗୋଟାଏ ବଡ଼ ସତରଞ୍ଜି ବିଛଣା ହୋଇଅଛି । ସେଟା ବୋଧହୁଏ ବଡ଼ ପୁରୁଣା, ଦଶ କି ବାର ଯାଗାରେ ତେଲଢଳା ଦାଗ, ଟିକିଏ ପୋଡ଼ା ଯାଗା ପନ୍ଦର କି କୋଡ଼ିଏ, ଧଡ଼ି ଚିରା । ସେହି ସତରଞ୍ଜି ମଝିରେ କାନ୍ଥକୁ ଲଗାଇ ଏକ ବନାରସୀ ବିଛଣା, କାନ୍ଥକୁ ଭିଡ଼ି ବଡ଼ ଗୋଟାଏ ବନାରସୀ ତକିଆ, ଦୁଇପାଖରେ ଚକା ବୋଇତି କଖାରୁ ପରି ଦୁଇଗୋଟା ସାନ ବନାରସୀ ତକିଆ; ସେହି ବିଛଣାରେ ଖୋଦ ଜମିଦାର ସେଖ୍‌ ଦିଲ୍‍ଦାର୍‍ ମିଆଁ ବସିଅଛନ୍ତି । ପୋଷାକ କିନ୍‌ଖାପା ଢିଲା ପାଇଜାମା, ସାଟିନ୍‌ ଚପକନ୍‌, ମୁଣ୍ଡରେ ବନାରସୀ ଟୋପି, କାନରେ ଅତର ତୁଳାକାଠି, ଆଗରେ ରୂପାର ଅତରଦାନ୍‌, ଗୋଲାପଦାନ, ହାତପାଖରେ ବଡ଼ ଏକ ସାତହାତି ନଳଯୁକ୍ତ ଗୁଡ଼ଗୁଡ଼ି ହୁକା ଉପରେ ସାନ ଆଟିକପରି ଚିଲମ, ତହିଁ ଉପରେ ସରପୋଷ । ସେଥିରୁ ଚାରିକେରା ରୂପା ଶିକୁଳି ଝୁଲିଆସି ମାଟି ସ୍ପର୍ଶ କରିଅଛି ।’’

 

ଉପରୋକ୍ତ ବର୍ଣ୍ଣନାରୁ ଜଣାଯାଏ ସେଖ୍‌ ଦିଲ୍‌ଦାର୍‌ ମିଆଁଙ୍କର ନବାବୀ ଅଭ୍ୟାସ ଅଭାବରୁ ପୀଡ଼ନରେ ହୀନପ୍ରଭ ହୋଇ ପଡ଼ିଅଛି । ଜମିଦାରୀର ଆୟ ନବାବୀ ପାଇଁ ଯଥେଷ୍ଟ ନୁହେଁ । ମାତ୍ର ପିଲାବେଳରୁ ଦିଲ୍‌ଦାର୍‌ ମିଆଁଙ୍କର ବହୁ କୁଅଭ୍ୟାସ ଥିବାରୁ ଶେଷରେ ସେଥିପାଇଁ ତାଙ୍କୁ ଜମିଦାରୀ ହରାଇବାକୁ ପଡ଼ିଥିଲା । କଚେରୀ ଘରର ଏବସ୍ଥା ଏପରି ଆକାର ଧାରଣ କରିଥିଲା ଯେ ଦିଲ୍‍ଦାର୍‌ ମିଆଁ ବସିଥିବା ସ୍ଥାନଠାରୁ କିଛି ଦୂରରେ ଛିଣ୍ଡା ଛାଞ୍ଚୁଣୀ, ଜଳପୂର୍ଣ୍ଣ ବଦନା, ଦୁଇଚାରିଟା ମଦତି ହୁକା, ଗୁଡ଼ାଖୁ ଗୁଲ; ମଦତ୍‌ ଓ ଗଞ୍ଜେଇ ପାଉଁଶ, ପିଆଜ ଚୋପା, ଛେଳି ଲଣ୍ଡ ପଡ଼ିଥିବାର ଦେଖାଯାଇଥିଲା । ଦୈନିକ ନିୟମିତ ଭାବରେ କଚେରୀଘର ଓଳାଯାଇ ପାରେ ନାହିଁ ବୋଲି ଏଥିରୁ ବୁଝାଯାଏ ।

 

କଚେରୀ ଘରେ ଦିଲ୍‌ଦାର୍‍ ମିଆଁ ନିତାନ୍ତ ଚିନ୍ତିତ ଅବସ୍ଥାରେ ବସିଥିଲେ । ଏହି ଚିନ୍ତାର କାରଣ କାଶ୍ମୀରରୁ ଆସିଥିବା ବାଈ ଖେମଟା ବାଲୀ ଖାତୁମଉନ୍ନିସାଙ୍କୁ ଦେବାପାଇଁ ଏକଶତ ଟଙ୍କା ନିତାନ୍ତ ଆବଶ୍ୟକ । ଯେତେ ଚେଷ୍ଟା କରାଗଲେ ହେଁ ଏକଶତ ଟଙ୍କା କୌଣସି ମତେ ଜୁଟୁ ନାହିଁ । ଏହି ଏକଶତ ଟଙ୍କା ଦେଇ ଜମିଦାରାଟିକୁ ଲାଭ କରିବାର ସୁଯୋଗ ମଙ୍ଗରାଜଙ୍କୁ ମିଳିଗଲା ।

 

ଯେତେବଳେ ମୁସଲମାନ ଜମିଦାରମାନେ ଅତ୍ୟଧିକ ନବାବୀ ରୀତିରେ ଜୀବନ ଯାପନ କଲେ ସେତେବଳେ ସେମାନଙ୍କର ଅଭାବ ଏପରି ଭାବରେ ଉପସ୍ଥିତ ହେଲା ଯେ ଜମିଦାରୀକୁ ରକ୍ଷା କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲା । ଏହି ନବାବୀ ଜୀବନର ଚାକଚକ୍ୟ, ବୃଥା ଅହମିକା, ମିଥ୍ୟା ଆଭିଜାତ୍ୟ ବହୁ ଜମିଦାରଙ୍କର ପତନର କାରଣ ।

 

ରାମଚନ୍ଦ୍ର ମଙ୍ଗରାଜ ଦିଲ୍‌ଦାର୍‍ ମିଆଁଙ୍କୁ ଭେଟିବା ପାଇଁ ଭେଟିନେଇ ଯାଇଥିଲେ । ପଲାଉ ଚାଉଳ, ଘିଅ, ଡାଲି ଇତ୍ୟାଦି ରାମଚନ୍ଦ୍ର ମଙ୍ଗରାଜ ଦିଲ୍‌ଦାର୍‍ ମିଆଁଙ୍କ କଚେରୀରେ ଦାଖଲ କରିଥିଲେ । ପଲାଉ ସକାଶେ ଗୋଟିଏ ଛେଳି ଅଣାଗଲା । ଦିଲ୍‌ଦାର୍‍ ମିଆଁଙ୍କ କଚେରୀର ବର୍ଣ୍ଣନା ପରବର୍ତ୍ତୀ କ୍ରମରେ ଲେଖକ ଲେଖିଅଛନ୍ତି, ‘‘ଓସ୍ତାଦ୍‌-ଜୀ ପୁରିଆ ରାଗିଣୀର ଆଳାପ କରିବାକୁ ଲାଗିଲେ । ସମସ୍ତେ ଆନନ୍ଦରେ ଉନ୍ମତ୍ତ । ସମସ୍ତଙ୍କ ମୁହଁରେ ହସ ଉଛୁଳି ପଡ଼ୁଅଛି; କେବଳ ମଙ୍ଗରାଜେ ହାତଯୋଡ଼ି ମୁହଁ ଶୁଖାଇ ବସିଛନ୍ତି । ଜାଲ ମଧ୍ୟରେ ବୁଣା ଚାଉଳ ଖାଇଲା ବେଳେ ପକ୍ଷୀମାନଙ୍କ ଆନନ୍ଦ ବ୍ୟାଧ ତୁନିହୋଇ ଦେଖୁଥାଏ । ଆମ୍ଭେମାନେ ମଙ୍ଗରାଜଙ୍କ ମନର କଥା ଭଲରୂପେ ବୁଝିପାରୁଁ । ସେ ସମୟରେ ବୋଧହୁଏ ଭାଳୁଥିଲେ, ‘‘ଆ ବାପ ଚଢ଼େଇ ଆ, କାଣ୍ଡିଆ ପାଖକୁ ଆ ।

 

ଜଣେ ଚାକର ଧାଇଁଆସି ବାଈଜୀଙ୍କ ଶୁଭାଗମନର ସମ୍ବାଦ ଦେଲା । ଯା ସର୍ବନାଶ । ଏ କଥାଟା ଯେ କାହାରି ମନରେ ନାହିଁ । ଓସ୍ତାଦ୍‌ଜୀ ପୁରୁଣା ହୁସିଆର ଲୋକ, ସେହି କେବଳ ଏ କଥା ମନେ କରାଇଦେଲେ, ବାଈଜୀଙ୍କୁ ଶଏଟି ଟଙ୍କା ନଜରାନା ଦେବାକୁ ହେବ । ପୁନର୍ବାର ଭାବନା, ପୁନର୍ବାର ଆନ୍ଦୋଳନ । ଭାରତବର୍ଷର ବ୍ୟୟ ସଙ୍କଳନ ନିମନ୍ତେ ପାର୍ଲିଆମେଣ୍ଟରେ ବୋଧହୁଏ ଏହାଠାରୁ ଅଧିକ ଆନ୍ଦୋଳନ ହୋଇ ନଥାଏ । କିଛି ସ୍ଥିର ହୋଇ ପାରିଲା ନାହିଁ । ବେଳ ଉଣ୍ଡି ମଙ୍ଗରାଜେ ହାତଯୋଡ଼ି କହିଲେ, ହଜୁର ! ଗୋଲାମ ହାଜର ଥାଉଁ ଥାଉଁ ଏତେ ଚିନ୍ତା କି ସକାଶେ-? ପୁନର୍ବାର ପ୍ରଶଂସା ଧନ୍ୟବାଦ ସମସ୍ତଙ୍କ ମୁହଁରୁ ବାହାରି ମଙ୍ଗରାଜଙ୍କ କାନରେ ଢାଳି ପଡ଼ିଲା । ମିଆଁ ହୁକୁମ ଦେଲେ, ଆଚ୍ଛା ମଙ୍ଗରାଜ, ତୁମେ ବର୍ତ୍ତମାନ ଯେ ଉପକାର କଲ ସେଥିର ଇନାମ ଅଲାହିଦା ପାଇବ; ଏ ସିବାଏ ଟଙ୍କାକୁ ସୁଧ ଚାରିଅଣା ହିସାବରେ ପାଇବ । ମଙ୍ଗରାଜେ କହିଲେ ‘‘ରାମ, ରାମ, ରାମ ! ହଜୁର ମୁଁ ପିଆଜ ଆଉ ବିଆଜ ଖାଏ ନାହିଁ । ଓସ୍ତାଦ୍‌ଜୀ କହିଲେ, ‘‘କ’ଣ ପିଆଜ ଖାଏ ନାହିଁ ? ବହୁତ ଇମାନ୍‌ଦାର୍‌ ଲୋକ ।’’

 

ଜମିଦାରୀର ଆୟକୁ ଚାହିଁ ବ୍ୟୟ କରିବା ନୀତି ଏ ପ୍ରକାରର ଜମିଦାରମାନଙ୍କର ନ ଥିଲା । ଯେତେବେଳେ ନିଜର ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ସେତେବେଳେ କାଶ୍ମୀରରୁ ବାଈ ଆଣି ସଙ୍ଗୀତ ଆସରର ବ୍ୟବସ୍ଥା କରିବା ଯେ ନିତାନ୍ତ ବୁଦ୍ଧିହୀନତାର ପରିଚୟ ଏଥିରେ ସନ୍ଦେହ ନାହିଁ । ତଥାପି ନବାବୀ ଜୀବନର ଆକର୍ଷଣ ଏତେ ଅଧିକ ଯେ କରଜ କରି ସଙ୍ଗୀତ ଆସର ଜମେଇବାକୁ ଦିଲ୍‌ଦାର୍‌ ମିଆଁ ପଶ୍ଚାତ୍‌ପଦ ହୋଇ ନାହାନ୍ତି ।

 

ମୁସଲମାନ ବା ମୋଗଲ ରାଜତ୍ୱ ସମୟରେ ସମ୍ରାଟଙ୍କର ଅଧୀନରେ ଥିବା ନବାବମାନେ ଆଭିଜାତ୍ୟ ବଜାୟ ରଖିବାପାଇଁ ଯେପରି ଭାବରେ ଜୀବନ ଯାପନ କରୁଥିଲେ ତାହା ସେମାନଙ୍କର ବିଳାସପ୍ରିୟତାର ଚରମ ନିଦର୍ଶନ । ସେହି ବିଳାସପ୍ରିୟତା ପରବର୍ତ୍ତୀ କାଳରେ ଆଉ ରକ୍ଷିତ ହୋଇ ପାରିଲା ନାହିଁ । ଏ ଦେଶରେ ଇଂରେଜ ଶାସନର ଅଭ୍ୟୁଦୟ ପରେ ପରେ ବିଭିନ୍ନ ରାଜ୍ୟରେ ଥିବା ନବାବମାନଙ୍କର ମେରୁଦଣ୍ଡ ଭାଙ୍ଗିଗଲା । ସେଖ୍‌ ଦିଲ୍‌ଦାର୍ ମିଆଁଙ୍କର ନବବୀ ଜୀବନ, କର୍ପୂର ଉଡ଼ିଯିବାପରେ କନାରେ ଥିବା କର୍ପୂରର ବାସ ପରି ଅଳୀକ । ଫକୀରମୋହନ ସେନାପତି ତାଙ୍କର ଉପନ୍ୟାସରେ ଏହି ନବାବୀ ଚିତ୍ରର ସାର୍ଥକ ରୂପାୟନ କରିବାରେ ସମର୍ଥ ହୋଇଛନ୍ତି ।

Image

 

ଛ ମାଣ ଆଠଗୁଣ୍ଡରେ ପୋଲିସ ବିଭାଗର ଚିତ୍ର

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ଫକୀରମୋହନ ପ୍ରସଙ୍ଗକ୍ରମରେ ତତ୍‌କାଳୀନ ପୋଲିସ ବିଭାଗର କର୍ମଚାରୀମାନଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କରିଅଛନ୍ତି । ତତ୍‌କାଳୀନ ପୋଲିସ କର୍ମଚାରୀମାନେ ନିଜକୁ ଅତ୍ୟନ୍ତ ଶକ୍ତିଶାଳୀ ମନେକରି ଯାହା ଇଚ୍ଛା ତାହା କରି ଯାଉଥିଲେ । ସେତେବେଳେ ଯେ ପୋଲିସ ବିଭାଗରେ ଲାଞ୍ଚମିଛ ବା ଦୁର୍ନୀତି ପୁରାମାତ୍ରାରେ ରହିଥିଲା ଏକଥା ଫକୀରମୋହନ ଅତ୍ୟନ୍ତ ସାହସର ସହିତ ବର୍ଣ୍ଣନା କରିଅଛନ୍ତି ।

 

ଚଉକିଦାର ଗୋବରା ଜେନା ବିଷୟରେ ଲେଖକ ଲେଖିଛନ୍ତି ଯେ ସେ ତା’ର କର୍ମରେ ଆଦୌ ତତ୍ପର ନ ଥିଲା । ବର୍ଷକରେ ଥରେ ସେ ଗ୍ରାମବାସୀମାନଙ୍କଠାରୁ ତା’ର ପାଉଣା ବାବଦ ଧାନହଳା ଆଦାୟ କରେ । ବାହା ପୁଆଣିରେ ତା’ର ସ୍ୱତନ୍ତ୍ର ପାଉଣା । ଗାଁରେ କୌଣସି ଚୋରୀ ଡକାୟତି ହେଲେ ସେ ଥାନାରେ ଖବର ଦେବା ପାଇଁ ସ୍ୱତନ୍ତ୍ର ପାଉଣା ନିଏ । ଥାନାପାଳି ଦିନ ଲାଉଟାଏ, କଖାରୁଟାଏ ବା କଦଳୀ କାନ୍ଦିଏ ଗାଁରୁ ଆଦାୟ କରି ଥାନାରେ ଥିବା ପୋଲିସ କର୍ମଚାରୀମାନଙ୍କ ପାଇଁ ସେ ନେଇଥାଏ । କୌଣସି ଲୋକ ଉପରେ କୌଣସି ପ୍ରକାର ମାଲିମୋକଦ୍ଦମା ପଡ଼ିଲେ ସେ ଯେବେ କିଛି ଅର୍ଥଦେବାକୁ ଅକ୍ଷମ ଥାଏ, ତାହାହେଲେ ଗୋବରାଜେନା ତା’ଠାରୁ କଂସା ବା ଢାଳଟିଏ ନେଇ କାମ ଚଳାଇ ଦେଇଥାଏ । ଗୋବରା ଜେନାର ଆଉ ଗୋଟିଏ ମନ୍ଦ ଅଭ୍ୟାସ ଥିଲା ଯେ ସେ ରାତିଓଳି ଗାଁରେ ପହରା ଦେବା ବାହାନାରେ ଘରକୁ ଖାଇବାକୁ ନ ଯାଇ କୌଣସି ଗ୍ରାମବାସୀର ଘରେ ରାତିରେ ଖାଇବାକୁ ବରାଦ କରେ । ଯଦି କୌଣସି କାରଣ ବଶତଃ ରାତିଓଳି ଗୋବରା ଜେନା ସେ ଗ୍ରାମବାସୀର ଘରୁ ଖାଇବାକୁ ନ ପାଏ, ତାହାହେଲେ ସେ ସେହି ଲେକାର ବାରିରୁ ବା ଘରୁ ଯାହା ପାଏ ଚୋରୀ କରେ । ଯଦି ଚୋରୀ କରିବାକୁ ସେ କୌଣସି ପଦାର୍ଥ ନ ପାଏ, ତାହାହେଲେ ରାଗରେ ତା’ର ଦାଣ୍ଡ ପିଣ୍ଡାରୁ ଖୁଣ୍ଟଟାଏ ଭାଙ୍ଗିଦେଇଥାଏ । ଏପରି ଚଉକିଦାର ଇଂରେଜ ଶାସନ କାଳରେ ଆମ ଗାଁ ଗଣ୍ଡାରେ ନିଜ ନିଜର ସ୍ୱାର୍ଥ ସାଧନରେ ତତ୍ପର ଥିଲେ ।

 

ଗୋବରା ଜେନା ଚୋରମାନଙ୍କ ସହିତ ସଂପର୍କ ରଖି ସେମାନଙ୍କୁ ଚୋରୀରେ ସାହାଯ୍ୟ କରେ । ଗୋବରା ଜେନା ଚୋରମାନଙ୍କଠାରୁ ଚୋରୀ ଜିନିଷ ଆଣି ବିକ୍ରି କରେ । ଗୋବରା ଜେନା ରାମଚନ୍ଦ୍ର ମଙ୍ଗରାଜଙ୍କ ସହିତ ଭଲ ସଂପର୍କ ରଖିଥାଏ । ରାମଚନ୍ଦ୍ର ମଙ୍ଗରାଜଙ୍କ ସଂପତ୍ତି ବର୍ଦ୍ଧନରେ ସେ ଯତ୍‌ପରୋନାସ୍ତି ସାହାଯ୍ୟ କରିବାର କଥା ଲେଖକ ବର୍ଣ୍ଣନା କରିଅଛନ୍ତି ।

 

ଶାରିଆର ମୃତ୍ୟୁ ସଂବାଦ ପାଇ ପୋଲିସ କର୍ମଚାରୀମାନେ ତଦାରଖ କରିବାକୁ ଆସିଲେ । ଏହି ତଦାରଖ ସମୟର ବର୍ଣ୍ଣନା ଫକୀରମୋହନଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି । ସେ ଲେଖିଅଛନ୍ତି, ‘‘ମଙ୍ଗରାଜଙ୍କ କଚେରୀ ମେଲାରେ ପୋଲିସ କଚେରୀ ବସିଅଛି । ଖୋଦ୍ ଦାରୋଗା ସେଖ୍‌ଇନାଏତ୍‌ ହୋସେନ୍‌ ଖଣ୍ଡେ ସତରଞ୍ଜିରେ ଦାଢ଼ି ମେଲାଇ ଦେଇ ବସିଛନ୍ତି-। ଆଗ ଡାହାଣ ପାଖରେ ମୁନିସି ଚକ୍ରଧର ଦାସ ହେଁସ ଉପରେ ବିଛା ଘୋଡ଼ାଚାରଜାମାରେ ବସିଛନ୍ତି । ଆଗରେ କୋଡ଼ିଏ ହାତ ଦୂରରେ ବରକନ୍ଦାଜ ଗୋଲାମ କାଦର ଏବଂ ହରିସିଂହ ଏବଂ ପାଞ୍ଚଜଣ ଚୌକିଦାର ଛିଡ଼ା ହୋଇଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଗ୍ରେପ୍ତାର ହୋଇ ସେମାନଙ୍କ ନଜରବନ୍ଦୀରେ ମୁଣ୍ଡ ତଳକୁ ପୋତିହୋଇ ବସିଛନ୍ତି । ମଙ୍ଗରାଜଙ୍କର ଘର ଚାରିପିଠି ମହାସଭା ବସିଗଲାଣି; ବାହାର ମନୁଷ୍ୟ ଭିତରକୁ ଯିବାକୁ, ଭିତର ମନୁଷ୍ୟ ବାହାରକୁ ଆସିବାକୁ ହୁକୁମ ନାହିଁ-। ପ୍ରଥମ ସ୍ତ୍ରୀ ଲୋକମାନଙ୍କୁ ଏକତରଫ କରି ଦିଆଯାଇ ଘର ଖାନତଲାସି ଆରମ୍ଭ ହେଲା । ଘରର ପ୍ରତ୍ୟେକ ସିନ୍ଧୁକ ପେଟରା ଆଡ଼ଖୁର ତଲାସ ହେଲା, ଭାତହାଣ୍ଡି ଖୋଜାଗଲା, ଦୁଇ ଚାରିଜାଗା ଖୋଳାଗଲା, ଦୁଇ ଚାରିଜାଗା ଚାଳ ଓଲରାଗଲା, କୌଣସି ସନ୍ଦେହୀମାଲ ଠିକଣା ହେଲା ନାହିଁ । କେବଳ ମଙ୍ଗରାଜଙ୍କ ପହଡ଼ ଘରୁ ତିନି ଚାରି ହାତ ଲମ୍ବ ରେକେମୋଟ ଗୋଟିଏ ବାଉଁଶଠେଙ୍ଗା ବରାମତ ହେଲା । ବାଡ଼ି ପଛ ଓଳିତଳେ ଗୋଟିଏ ସ୍ତ୍ରୀ ଲୋକର ଲାସ ଖଣ୍ଡେ ପୁରୁଣା ହେଁସରେ ଘୋଡ଼ା ହୋଇଥିବାର ବରାମଦ ହୋଇ ଦାଣ୍ଡଦୁଆରକୁ ଅଣାଗଲା । ସେହି ଲାସ୍‌ ତନ୍ତିଆଣୀ ଶାରିଆର ଥିବାର ଗୋବରା ଜେନା ସନାକ୍ତ କଲା । ଦାରୋଗା ଦାଢ଼ିରେ ହାତ ବୁଲାଇ କହିଲେ ‘‘କେଉଁ ରାମଚନ୍ଦର୍‍ ମଙ୍ଗରାଜ ଅବ୍‌ କ୍ୟା ମତ୍‌ଲବ୍‌ ହେ–ରତନପୁର ଡୋମ୍‌ ଲୋକେଁ କା ମାମଲା ଇଆଦ୍‌ ହେ କି ନାହିଁ ? ମୁନ୍‌ସି କହିଲେ–‘‘ଏକା ମାଘରେ ଶୀତ ଗଲା ବୋଲି ମଙ୍ଗରାଜେ ମନେ କରିଥିଲେ ପରା ।’’ ଆମ୍ଭେମାନେ ଗୋପନରେ ସନ୍ଧାନ କରି ବୁଝିଲୁ, ରତନପୁର ଡୋମମାନଙ୍କୁ ଜେଲ କରାଇ ଦେବା ସକାଶେ ମଙ୍ଗରାଜେ ଦାରୋଗାଙ୍କୁ ହଜାରେ ଟଙ୍କା ଲାଞ୍ଚ ଯାଚିଥିଲେ, ମାତ୍ର ଫାଙ୍କି ଦେଇଥିବାରୁ ଦାରୋଗା ସେହି କଥାଟା ମନେ କରାଇ ଦେଲେ ।’’

 

ରାମଚନ୍ଦ୍ର ମଙ୍ଗରାଜ ବିରୁଦ୍ଧରେ ପୋଲିସ କର୍ମଚାରୀମାନେ ତଦାରଖ କରିବା ବିଷୟକୁ ଫକୀରମୋହନ ଅତ୍ୟନ୍ତ ସରସ ଭାବରେ ବର୍ଣ୍ଣନା କରିଅଛନ୍ତି । ଯେଉଁ ରୀତିରେ ତଦାରଖ କାର୍ଯ୍ୟ ସଂପନ୍ନ ହୋଇଅଛି ତାହା ନିତାନ୍ତ ହାସ୍ୟାସ୍ପଦ । ପୋଲିସ ବିଭାଗରେ ଲାଞ୍ଚ ମିଛ ଏପରି ଭାବରେ ବ୍ୟାପି ଯାଇଥିଲା ଯେ ସମାଜର ପ୍ରତିପତ୍ତିଶାଳୀ ବ୍ୟକ୍ତିମାନେ ପୋଲିସ ବିଭାଗର ସହାୟତାରେ ଦରିଦ୍ର ଜନସାଧାରଣଙ୍କୁ ନିଷ୍ପେଷଣ କରୁଥିଲେ । ଲେଖକ ଏଠାରେ ରତନପୁରର ଡୋମମାନଙ୍କ କଥା ଉଲ୍ଲେଖ କରି ଏହି ବିଷୟକୁ ସ୍ପଷ୍ଟତର କରିଦେଇଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଚଉକିଦାର ଗୋବରା ଜେନାକୁ ହାତକରି ନିଜର ସମ୍ପତ୍ତି ବୃଦ୍ଧି କରିବାରେ ଲାଗିପଡ଼ିଥିଲେ । ଏହାଛଡ଼ା ପୋଲିସ ବିଭାଗର ସହାୟତାରେ ସେ ଅନେକ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ କରିଥିଲେ । ପୋଲିସ କର୍ମଚାରୀମାନେ ତାଙ୍କଠାରୁ ଲାଞ୍ଚନେଇ ତାହାଙ୍କୁ ବରାବର ସାହାଯ୍ୟ କରୁଥିଲେ । ରତନପୁରର ଡୋମମାନଙ୍କୁ ଜବତ୍‌ କରିବା ଉଦ୍ଦେଶ୍ୟରେ ରାମଚନ୍ଦ୍ର ମଙ୍ଗରାଜ ପୋଲିସ କର୍ମଚାରୀମାନଙ୍କର ସାହାଯ୍ୟ ଲୋଡ଼ିଥିଲେ ଏବଂ ପୋଲିସ କର୍ମଚାରୀମାନେ ଏକହଜାର ଟଙ୍କା ଲାଞ୍ଚ ପାଇବା ଆଶାରେ ଡୋମମାନଙ୍କୁ ଜେଲ୍‌ଦଣ୍ଡ ଦିଆଇବାର ବ୍ୟବସ୍ଥା କରିଥିଲେ । ମାତ୍ର ରାମଚନ୍ଦ୍ର ମଙ୍ଗରାଜ ପୋଲିସ କର୍ମଚାରୀମାନଙ୍କୁ ଏକହଜାର ଟଙ୍କା ଲାଞ୍ଚ ନଦେବାରୁ ସେମାନେ ମଙ୍ଗରାଜଙ୍କୁ ବିପଦରେ ପକାଇବାକୁ ସୁଯୋଗ ଖୋଜୁଥିଲେ । ଶାରିଆର ମୃତ୍ୟୁରେ ପୋଲିସ କର୍ମଚାରୀମାନେ ଏହି ସୁଯୋଗ ପାଇଗଲେ ।

 

ସେ ସମୟର ପୋଲିସ କର୍ମଚାରୀମାନେ ସରଳ ଜନସାଧାରଣଙ୍କ ପ୍ରତି ନିତାନ୍ତ ନିର୍ଦ୍ଦୟ ବ୍ୟବହାର କରୁଥିଲେ । ଏପରିକି ପୋଲିସ ନାମ ଶୁଣିଲେ ଯେ କୌଣସି ଗ୍ରାମବାସୀ ଭୟ ପାଉଥିଲା । ରାମଚନ୍ଦ୍ର ମଙ୍ଗରାଜଙ୍କ ବିରୁଦ୍ଧରେ ପୋଲିସ ତଦାରଖ କରିବା ସମୟରେ ଆଉ ଗୋଟିଏ ବର୍ଣ୍ଣନା ଏଠାରେ ଉଦ୍ଧାର କଲେ ପୋଲିସ କର୍ମଚାରୀମାନଙ୍କର ସାଧାରଣ ଲୋକଙ୍କ ପ୍ରତି କିପରି ବ୍ୟବହାର ଥିଲା ତାହା ସହଜରେ ବୁଝାଯାଇ ପାରିବ ।

 

‘ଗୃହ ତଲାସ ହେଲା–ବରକନ୍ଦାଜ ଚୌକିଦାରମାନେ ଗ୍ରାମଯାକ ବୁଲିଆସି ଖବର ଦେଲେ ଗ୍ରାମରେ ପୁରୁଷଲୋକ ଜଣେ ନାହିଁ, କବାଟ ଫାଙ୍କରୁ ସ୍ତ୍ରୀଲୋକମାନେ ଯେ ଜବାବ ଦେଲେ, ସେଥିରୁ ଜଣାଗଲା, ଆଠପଣ ଲୋକ ଯାଇଛନ୍ତି କୁଣିଆ ଘରକୁ, ଚାରିପଣ ଗୋରୁଖୋଜି, ଦୁଇପଣ ଜଗନ୍ନାଥ ଦର୍ଶନକୁ, ଦୁଇପଣ ପଡ଼ିଛନ୍ତି ବାଧିକି । କେବଳ ଦୁଇଜଣ ଭଲଲୋକ ଭିନ୍ନ ଗ୍ରାମବାସୀ ଗୁହା ଆପଣାର କର୍ତ୍ତବ୍ୟ ବୁଝି ଆପେ ହାଜର ହୋଇଗଲେ । ଗ୍ରାମର ଲୋକ ହାଜର ନ ହେବାରୁ ଦାରୋଗା ଖପାହୋଇ ବରକନ୍ଦାଜମାନଙ୍କୁ ଉଲ୍ଲୁ, ଗଧା, ବେକୁଫ, ନାଲାଏକ ଇତ୍ୟାଦି ଇତ୍ୟାଦି ସମ୍ବୋଧନ କରିବାରୁ ଗ୍ରାମଯାକ ହୁରି ହାଲର ପଡ଼ିଗଲା । ଗୁମାଗୁମ୍‌ ମାଡ଼ ଆଉ କବାଟ ଭଙ୍ଗା । ସନ୍ନିପାତ ରୋଗୀ କତରା ଘୋଡ଼ି ହୋଇପଡ଼ି ଯମକୁ ଫାଙ୍କିଦେଇ ଦୁଇଦିନ ରହିଯାଇପାରେ ମାତ୍ର ପୁଲିସକୁ ଫାଙ୍କିଦେବ କିଏ ? ପୁରୁଷ ଲୋକଗୁଡ଼ିକ ସଳଖ ସଳଖ ଘରୁ ବାହାରି ଆସିଲେ । ଦୁଇଦିନ ପର୍ଯ୍ୟନ୍ତ ବତ୍ରିଶଜଣ ଗୃହାଙ୍କ ଜବାନବନ୍ଦୀ ଗ୍ରହଣ କରାଗଲା । ପ୍ରଥମ ଦିନରେ ଦୁଇଜଣ ଚୌକିଦାର ହମରାଏ ଲାସ ମାଇନା ସକାଶେ କଟକ ଚାଲାଣ ଦିଆଗଲା । ମୁନ୍‌ସି ସାହେବ ଜେଲଖାନା କଏଦିଙ୍କ ତୟାରି ଅଢ଼େଇ ଦିସ୍ତା ହରତାଳି କାଗଜରେ ଜବାନବନ୍ଦୀ କଲମବନ୍ଦ କରି ପକାଇଲେ ।’’

 

ଉପରୋକ୍ତ ଉଦ୍ଧୃତିରୁ ପୋଲିସ ବିଭାଗର କର୍ମଚାରୀମାନଙ୍କ ପ୍ରତି ସରଳ ଗ୍ରାମବାସୀମାନଙ୍କର କିପରି ଭୟଥିଲା ତାହା ସ୍ପଷ୍ଟରୂପେ ଜଣାଯାଏ । ପୋଲିସ କର୍ମଚାରୀମାନେ ସାକ୍ଷୀ ଦେବାପାଇଁ ଗ୍ରାମବାସୀମାନଙ୍କୁ ଡାକିବାରୁ ସେମାନେ ଭୟରେ ଲୁଚି ରହିଲେ । ପୁଣି ସେମାନେ ବଳପ୍ରୟୋଗ ପୂର୍ବକ କବାଟ ଭାଙ୍ଗି ଲୋକମାନଙ୍କୁ ମାଡ଼ଦେବାରୁ ଲୋକମାନେ ଘରୁ ବାହାରି ଆସିଲେ । ସେତେବେଳର ପୋଲିସ କର୍ମଚାରୀମାନେ ବିଦେଶୀ ସରକାରର ବଳରେ ନିଜର ଦେଶବାସୀଙ୍କ ପ୍ରତି କିପରି ଜଘନ୍ୟ ବ୍ୟବହାର କରୁଥିଲେ ଏହା ତାହାର ଏକ ନିଛକ ବର୍ଣ୍ଣନା-

 

ସେ ସମୟର ପୋଲିସ କର୍ମଚାରୀମାନେ ନିଜ ନିଜର ଶକ୍ତିବଳରେ ସତକୁ ମିଛ, ମିଛକୁ ସତ କିପରି କରିପାରୁଥିଲେ ତାହାର ଆଉ ଏକ ବର୍ଣ୍ଣନା ଫକୀରମୋହନ ସେନାପତି ଚମ୍ପାର ମୃତ୍ୟୁ ବିଷୟରେ ପ୍ରଦାନ କରିଅଛନ୍ତି ।

 

‘‘ଜମାଦାର ମାମଲା ଖତମ କରିବାକୁ ବସି ଲୋକମାନଙ୍କୁ କହିଲେ, ଦେଖ ଏହି ଲୋକ କିଏ ଜଣା ନାହିଁ, ବୋଧହୁଏ ଯାତ୍ରୀ । ଏହାକୁ ଖୁଣ କରି ନାହିଁ, ଏ ସାପକାଟି । ଗୋପୀସାହୁ ଦୋକାନୀ ଆଗକୁ ଆସି ସାକ୍ଷ୍ୟଦେଲା ଧର୍ମାବତାର, ଏଠାରେ ସାପର ଭାରି ଉପଦ୍ରବ; ନଈବଢ଼ିରେ କାହୁଁ ଭାସିଆସି ହଜାର ହଜାର ସାପ ଏଠି ଅଛନ୍ତି, ସାପ ଭୟରେ ଗ୍ରାମ ଭାଙ୍ଗିଗଲା, ମୁଁ କାଲି ଦୋକାନକୁ ଆସିଥିଲି; ଗୋଟାଏ ଲମ୍ବ କୋଳଥିଆ ନାଗ ବୁଲୁଥିଲା, ମୁଁ ଭୟରେ ପଳାଇଲି ।’’

 

ଗୋବିନ୍ଦା ଭଣ୍ଡାରୀ ଚମ୍ପାକୁ ଯେଉଁଠାରେ ହତ୍ୟା କରିଥିଲା, ସେଠାରେ ଏକ ରକ୍ତବୋଳା କ୍ଷୁର ପଡ଼ିଥିଲା । ଘର ରକ୍ତରେ ଭାସୁଥିଲା । ଏପରି ଅବସ୍ଥାରେ ଜମାଦାର ଏହାକୁ ଖୁଣୀ ମାମଲା ରୂପେ ଗ୍ରହଣ ନ କରି ସାପକାଟି ରୂପେ ଗ୍ରହଣ କରିବା ଆଶ୍ଚର୍ଯ୍ୟର କଥା । ରାମଚନ୍ଦ୍ର ମଙ୍ଗରାଜଙ୍କର ଶୋଇବାଘରୁ ପୋଲିସ କର୍ମଚାରୀମାନେ ଖଣ୍ଡେ ବାଉଁଶ ବାଡ଼ି ଜବତ କରି ସେହି ବାଡ଼ିରେ ରାମଚନ୍ଦ୍ର ମଙ୍ଗରାଜ ଶାରିଆକୁ ପିଟି ପିଟି ମାରିଦେଇ ଅଛନ୍ତି ବୋଲି ରିପୋର୍ଟ କରି ବାଡ଼ିଟିକୁ କଚେରୀରେ ପେଶ୍‌ କରିବାକୁ ନେଇଥିଲେ । ମାତ୍ର ଏଠାରେ କ୍ଷୁରଟିଏ ପଡ଼ିଥିବା ସତ୍ତ୍ୱେ, ଚମ୍ପାର ବେକରେ କଟାଦାଗ ଥିବା ସତ୍ତ୍ୱେ ଓ ଘରେ ରକ୍ତର ଜମାଟ ବାନ୍ଧଥିବା ସତ୍ତ୍ୱେ ଜମାଦାର ସାହେବ ଏହାକୁ ସାପକାଟି ଭାବରେ ଗ୍ରହଣ କଲେ । ଏହାର କାରଣ ଯାହା ଥାଉନା କାହିଁକି, ପୋଲିସ କର୍ମଚାରୀମାନେ ଅର୍ଥଲୋଭରେ ପଡ଼ି ଏହିପରି ଅସଂଖ୍ୟ ସ୍ଥାନରେ ସତ୍ୟକୁ ମିଥ୍ୟା ଓ ମିଥ୍ୟାକୁ ସତ୍ୟ ରୂପରେ ପ୍ରକାଶ କରିବାରେ ଅଭ୍ୟସ୍ତ ଥିଲେ ।

 

ଚମ୍ପାର ଖୁଣୀ ତଦାରଖ ବିଷୟରେ ଫକୀରମୋହନ ପୁଣି ଲେଖିଛନ୍ତି, ‘ଜମୀଦାର ସମସ୍ତଙ୍କର ସାକ୍ଷ୍ୟ କଲମବନ୍ଦକରି ଗୋଟିଏ ପଶ୍ଚିମା ଭିକାରୁଣୀ ଯାତ୍ରୀ ଗ୍ରାମରେ ଭିକ୍ଷାକରି ଖାଉଥିବା ଓ ତାହାକୁ ଗତ ପରଦିନ ରାତ୍ରରେ ଗୋପାଳପୁର ମୌଜାରେ ସାପକାଟି ହୋଇଥିବା ଓ ଲାସ ଦେହରେ ସାପ କାମୁଡ଼ା ଚିହ୍ନ ଜାହେରଥିବା ଏବଂ ଏହା ମୃତ୍ୟୁ ବିଷୟରେ ଅନ୍ୟପ୍ରକାର ସକ୍‌ କିମ୍ବା ଦାବୀ ନଥିବା ଏକ ରିପୋର୍ଟ କେନ୍ଦ୍ରାପଡ଼ା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ କଲେ ।

 

X X X X

 

ଜମାଦାର ଡଙ୍ଗା ପାର ହେଉଁ ହେଉଁ ବରକନ୍ଦାଜକୁ କହିଲେ ଦେଖ - ଏଡ଼େ ମାମଲାଟାରେ ଦୁଇଶ ମଧ୍ୟ ପୂରା ହେଲାନାହିଁ । ବରକନ୍ଦାଜ କହିଲା, ‘‘ଖୋଦା ମାଲିକ, ଯୋ ହୁକୁମ ହୁଆ ।’’

 

ଗୋଟିଏ ଖୁଣୀମାମଲାକୁ ସାପକାଟି ରୂପେ ଗ୍ରହଣ କରିବା ମୂଳରେ ଜମାଦାରଙ୍କର ଏହି ଉକ୍ତିଟିର ଅର୍ଥ ନିହତ । ପୋଲିସ କର୍ମଚାରୀମାନେ ଯେ କୌଣସି ମାମଲା ତଦାରଖ କରିବାକୁ ଗଲେ ନିଜର ଅର୍ଥଲାଭ ଉଦ୍ଦେଶ୍ୟକୁ ମୁଖ୍ୟ ଭାବରେ ସେମାନେ ରଖୁଥିଲେ । ତେଣୁ ଫକୀରମୋହନ ତାଙ୍କର ଉପନ୍ୟାସରେ ପୋଲିସ କର୍ମଚାରୀମାନଙ୍କର ଯେଉଁ ଚିତ୍ର ପ୍ରଦାନ କରିଅଛନ୍ତି ତାହା ଯେ ନିତାନ୍ତ ବାସ୍ତବ ଏବଂ ସତ୍ୟମୂଳକ ଏଥିରେ ସନ୍ଦେହର ଅବକାଶ ନାହିଁ ।

Image

 

ଛ ମାଣ ଆଠଗୁଣ୍ଠରେ ବିଚାରାଳୟର ଚିତ୍ର

 

କଟକ ସେସନ ଜଜ୍‌ କୋଟ୍‌ରେ ରାମଚନ୍ଦ୍ର ମଙ୍ଗରାଜଙ୍କର ମୋକଦ୍ଦମାର ବିଚାର ହୋଇଥିଲା ବୋଲି ଫକୀରମୋହନ ସେନାପତି ତାଙ୍କ ଉପନ୍ୟାସରେ ବର୍ଣ୍ଣନା କରିଅଛନ୍ତି । ଏହି ପ୍ରସଙ୍ଗରେ ସେ ତତ୍‌କାଳୀନ ଅଦାଲତର ଚିତ୍ର ଅଙ୍କନ କରିଅଛନ୍ତି । ସେ ଲେଖିଅଛନ୍ତି, ‘ଆଜି ଜଜ୍‌କୋର୍ଟରେ ଭାରିଭିଡ଼ କଚେରୀଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି ଯାଆନ୍ତି ସେହିପରି ଜଣ ଜଣ କରି କଚେରୀ ପୁରି ଗଲେଣି । ଭାରି ଭିଡ଼, ଭାରି ଗୋଳମାଳ, ଦୁଇଜଣ ଚପରାଶି ଚୋଓପ୍‌ ଚୋଓପ୍‌ କହି ଆହୁରି ଗୋଳମାଳ ବଢ଼ାଉଛନ୍ତି । ମଫସଲର ଜଣେ ମାତବର ଜମିଦାର ମଣିଷମାରୁ ମାମଲାରେ ଚଲାଣ ହୋଇ ଆସିଛି । ମେଜେଷ୍ଟର ସାହେବ ଦୋହରା ସମ୍ପ୍ରୋଦ କରିଥିଲେ, ପାଞ୍ଚଦିନ ହେଲା ମକଦ୍ଦମା ଚାଲିଛି, ଆଜି ଶେଷ ବିଚାର ଦିନ; ମାମଲା ଏ ପର୍ଯ୍ୟନ୍ତ ପଡ଼ିନାହିଁ । କାଲି ବୁଧବାର, ବିଲାତି ମେଲ ଯିବ । ସାହେବ ‘ମାଇଁ ଡିଅର୍‌ ଲେଡି’ ଆରମ୍ଭ କରି ଚଞ୍ଚଳ ଚିଠିଖଣ୍ଡ ଲେଖି ପକାଉଛନ୍ତି । ଫୌଜଦାରୀ ମାମଲା ପଡ଼ିଲେ ହାକିମ ସାହେବ ବିଲାତି ଛାପାକାଗଜ ମେଲାଇ ବସନ୍ତି; କିମ୍ବା ଚିଠିଲେଖା ଆରମ୍ଭ କରନ୍ତି, ପେସ୍କାର ଜିମା ସବୁ କାର୍ଯ୍ୟ, ସାହେବ ଜମାନବନ୍ଦୀ କାଗଜରେ ଗାରେ ଗାରେ ଦସ୍ତଖତ୍‌ ଟାଣି ଦେବା ଆଉ ରାୟ ଶୁଣାଇବାରେ ମାଲିକ । ଆଜ ସାହେବଙ୍କୁ ସବୁକାର୍ଯ୍ୟ ହାତରେ କରିବାକୁ ହେବ; କାରଣ ଆଜି ସାକ୍ଷୀଜଣକ ଇଂରାଜ, ମଧ୍ୟ ଇଂରାଜୀରେ ରାୟ ଲେଖିବାକୁ ହେବ । ଆଜିକାର କାରଖାନାସବୁ ଇଂରାଜୀମୟ, ମାତ୍ର ଆମ୍ଭେମାନେ ଓଡ଼ିଆ, ପାଠକମାନେ ମଧ୍ୟ ସେହିପରି, ଛାପାଖାନାର ଅକ୍ଷରଗୁଡ଼ିକ ମଧ୍ୟ ଏହି ଦେଶୀ, ସୁତରାଂ ଆମ୍ଭମାନଙ୍କୁ ତରଜମା କରି ସମସ୍ତ କଥା ଲେଖିବାକୁ ହେଉଛି । ସାହେବ ମେଞ୍ଚାଏ ଛେପରେ ଲିଫାଫା ବନ୍ଦ କରି ଚପରାସୀ ହାତରେ ଡାକଘରକୁ ପଠାଇ ଦେଇ କହିଲେ–ଉଏଲ୍‌ ବାବୁ ! ମକଦ୍ଦମା ପେସ କର । ସରକାର ତରଫ ଓକିଲ ଈଷାନଚନ୍ଦ୍ର ସରକାର ଏବଂ ପୋଲିସ ଦାରୋଗା ଇନାଏତ ହୋସେନ୍‌–ମୁଦଲା ତରଫ ଓକିଲ ରାମରାମ ଲାଲା ହାଜର ।’’

 

ଇଂରେଜ ଶାସନ ସମୟରେ ଯେଉଁମାନେ ଏ ଦେଶରେ ବିଚାରପତି ଆସନ ଅଳକୃତ କରି ନ୍ୟାୟବିଚାରର ପ୍ରହସନ କରୁଥିଲେ ସେମାନଙ୍କ ପ୍ରତି ଫକୀରମୋହନ ଅତ୍ୟନ୍ତ ନିର୍ମମ ହୋଇ ଉଠିଛନ୍ତି । ବିଚାରଳୟରେ ବସି ମୋକଦ୍ଦମା ବିଚାର କରିବା କାର୍ଯ୍ୟକୁ ଏହି ବିଚାରପତିମାନେ ଏପରି ସାଧାରଣ ଏବଂ ଲଘୁ ଦୃଷ୍ଟିରେ ଦେଖନ୍ତି ଯାହାକି ନିତାନ୍ତ ଆପତ୍ତିଜନକ । ବିଚାରାଳୟରେ ବସି ମୋକଦ୍ଦମା ବିଚାର ବିଷୟ ପ୍ରଥମରେ ନ ଭାବି ଏମାନେ ଇଂରେଜୀ ଖବର କାଗଜ ମେଲାଇ ପଢ଼ନ୍ତି, ନଚେତ୍‌ ବିଲାତରେ ଥିବା ମେମ୍‌ସାହେବଙ୍କ ପାଖକୁ ପତ୍ର ଲେଖନ୍ତି । ପେସ୍କାର ବସି ମୋକଦ୍ଦମାର କାର୍ଯ୍ୟାବଳି ଶେଷ କରନ୍ତି, ଏପରିକି ମୋକଦ୍ଦମାର ରାୟ ଲେଖି ଦିଅନ୍ତି । ଶେଷରେ ପେସ୍କାର ସାହେବ ଠାରୁ ରାୟକାଗଜରେ ଦସ୍ତଖତ କରାଇ ନିଅନ୍ତି । ତେଣୁ ନ୍ୟାୟବିଚାର ନାମରେ ଏପ୍ରକାର କାର୍ଯ୍ୟକୁ ପ୍ରହସନ ଛଡ଼ା ଅନ୍ୟ କ’ଣ କୁହାଯାଇପାରେ ? ଏହିପରି ଏକ ନ୍ୟାୟ ବିଚାରାଳୟରେ ଆସାମୀ ରାମଚନ୍ଦ୍ର ମଙ୍ଗରାଜଙ୍କୁ ହାଜର କରାଯାଇଥିଲା ।

 

ଆସାମୀ ରାମଚନ୍ଦ୍ର ମଙ୍ଗରାଜ କାଠଗଡ଼ା ଭିତରେ ହାତ ଯୋଡ଼ି ଠିଆ ହୋଇଥିଲେ । ବିଚାରାଳୟରେ କୌଣସି ସ୍ୱୀକାରୋକ୍ତି କଲେ ପ୍ରଥମରେ ବାଇବଲ୍‌ ଛୁଇଁ, ଧର୍ମ ନାମରେ ଶପଥ କରି ସତ୍ୟକଥା କହିବାର ଅଭିନୟ କରାଯାଉଥିଲା । ଏହି ମୋକଦ୍ଦମାରେ ଡାକ୍ତର ସାହେବ ପ୍ରଥମେ ବାଇବଲ୍‌ ଛୁଇଁ ସତ୍ୟକଥା କହିବେ ବୋଲି ଶପଥ କରି ନିଜର ଜମାନବନ୍ଦୀ ପ୍ରକାଶ କରିଥିଲେ ।

 

‘‘ମୋ ନାମ ଏ.ବି.ସି.ଡ଼ି. ଡଗ୍‌ଲାସ୍‌, ବାପର ନାମ ଇ. ଏଫ୍‌. ଜି ଏଇଚ ଡଗଲାସ, ଜାତି ଇଂରେଜ, ବୟସ ୪୦, ହାଲ ସାକିନ କଟକ । ଆମ୍ଭେ କଟକ ଜିଲ୍ଲାର ସିଭିଲ୍‌ ସର୍ଜନ । ଗତ ୮ ତାରିଖ ଭୋର ସାତଟା ତିରିଶ ମିନିଟ୍‌ ସମୟରେ ସରକାରୀ ଲାସ୍‌ ମାଇନା ଘରେ ଆମ୍ଭ ସାକ୍ଷାତରେ ଶାରିଆର ଲାସ୍‌ ପୋଷ୍ଟମର୍ଟେମ ଏକ୍‌ଜାମିନ୍‌ କରାଯାଇଅଛି । ଚୌକିଦାର ଗୋବରା ଜେନା ଚିହ୍ନଟ ଦେବା ଅନୁସାରେ ଆମ୍ଭେ କହୁଁଛୁ, ତାହା ଶାରିଆର ଲାସ ଥିଲା । ଆମ୍ଭେ ଯେତେଦୂର ପରୀକ୍ଷା କରିଅଛୁ, ସାହସ କରି କହିପାରୁ, କୌଣସି ପ୍ରାଣନାଶକ ଅସ୍ତ୍ର ବା ଅନ୍ୟ ପଦାର୍ଥ ଏହାର ମୃତ୍ୟୁର କାରଣ ନୁହେଁ । ଦୀର୍ଘକାଳ ଉପବାସ ରହି ବିଶେଷ ମାନସିକ ଯନ୍ତ୍ରଣା ଭୋଗ କରି ମରିଯାଇଥିବାର ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଅଛୁ ।’’

 

ସିଭିଲ ସର୍ଜନ କେବଳ ଏତିକି କହିନାହାନ୍ତି, ଜବାବ ସୁଆଲରେ ସେ ସ୍ପଷ୍ଟଭାବରେ ପ୍ରକାଶ କରିଥିଲେ ଯେ ଶାରିଆକୁ ମାରିଦିଆ ଯାଇନାହିଁ । ସେ ଉପବାସ ରହି ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣତ୍ୟାଗ କରିଛି । ମାତ୍ର ପୋଲିସ ବିଭାଗର କର୍ମଚାରୀମାନଙ୍କର ଶବ ଚାଲାଣ ରିପୋର୍ଟ ଓ ଜବତ ହୋଇଥିବା ବାଡ଼ିର ଉଦ୍ଦେଶ୍ୟ ଅନ୍ୟପ୍ରକାର । ପୋଲିସ କର୍ମଚାରୀମାନେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ଶାରିଆର ହତ୍ୟାକାରୀ ରୂପେ ପ୍ରମାଣ କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରିଥିଲେ, ତାହା ଲେଖକଙ୍କର ପରବର୍ତ୍ତୀ ବର୍ଣ୍ଣନାରୁ ସ୍ପଷ୍ଟଭାବରେ ପ୍ରକାଶ ପାଇଅଛି । ‘‘ସରକାର ଓକିଲଙ୍କ ସୁଆଲରେ ଜବାବ–ହଁ, ଲାସ୍‌ ପିଠିରେ ତିନି ଜାଗରେ ଚିହ୍ନିଥିବାର ଗୋବରା ଜେନା ଆମ୍ଭଙ୍କୁ ବିଶେଷ ରୂପେ ଦେଖାଇଲା । ଆମ୍ଭେ ମଧ୍ୟ ଉତ୍ତମ ରୂପେ ପରୀକ୍ଷା କରି ଦେଖିଅଛୁଁ, ତାହା ମାଡ଼ର ଦାଗ ନୁହେଁ, ପ୍ରାଣତ୍ୟାଗ ଉତ୍ତାରେ ଗରମଲୁହା ଅନ୍ୟ କୌଣସି ଆଗ୍ନେୟ ପଦାର୍ଥରେ ଦାଗ ଦେଲେ ଯେପରି ଚିହ୍ନ ହୁଏ, ତାହା ସେହିପରି ଈଷତ୍‌ ପୋଡ଼ା ଚିହ୍ନ ।’’

 

ପୋଲିସ କର୍ମଚାରୀମାନେ ପ୍ରମାଣ କରିବାକୁ ଚାହିଁଥିଲେ ଯେ ରାମଚନ୍ଦ୍ର ମଙ୍ଗରାଜ ଶାରିଆକୁ ବାଡ଼ିରେ ପିଟି ମାରିଛନ୍ତି । ସେଥିପାଇଁ ସେମାନେ ଶାରିଆର ଲାସରେ ପୋଡ଼ାଚିହ୍ନ ରଖିଥିଲେ ଏବଂ ଗୋବରା ଜେନା ଏହି ଚିହ୍ନ ପ୍ରତି ବିଶେଷ ଭାବରେ ଡାକ୍ତରଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ମାତ୍ର ଡାକ୍ତର ଏଠାରେ ନିରପେକ୍ଷ ଭାବରେ ଶବ ପରୀକ୍ଷା କରି ସତ୍ୟ କଥାକୁ ସାହସର ସହିତ ଉପସ୍ଥାପିତ କରିଥିଲେ ।

 

ଯେଉଁ ଓକିଲମାନେ ସେ ସମୟରେ ଓକିଲାତି ପଢ଼ି ଆଇନ୍‌ ବ୍ୟବସାୟ କରୁଥିଲେ, ସେମାନେ ବିଚାରପତିଙ୍କ ଦୃଷ୍ଟିରେ ନିତାନ୍ତ ହେୟ ଥିଲେ । ଓକିଲାତି ସେ ସମୟରେ ସେପରି କିଛି ସମ୍ମାନଜନକ କାର୍ଯ୍ୟ ଥିଲା ବୋଲି ଏହି ବିଚାରାଳୟର ଚିତ୍ରରୁ ପ୍ରତିପାଦିତ ହୁଏ ନାହିଁ । ଫକୀରମୋହନ ଏ ବିଷୟରେ ଲେଖିଅଛନ୍ତି–

 

‘‘ଆସାମୀ ତରଫ ଓକିଲ ରାମରାମଲାଲାଙ୍କ ସୁଆଲ–ଡାକ୍ତର ସାହେବଙ୍କୁ ଅନାଇ କହିଲେ–ଆଚ୍ଛା, ମିସଲ ଉପରେ ଆସାମୀର ଯେଉଁ ବାଉଁଶ ଠେଙ୍ଗା ଅଛି, ଏହି ଠେଙ୍ଗାରେ କିଛି ଦାଗ ଲାସ୍‌ ପିଠିରେ ଥିଲା କି ?

 

ଜଜ୍‌ ସାହେବ-ନନ୍‌ସେନ୍‌ସ ! ଆଉର କ୍ୟା ପୁଚ୍ଛନେକା ହେ ପୁଚ୍ଛୋ ।

 

ଓକିଲ ସାକ୍ଷୀକୁ ପୁନର୍ବାର ଜେରାକଲେ–ଆଚ୍ଛା, ଆପଣ କହୁଛନ୍ତି ଶାରିଆ ଉପାସ ରହି ମରିଛି, ସେ ଆପେ ଉପାସ ରହିଥିଲା କି ଆସାମୀ ତାକୁ ଉପାସ ରଖାଇଥିଲା ?

 

ଜଜ୍‌ ସାହେବ–କୁଛ୍ ବାତ୍‌ ନେହିଁ, ଗୋ ଅନ୍‌ ଚଲୋ ଚଲୋ ।

 

ପୁନର୍ବାର ଜେରା–ଆଚ୍ଛା, ଶାରିଆ ଆସାମୀ ଦୁଆରେ ମରିଥିବାର ପ୍ରମାଣ ଅଛି କି ?

 

ଜଜ୍‌ସାହେବ ଖପାହୋଇ କହିଲେ–ଦେଖୋ, ତୁମ୍‌ ଏସା ବେହୁଦା ସବାଲ କରୋଗେ ତ, ତୁମାରା ଓକାଲାତୀ କେନ୍‌ସଲ୍‌ କରଦେଗା ।

 

ଓକିଲ–ହଜୁର ଖୋଦାବନ୍ଦ–ମା ବାପ–ଦୁନିଆଁ କା ବାଦସା ।’’

 

ଓକିଲ ରାମରାମଲାଲାଙ୍କ ପ୍ରତି ଜଜ୍‌ସାହେବଙ୍କ ବ୍ୟବହାରରୁ ମନେହୁଏ, ଗୋରା ହାକିମମାନେ ଏ ଦେଶର ଓକିଲମାନଙ୍କୁ ଭଲ ଦୃଷ୍ଟିରେ ଦେଖୁ ନଥିଲେ । ପୁଣି ରାମରାମଲାଲା ମଧ୍ୟ ଜଣେ ନିକୃଷ୍ଟ ଧରଣର ଓକିଲ ଥିଲେ ।

 

ମୋକଦ୍ଦମାର ବିଚାର ଶେଷ ହେଲା । ଜଜ୍‌ସାହେବ ଏକ ଦୀର୍ଘ ରାୟ ଦେଲେ । ରାମଚନ୍ଦ୍ର ମଙ୍ଗରାଜଙ୍କୁ ନରହତ୍ୟା ଅଭିଯୋଗରୁ ଜଜ୍‌ସାହେବ ଖଲାସକଲେ ସତ; ମାତ୍ର ନେତ ଗାଈକୁ ଅପହରଣ କରିଥିବା ଅଭିଯୋଗରେ ସେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ଛଅ ମାସ ସଶ୍ରମ କାରାଦଣ୍ଡ ଏବଂ ପାଞ୍ଚ ଶତ ଟଙ୍କାର ଜରିମାନାର ଆଦେଶ ଦେଲେ । ଜରିମାନା ଦେଇ ନ ପାରିଲେ ଆସାମୀକୁ ଆଉ ତିନି ମାସ ଜେଲଦଣ୍ଡ ଭୋଗ କରିବାର ଆଦେଶ ମଧ୍ୟ ଜଜ୍‌ସାହେବ ଦେଇଥିଲେ-

 

ରାମଚନ୍ଦ୍ର ମଙ୍ଗରାଜ ଭଳି ଆସାମୀର ମୋକଦ୍ଦମା ବିଚାର ବିଷୟକୁ ଫକୀରମୋହନ ଅତ୍ୟନ୍ତ ଦକ୍ଷତାର ସହିତ ବର୍ଣ୍ଣନା କରିଅଛନ୍ତି । ଛ ମାଣ ଆଠଗୁଣ୍ଠ ଉପନ୍ୟାସ ଯେତେବେଳେ ପ୍ରତି ମାସରେ କ୍ରମାଗତ ଭାବରେ ଉତ୍କଳ ସାହିତ୍ୟ ମାସିକ ପତ୍ରିକାରେ ପ୍ରକାଶ ପାଉଥିଲା, ସେତେବେଳେ ପାଠକମାନେ ଗୋଟିଏ ସଂଖ୍ୟାରେ ପ୍ରକାଶ ପାଇଥିବା ଅଂଶକୁ ପାଠ କରିସାରି ଅନ୍ୟ ଆଗାମୀ ସଂଖ୍ୟାକୁ ଚାହିଁ ବସୁଥିଲେ । ଫକୀରମୋହନ ଏହି ଉପନ୍ୟାସକୁ ଏପରି ଭାବରେ ରଚନା କରିଅଛନ୍ତି ଯେ ପାଠକମାନେ ଭାବୁଥିଲେ, ଏହା ଏକ ସତ୍ୟମୂଳକ ଘଟଣା । ତେଣୁ ରାମଚନ୍ଦ୍ର ମଙ୍ଗରାଜ ଯେତେବେଳେ ଗିରଫ ହୋଇ ବିଚାରାଳୟକୁ ଆସିଲେ, ସେତେବେଳେ ଲୋକମାନେ ଏହାକୁ ସତ୍ୟ ମନେକରି ମୋଫସଲରୁ ଆସି କଟକ କଚେରୀରେ କେଉଁଠାରେ ରାମଚନ୍ଦ୍ର ମଙ୍ଗରାଜଙ୍କର ମୋକଦ୍ଦମା ବିଚାର ହେଉଛି ବୋଲି ଖୋଜି ବୁଲିଥିଲେ । ଏହା ଫକୀରମୋହନ ସେନାପତିଙ୍କର ଆତ୍ମଜୀବନ ଚରିତରେ ବର୍ଣ୍ଣିତ ହୋଇଅଛି । ଛ ମାଣ ଆଠଗୁଣ୍ଠରେ ବର୍ଣ୍ଣିତ ସମସ୍ତ ଘଟଣା, ବିଚାରାଳୟ ଯେ ଲେଖକଙ୍କର କଳ୍ପନାପ୍ରସୂତ, ଏ କଥା ମୁଗ୍‌ଧ ପାଠକମାନେ ସେତେବେଳେ ହୃଦୟଙ୍ଗମ କରି ପାରି ନଥିଲେ ।

 

ଛ ମାଣ ଆଠଗୁଣ୍ଠରେ ବିଚାରାଳୟର ଯେଉଁ ଚିତ୍ର ଫକୀରମୋହନ ଅଙ୍କନ କରିଅଛନ୍ତି, ତାହା ତାଙ୍କର କଳ୍ପନାରେ ବିଚାରାଳୟ ହେଲେ ହେ ତତ୍କାଳୀନ ଏକ ବାସ୍ତବ ବିଚାରାଳୟର ପ୍ରକୃଷ୍ଟ ପରିଚୟ ଦେଇ ଅଛି ।

Image

 

ଛ ମାଣ ଆଠଗୁଣ୍ଠରେ ଲେଖକଙ୍କର ସଂସ୍କାରପ୍ରୟାସ

 

ଫକୀରମୋହନ ସେନାପତିଙ୍କର ଗଳ୍ପ, ଉପନ୍ୟାସ ବା ଆତ୍ମଜୀବନ ଚରିତ ପାଠକଲେ ତାଙ୍କର ସଂସ୍କାରବାଦିତାର ବହୁ ଉଦାହରଣ ମିଳେ । ଇଂରେଜ ସରକାର ଏ ଦେଶରେ ଶାସନ କରିବା ସମୟରେ ଆମର ସମାଜ ତଥା ଜୀବନର ଯେଉଁ କୁସଂସ୍କାର ଭରି ରହିଥିଲା, ଫକୀରମୋହନ ତାହା ବିରୁଦ୍ଧରେ ତାଙ୍କର ଲେଖନୀଚାଳନା କରିଅଛନ୍ତି । ବଙ୍ଗୀୟ କର୍ମଚାରୀମାନଙ୍କର ଓଡ଼ିଆ ଭାଷାକୁ ଲୋପ କରିବାର ଯେଉଁ ଆନ୍ଦୋଳନ ହୋଇଥିଲା, ତା’ ବିରୁଦ୍ଧରେ ପ୍ରତ୍ୟକ୍ଷ ଭାବରେ ସଂଗ୍ରାମରତ ହୋଇ ଫକୀରମୋହନ ଅଣଓଡ଼ିଆମାନଙ୍କ ନିକଟରେ ଅପ୍ରିୟ ହୋଇ ପଡ଼ିଥିଲେ । ଏଥିପାଇଁ ସେ କେବେହେଲେ ଭାଙ୍ଗିପଡ଼ି ନଥିଲେ । ଅତ୍ୟନ୍ତ ସାହସର ସହିତ ଅଣ୍ଟାଭିଡ଼ି ସେ ବିଜାତୀୟମାନଙ୍କର ଅନୀତିକୁ ଦୃଢ଼କଣ୍ଠରେ ଆକ୍ଷେପ କରିଥିଲେ ।

 

କର୍ମପ୍ରସଙ୍ଗରେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେବାନ, ଆସିଷ୍ଟାଣ୍ଟ ମେନେଜର ବା ମେନେଜର ରୂପେ କାର୍ଯ୍ୟ କରିବା ସମୟରେ ସେ ବହୁପ୍ରକାର ବ୍ୟକ୍ତି ତଥା ଅନୁଷ୍ଠାନର ସଂସ୍ପର୍ଶରେ ଆସିଥିଲେ । ନିଜର ସ୍ୱାଧୀନଚେତା ମନୋବୃତ୍ତିରେ ସେ ବହୁ ବିଷୟ ଚିନ୍ତା କରି ସେ ସବୁକୁ ତାଙ୍କର ଗଳ୍ପ-ଉପନ୍ୟାସ ବା ଆତ୍ମଜୀବନ ଚରିତରେ ପ୍ରକାଶ କରିଅଛନ୍ତି । ଅନେକ ସ୍ଥଳରେ ସେ ହାସ୍ୟରସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯାହା ପ୍ରକାଶ କରି ଅଛନ୍ତି, ତହିଁରେ ତାଙ୍କର ସଂସ୍କାରବାଦୀ ଦୃଷ୍ଟିକୋଣରେ ଯଥେଷ୍ଟ ପରିଚୟ ମିଳିଅଛି ।

 

ଏ ଦେଶରେ ଇଂରେଜ ଶାସନ ପ୍ରତିଷ୍ଠିତ ହେବା ପରେ ଏ ଦେଶବାସୀ ଇଂରେଜୀ ସଭ୍ୟତା ପଛରେ ଏପରି ଭାବରେ ଗୋଡ଼ାଇଲେ ଯେ ତାହା ବହୁ ସ୍ୱାଧୀନଚେତା ବ୍ୟକ୍ତିଙ୍କୁ ଆଘାତ ଦେଇଥିଲା । ଫକୀରମୋହନ ଏହି ସମୟରେ ଭାରତୀୟମାନଙ୍କର ନକଲି ସାହେବ ହେବାର କାର୍ଯ୍ୟପନ୍ଥା ଦେଖି ନିତାନ୍ତ ମ୍ରିୟମାଣ ହୋଇ ପଡ଼ିଥିଲେ । ଜାତିର ଏ ଦୁର୍ଭାଗ୍ୟକୁ ସେ ନିନ୍ଦା କରି ଦେଶବାସୀଙ୍କୁ ଠିକ୍‌ ବାଟରେ ଚାଲିବା ପାଇଁ ଆହ୍ୱାନ କରିଥିଲେ । ‘‘ମୁଁ ହାଟ ବାହୁଡ଼ା’’ ନାମକ ଏକ କବିତାରେ ଫକୀରମୋହନ ତାଙ୍କର ଏହି ମତବାଦକୁ ସ୍ପଷ୍ଟଭାବରେ ପ୍ରକାଶ କରିଅଛନ୍ତି । ଦେଶବାସୀ ଇଂରେଜୀ ସଭ୍ୟତା ପଛରେ ଗୋଡ଼ାଇ ଇଂରେଜମାନଙ୍କର ସବୁ ଭଲ ଆଉ ଆମର ସବୁ ମନ୍ଦ ଏପରି ମତପୋଷଣ କରିବାରେ ସେ ବ୍ୟଥିତ ହୋଇ କଥାକଥିତ ସଭ୍ୟ ମନୁଷ୍ୟମାନଙ୍କୁ ଆକ୍ଷେପ କରିଅଛନ୍ତି । ତାଙ୍କର ଏହିପ୍ରକାର ମତବାଦ ତାଙ୍କର ଗଳ୍ପ ଓ ଉପନ୍ୟାସମାନଙ୍କରେ ସ୍ପଷ୍ଟ ଭାବରେ ପ୍ରକାଶ ପାଇଅଛି ।

 

ଚମ୍ପାର ରୂପ ବର୍ଣ୍ଣନା ପ୍ରସଙ୍ଗରେ ଫକୀରମୋହନ ତଥାକଥିତ ଆଧୁନିକ ଇଂରେଜୀ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଆକ୍ଷେପ କରି ଲେଖିଛନ୍ତି, ‘‘ମାତ୍ର ଆଜିକାଲି ସେପରି ମରହଟ୍ଟୀ ବର୍ଣ୍ଣନା ଚଳିବ ନାହିଁ । ଇଂରେଜୀ ପଢ଼ୁଆ ପାଠକମାନଙ୍କ ମନୋରଞ୍ଜନ ସକାଶେ ଇଂରାଜୀ ଧରଣରେ ରୂପ ବର୍ଣ୍ଣନା ଆବଶ୍ୟକ । ଭାରତର କବିମାନେ ସୁନ୍ଦରୀ ସ୍ତ୍ରୀକୁ କହନ୍ତି ‘ଗଜେନ୍ଦ୍ର ଗାମିନୀ’ ଇଂରେଜ କହିବେ ଛି ଛି ! ତାହା ତ ନୁହେଁ, ଘୋଡ଼ା ପରି ଯେ ଗେଲପ୍‌ ଚାଲିପାରେ, ସେହି ସିନା ପରମସୁନ୍ଦରୀ ! ଆମ୍ଭେମାନେ ଦେଖୁଅଛୁଁ ଆଜିକାଲି ପହିଲି ଆଷାଢ଼ର ମହାନଦୀର ବଢ଼ିପାଣି ପରି ଏ ଦେଶକୁ ଇଂରେଜୀ ସଭ୍ୟତା ଯେପରି ପେଲି ଆସୁଅଛି, ସେଥିରେ ଖୁବ୍‌ ସମ୍ଭବ ନବ୍ୟସଭ୍ୟ ଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷ୍ମୀମାନଙ୍କୁ ‘ଗେଲପ୍‌’ ଚାଲି ଶିଖାଇବା ନିମନ୍ତେ ଚାବୁକ ସବାର ନିଯୁକ୍ତ କରିବାକୁ ପ୍ରସ୍ତାବ କରି ବସିବେ ।’’

 

ଇଂରେଜୀ ପଢ଼ୁଆ ନବ୍ୟସଭ୍ୟ ଶିକ୍ଷିତ ବାବୁମାନଙ୍କ ବିରୁଦ୍ଧରେ ଫକୀରମୋହନ ଏଠାରେ ଶାଣିତ ବ୍ୟଙ୍ଗୋକ୍ତି ପ୍ରୟୋଗ କରିଅଛନ୍ତି । ଏହି ନବ୍ୟସଭ୍ୟ ବାବୁମାନଙ୍କର ଅନୁକୃତି ଫକୀରମୋହନଙ୍କ ଦୃଷ୍ଟିରେ ଏକାନ୍ତ ଦୋଷାବହ ହୋଇଉଠିଛି । ଇଂରେଜୀ ସଭ୍ୟତାର ସ୍ରୋତ ଅର୍ଥାତ୍‌ ଇଂରେଜୀ ସଭ୍ୟତାର ଅନୁକରଣ ମହାନଦୀର ବଢ଼ିପାଣି ପରି ସେତେବେଳେ ଏ ଦେଶକୁ ମାଡ଼ି ଆସୁଥିଲା । ତାହା ଫକୀରମୋହନଙ୍କ ଚକ୍ଷୁରେ ନିତାନ୍ତ ଦୋଷାବହ କାର୍ଯ୍ୟରୂପେ ଦେଖାଦେଇଅଛି ।

 

ଇଂରେଜମାନେ ଏ ଦେଶକୁ ଯେପରି ଭାବରେ ଅଧିକାର କରି ଶାସନ କଲେ ତାହା ଫକୀରମୋହନଙ୍କ ପରି ସ୍ୱାଧୀନଚେତା ବ୍ୟକ୍ତିଙ୍କ ନିକଟରେ ନିତାନ୍ତ ଗର୍ହିତ ଆଚରଣ ପରି ମନେହୋଇଛି । ଅସୁରଦୀଘିର ବର୍ଣ୍ଣନା ପ୍ରସଙ୍ଗରେ ଫକୀରମୋହନ ସେ କଥା ସ୍ପଷ୍ଟଭାବରେ ପ୍ରକାଶ କରିଅଛନ୍ତି ।

 

‘‘ଯୋଡ଼ାଏ ପାଣିକାଉ କେଉଁ ଦେଶରୁ ଉଡ଼ିଆସି ଦୀଘି ମଧ୍ୟରେ ଦୁଇ ଚାରି ଡୁବାମାରି ପେଟ ପୂରାଇ ଫରକରି ଉଡ଼ି ଚାଲିଗଲେ । ଗୋଟିଏ ପାଣିକାଉ ମେମ୍‌ସାହେବଙ୍କ ଗାଉନ୍‌ପରି କୂଳରେ ବସି ଡେଣା ଶୁଖାଉଅଛି । ହେ ହିନ୍ଦୁଧର୍ମୀ ବଗମାନେ ଇଂରେଜ ପାଣିକାଉଙ୍କୁ ଦେଖ, କେଉଁ ଦେଶରୁ ଖାଲି ପକେଟରେ ଉଡ଼ିଆସି ଚେଙ୍ଗ ବେଙ୍ଗ ଗଡ଼ିଶାରେ ପେଟ ପୂରାଇ ଚାଲିଗଲେ । ଦୀଘି କୂଳରେ ବରଗଛରେ ତୁମ୍ଭମାନଙ୍କର ବସା, ଦିନଯାକ ପାଣି ଚକଟି ଦଣ୍ଡେଇପିଲା କେରାଣ୍ଡିପିଲାରୁ ଅଧିକ କିଛି ପାଉ ନାହିଁ । ଜୀବନ ସଂଗ୍ରାମ କଳ ଉପସ୍ଥିତ, ଏଣିକି ଆହୁରି ପଲ ପଲ ପାଣିକାଉ ଆସି ଚେଙ୍ଗ ବେଙ୍ଗ ସବୁ ବହି ନେଇଯିବେ । ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖିଲେ ଆଉ ରକ୍ଷାନାହିଁ ।

 

ଇଂରେଜମାନେ ଏ ଦେଶକୁ ବାଣିଜ୍ୟ-ବ୍ୟବସାୟ କରିବାକୁ ଆସି ଏ ଦେଶକୁ ଦଖଲ କରି ଶେଷରେ ଏ ଦେଶରେ ପ୍ରଭୁ ହୋଇଥିଲେ । ଇଂରେଜମାନଙ୍କୁ ପାଣିକାଉ ରୂପେ ବର୍ଣ୍ଣନା କରି ଫକୀରମୋହନ ଏ ଦେଶବାସୀଙ୍କୁ ବଗରୂପେ ବର୍ଣ୍ଣନା କରି ଅଛନ୍ତି । ଦିନରାତି ପରିଶ୍ରମ କରି କରି ଏ ଦେଶବାସୀ କିଛି ପାଆନ୍ତି ନାହିଁ । ତେଣୁ ସେ ଦେଶବାସୀଙ୍କୁ ସତର୍କ କରାଇ ଅନ୍ୟ ଦେଶକୁ ଯାଇ ନିଜର ଅଧିକାର ସାବ୍ୟସ୍ତ କରିବା ନିମିତ୍ତ ଯତ୍ନଶୀଳ ହେବାକୁ ଆହ୍ୱାନ କରିଅଛନ୍ତି ।

 

ଫକୀରମୋହନଙ୍କର ସମାଜ ସଂସ୍କାର ମନୋବୃତ୍ତି ଅତି ସହଜରେ ଜଣାପଡ଼ିଥାଏ । ଭଣ୍ଡ ସମାଜପତିମାନେ ସରଳ ଜନସାଧାରଣମାନଙ୍କୁ ନିଷ୍ପେଷଣ କରି ନିଜର ଉଦ୍ଦେଶ୍ୟ ଚରିତାର୍ଥ କରିବା ନିମିତ୍ତ କିପରି ତତ୍ପର ଥାଆନ୍ତି, ତାହା ଫକୀରମୋହନ ରାମଚନ୍ଦ୍ର ମଙ୍ଗରାଜ ଚରିତ୍ର ଦ୍ୱାରା ସ୍ପଷ୍ଟ ଭାବରେ ପ୍ରକାଶ କରିଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ନିଜର ସମ୍ପର୍କୀୟ ଭାଇ ଶ୍ୟାମମଲ୍ଲଙ୍କଠାରୁ ଜମି ନେଇ ତାଙ୍କୁ ଜାତିରେ ମିଶାଇବା ବିଷୟରୁ ରାମଚନ୍ଦ୍ର ମଙ୍ଗରାଜଙ୍କର ନୀଚ ମନୋବୃତ୍ତିର ପରିଚୟ ମିଳିଥାଏ । ଧର୍ମ ଓ ଜାତି ନାମରେ ଆଳକରି ନିଜର ଦୋଷକୁ ଲୁଚାଇ ଗାଁର ମାମଲତକାରମାନେ ଏହିପରି କାର୍ଯ୍ୟ କରିଥାଆନ୍ତି । ଶ୍ୟାମମଲ୍ଲ ପିଆଜମିଶା କୋବି ତରକାରି ଖାଇଥିବାରୁ ତାଙ୍କୁ ଜାତିରେ ବାସନ୍ଦ କରାଗଲା । ମାତ୍ର ଚମ୍ପାକୁ ପଠାଇ ମଙ୍ଗରାଜଙ୍କ ପରିବାରର ସ୍ତ୍ରୀଲୋକମାନେ ହାଟରୁ ଯେ ପିଆଜ କିଣିଆଣନ୍ତି ସେ ପିଆଜ କ’ଣ ମଙ୍ଗରାଜଙ୍କ ପରିବାରର ଲୋକେ ଖାଆନ୍ତି ବୋଲି ସେ ଜାଣନ୍ତି ନାହିଁ ? ସବୁ ଜାଣି ଅଜାଣ ରହି ନିଜକୁ ପ୍ରତିପତ୍ତିଶାଳୀ କରିବା ଏହି ପ୍ରକାର ମାମଲତକାରମାନଙ୍କର ପ୍ରକୃତି । ରାମଚନ୍ଦ୍ର ମଙ୍ଗରାଜ ଚରିତ୍ର ଜରିଆରେ ଲେଖକ ଏହି ପ୍ରକାର ବହୁ ସାମାଜିକ ଦୋଷ ପ୍ରକାଶ କରିଅଛନ୍ତି ।

 

ସରଳ ଗ୍ରାମବାସୀମାନେ ଧର୍ମ ଓ ଈଶ୍ୱର ବିଷୟରେ ଅଦ୍ଭୁତ ଧାରଣା କରିଥାଆନ୍ତି । ଗ୍ରାମଦେବତୀ ବୁଢ଼ୀମଙ୍ଗଳାଙ୍କ ପ୍ରସଙ୍ଗରେ ଗ୍ରାମବାସୀମାନେ ଯେପରି ବିଶ୍ୱାସ ସ୍ଥାପନ କରିଅଛନ୍ତି, ଫକୀରମୋହନ ତାକୁ ବ୍ୟଙ୍ଗୋକ୍ତି ସାହାଯ୍ୟରେ ପ୍ରକାଶ କରିଅଛନ୍ତି । ଗ୍ରାମରେ କୌଣସି ସଂକ୍ରାମକ ରୋଗ ଦେଖାଦେଲେ ବା କାହାର ସନ୍ତାନ ଜନ୍ମ ନ ହେଲେ ଗ୍ରାମଦେବତୀ ପୂଜାପାଆନ୍ତି । ସରଳ ମନୁଷ୍ୟର ଏହି ଭ୍ରମପୂର୍ଣ୍ଣ ଧାରଣାକୁ ଫକୀରମୋହନ ଆକ୍ଷେପ କରିଅଛନ୍ତି । ଗ୍ରାମବାସୀମାନଙ୍କର ଏହିପରି ସରଳ ବିଶ୍ୱାସ ନଥିଲେ ଶାରିଆକୁ ଜାଲରେ ପକାଇବା ଚମ୍ପା ପକ୍ଷରେ ଏତେ ସହଜସାଧ୍ୟ ହୋଇ ନ ଥାନ୍ତା ।

 

ନିଜକୁ ସାଧୁ ବୋଲାଉଥିବା ଭଣ୍ଡ ତପସ୍ୱୀମାନଙ୍କୁ ଫକୀରମୋହନ ତାଙ୍କ ଲେଖନୀ ସାହାଯ୍ୟରେ ବହୁସ୍ଥାନରେ ଆକ୍ଷେପ କରିଅଛନ୍ତି । ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ବାବାଜୀ ଲଳିତା ଦାସଙ୍କ ବିଷୟରେ ସେ ମଧ୍ୟ ଯଥଷ୍ଟ ଭାବରେ ବ୍ୟଙ୍ଗୋକ୍ତି ପ୍ରକାଶ କରିଅଛନ୍ତି । ବାବାଜୀ ଲଳିତା ଦାସଙ୍କ ସଙ୍ଗରେ ବାଲ୍ୟବିଧବା ମରୁଆ ଘରଛାଡ଼ି ପଳାଇ ଆସିବା ବର୍ଣ୍ଣନାରୁ ଜଣାଯାଏ–ଏ ପ୍ରକାର ଭଣ୍ଡ ତପସ୍ୱୀମାନେ ଆମ ସମାଜରେ ବହୁ କଳଙ୍କ-କାଳିମା ଲେପନ କରିଥାଆନ୍ତି । ଏମାନଙ୍କୁ ସ୍ପଷ୍ଟଭାବରେ ଫକୀରମୋହନ ଆମ ଆଗରେ ଚିହ୍ନାଇ ଦେଇଅଛନ୍ତି ।

 

ଫକୀରମୋହନ ଥିଲେ ଜାତିଆଣ ପ୍ରଥାର ଘୋର ବିରୋଧୀ । ଯେ କୌଣସି ଜାତିଆଣ ମନୋବୃତ୍ତିକୁ ସେ ନିନ୍ଦା କରିଅଛନ୍ତି । ଛ ମାଣ ଆଠଗୁଣ୍ଡ ଉପନ୍ୟାସରେ ଶାରିଆ ଓ ଭଗିଆଙ୍କ ବିଷୟରେ ଫକୀରମୋହନ ଲେଖିବାକୁ ଯାଇ ସେମାନଙ୍କ ଜାତି ବିଷୟ ବିଚାରକୁ ନ ଆଣି ସେମାନଙ୍କର ମନୁଷ୍ୟତ୍ୱ ବିଷୟରେ ନିଜର ମତପ୍ରକାଶ କରିଅଛନ୍ତି । ଏହି ଅବସରରେ ଫକୀରମୋହନ ଜାତିଆଣ ପ୍ରଥାର ଘୋର ସମାଲୋଚନା କରିଅଛନ୍ତି । ଭଗିଆ ଜାତିରେ ତନ୍ତୀ ହେଲେ ମଧ୍ୟ ତା’ର ବିବେକିତାକୁ ଲକ୍ଷ୍ୟ କରିବାର କଥା । ଆମ ସମାଜର ଲୋକମାନେ ତନ୍ତୀକୁ ନିତାନ୍ତ ହେୟ ଦୃଷ୍ଟିରେ ଦେଖନ୍ତି ଏବଂ କଥାରେ କହନ୍ତି ‘‘ତନ୍ତୀ ଓଲୁ’’ । ଲେଖକଙ୍କ ମତରେ ତନ୍ତୀ ପ୍ରକୃତରେ ଓଲୁ ନୁହେଁ । ଯେଉଁମାନେ ତାକୁ ଓଲୁ ବୋଲି କହନ୍ତି ସେମାନେ ପ୍ରକୃତରେ ଓଲୁ । ଏ ପ୍ରସଙ୍ଗରେ ସେ ବ୍ରାହ୍ମଣମାନଙ୍କୁ ଯଥେଷ୍ଟ ସମାଲୋଚନା କରିଅଛନ୍ତି । ବ୍ରାହ୍ମଣଜାତିରେ ଜନ୍ମହେଲେ ଯେ କୌଣସି ଲୋକ ବ୍ରାହ୍ମଣ ହୋଇଯାଏ ନାହିଁ । ବ୍ରହ୍ମଦର୍ଶୀ ହେଲେ ତାକୁ ବ୍ରାହ୍ମଣ କୁହାଯାଇପାରେ-। ମାତ୍ର ବ୍ରାହ୍ମଣର ଆଚାର ବ୍ୟବହାର ନ ଥାଇ ଚଷାର ଆଚାର ବ୍ୟବହାର କରି ଆମ ସମାଜରେ ବ୍ରାହ୍ମଣ ଜାତିରେ ଜନ୍ମ ହୋଇଥିବା ଲୋକେ ବ୍ରାହ୍ମଣ ବୋଲାନ୍ତି । ଏହା ନିତାନ୍ତ ଅମୂଳକ ଧାରଣା ।

 

ଏ ପ୍ରସଙ୍ଗରେ ଏକ ଲାଳିକା ରଚନା କରି ଫକୀରମୋହନ ସୁନ୍ଦର ତ୍ରିପାଠୀଙ୍କର ଉଦାହରଣ ଦେଇଅଛନ୍ତି । ତାଙ୍କ ମତରେ ବ୍ରାହ୍ମଣର ଔରସରୁ ଜାତହେଲେ ମଧ୍ୟ ବ୍ରାହ୍ମଣର କର୍ମ ଆଚରଣ ନ କରିବାରୁ ସୁନ୍ଦର ତ୍ରିପାଠୀ ବ୍ରାହ୍ମଣ ନୁହନ୍ତି । ତେଣୁ ଫକୀରମୋହନ ଜାତିଆଣ ପ୍ରଥାର ବିରୁଦ୍ଧାଚରଣ କରିବା ସଙ୍ଗେ ସଙ୍ଗେ ମନୁଷ୍ୟକୁ ଜାତିର ଆଳରେ ବିଚାର ନ କରି ତା’ର କର୍ମରୁ ତାକୁ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଅଛନ୍ତି । ଫକୀରମୋହନ ସେନାପତିଙ୍କର ଏ ସଂସ୍କାର ପ୍ରୟାସ ତାଙ୍କର ପ୍ରତ୍ୟେକ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପରେ ପ୍ରକାଶ ପାଇଅଛି ।

 

ଆମ ଦେଶରେ ଶାସନ ବିଭାଗରେ ପୋଲିସ କର୍ମଚାରୀମାନଙ୍କର କ୍ରିୟାକଳାପକୁ ଫକୀରମୋହନ ନିତାନ୍ତ ନିର୍ମମ ଭାବରେ ସମାଲୋଚନା କରି ପୋଲିସ ବିଭାଗର ବହୁ ଦୋଷ ବିଷୟରେ ସାଧାରଣ ପାଠକମାନଙ୍କୁ ସତର୍କ କରିଦେଇ ଅଛନ୍ତି । ଲୋକମାନଙ୍କର ମୂର୍ଖତାର ସୁଯୋଗ ନେଇ ନିଜର ଶକ୍ତିକୁ ନିଜର ସ୍ୱାର୍ଥସାଧନରେ ବିନିଯୋଗ କରି ତତ୍‌କାଳୀନ ପୋଲିସ କର୍ମଚାରୀମାନେ ରକ୍ଷକର ଆସନରେ ଥାଇ କିପରି ଭକ୍ଷକ ସାଜିଥିଲେ, ତାହା ଫକୀରମୋହନ ସ୍ପଷ୍ଟରୂପେ ପ୍ରକାଶ କରିଅଛନ୍ତି । ସାହସର ସହିତ ଫକୀରମୋହନ ଶାସନ ବିଭାଗର ଯେଉଁ ଦୋଷ ଦେଖାଇ ଅଛନ୍ତି, ତାହା ତାଙ୍କର ସଂସ୍କାରପ୍ରିୟତାର ନିଦର୍ଶନ ।

 

ଇଂରେଜ ଶାସନ ସମୟରେ ବିଚାର ବିଭାଗରେ ଯେଉଁପରି କାର୍ଯ୍ୟମାନ ଚଳୁଥିଲା, ତାହା ପ୍ରତି ମଧ୍ୟ ଫକୀରମୋହନ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଅଛନ୍ତି । ହାକିମମାନେ ପେସ୍କାରମାନଙ୍କ ଉପରେ ସବୁ କାମ ଛାଡ଼ିଦେଇ ମିସଲ୍‌ ଉପରେ ବସି ଇଂରେଜୀ ଖବର କାଗଜ ପଢ଼ିବା ବା ବିଲାତରେ ଥିବା ମେମ୍‌ସାହେବଙ୍କ ପାଖକୁ ଚିଠି ଲେଖିବା ସେମାନଙ୍କର ଦାୟିତ୍ୱ ହୀନତାର ଚରମ ନିଦର୍ଶନ । ଆଇନ୍‌ ବ୍ୟବସାୟ କରୁଥିବା କେତେକ ନିକୃଷ୍ଟ ଧରଣର ଓକିଲ ମାଲିମୋକଦମାର ସୁଯୋଗ ନେଇ ପକ୍ଷମାନଙ୍କୁ କିପରି ସର୍ବସ୍ୱାନ୍ତ କରୁଥିଲେ ସେ କଥା ମଧ୍ୟ ଫକୀରମୋହନ ପ୍ରକାଶ କରିଅଛନ୍ତି । ଓକିଲ ରାମରାମଲାଲା ମୋକଦ୍ଦମା ଚଳାଇବାର ଦାୟିତ୍ୱ ବହନ କରି ରାମଚନ୍ଦ୍ର ମଙ୍ଗରାଜଙ୍କଠାରୁ ତାଙ୍କର ସମସ୍ତ ସଂପତ୍ତି ଅପହରଣ କରିଅଛନ୍ତି । ସେତେବେଳେ ଜନସାଧାରଣ ମାଲିମକଦ୍ଦମା କରି କିପରି ସର୍ବସ୍ୱାନ୍ତ ହେଉଥିଲେ, ଏହା ତାହାର ଏକ ଉଦାହରଣ ।

 

ଫକୀରମୋହନ ତାଙ୍କର ଉପନ୍ୟାସ ଛ ମାଣ ଆଠଗୁଣ୍ଠର କଳେବର ମଧ୍ୟରେ ବହୁସ୍ଥଳରେ ତାଙ୍କର ସଂସ୍କାରପ୍ରିୟତାର ପ୍ରମାଣ ପ୍ରଦାନ କରିଅଛନ୍ତି । ସେ ଏହି ସଂସ୍କାରମୂଳକ ବିଷୟ ଉତ୍‌ଥାପନ କରିବାରେ ଯେଉଁ ସାହସିକତା ପ୍ରଦର୍ଶନ କରିଅଛନ୍ତି ତାହା ଅନନ୍ୟସାଧାରଣ । ଓଡ଼ିଆ ଉପନ୍ୟାସସାହିତ୍ୟରେ ଫକୀରମୋହନଙ୍କ ପରି ନିର୍ଭୀକ ସ୍ରଷ୍ଟା ଏବେ ସୁଦ୍ଧା ଅଭାବ । ଫକୀରମୋହନଙ୍କର ଅନବଦ୍ୟ ଲେଖନୀ ଓଡ଼ିଶାର ଗାଁ ଗଣ୍ଡାର ଜନସାଧାରଣଙ୍କ ପ୍ରାଣରେ ସଂସ୍କାରର ସ୍ପନ୍ଦନ ସୃଷ୍ଟିକରିବାକୁ ସମର୍ଥ ହୋଇଅଛି ।

Image

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଛ ମାଣ ଆଠଗୁଣ୍ଠର ସ୍ଥାନ

 

ଓଡ଼ିଆ ସାହିତ୍ୟରେ ‘ପଦ୍ମମାଳୀ’ଠାରୁ ଆରମ୍ଭ କରି ‘ତମସାତୀର’ ପର୍ଯ୍ୟନ୍ତ ଯେତେଗୁଡ଼ିଏ ଉପନ୍ୟାସ ସୃଷ୍ଟି ହୋଇଅଛି, ଛ ମାଣ ଆଠଗୁଣ୍ଠ ସେଗୁଡ଼ିକ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରଥମ ସୃଷ୍ଟି ପଦ୍ମମାଳୀରେ ଲେଖକ ସ୍ୱର୍ଗତ ଉମେଶଚନ୍ଦ୍ର ସରକାର ଗୋଟିଏ କାହାଣୀକୁ ବଳିଷ୍ଠ ଭାବରେ ବର୍ଣ୍ଣନା କରିଅଛନ୍ତି । ଏହି କାଳ୍ପନିକ କାହାଣୀରେ ସେ ସମୟରେ ଘଟିଥିବା ନୀଳଗିରି ଓ ମୟୁରଭଞ୍ଜର ଏକ ରାଜନୈତିକ ବିବାଦକୁ ଯୋଡ଼ିଦିଆ ଯାଇଅଛି । ଉପନ୍ୟାସର ଗଳ୍ପାଂଶ ଏପରି ହୋଇଅଛି ଯେ ଅନେକ ସ୍ଥଳରେ ବର୍ଣ୍ଣନାର ଅତିରଞ୍ଜନ ଉପନ୍ୟାସର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଅଛି । ଉପନ୍ୟାସଟି ମିଳନାନ୍ତକ । ମାତ୍ର ଉପନ୍ୟାସ ଶେଷରେ ଏହି ମିଳନର ବାୟୁମଣ୍ଡଳ ଏକାନ୍ତ ଭାବରେ ନାଟକୀୟ ଅତିରଞ୍ଜନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭୀମାଭୂୟାଁ ଉପନ୍ୟାସର ଲେଖକ ସ୍ୱର୍ଗତ ଗୋପଳ ବଲ୍ଲଭ ଦାସ ଓଡ଼ିଶାର ଭୂୟାଁଜାତିର ଜୀବନଚିତ୍ର ଅଙ୍କିତ କରିଅଛନ୍ତି । ଏହି ଉପନ୍ୟାସରେ ପୂର୍ବ ଉପନ୍ୟାସ ପରି ବର୍ଣ୍ଣନାର ବାହୁଲ୍ୟ ଦୃଷ୍ଟିଗୋଚର ହୋଇଥାଏ । ଭୂୟାଁଜାତିର ମୌଳିକତା ବିଷୟରେ ଲେଖକ ଯେଉଁ ଚିତ୍ର ପ୍ରଦାନ କରିଅଛନ୍ତି, ତାହା ହିଁ ଲେଖକଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣର ପରିଚୟ ଦେଇଅଛି -ପ୍ରେମପୂର୍ଣ୍ଣ ବାତାବରଣରେ ଉପନ୍ୟାସର ପରିସମାପ୍ତି ଘଟିଅଛି । ମାତ୍ର ଏ ପ୍ରେମ ବହିର୍ଜଗତର ପ୍ରେମ ନୁହେଁ, ଏ ପ୍ରେମ ଅନ୍ତର୍ଜଗତର ପ୍ରେମ । ଉପନ୍ୟାସ ସାହିତ୍ୟ କହିଲେ ଯାହା ବୁଝାଏ ଉପରୋକ୍ତ ଦୁଇଗୋଟି ଉପନ୍ୟାସ ପୂର୍ଣ୍ଣଭାବରେ ସେ ଧାରଣା ପାଠକକୁ ଦେଇପାରନ୍ତି ନାହିଁ ।

 

ରାମଶଙ୍କର ରାୟଙ୍କର ‘ବିବାସିନୀ’ ଏକ ରାଜନୈତିକ ବାତାବରଣର କଥାବସ୍ତୁକୁ ନେଇ ରଚିତ । ମାତ୍ର ଏହାକୁ ରାଜନୈତିକ ଉପନ୍ୟାସ କୁହାଯାଇ ପାରିବ ନାହିଁ । ଏହି ଉପନ୍ୟାସରେ କୁଜଙ୍ଗର ଷଣ୍ଢରାଜାଙ୍କ ସମୟରେ ଗୋଟିଏ କାଳ୍ପନିକ କାହାଣୀ ବର୍ଣ୍ଣନା କରାଯାଇଅଛି । ମାତ୍ର ଉପନ୍ୟାସର ବର୍ଣ୍ଣନାଶୈଳୀ ଉପନ୍ୟାସର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଅଛି । ଏହି ଉପନ୍ୟାସ ଓଡ଼ିଶାର ପାଠକମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବାକୁ ଅସମର୍ଥ ହୋଇଅଛି । ଛ ମାଣ ଆଠଗୁଣ୍ଠ ପ୍ରକାଶ ପାଇବା ପୂର୍ବରୁ ଓଡ଼ିଆ ସାହିତ୍ୟରେ ଯେଉଁ କେତେଖଣ୍ଡି ଉପନ୍ୟାସ ଆତ୍ମପ୍ରକାଶ କରିଥିଲେ, ସେଗୁଡ଼ିକ ଉପନ୍ୟାସ ଭାବରେ ନିଜର ଖ୍ୟାତି ବଜାୟ ରଖିପାରି ନାହାନ୍ତି-

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସ ୧୮୯୭ ସାଲରେ ଉତ୍କଳ ସାହିତ୍ୟ ମାସିକ ପତ୍ରିକାରେ ପ୍ରଥମ ଥର ପାଇଁ ଆତ୍ମପ୍ରକାଶ କଲା । ଏହା ଉତ୍କଳ ସାହିତ୍ୟରେ କ୍ରମାଗତ ଭାବରେ ପ୍ରତି ମାସରେ ପ୍ରକାଶ ପାଉଥାଏ । ଓଡ଼ିଶାର ପାଠକମାନେ ଏହାର ପ୍ରକାଶ ସମୟଠାରୁ ଏହା ପ୍ରତି ଅତ୍ୟନ୍ତ ଆଦରଭାବ ଦେଖାଇ ଆସିଅଛନ୍ତି । ଛ ମାଣ ଆଠଗୁଣ୍ଠ ଓଡ଼ିଶାରେ ଏପରି ଭାବରେ ଆଦୃତ ହୋଇଥିଲା ଯେ ଲୋକମାନେ ଏହାର କଥାବସ୍ତୁକୁ ଏକ ସତ୍ୟମୂଳକ ଘଟଣା ବୋଲି ମନେକରିଥିଲେ । ଏ ବିଷୟରେ ଫକୀରମୋହନ ତାଙ୍କର ଆତ୍ମଜୀବନ ଚରିତରେ ଲେଖିଅଛନ୍ତି, ‘‘କଟକ ବାସ ସମୟରେ ମୋର ଉପନ୍ୟାସ ଲେଖା ଆରମ୍ଭ ହୁଏ । ମୁଁ ପ୍ରଥମେ ରେବତୀ ନାମକ ଗୋଟିଏ ଗଳ୍ପ ଲେଖିଲି । ‘‘ଉତ୍କଳ ସାହିତ୍ୟ’’ରେ ପ୍ରକାଶ ପାଇଁ ତାହା ସମ୍ପାଦକଙ୍କୁ ଦେଲି । ମୁଁ ଏହି ସମୟରେ ଯେଉଁ ଗଳ୍ପ ଓ ଉପନ୍ୟାସମାନ ଲେଖୁଥିଲି, ତାହା ମୋହ ନାମରେ ପ୍ରକାଶ ନକରି ‘‘ଧୂର୍ଜ୍ଜଟୀ’’ ନାମରେ ପ୍ରକାଶ କରୁଥିଲି । ଏ ନାମଟି ବାଛିଥିଲେ ମୋର ପ୍ରିୟବନ୍ଧୁ ମଧୁସୂଦନ ରାଓ । ତତ୍ପରେ ‘‘ଛ ମାଣ ଆଠଗୁଣ୍ଠ’’ ନାମରେ ଗୋଟିଏ ଗଳ୍ପ ଆରମ୍ଭ କଲି । ତାହା କ୍ରମଶଃ ବଢ଼ି ବଢ଼ି ଗୋଟିଏ ବଡ଼ ଉପନ୍ୟାସରେ ପରିଣତ ହେଲା । ଏହାପରେ ‘‘ଅପୂର୍ବ ମିଳନ’’ ନାମରେ ଗୋଟିଏ ଉପନ୍ୟାସ ଲେଖିବାକୁ ଆରମ୍ଭ କରେ ଏବଂ ଏହି ନାମରେ ତାହା ଉତ୍କଳସାହିତ୍ୟରେ ପ୍ରକାଶିତ ହୋଇଥିଲା । ସ୍ୱତନ୍ତ୍ର ପୁସ୍ତକାକାରରେ ଯେତେବେଳେ ଛାପାହେଲା, ତାହାର ନାମ ଦେଲି ‘ଲଛମା’-। ମୋର ଏହି ଗଳ୍ପ ଓ ଉପନ୍ୟାସମାନ ପଢ଼ି ପାଠକମାନେ ବିଶେଷ ପ୍ରୀତି ହୋଇଥିଲେ । ‘ଛ ମାଣ ଆଠଗୁଣ୍ଠ’କୁ ସେମାନେ ବିଶେଷ ଆଗ୍ରହର ସହିତ ପଢ଼ୁଥିଲେ । ଏହି ଉପନ୍ୟାସଲିଖିତ ରାମଚନ୍ଦ୍ର ମଙ୍ଗରାଜର ମକଦ୍ଦମାର ବିବରଣ ଯେତେବେଳେ ଉତ୍କଳ ସାହିତ୍ୟରେ ପ୍ରକାଶିତ ହେଉଥିଲା, ସେତେବେଳେ ମଫସଲରୁ କେତେକ ଅଜ୍ଞଲୋକ ମକଦ୍ଦମା ବିଚାର ଦେଖିବା ପାଇଁ କଟକ ଆସିଥିଲେ ।’’

 

ଗୋଟିଏ ଉପନ୍ୟାସର ବିବରଣ ପାଠକରି ଏ ଦେଶରେ ଲୋକମାନେ ତାହାକୁ ସତ୍ୟ ମନେକରି ତହିଁରେ ବର୍ଣ୍ଣିତ ଥିବା ମୋକଦ୍ଦମାର ବିଚାର ଦେଖିବା ପାଇଁ କଚେରୀକୁ ଆସିବା କିଛି କମ୍‌ କଥା ନୁହେଁ । ଏହା ହିଁ ଏହି ଉପନ୍ୟାସ ଓ ଔପନ୍ୟାସିକଙ୍କର ଜନପ୍ରିୟତାର ଅଭ୍ରାନ୍ତ ନିଦର୍ଶନ । ଛ ମାଣ ଆଠଗୁଣ୍ଠରେ ବର୍ଣ୍ଣିତ ବିଷୟ ଓଡ଼ିଆର ଗଣଜୀବନର ଏହିପରି ଚିତ୍ର ଅଙ୍କନ କରିବାରେ ସମର୍ଥ ହୋଇଅଛି ଯେ ତାହାକୁ ସତ୍ୟ ମୂଳକ ଘଟଣାରୂପେ ଗ୍ରହଣ କରିନେବାକୁ ଏଦେଶର ଜନସାଧାରଣ ପଛେଇ ନାହାନ୍ତି । ଫକୀରମୋହନଙ୍କ ଲେଖନୀରେ ଏହା ହିଁ ଚରମ ସାର୍ଥକତା ଏବଂ ଛ ମାଣ ଆଠଗୁଣ୍ଠର ଏହା ହିଁ ଚରମ ଜନପ୍ରିୟତା ।

 

ଫକୀରମୋହନଙ୍କ ପରେ ଏ ଦେଶରେ ବହୁ ଲେଖକ ବହୁ ଉପନ୍ୟାସ ରଚନା କରିଅଛନ୍ତି ସତ, ମାତ୍ର ଫକୀରମୋହନଙ୍କ ପରି ସ୍ୱାତନ୍ତ୍ର୍ୟ କେହି ପ୍ରଦର୍ଶନ କରି ପାରିନାହାନ୍ତି ବା ଫକୀରମୋହନଙ୍କ ପରି କେହି ଜନପ୍ରିୟ ହୋଇ ପାରିନାହାନ୍ତି । ନାରୀଲେଖିକା କୁନ୍ତଳାକୁମାରୀ, ନନ୍ଦକିଶୋର ବଳ, ଚିନ୍ତାମଣି ମହାନ୍ତି ପ୍ରଭୃତି ଉପନ୍ୟାସ ରଚନା କରିବା ଦିଗରେ ଫକୀରମୋହନଙ୍କ ଆଦର୍ଶର ଅନୁସରଣ କରୁଥିଲେ ହେଁ ନିଜର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରି ପାରିନାହାନ୍ତି ।

 

ଅତ୍ୟାଧୁନିକ ଯୁଗରେ କାହ୍ନୁଚରଣ, ଗୋପୀନାଥ ରାଜକିଶୋର ପ୍ରମୁଖ ଔପନ୍ୟାସିକଗଣ ସେମାନଙ୍କ ଉପନ୍ୟାସମାନଙ୍କରେ ବହୁ ନୂତନ ଚିନ୍ତାଧାରାର ବିକାଶ ଘଟାଉ ଅଛନ୍ତି ସତ, ମାତ୍ର ଫକୀରମୋହନଙ୍କ ପରି ଜନପ୍ରିୟତା ସେମାନଙ୍କ ଭାଗ୍ୟରେ କାହିଁ ? ଓଡ଼ିଆ ଉପନ୍ୟାସ ସାହିତ୍ୟ ଆଧୁନ୍ୟତନ କାଳରେ ବହୁମୁଖୀ ଲକ୍ଷ୍ୟରେ ସୃଷ୍ଟିପଥରେ ଆଗେଇ ଚାଲିଛି । ଏହି ଲକ୍ଷ୍ୟଗୁଡ଼ିକର ପୂରଣ ଜନମାନସରେ କି ପ୍ରତିକ୍ରିୟା ସୃଷ୍ଟି କରୁଅଛି, ତାହା ଆମର ଦେଖିବାର କଥା । ଆମ ଜୀବନର ବାସ୍ତବ ରୂପରେଖ ଏହି ଔପନ୍ୟାସିକମାନେ କିପରି ଭାବରେ ଦେଇପାରୁଛନ୍ତି ତାହା ମଧ୍ୟ ଆମର ଲକ୍ଷ୍ୟ କରିବାର କଥା । ଔପନ୍ୟାସିକା ବସନ୍ତକୁମାରୀ ପଟ୍ଟନାୟକଙ୍କର ‘‘ଅମଡ଼ାବାଟ’’ ଉପନ୍ୟାସ ଏ ଦେଶରେ ବିଶେଷ ଭାବରେ ଜନପ୍ରିୟତା ଲାଭ କରିଅଛି । ତାହାର କାରଣ, ଅମଡ଼ା ବାଟରେ ଆମ ଗଣଜୀବନର ବାସ୍ତବ ରୂପରେଖ ଅବିକୃତ ଭାବରେ ସ୍ଥାନ ପାଇଅଛି । ତେଣୁ ତାହା ଏ ଦେଶରେ ପାଠକପାଠିକାଙ୍କ ନିକଟରେ ଆଦୃତ ହେବା ନିତାନ୍ତ ସ୍ୱାଭାବିକ ।

 

ଫକୀରମୋହନ ସେନାପତି ଓଡ଼ିଆ ଔପନ୍ୟାସିକମାନଙ୍କ ମଧ୍ୟରେ ଯେପରି ଅପ୍ରତିଦ୍ୱନ୍ଦ୍ୱୀ, ତାଙ୍କର ରଚନା ଛ ମାଣ ଆଠଗୁଣ୍ଠର ସ୍ଥାନ ଓଡ଼ିଆ ଉପନ୍ୟାସ ସାହିତ୍ୟକ୍ଷେତ୍ରରେ ସେହିପରି ଅପ୍ରତିଦ୍ୱନ୍ଦ୍ୱୀ ।

Image